ସମୟର ଆହ୍ବାନ

ବିମଳ ପ୍ରସନ୍ନ ଦାସ

ସମୟ ଏକ ନିରବଚ୍ଛିନ୍ନ ଧାରା। ତାକୁ ଆମେ ବର୍ଷ, ମାସ, ଦିନ ଦଣ୍ଡରେ ପରିଣତ କରୁ। ସେହି ନୀତି ନିୟମରେ ବର୍ଷଟିଏ ଯିବା ଏବଂ ବର୍ଷଟିଏ ଆସିବା ଏକ ସ୍ବାଭାବିକ ପ୍ରକ୍ରିୟା। ତାହା ସତ୍ତ୍ୱେଏହି ସ୍ବାଭାବିକ ପ୍ରକ୍ରିୟା ସଚେତନ କରିଦିଏ ଯେ, ଆମେ କ’ଣ ପାଇଛୁ, କ’ଣ ହରାଇଛୁ, ଆଗକୁ କ’ଣ ହରାଇବାକୁ ହେବ, ସଫଳତାର ପ୍ରଚାର ଭିତରେ ସମୀକ୍ଷା କରିବାକୁ ହେବ ଆମ ବିଫଳତାର କାରଣ। ଓଡ଼ିଶା ଆଗରେ ‘ଓମିକ୍ରନ୍‌’ ବ୍ୟାଧି ନିୟନ୍ତ୍ରଣଠାରୁ ଆରମ୍ଭକରି ସୀମାସୁରକ୍ଷା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ସେଥିରୁ କେତୋଟି ସମ୍ପର୍କରେ ଆଲୋଚନା ଏ ଉପସ୍ଥାପନାର ଉଦ୍ଦେଶ୍ୟ।
କୋଭିଡ୍‌ର ଦୁଇଟି ଲହର ପରେ ଏବେ ‘ଓମିକ୍ରନ୍‌’ ନୂଆ ରୂପରେ ଆସିଛି। ମହାରାଷ୍ଟ୍ର ଏବଂ ଦେଶର ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ଭୟସଞ୍ଚାର କଲାବେଳେ ଓଡ଼ିଶାରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲ ପ୍ରସ୍ତୁତ ରଖିବା ସହିତ କୋଭିଡ୍‌ (ଓମିକ୍ରନ୍‌) ସଂକ୍ରମଣ ଯେପରି ଜୀବିକା ଉପରେ ପ୍ରଭାବ ନ ପକାଏ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆମ ରାଜ୍ୟରେ ୬,୦୦୦ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ସେସବୁ ଗତ ୨ ବର୍ଷ ଧରି ‘କରୋନା’ ପାଇଁ ବନ୍ଦ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହି ମାସ ୩ ତାରିଖରୁ ଖୋଲିବାର ନିଷ୍ପତ୍ତି ଘୋଷଣା କରିଥିଲେ ମଧ୍ୟ ‘ଓମିକ୍ରନ୍‌’ର ଦ୍ରୁତ ସଂକ୍ରମଣ ହେତୁ ସେ ତାଙ୍କ ପୂର୍ବ ନିଷ୍ପତ୍ତିକୁ ସ୍ଥଗିତ କରିବାକୁ ବାଧ୍ୟ ହେଲେ। ଅନଲାଇନ୍‌ରେ ସୁଦୂର ଆଦିବାସୀ ଅଞ୍ଚଳର ପିଲାମାନଙ୍କ ପାଠପଢ଼ା ଠପ ହୋଇଛି। ସେମାନଙ୍କ ପାଖରେ ନା ଅଛି ମୋବାଇଲ ଫୋନ୍‌ ନା ଅନ୍ୟ କିଛି ପଠପଢ଼ାର ବ୍ୟବସ୍ଥା। ଏହା ଘୋର ଚିନ୍ତାର ବିଷୟ। ସୁରକ୍ଷା ଭିତରେ ପିଲାଏ କିପରି ପାଠ ପଢ଼ିବେ ତାହା ବର୍ତ୍ତମାନ ଅଭିଭାବକ ତଥା ସରକାରଙ୍କ ପାଇଁ ଘୋର ଚିନ୍ତାର ବିଷୟ।
ସୀମା ସୁରକ୍ଷା ଓଡ଼ିଶାର ଅନ୍ୟ ଏକ ମୁଣ୍ଡବ୍ୟଥାର ସମସ୍ୟା। ତାହା ହେଉଛି ‘କୋଟିଆ’ ଓ ‘ଦେଓମାଳି’। କୋରାପୁଟର କୋଟିଆ ଗ୍ରାମଗୁଡ଼ିକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଅଛିଣ୍ଡା ଅଙ୍କ ପରି ଲାଗିରହିଛି। ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଥିଲାବେଳେ ଆନ୍ଧ୍ର ସରକାର ବାରମ୍ବାର ବେଆଇନ କାର୍ଯ୍ୟକଳାପରେ ଲାଗିଛନ୍ତି। ଏ ଦିଗରେ ଓଡ଼ିଶା ସରକାର ପଛେଇ ଯାଉଥିବାର ଗଣମାଧ୍ୟମ ସମାଲୋଚନା କରୁଛି। ନଭେମ୍ବର ୨୦୨୧ରେ ଆନ୍ଧ୍ରର ଷାଠିଏରୁ ଅଧିକ ସରକାରୀ ଅଧିକାରୀ ଆସି ଦେଓମାଳି ଅଞ୍ଚଳରେ ବଣଭୋଜି କରିଥିଲେ। ଆନ୍ଧ୍ର ସରକାର ଦେଓମାଳି ପର୍ବତରେ ଅମୂଲ୍ୟ ଖଣିଜ ସମ୍ପଦ ଉପରେ ଆନ୍ଧ୍ର ସରକାରଙ୍କ ଦୃଷ୍ଟି ନିହିତ ବୋଲି ସାଧାରଣ ଲୋକେ କହୁଛନ୍ତି। ମାତ୍ର ଏହାକୁ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ଆଡୁ ତପତ୍ରତା ଯେପରି ହେବା କଥା ତାହା ହେଉନାହିଁ। ଆନ୍ଧ୍ର ପୋଲିସ ଏଠାରେ ଚେକ୍‌ପୋଷ୍ଟ ମଧ୍ୟ ନିର୍ମାଣ କରିଛି। ”କୋଟିଆ ଓ ଦେଓମାଳି ସୁରକ୍ଷା ଏବେ ଆମ ରାଜ୍ୟ ସରକାରଙ୍କ ପାଇଁ ଏକ ଜରୁରୀ ଆହ୍ବାନ।“
ମରୁଡ଼ି, ବାତ୍ୟା ଓ ବର୍ଷାଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିରସହଚର ବୋଲି କୁହାଯାଏ। ଏ ବର୍ଷ ବର୍ଷା ଠିକ୍‌ ସମୟରେ ନ ହେବାରୁ ଚାଷକାମ-କୃଷି ବିଶେଷ ପ୍ରଭାବିତ ହୋଇଥିଲା। ‘ବୋଝ ଉପରେ ନଳିତା ବିଡ଼ା’ ପରି ଠିକ୍‌ ଅମଳ ସମୟକୁ ଅଦିନିଆ ବର୍ଷା ବାତ୍ୟା ‘ଜୱାଦ’ ହେବାରୁ ଚାଷୀମାନେ ଅଭାବନୀୟ ପରିସ୍ଥିତି ନେଇ ଗତି କରୁଛନ୍ତି। ସରକାରୀ ଆକଳନ ଅନୁସାର ରାଜ୍ୟର ୧୨ଟି ଜିଲାର ୧୩୧ବ୍ଲକରେ ୫.୭୮ ଲକ୍ଷ କେକ୍ଟର ଜମିରେ ଫସଲ ନଷ୍ଟ ହୋଇଗଲା। ବୈଦ୍ୟୁତିକ ଗଣମାଧ୍ୟମରେ ଏହାର କରୁଣ ଚିତ୍ର ଦେଖିବାକୁ ମିଳିଛି। କଟା ଧାନ ଗଦା ଭାସି ଯାଇଛି। ପନିପରିବା ଫସଲ ଉଜୁଡି ଯାଇଛି। ଋଣ କରି ଫସଲ କରିଥିବା ଚାଷୀ ଆତ୍ମହତ୍ୟା କଲେ। ଏ ମର୍ମନ୍ତୁଦ ଘଟଣା ବରଗଡ଼ ଓ କଳାହାଣ୍ଡି ଜିଲାରେ ଘଟିଛି। ରିଲିଫ୍‌ କୋଡ୍‌ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଇଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ବୋଲି ବିରୋଧୀ ଦଳ ନେତା ଓ ଚାଷୀନେତାମାନେ କହିବା ସ୍ବାଭାବିକ। ଚିରସ୍ଥାୟୀ ବ୍ୟବସ୍ଥା ହିଁ ସମାଧାନ, କାରଣ ଓଡ଼ିଶା କୃଷିପ୍ରଧାନ ରାଜ୍ୟ। କ୍ଷତି ଅନୁଯାୟୀ ସାହାଯ୍ୟ ଓ ଅଭାବୀ ବିକ୍ରି ଉପରେ ଅଙ୍କୁଶ ଲଗାଇବା ହିଁ ଆହ୍ବାନ। ଦେଶର ଅନ୍ନଦାତାମାନେ ହନ୍ତସନ୍ତ ଆଉ ନ ହୁଅନ୍ତୁ।
ଦାରିଦ୍ର୍ୟ ଓଡ଼ିଶାରେ ବସା ବାନ୍ଧିଛି। ନଭେମ୍ବର ୨୦୨୧ରେ ନିତି ଆୟୋଗ କହିଛନ୍ତି, ରାଜ୍ୟର ୩୦ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଅଛନ୍ତି। ଦାରିଦ୍ର୍ୟ ଦୂରୀକରଣ ଦିଗରେ ମାଳମାଳ ସରକାରୀ ଯୋଜନାକୁ ଏହା ଏକ ଶକ୍ତ ପ୍ରହାର। ମଲ୍‌ଟିଡାଇମେନସନାଲ ପଭର୍ଟି ଇଣ୍ଡେକ୍ସ ୨୦୨୧ରେ ଦେଶ ୧୦ଟି ଦରିଦ୍ର ରାଜ୍ୟର ତାଲିକାରେ ଓଡ଼ିଶା ସ୍ଥାନ ପାଇଛି। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଲୋକଙ୍କ ଜୀବନଧାରଣର ମାନ ଆଦି ଦିଗକୁ ନେଇ ତାଲିକା କରାଯାଇଥାଏ। ଏହି ରିପୋର୍ଟରୁ ଅତ୍ୟନ୍ତ ଚିନ୍ତାଜନକ କଥା ଜଣାଯାଇଛି। ତାହାହେଲା ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଆଦି ଆଦିବାସୀବହୁଳ ଜିଲା ସହିତ, ଖଣିଖାଦାନରେ ଭରପୂର କେନ୍ଦୁଝର ମଧ୍ୟ ଉତ୍କଟ ଦାରିଦ୍ର୍ୟରେ ଶଢୁଛି। ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ସତେଯେପରି ଏ ସବୁ ଜିଲା ପାଇଁ ଏକ ପ୍ରହସନ ପରି ମନେହୁଏ।
ଦାରିଦ୍ର୍ୟ ସାଙ୍ଗକୁ ବେକାରି ଅନ୍ୟ ଏକ ମହାମାରୀ। କରୋନା କାଳରେ ଏହା ବହୁଗୁଣିତ ହୋଇଯାଇଛି। ୨୦୨୧ ଏପ୍ରିଲ୍‌ରେ ରାଜ୍ୟର ବେରୋଜଗାରୀ ୨ ପ୍ରତିଶତ ଥିବାବେଳେ ମେ ମାସରେ ତାହା ୭ ପ୍ରତିଶତକୁ ବୃଦ୍ଧି ପାଇଛି। ”ସେର୍‌ ଫର୍‌ ମନିଟରିଂ ଇଣ୍ଡିଆନ ଇକୋନମିର (ମେ-ଅଗଷ୍ଟ, ୨୦୨୧ ଅନୁସାରେ ଆଗରୁ କାମ ପାଇଥିବା ପ୍ରାୟ ଦୁଇଲକ୍ଷ ଲୋକ ଏବେ ସୁଦ୍ଧା ବେକାର ହୋଇ ରହିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକରେ କାମ କରୁଥିବା ବୃତ୍ତିଜନିତ ସଙ୍କଟ ବୃଦ୍ଧି ପାଇଛି। ଯୁବତୀଯୁବକମାନଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ନ ଥିବାରୁ ବାଧ୍ୟ ହୋଇ ସେମାନେ ଅନ୍ୟ ରାଜ୍ୟକୁ ଯିବାର ଧାରା ଆରମ୍ଭ ହୋଇଯାଇଛି। କରୋନାର ଭୟାବହତା ହେତୁ ପ୍ରାୟ ୨୦ଲକ୍ଷ ପ୍ରବାସୀ ଶ୍ରମିକ ଫେରି ଆସିଲେ। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ସୋନପୁର, ବୌଦ୍ଧ ଅଞ୍ଚଳରେ ଏମାନେ ରାଜ୍ୟରେ ମଧ୍ୟ କର୍ମ ସଂସ୍ଥାନ ପାଉନାହାନ୍ତି। କର୍ମନିଯୁକ୍ତି ସୃଷ୍ଟିକରି ସେମାନଙ୍କୁ ରକ୍ଷାକରିବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ।
ଦରଦାମ୍‌ ବୃଦ୍ଧି ଏବେ ଆକାଶଛୁଆଁ । ବିଶେଷତଃ ପେଟ୍ରୋଲ, ଡିଜେଲ ଏବଂ ଖାଇବା ତେଲ, ଡାଲି ଇତ୍ୟାଦି। ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରୁ ଅଧିକ ହୋଇ ଯିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ । ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ପରିବହନ ମୂଲ୍ୟ ମଧ୍ୟ ବଢ଼ିବାରୁ ବଜାର ଦର ପ୍ରତି ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିଗଲା। ଏହା କିପରି ନିୟନ୍ତ୍ରଣାଧୀନ ହେବ ସରକାର ପ୍ରତିକାର ଚିନ୍ତା କରିବା ହିଁ ଅନ୍ୟତମ ଆହ୍ବାନ।
ଦୁର୍ନୀତି କାୟାବିସ୍ତାର କରି ଚାଲିଛି। ଗତ ଦୁଇବର୍ଷ ମଧ୍ୟରେ ଅନେକ ସରକାରୀ ଅଫିସର ଓ କର୍ମଚାରୀ ବେଆଇନ ସମ୍ପତ୍ତି ଠୁଳକରି ଧରା ପଡ଼ିଛନ୍ତି। ଦୁର୍ନୀତି ଓ ଲାଞ୍ଚ କାରବାର ରାଜ୍ୟର ସମ୍ମାନ ଓ ପ୍ରଗତିରେ ବାଧକ ହୋଇଥିବାରୁ ଏହାର ତୁରନ୍ତ ପ୍ରତିକାର କରିବା ହିଁ ଏକ ଜରୁରୀ ଆହ୍ବାନ।
ବିଗତ କିଛି ବର୍ଷ ଧରି ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ହେତୁ ହିଂସାକାଣ୍ଡଗୁଡ଼ିକରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା କାଠିକର ପାଠ ପାଲଟିଛି। ‘ପରୀ ହତ୍ୟା’ ମାମଲା, ‘ମାହାଙ୍ଗା ଡବଲ ମର୍ଡର’, ‘ମମିତା ମେହେର’ ଓ ‘ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ’, ଆଦି ଘଟଣାରେ ରାଜନୈତିକ ବ୍ୟକ୍ତିମାନଙ୍କର ସମ୍ପୃକ୍ତି ହେତୁ ପୋଲିସ ହାତବାନ୍ଧି ବସିଛି। ନାରୀ ହିିଂସା, ନାରୀ ନିର୍ଯାତନା ଓ ଶିଶୁ ଅପହରଣ ଆଦିକୁ ରାଜ୍ୟ ସରକାର ତୀକ୍ଷ୍ଣ ଦୃଷ୍ଟି ଦେବା ଏକ ଜରୁରୀ ଆହ୍ବାନ।
ନିଶା ନିବାରଣ ଏକ ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହୋଇଛି। ୨୦୨୧ ଅକ୍ଟୋବର ସୁଦ୍ଧା ୪୫.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ବର୍ଷକୁ ବର୍ଷ ଏହା ବଢ଼ି ଚାଲିଛି। ବାଲେଶ୍ୱରର ଜଳେଶ୍ୱର ଏହାର ପେଣ୍ଠସ୍ଥଳ ବୋଲି ଜଣାପଡ଼ିବା ସତ୍ତ୍ୱେ ଏହା ରୋକାଯାଇ ପାରୁନାହିଁ। ଗଞ୍ଜେଇ ଚାଲାଣ ଏକ ଦୈନନ୍ଦିନ ପ୍ରକ୍ରିୟା। ରାଜ୍ୟର ଯୁବବର୍ଗଙ୍କୁ ଏଥିରୁ ମୁକ୍ତ ରଖିବା ରାଜ୍ୟ ସରକାରଙ୍କ ପାଇଁ ଏକ ଗୁରୁଦାୟିତ୍ୱ। ଗତ ୩ବର୍ଷ ଧରି ଲକ୍ଷ ଲକ୍ଷ ଲୋକ କରୋନାରେ ମୃତ୍ୟୁବରଣ କଲେଣି। ଏବେ ନୂଆ ରୂପ ‘ଓମିକ୍ରନ୍‌’ ବନାଗ୍ନି ପରି ହୁ ହୁ ମାଡ଼ି ଚାଲିଥିବାରୁ ଦେଶବାସୀଙ୍କୁ ଏଥିରୁ ରକ୍ଷା କରିବା ସରକାର ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ।
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri