ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା

ଅନିଲ କୁମାର ବିଶ୍ୱାଳ

ସାଧାରଣ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉ କି ସରକାରୀ ଦୁର୍ନୀତିକୁ ରୋକିବା ନେଇ ହେଉ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସବୁବେଳେ ଏସବୁରେ ବଡ଼ ଭୂମିକା ରହିଛି। ସାଧାରଣ ପୋଲିସ ଅପେକ୍ଷା ଏମାନଙ୍କର ଉତ୍ତରଦାୟିତ୍ୱ ଅଧିକ। ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସିବିଆଇ ହେଉ କି ରାଜ୍ୟ ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ହେଉ, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଗୋଇନ୍ଦା ବିଭାଗ ହେଉ କି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଭିଜିଲାନ୍‌ସ ହେଉ, ଏହି ସବୁ ଅନୁଷ୍ଠାନଗୁଡ଼ିକର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ଅନିୟମିତତା ରୋକିବା ପାଇଁ ଥିବା ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏହି ଅନୁଷ୍ଠାନଗୁଡ଼ିକ ସବୁବେଳେ ସାଧାରଣ ଲୋକମାନଙ୍କର ଭରସାଯୋଗ୍ୟ ହେବା ଦରକାର। ଯଦି ଲୋକମାନଙ୍କର ଭରସା ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉପରେ ରହୁନାହିଁ ତା’ହେଲେ ଧରି ନେବାକୁ ହେବ ଯେ ସବୁକିଛି ଠିକ୍‌ଠାକ୍‌ ଚାଲୁନାହିଁ। ଅନେକ ସମୟରେ ଦେଖାଯାଉଛି ଯେ ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକର ତଦନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁଛି, ବିଭିନ୍ନ ସମୟରେ ତଦନ୍ତର ଦିଗ ଓ ବେଗ ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ନିୟନ୍ତ୍ରଣ ହେଉଛି। ଅନେକ ସମୟରେ ସମସ୍ତ ପ୍ରମାଣ ଥାଇ ବି ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରମାଣକୁ ନଷ୍ଟ କରିଛନ୍ତି, ଅନେକ ମାମଲାରେ ଜାଣିଶୁଣି ପ୍ରମାଣକୁ ହାତଛଡ଼ା ମଧ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ଅନେକ ସମୟରେ ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକର ନୋଟିସ, ଚଢ଼ାଉ ଆଦି ଏତେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଯାଉଛି ଯେ ଜଣେ ସାଧାରଣ ଲୋକଟି ବୁଝିଯାଉଛି କାହା ଉପରେ ଯଦି ଅଚାନକ ଚଢ଼ାଉ ହେଉଛି ତାହା ହେଲେ ତାହାପଛରେ ସରକାରକୁ ବିରୋଧ କରିବା ହିଁ ଏକମାତ୍ର କାରଣ ବୋଲି। ବେଳେବେଳେ ଅନେକ ଦିନ ଧରି ଶିଥିଳ ହୋଇପଡ଼ିଥିବା ତଦନ୍ତ ହଠାତ୍‌ ଚେଇଁ ଉଠୁଛି କେବଳ ସେହି ରାଜନୈତିକ ଉଦ୍ଦେଶ୍ୟ ପାଇଁ। ଅନେକ ସମୟରେ ବିଭିନ୍ନ ରାଜନୈତିକ କାରଣ ପାଇଁ ଆର୍ଥିକ ଦୁର୍ନୀତି ରୋକିବା ସଂସ୍ଥାଗୁଡ଼ିକ ଭିନ୍ନ ଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ାଉ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏହି ଚଢ଼ାଉରେ କିଛି ନିର୍ଣ୍ଣାୟକ ଫଳ ଆସୁନି, ଅନେକ ଘଟଣାରେ ମାମଲାଟିଏ ବି ରୁଜୁ କରିବା ଭଳି କିଛି ଅନିୟମିତତା ବାହାରୁନି। ମହାରାଷ୍ଟ୍ର, ତାମିଲନାଡୁ ଭଳି ରାଜ୍ୟରେ ସରକାର ବଦଳିଲା, ମାତ୍ର ପ୍ରଥମ ବର୍ଷରେ କେବଳ ରାଜ୍ୟ ସରକାରଙ୍କ ବିଭିନ୍ନ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିରୋଧୀ ଦଳର ପ୍ରତିଷ୍ଠାନ ଉପରେ ଚଢ଼ାଉ ହେବାର ଦେଖିବାକୁ ମିଳେ। ତେଣୁ ଏସବୁ ଦେଖିଲେ ସାଧାରଣ ଲୋକମାନଙ୍କର ତଦନ୍ତକାରୀ ସଂସ୍ଥା ଉପରେ ବିଶ୍ୱସନୀୟତା କିପରି ରହିବ ତାହା ଏକ ବଡ଼ ଚିନ୍ତାର ବିଷୟ।
୨୦୧୩ରେ ସୁପ୍ରିମକୋର୍ଟ ସିବିଆଇକୁ କହିଥିଲେ ଯେ, ସିବିଆଇ ହେଉଛି ପଞ୍ଜୁରି ଭିତରେ ଥିବା ଶୁଆ। କିଛି ବର୍ଷ ତଳେ ସେହି ସିବିଆଇରେ ଆସ୍ଥାନା ଓ ବର୍ମାଙ୍କର କଳି ସାରା ଦେଶ ଦେଖିଲା। ବିଭିନ୍ନ ରାଜ୍ୟରେ କୌଣସି ସମ୍ବେଦନଶୀଳ ଘଟଣାଟି ଘଟିଗଲେ ତୁରନ୍ତ ସେହି ରାଜ୍ୟରେ ଥିବା ବିରୋଧୀ ଦଳ ସିବିଆଇ ତଦନ୍ତ ଦାବି କରନ୍ତି। ଏହାର ଅର୍ଥ ହେଉଛି ସେମାନଙ୍କର ରାଜ୍ୟ ପୋଲିସ ଉପରେ ଆଉ ଭରସା ନାହିଁ। କିନ୍ତୁ ସିବିଆଇ ଯଦି ବିଫଳ ହେବ ତା’ହେଲେ କ’ଣ କରାଯିବ। ଆମେ ଯଦି ସିବିଆଇର ସାମ୍ବିଧାନିକ କ୍ଷମତା ବା ସ୍ବୀକୃତିକୁ ଦେଖିବା ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ। ସିବିଆଇର ଗଠନ ହୋଇଥିଲା ୧୯୬୩ରେ। ଏହା ଏବେ ବି ସେହି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଇଂରେଜ ସରକାର ତିଆରି କରିଥିବା ଦିଲ୍ଲୀ ପୋଲିସ ପ୍ରତିଷ୍ଠାନ ଆକ୍ଟ ୧୯୪୬ ଅନୁସାରେ ଚାଲିଛି। ସେହି ଆଇନ କରାଯାଇଥିଲା ବିଶ୍ୱଯୁଦ୍ଧ ସମୟରେ କିଣାଯାଉଥିବା ଯୁଦ୍ଧାସ୍ତ୍ର, ଖାଦ୍ୟ, ରାଶନ ସାମଗ୍ରୀରେ ହେଉଥିବା ଦୁର୍ନୀତିର ତଦନ୍ତ କରିବାକୁ। ଆମେ ସ୍ବାଧୀନତାର ଏତେ ବର୍ଷ ପରେ ବି ସିବିଆଇକୁ ସେହି ଦିଲ୍ଲୀ ପୋଲିସ ପ୍ରତିଷ୍ଠାନ ଆକ୍ଟ ୧୯୪୬ରୁ ବାହାର କରି ଏକ ସ୍ବତନ୍ତ୍ର ଆଇନ କରି ଆହୁରି ଶକ୍ତିଶାଳୀ ତଦନ୍ତକାରୀ ସଂସ୍ଥା କରିପାରିଲେନି। ସିବିଆଇର କାର୍ଯ୍ୟପଦ୍ଧତିର ନିୟମ ଯାହା ଅଛି ତାହା ସବୁବେଳେ ସ୍ଥାନୀୟ ରାଜ୍ୟର ପୋଲିସ ଉପରେ ନିର୍ଭରଶୀଳ। ଏପରି କି କୌଣସି ଯୁଗ୍ମ ସଚିବ ସ୍ତରର ସରକାରୀ ଅଧିକାରୀ, ମନ୍ତ୍ରୀ ବା ବିଧାୟକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିବାକୁ ଚାହିଁଲେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ଆଣିବାକୁ ପଡ଼ିବ। ଏପରି ନିୟମ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏକ ଧାଡ଼ିକିଆ ବିଜ୍ଞପ୍ତି ଜରିଆରେ ଆଣିଥିଲେ; ଯାହା ଆଜି ପର୍ଯ୍ୟନ୍ତ ରହିଛି। ଏପରି କି ୨୦୦୩ରେ ସୁପ୍ରିମକୋର୍ଟ ଏହାକୁ ବେଆଇନ ଦର୍ଶାଇଥିଲେ କିନ୍ତୁ ପରେ ମନମୋହନଙ୍କ ସରକାର ଏହାକୁ ପୁଣି ସଂସଦରେ ପାସ୍‌ କରାଇ ଲାଗୁ କରିଲେ।
ଓଡ଼ିଶାରେ ଚିଟ୍‌ଫଣ୍ଡ ଓ କୋଇଲା ଦୁର୍ନୀତି ଭଳି ଦୁଇଟି ବୃହତ୍‌ ଦୁର୍ନୀତିର ତଦନ୍ତ ସିବିଆଇ କରୁଥିଲା। ନା ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିରେ କୌଣସି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ପାରିଲା ନା କୋଇଲା ଦୁର୍ନୀତିରେ କୌଣସି ବଡ଼ ବଡ଼ ସରକାରୀ ଅଧିକାରୀଙ୍କର କିଛି କରିପାରିଲା। ସିବିଆଇର ତଦନ୍ତ କେବଳ ଲୋକ ଦେଖାଣିଆ ଭାବରେ ଏଠୁ ସେଠୁ ଘୂରିଲା। ବହୁ ଚର୍ଚ୍ଚିତ ଟିକିରିରେ ଜଣେ ଶିକ୍ଷୟିତ୍ରୀଙ୍କର ହତ୍ୟା ମାମଲାରେ ବି ସିବିଆଇ ତଦନ୍ତ କରୁଥିଲା। ହେଲେ ସିବିଆଇ ସେହି ମାମଲାରେ କିଏ ହତ୍ୟାକାରୀ ତାକୁ ଚିହ୍ନଟ କରିପାରିଲା ନାହିଁ। ସିବିଆଇର ବାର୍ଷିକ ରିପୋର୍ଟ ଅନୁସାରେ ସିବିଆଇ ପାଖରେ ଏବେ ଏପରି ୨୫ଟି ମାମଲା ଅଛି; ଯାହାର ତଦନ୍ତ ୫ ବର୍ଷରୁ ଅଧିକ ସମୟ ହେଲାଣି ଚାଲିଛି। ସେହି ୨୫ଟି ମାମଲା ହେଉଛି ବହୁ କୋଟି ଦୁର୍ନୀତିର ଓ କ୍ଷମତାଶାଳୀମାନେ ଅଭିଯୁକ୍ତ। ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କ’ଣ ୫ ବର୍ଷ ଗୋଟିଏ ମାମଲାର ତଦନ୍ତ କରିବା ପାଇଁ ଯଥେଷ୍ଟ ନୁହେଁ କି?
ଖାଲି ସିବିଆଇ କଥା ନୁହେଁ, ଓଡ଼ିଶା ସରକାରଙ୍କ କ୍ରାଇମବ୍ରାଞ୍ଚ ମଧ୍ୟ ସେହିଭଳି ରୋଗରେ ରୋଗାକ୍ରାନ୍ତ। ଅଗଷ୍ଟ ମାସ ୨୦୨୦ରେ ପୋଲିସ ବିଭାଗର ତଥ୍ୟାନୁସାରେ ୨୦୦୭ରୁ ୨୦୧୯ ଭିତରେ କ୍ରାଇମବ୍ରାଞ୍ଚକୁ ମୋଟ ୩୪୫ଟି ମାମଲାର ତଦନ୍ତ ଦିଆଯାଇଥିଲା। ସେଥିରେ କୁନ୍ଦୁଲି ଓ ପିପିଲି ଗଣବଳାତ୍କାର ଭଳି ସମ୍ବେଦନଶୀଳ ମାମଲା ଥିଲା। ସେଥିରୁ ପାଖାପାଖି ୧୬୮ଟି ମାମଲାରେ (୪୯%) କ୍ରାଇମବ୍ରାଞ୍ଚ ଚାର୍ଜଶିଟ ଦାଖଲ କରିପାରିଲା। ବାକି ୧୭୭ଟି ମାମଲାରେ ତଦନ୍ତ ଚାଲୁଥିଲା। କୁନ୍ଦୁଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି କହିଲା ଯେ, ବଳାତ୍କାର ହୋଇନାହିଁ। କିନ୍ତୁ ପୀଡ଼ିତା ଜଣକ ବଳାତ୍କାର ହେବାରେ ଅନେକ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଆଇସିୟୁରେ ରହି ଚିକିତ୍ସା ହେଲେ। ଯଦି ବଳାତ୍କାର ହୋଇ ନ ଥିଲା ତା’ହେଲେ କେଉଁ ଚିକିତ୍ସା ହେଉଥିଲା ତାଙ୍କର ଆଇସିୟୁରେ? ଶେଷରେ ପୀଡ଼ିତା ଜଣକ ଆତ୍ମହତ୍ୟା କରିଲେ। ପିପିଲି ଗଣବଳାତ୍କାର ମାମଲାରେ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ିବାରେ କ୍ରାଇମବ୍ରାଞ୍ଚ ବିଫଳ ହେଲା; ଯାହାଫଳରେ ଯାହାଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲା ସେମାନେ ପ୍ରମାଣ ଅଭାବରୁ ଖଲାସ ହେଲେ। ଏହି ଦୁଇଟି ଯାକ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଥିଲା, ଗଣମାଧ୍ୟମରୁ ନେଇ ରାଜନୈତିକ ମହଲ ସବୁଆଡ଼େ ଚର୍ଚ୍ଚାରେ ଥିଲା।
କେବେ ଦେଖାଯାଉନି ଯେ ଭିଜିଲାନ୍‌ସ କେବେ କୌଣସି ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଧରିବା ନେଇ। କେବଳ ମଝିରେ ମଝିରେ ଚପରାସୀ, କିରାଣି ନ ହେଲେ ହାବିଲଦାରଙ୍କୁ ଧରିବା ହେଉଛି ଭିଜିଲାନ୍‌ସର କାମ। ସେହିପରି କେବେ ଦେଖାଯାଉନି ଯେ ଆୟକର ବିଭାଗ କେବେ ଟିକସ ଫାଙ୍କିବା ଅଭିଯୋଗରେ କୌଣସି ବଡ଼ ସେଲିବ୍ରିଟି କି କୌଣସି ବଡ଼ ବ୍ୟବସାୟୀଙ୍କ ବିରୋଧରେ ମକଦ୍ଦମା ନିଜ ଆଡୁ କରିବା। ପାନାମା ପେପର ବା ପାଣ୍ଡୋରା ବକ୍ସ ଭଳି ଘଟଣାରେ ଯେଉଁମାନଙ୍କ ନାଁ ଟିକସ ଫାଙ୍କିବା ନେଇ ଆସୁଛି ସେମାନେ କେବେ ଆୟକର ବିଭାଗର ସ୍କାନରରେ ରୁହନ୍ତି ନାହିଁ।
ଏହି ଯେଉଁ ତଦନ୍ତକାରୀ ସଂସ୍ଥା ଅଛନ୍ତି ସେମାନେ ପ୍ରାୟତଃ ଅନେକ ମାମଲାରେ ମକଦ୍ଦମା ହାରିବା ପଛରେ ସାଧାରଣତଃ ଦୁଇଟି କାରଣ ଥାଏ। ଗୋଟିଏ ହେଲା ମାମଲାରେ ଯେଉଁ ଭଳି ଭାବରେ ତଦନ୍ତ କରିବା କଥା ରାଜନୈତିକ ଚାପଥିବା କାରଣ ପାଇଁ ହେଉ ବା ଅନ୍ୟ କାରଣ ଲାଗି ହେଉ ସେମାନେ ସେପରି କରନ୍ତି ନାହିଁ। ଦ୍ୱିତୀୟ କାରଣ ହେଲା ସେମାନେ ଅଦାଲତରେ ଲଢ଼ିବା ବେଳେ ସେମାନଙ୍କର ମାମଲା ପରିଚାଳନା କରୁଥିବା ଓକିଲମାନେ ମଧ୍ୟ ଦକ୍ଷ ନୁହନ୍ତି। ବିଭିନ୍ନ ସରକାରୀ ତଦନ୍ତକାରୀ ସଂସ୍ଥାରେ କେଉଁ କେଉଁ ମାନେ ଓକିଲ ହେବେ ତାହାର ତାଲିକା ପ୍ରସ୍ତୁତି ବେଳେ ମଧ୍ୟ ଏତେ ଲବି ଓ ହାତଗୁଞ୍ଜା ଚାଲେ ତାହା ଚିନ୍ତାଜନକ। ଅଦାଲତରେ ଦୁର୍ବଳ ଓକିଲ ଠିକ୍‌ ଭାବରେ ଯୁକ୍ତି ନ ରଖିବା କାରଣରୁ ଅନେକ ମାମଲାରେ ସରକାର ହାରିଯାଆନ୍ତି। ଲ’ କମିଶନ ତାଙ୍କ ରିପୋର୍ଟରେ ଏହି ବିଭିନ୍ନ ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା ଓ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ବିଶ୍ୱରେ ଦଣ୍ଡବିଧାନ ହାର ତାଲିକା ପଛରେ ଥିବା ଦେଶଗୁଡ଼ିକ ଭିତରେ ରହିଛି ଭାରତ। ବିଭିନ୍ନ ଆପରାଧିକ ମାମଲାରେ ତଦନ୍ତ କରିବା ପାଇଁ ଦରକାର ପଡୁଥିବା ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଉପରେ ପଟୁତା ହାସଲ କରିଥିବା ଅଫିସରଙ୍କର ଅଭାବ ଓ ଡିଜିଟାଲ ଟେକ୍ନୋଲଜି ସହାୟତାରେ ଅତ୍ୟାଧୁନିକ ଉପାୟରେ ହେଉଥିବା ଆର୍ଥତ୍କ ଠକେଇକୁ ରୋକିବାକୁ ଆବଶ୍ୟକ ହେଉଥିବା ବିଶେଷଜ୍ଞମାନଙ୍କର ଅଭାବ ମଧ୍ୟ ଆଉ ଏକ ସମସ୍ୟା।
ପିଏଚଡି ସ୍କଲାର, ଉତ୍କଳ ବିଶ୍ୱବିଦ୍ୟାଳୟ
ମୋ: ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ମୋ ମାତୃଭାଷା ମୋତେ ଶ୍ରେଷ୍ଠ

ବୈକୁଣ୍ଠନାଥ ମିଶ୍ର ଶୀର୍ଷକଟି ବ୍ୟାସକବି ଫକୀର ମୋହନଙ୍କ କବିତାର ଏକ ଉଦ୍ଧୃତାଂଶ। କବିଙ୍କ ଭାଷାରେ- ଭ୍ରମିଲି ବହୁ ଦେଶଦୂର- କାଞ୍ଚତ୍ କାମାକ୍ଷା କାନପୁର।/ ପଢ଼ିଲି ନାନା...

ଆଜିର ନାରୀ ପ୍ରତିଭା

ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର...

ଏଇ ଭାରତରେ

ଭାରତରେ ବହୁ ସମୟରେ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଉଠୁଛି। ଖାସ୍‌ କରି କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଚର୍ଚ୍ଚା ବଳବତ୍ତର...

ସ୍ଥାୟୀ ରଥ ନିର୍ମାଣ ହେଉ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆର ଆରାଧ୍ୟ ଦେବତା। କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସେ ପାଲଟିଛନ୍ତି...

ଏଇ ଭାରତରେ

ଭାରତରେ ବିବିଧତା ମଧ୍ୟରେ ସହାବସ୍ଥାନ ଓ ସାମ୍ପ୍ରଦାୟିକ ସଦ୍‌ଭାବନା ସମ୍ଭବ, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ। ଜଣେ ଶିଖ୍‌ ବ୍ୟକ୍ତି...

ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ...

ସ୍ତନକର୍କଟ ଓ ଦୁଗ୍ଧଜାତ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସକୁ ସ୍ତନକର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଲକ୍ଷାଧିକ ମହିଳା ସ୍ତନକର୍କଟରେ ପ୍ରାଣ...

ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଉଠୁଛନ୍ତି। ଅର୍ଥାତ୍‌ ସେମାନଙ୍କ ଦେହରେ ଆଣ୍ଟିବାୟୋଟିକ୍ସ କାମ କରୁନାହିଁ। ସାମାନ୍ୟ ଘାଆ...

Advertisement
Archives

Model This Week