ଲାଉଙ୍ଗିମାନଙ୍କ ସଂକଳ୍ପ ଓ ଜଳସେଚନ

ବିଚିତ୍ର ବିଶ୍ୱାଳ

ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୂନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥି ମାନ୍‌ଝି; ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ୍‌ ଚଳଚ୍ଚିତ୍ର ବି ନିର୍ମାଣ ହୋଇଥିଲା। ଚିକିତ୍ସା ଅଭାବରୁ ନିଜ ସ୍ତ୍ରୀର ଦେହାନ୍ତ ହୋଇଯିବାରୁ ତାଙ୍କ ଗାଁ ଓ ସହର ମଝିରେ ଥିବା ପାହାଡ଼କୁ ସେ ଏକାକୀ କାଟି ତିଆରି କରିଦେଇଥିଲେ ଗୋଟେ ରାସ୍ତା। ଏବେ ପୁଣି ଥରେ ସେମିତି ଏକ ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲାରେ। ଗୟା ଜିଲାର ଲାଥୁଆ ଅଞ୍ଚଳର କୋଠିଲାୱା ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ଲାଉଙ୍ଗି ଭୂୟାଁ ୩୦ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ଦୀର୍ଘ ୩ କିଲୋମିଟରର ଏକ କେନାଲ ଖୋଳି ପାହାଡ଼ ଉପରୁ ଝରିଯାଉଥିବା ବର୍ଷା ପାଣିକୁ ନିଜ ଗାଁ ଜମିକୁ ଆଣିବାରେ ସକ୍ଷମ ହୋଇଛନ୍ତି।
କଳା ମଚମଚ ରଙ୍ଗ ଓ କ୍ଷୀଣକାୟ ଶରୀରର ୭୦ ବର୍ଷୀୟ ବୃଦ୍ଧ ଲାଉଙ୍ଗି ଭୂୟାଁ। କାନ୍ଧରେ ଥାଏ ଅହରହ ଏକ କୋଦାଳ। ଆଣ୍ଠୁ ଉପରକୁ ପଡ଼ୁଥିବା ଏକ ମସିଆ ଧୋତି। ବେଶି ପାଠ ପଢ଼ିନାହାନ୍ତି କି ଆଜିକାଲି ମଣିଷମାନଙ୍କ ପରି ସେ ଆଧୁନିକ ନୁହନ୍ତି। କିନ୍ତୁ ତାଙ୍କ ପାଖରେ ଥିଲା ଅସମ୍ଭବକୁ ସମ୍ଭବ କରିବାର ଦୃଢ଼ ସଂକଳ୍ପ। ଯେତେବେଳେ ସାରା ଗାଁର ଲୋକମାନେ ରୋଜଗାର ପାଇଁ ସହରକୁ ଯିବାକୁ ଆରମ୍ଭ କରୁଥିଲେ, ସେ କିନ୍ତୁ ସେହି ରାସ୍ତାରେ ନ ଯାଇ ଅଲଗା ରାସ୍ତା ବାଛିଥିଲେ। ସେ ହାତରେ କୋଦାଳ ଧରି ବାହାରି ଯାଇଥିଲେ ପାହାଡ଼ ପାଖକୁ। କୋଠିଲାୱା ଗାଁର ଅନ୍ୟମାନଙ୍କ ପରି ତାଙ୍କର ବି କୌଳିକ ବୃତ୍ତି ଥିଲା ଚାଷ କରିବା ଓ ପଶୁପାଳନ କରିବା। ପ୍ରତିଦିନ ସେ ଛେଳି ଚରେଇବାକୁ ଗାଁ ପାଖ ଜଙ୍ଗଲକୁ ଯାଆନ୍ତି ଓ ଛେଳିଙ୍କୁ ଚରେଇବାକୁ ଛାଡ଼ି ଦେଇ କେନାଲ ଖୋଳା କାମରେ ଲାଗିଯାଆନ୍ତି। ତାଙ୍କ ପାଖରେ ଥିଲା ତାଙ୍କର ଏକମାତ୍ର ସାଧନ ଗୋଟେ କୋଦାଳ ଓ ଗୋଟେ ମାଟି ବୁହା ଝୁଡ଼ି। ନିଜେ ମାଟି ଖୋଳନ୍ତି ଓ ଝୁଡ଼ିରେ ଭରି ବନ୍ଧରେ ପକାନ୍ତି। ଏ କାମରେ ତାଙ୍କୁ କେହି ଜଣେ ସାହାଯ୍ୟ କରିନାହାନ୍ତି। ସାହାଯ୍ୟ କରିବା ତ ଦୂରର କଥା, ଏହି କାମ କରିବା ପାଇଁ ସେ କାହାଠାରୁ ବି ଉତ୍ସାହ ପାଇନାହାନ୍ତି। ଓଲଟି ଗାଁ ଲୋକମାନେ ତାଙ୍କୁ ଅନେକ ସମୟରେ ନିରୁତ୍ସାହିତ କରନ୍ତି, ଏଭଳି ଏକ ଅସମ୍ଭବ କାମରେ ସେ ହାତ ଦେଇଥିବାରୁ। ଏପରି କି ତାଙ୍କ ନିଜ ସ୍ତ୍ରୀ, ପୁଅ, ବୋହୂ ତାଙ୍କୁ ପ୍ରଥମେ ପ୍ରଥମେ ବହୁତ ନିରୁତ୍ସାହିତ କରିଛନ୍ତି ଓ କେନାଲ ଖୋଳା କାମ ଛାଡ଼ି ଦେବା ପାଇଁ ତାଙ୍କୁ ବୁଝାଇଛନ୍ତି। କିନ୍ତୁ ଲାଉଙ୍ଗି ଯେମିତି ପଣ କରିଥିଲେ, କେହି ସାହାଯ୍ୟ କରନ୍ତୁ କି ନ କରନ୍ତୁ, ସେ କେନାଲ ଖୋଳିବେ ଓ ତାଙ୍କ ଗାଁକୁ ପାଣି କଢ଼େଇ ଆଣିବେ। ଆଜି ସେ ଏହି କାମରେ ସଫଳ ହୋଇଛନ୍ତି। ପାହାଡ଼ ପାଖରୁ ନିଜ ଗାଁର ଜମି ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟରର କେନାଲ ସେ ଏକା ଖୋଳି ସାରା ଅଞ୍ଚଳରେ ଚହଳ ପକେଇ ଦେଇଛନ୍ତି। ଏହି କାମ କରିବା ପାଇଁ ତାଙ୍କୁ ଦୀର୍ଘ ୩୦ ବର୍ଷ ସମୟ ଲାଗିଛି। ତାଙ୍କୁ ଯେତେବେଳେ ୪୦ ବର୍ଷ ହୋଇଥିଲା ସେ ଏକୁଟିଆ ସେହି କେନାଲ ଖୋଳା କାମ ଆରମ୍ଭ କରିଥିଲେ। ଆଜି ସେ ୭୦ ବର୍ଷ ବୟସରେ ପହଞ୍ଚିଥିବା ବେଳେ କେନାଲରେ ପାଣି ଆସି ତାଙ୍କ ଗାଁରେ ପହଞ୍ଚୁଛି। ତିଆରି କରିଥିବା କେନାଲ ଯୋଗୁ ଏବେ ସେ ଏକା ଲାଭ ପାଉନାହାନ୍ତି କି କେବଳ ତାଙ୍କ ଜମିକୁ ପାଣି ମାଡ଼ୁନି। ଗାଁର ସବୁ ପରିବାର ପାଣି ପାଉଛନ୍ତି। ପ୍ରାୟ ୩ ହଜାର ଲୋକ ତାଙ୍କର ଏହି କେନାଲ ଯୋଗୁ ଉପକୃତ ହେଉଛନ୍ତି। ସେ ପ୍ରଥମେ ଦେଖିଥିଲେ ପ୍ରତିବର୍ଷ ବର୍ଷା ଦିନେ ପାହାଡ଼ ଉପରୁ ପାଣି ସବୁ ଇଆଡ଼େ ସିଆଡ଼େ ନଷ୍ଟ ହୋଇଯାଉଛି। କିନ୍ତୁ ଗାଁ ଜମିଗୁଡ଼ିକ ପାଣି ନ ପାଇ ଶୁଖିଲା ରହୁଛି। ତେଣୁ ସେ ଭାବିଲେ, ଯଦି ପାହାଡ଼ର ପାଣିକୁ କେନାଲ କରି ଜମି ପର୍ଯ୍ୟନ୍ତ ଅଣାଯାଇପାରନ୍ତା ତେବେ ଜମିରେ ଭଲ ଚାଷ ହୁଅନ୍ତା। ସେ କେବଳ ଭାବିଲେ ନାହଁି, ତାକୁ କାମରେ ଲଗେଇଲେ ଓ ଲୋକମାନଙ୍କ ହଜାରେ ନିରୁତ୍ସାହ ପରେ ବି ସଂକଳ୍ପର ସହିତ ନିଜ କାମରେ ଲାଗିରହିଲେ ଓ ଆଜି ତା’ର ପରିଣାମ ହୋଇଛି, ୩ କିଲୋମିଟରର ଦୀର୍ଘ ଏକ କେନାଲ।
ଟିଭି କ୍ୟାମେରା ସାମ୍‌ନାରେ ନିଜ କଥା କହିବା ବେଳେ ଦାନ୍ତ ପଡ଼ିଯାଇଥିବା ପାକୁଆ ପାଟିରେ ଲାଜ ଲାଜ ହୋଇ ଲାଉଙ୍ଗି କୁହନ୍ତି ଯେ, ୩୦ ବର୍ଷ ହେଲା ମଁୁ ଖୋଳୁଛି। ପ୍ରଥମେ ପ୍ରଥମେ ଖୋଳିବା ବେଳେ ବହୁତ ଲୋକ ଉପହାସ କରୁଥିଲେ, କିନ୍ତୁ ମଁୁ କାହା କଥା ଶୁଣିଲି ନାହଁି। ମୋ ମନରେ ଗୋଟିଏ ନିଶା ଥିଲା ମଁୁ ପାହାଡ଼ର ପାଣିକୁ ଜମିକୁ ଆଣିବି। ସେ ଆହୁରି କୁହନ୍ତି ଯେ, ଆମେ ଚାଷ କରି ବଞ୍ଚିବା ଲୋକ। ଦିନେ ଛେଳି ଚରେଇବା ବେଳେ ଭାବିଲି, ଯଦି ଏହି ପାହାଡ଼ର ପାଣି ଆମ ଜମିକୁ ଆସିବା ତେବେ ଆମେ ସହରରେ ମୂଲ ନ ଲାଗି ନିଜ ଜମିରେ ନିଜେ ଚାଷ କରିବୁ। ଲାଉଙ୍ଗିଙ୍କର ୩୦ବର୍ଷର ସେହି ଶ୍ରମ ଆଜି ସଫଳ ହୋଇଛି। ସେ ଖୋଳିଥିବା କେନାଲରେ ପାଣି ଗାଁକୁ ଆସୁଛି। ଲାଉଙ୍ଗି ଆଜି ସେହି କୋଠିଲାୱା ଗାଁର ଜଣେ ସାଧାରଣ ମଣିଷ ହୋଇନାହାନ୍ତି, ସେ ସାରା ଦେଶ ପାଇଁ ଗୋଟିଏ ଜୀବନ୍ତ ଉଦାହରଣ ପାଲଟି ଯାଇଛନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ, ବର୍ତ୍ତମାନର ଗଣମାଧ୍ୟମଙ୍କ ପାଖରେ ସରକାର ବାହାଦୁରଙ୍କୁ ଖୁସି କରିବାରୁ ଫୁର୍‌ସତ୍‌ ମିଳୁ ନ ଥିବାରୁ ଲାଉଙ୍ଗିଙ୍କ କାହାଣୀ ଆଲୋଚନାକୁ ଆସିପାରିନାହଁି। ନ ହେଲେ ଏମିତି ଏକ ଘଟଣା ସାରା ଦେଶର ଆଖି ଖୋଲିଦେବା ପରି।
ସତରେ ଲାଉଙ୍ଗିଙ୍କର ନିଷ୍ଠା ବା ସଂକଳ୍ପର ଯଦି ଗୋଟିଏ ପ୍ରତିଶତ ସରକାରଙ୍କ ପାଖରେ ଥାଆନ୍ତା, ତେବେ ଆଜି ଜଳସେଚନ ଅଭାବରେ ଆମ ଦେଶର ଲକ୍ଷ ଲକ୍ଷ ଏକର ଚାଷଜମି ମରୁଡ଼ିର ଶିକାର ହୁଅନ୍ତା ନାହଁି। ଏହି ପ୍ରବନ୍ଧର ଉଦ୍ଦେଶ୍ୟ କେବଳ ନୁହେଁ, ଲାଉଙ୍ଗିଙ୍କର ନିଷ୍ଠା ଓ ସଂକଳ୍ପକୁ ମହିମା ମଣ୍ଡିତ କରିବା। ଲାଉଙ୍ଗି ତ ପ୍ରଶଂସାର ଯୋଗ୍ୟ। କିନ୍ତୁ ଏଭଳିି ଲାଉଙ୍ଗିମାନଙ୍କ ପାଇଁ ଓ ତାଙ୍କ ଚାଷ ଜମି ଲାଗି ସରକାରଙ୍କର କର୍ତ୍ତବ୍ୟ କ’ଣ କିଛି ନାହିଁ। ସରକାର ଯେତେବେଳେ ୫ ବର୍ଷରେ ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିବା କଥା କହୁଛନ୍ତି, ସେତେବେଳେ ଆମ ଦେଶର ଜଳସେଚନର ଅବସ୍ଥାକୁ ଆଖି ପକେଇଲେ ସରକାରଙ୍କ ଚାଷୀଙ୍କ ପ୍ରତି ଅସଲ ଦରଦ ବୁଝିହେବ।
ସରକାରଙ୍କ ତଥ୍ୟ ଅନୁସାରେ ଆମ ଦେଶରେ ଆଜି ପର୍ଯ୍ୟନ୍ତ ମାତ୍ର ୪୮.୮% ଜମିକୁ ଜଳସେଚନ ସୁବିଧା ହୋଇଅଛି। ଏବେ ମଧ୍ୟ ଅଧାରୁ ଅଧିକ ଜମି ଅଣଜଳସେଚିତ। ସେଠାକୁ ଆଜି ପର୍ଯ୍ୟନ୍ତ ପାଣି ପହଞ୍ଚେଇବାରେ ସରକାର ସଫଳ ହୋଇନାହାନ୍ତି। ଅସଲରେ ସରକାର ପ୍ରଦାନ କରୁଥିବା ଜଳସେଚିତ ଜମିର ତଥ୍ୟଠାରୁ ପ୍ରକୃତ ଜଳସେଚିତ ଜମିର ପରିମାଣ ଆହୁରି କମ୍‌। ସିଧା କଥାରେ କହିଲେ ସରକାର କେବଳ ଚାଷ ଓ ଚାଷୀର ବିକାଶର ମିଛ ଭାଷଣ ମାରୁଛନ୍ତି। ନିର୍ବାଚନ ପ୍ରତିଶ୍ରୁତିରେ ପ୍ରତି ଥର ରାଜନୈତିକ ଦଳମାନେ ଜଳସେଚନର କଥା କହୁଛନ୍ତିି। ସ୍ବାଧୀନତା ଦିବସ ଅବସରରେ ସରକାର ଜଳସେଚନ ହୋଇଥିବାର ମିଛ ପରିସଂଖ୍ୟାନ ଦେଉଛନ୍ତି। ଗଣମାଧ୍ୟମରେ ବିବୃତି ଦେଉଛନ୍ତି। କିନ୍ତୁ ଅସଲରେ ଅଧିକାଂଶ ଚାଷ ଜମି ଏବେ ବି ବର୍ଷା ଜଳ ଉପରେ ନିର୍ଭରଶୀଳ। ଚାଷୀମାନଙ୍କ ଭାଗ୍ୟ ଏବେ ବି ବର୍ଷା ଉପରେ ନିର୍ଭରଶୀଳ। ସରକାର କେବଳ ମିଛ ଭାଷଣ ମାରି କୁହାମୁଣ୍ଡା କପିଳା ସାଜିଥିବା ବେଳେ, ପାଣି ନ ପାଇଁ ଚାଷ ଜମି ସବୁ ମରୁଡ଼ିର ଶିକାର ହେଉଛି। ପରିଣାମ ସ୍ବରୂପ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। କୃଷିପ୍ରଧାନ ଦେଶ ଭାରତରେ ଯଦି ଏବେ ବି ସ୍ବାଧୀନତାର ୭୨ ବର୍ଷ ପରେ ବି ଚାଷୀଙ୍କ ଜମିକୁ ପାଣି ପହଞ୍ଚତ୍ ପାରିନାହଁି ବା ଲାଉଙ୍ଗିଙ୍କ ପରି ୭୦ ବର୍ଷୀୟ ବୃଦ୍ଧଙ୍କୁ ୩୦ ବର୍ଷ କାଳ ସମୟ ନେଇ ୩ କିଲୋମିଟର ଲମ୍ବର କେନାଲକୁ ନିଜ ହାତରେ କୋଡ଼ି କୋଦାଳ ଧରି ଖୋଳିବାକୁ ପଡ଼ୁଛି, ତା’ହେଲେ ଏ ସରକାର ଓ ତାଙ୍କ ମିଛ ଭାଷଣର ମୂଲ୍ୟ କ’ଣ? ଜଣେ ବୁଢ଼ା ଲୋକ ତିରିଶ ବର୍ଷ କାଳ ଯଦି ଗୋଟେ କେନାଲ ଖୋଳିଲେ, ସେତେବେଳେ ସେ ରାଜ୍ୟ ସରକାର ଓ ତାଙ୍କର କୁଢ଼ କୁଢ଼ ମନ୍ତ୍ରୀ ଓ ଅମଲା କରୁଥିଲେ କ’ଣ? ତେଣୁ ଆଜି କେବଳ ଲାଉଙ୍ଗିଙ୍କର ସଫଳତାରେ ଖୁସି ହେବାର ସମୟ ଏ ନୁହେଁ, ଲାଉଙ୍ଗିମାନଙ୍କୁ ବୁଢ଼ା ବୟସରେ ବି ଏପରି କଠିନ କାମ କରିବାକୁ ବାଧ୍ୟ କରୁଥିବା ସରକାରଙ୍କୁ ପ୍ରଶ୍ନ କରିବାର ବି ସମୟ ଆସିଛି। ସରକାର କେବଳ କୁହାମୁଣ୍ଡା କପିଳା ହେବେ ନା ଲାଉଙ୍ଗିଙ୍କ ପରି ନିଷ୍ଠା ଓ ସଂକଳ୍ପର ପରିଚୟ ଦେଇ ଚାଷୀ ଓ ଚାଷୀ ପାଇଁ ଅସଲରେ କିଛି କରିବେ। ଲାଉଙ୍ଗି ଆଜି ତାଙ୍କ କାମରେ ସରକାରଙ୍କ ମସୃଣ ଗାଲରେ ଏକ ଶକ୍ତ ଚଟକଣା ଦେଇଛନ୍ତି ଓ କହିଛନ୍ତି, ହେ ସରକାର ବାହାଦୁର, ଏଥର ଟିକେ ଚେତ, ଜାଗ, ଚନ୍ଦ୍ରକୁ ତ ଯାନ ପଠେଇବ, ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ, ସବୁ ଠିକ୍‌ ଅଛି। କିନ୍ତୁ ଆମ ଜମିକୁ ବି ଟିକେ ପାଣି ପହଞ୍ଚାଅ। କେବଳ ପ୍ରତିଶ୍ରୁତି କି ମିଛ ଭାଷଣରେ ନୁହେଁ, ସତରେ ଆମ ଜମିକୁ ଜଳସେଚନ କରାଅ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri