ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ ଖୁବ୍‌ କମ୍‌ ସମୟରେ ଭୂପତିତ କରିଦେଇ ତା’ ଉପରେ ରାଜୁତି କରିବ ବୋଲି ଆମେରିକା ଯେଭଳି ଭାବିଥିଲା, ତାହା ସମ୍ଭବ ହେଲା ନାହିଁ। ଶତ୍ରୁ ରାଷ୍ଟ୍ର ଇରାନ୍‌ଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ଆମେରିକା ନିଜ ଆଡ଼ୁ ଶାନ୍ତି ଆଲୋଚନା ପାଇଁ ସ୍ଥିତି ସୃଷ୍ଟି କରିଥିବା ବିଶ୍ୱବାସୀ ଜାଣିଲେ। ଏହା ଆମେରିକାର ଭାବମୂର୍ତ୍ତିକୁ ବିରାଟ ଆଞ୍ଚ ଆଣିଲା। ଆମେରିକା ପୁରୁଣାକାଳିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ଓ ଶକ୍ତିଶାଳୀ ବୋଲି ଦର୍ଶାଇ ଆସୁଥିବା ବେଳେ ଇରାନ୍‌ ତାହାର ଯୁଦ୍ଧ ପଦ୍ଧତିକୁ ଛୋଟିଆ ଡ୍ରୋନ୍‌ରେ ପରିଣତ କରିଦେଇ ଯୁଦ୍ଧର ସଂଜ୍ଞା ବଦଳାଇଦେଲା। ଯେଉଁଭଳି ଘୋଡ଼ା ଓ ହାତୀ ଏବେ ଯୁଦ୍ଧରେ ଅକାମୀ ହୋଇଗଲେଣି ସେହିଭଳି ବଡ଼ ଧରଣର ତୋପ, ଲଢ଼ୁଆ ବିମାନ, ଉଡ଼ାଜାହାଜ ଓ ବୁଡ଼ାଜାହାଜର ଯୁଗ ସରିଆସିଲାଣି। ଏଭଳି ସନ୍ଦିକ୍ଷଣରେ ଦୁଇଟି ନୂଆ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପ ମଧ୍ୟରେ ଅବସ୍ଥିତ ତୁର୍କୀର ରାଷ୍ଟ୍ରପତି ରେସିପ୍‌ ତାଇପି ଏର୍ଡୋଗାନ୍‌ କହିଛନ୍ତି, ପାଲେଷ୍ଟାଇନ୍‌ ଓ ଲେବାନନ୍‌ ଉପରେ ଇସ୍ରାଏଲ ଯେଭଳି ଆକ୍ରମଣ ଜାରି ରଖିଛି ତାହା ଅତ୍ୟନ୍ତ ବର୍ବରତାର ସଙ୍କେତ ଦେଉଛି। ଇସ୍ତାନବୁଲଠାରେ ଇଣ୍ଟରନ୍ୟାଶନାଲ ଏସିଆ ପଲିଟିକାଲ ପାର୍ଟିଜ୍‌ କନ୍‌ଫରେନ୍ସକୁ ଏପ୍ରିଲ ୧୨ରେ ସମ୍ବୋଧନ କରି ଏର୍ଡୋଗାନ୍‌ କହିଛନ୍ତି ଯେ, ଇସ୍ରାଏଲ ଯେଭଳି ଭାବେ ଶିଶୁ, ମହିଳା ଓ ବେସାମରିକ ଅଞ୍ଚଳରେ ଅତ୍ୟାଚାର ଜାରି ରଖିଛି ଆବଶ୍ୟକ ପଡ଼ିଲେ ତୁର୍କୀ ତା’ ବିରୋଧରେ ସାମରିକ ଆକ୍ରମଣ କରିପାରେ। ଏହାର ଦିନକ ପରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଦିଆଜ୍‌-କାନେଲ କହିଛନ୍ତି, ତାଙ୍କ ଦେଶ ଉପରେ ଆମେରିକା ଆକ୍ରମଣ କରିବା କିମ୍ବା ତାଙ୍କୁ ଗାଦିଚ୍ୟୁତ କରିବାର କୌଣସି ବୈଧ କାରଣ ନାହିଁ। ସେଭଳି ଯଦି ହୁଏ ତେବେ କ୍ୟୁବା ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି। ଯୁଦ୍ଧରେ ମରିବାକୁ ପଡ଼ିଲେ ଆମେ ପ୍ରସ୍ତୁତ ଅଛୁ, କାରଣ ଆମ ଜାତୀୟ ସଙ୍ଗୀତ କହେ-‘ଦେଶ ପାଇଁ ମରିବା ହେଉଛି ବଞ୍ଚତ୍ବା’ ବୋଲି କାନେଲ କହିଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ତାଙ୍କ ଦେଶରୁ ଉଠାଇ ନେବା ପରେ କହିଥିଲେ ପରବର୍ତ୍ତୀ ଲକ୍ଷ୍ୟ କ୍ୟୁବା। ଏବେ ଯେତେବେଳେ ଆମେରିକାର କାଟ୍‌ତି ଅନ୍ତର୍ଜାତୀୟ ସ୍ତରରେ କମିଆସୁଥିବା ଲକ୍ଷ୍ୟ କରାଯାଉଛି ସେହି ସମୟରେ କ୍ୟୁବା ମଧ୍ୟ ଟ୍ରମ୍ପ୍‌ଙ୍କୁ ଚ୍ୟାଲେଞ୍ଜ କରିବାକୁ ଆଗେଇ ଆସିଛି।
ଉପରଲିଖିତ ଦୁଇଟି ଘଟଣାକୁ ତର୍ଜମା କଲେ ବୁଝାପଡ଼େ, ଯେତେବେଳେ ଶକ୍ତିଶାଳୀ ରାଷ୍ଟ୍ର ବା ବ୍ୟକ୍ତି ଅନୈତିକ କାର୍ଯ୍ୟ କରି ନିଜ ଲକ୍ଷ୍ୟରେ ବିଫଳ ହୋଇ ନିନ୍ଦିତ ହୁଅନ୍ତି ସେତେବେଳେ କ୍ଷୁଦ୍ର ଦେଶ ବା ତା’ର ରାଷ୍ଟ୍ରମୁଖ୍ୟ ନିଜର ସ୍ଥାୟିତ୍ୱ ପାଇଁ ବଳ ପ୍ରଦର୍ଶନ କରିବା ଲାଗି ସାହସ ପାଇଥାଆନ୍ତି। କ୍ୟୁବା ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଇରାନ୍‌ ଯେଉଁଭଳି ଭାବେ ଆମେରିକାକୁ ଆଣ୍ଠେଇ ଦେଇ ଅନ୍ତର୍ଜାତୀୟ ସ୍ତରରେ ବାହାବା ପାଇଛି, କ୍ୟୁବା ରାଷ୍ଟ୍ରପତି ସମ୍ଭବତଃ ସେଥିରୁ ପ୍ରେରଣା ପାଇ ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ନିଜକୁ ପ୍ରସ୍ତୁତ କଲେଣି। ଅନୁରୂପ ଭାବେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ଇସ୍ରାଏଲକୁ ଧମକାଇବା ନିଶ୍ଚିତ ଭାବେ ଉଲ୍ଲେଖନୀୟ ବିଷୟ। ଇସ୍‌ଲାମାବାଦ ଶାନ୍ତି ଆଲୋଚନା ବିଫଳ ହେବା ଏବଂ ଛୋଟ ରାଷ୍ଟ୍ରଗୁଡ଼ିକ ଆମେରିକା ଓ ଇସ୍ରାଏଲକୁ ସିଧାସଳଖ ମୁକାବିଲା ପାଇଁ ଅଣ୍ଟା ଭିଡ଼ିବା ଆଗାମୀ ଦିନରେ ଭୂରାଜନୈତିକ ସ୍ଥିତିରେ ନୂଆ ସମୀକରଣ ଆଣିପାରେ।
ଅତୀତକୁ ଦେଖିଲେ ଆମେରିକା ଭଳି ଶାକ୍ତିଶାଳୀ ରାଷ୍ଟ୍ର ଭିଏଟ୍‌ନାମଠାରୁ ପରାସ୍ତ ହେବା ଏବଂ ଆଫଗାନିସ୍ତାନର ରଣକ୍ଷେତ୍ର ଛାଡ଼ି ପଳାୟନ କରିଥିଲା। ଏବର ଆମେରିକା ଓ ଇସ୍ରାଏଲ ଯୁଦ୍ଧ ନିଜ ଦେଶ ପାଇଁ ବହୁ ଦୃଷ୍ଟିରୁ କ୍ଷତି ପହଞ୍ଚାଇଛି। ଏ ନେଇ ଉଭୟ ଦେଶରେ ରାଷ୍ଟ୍ରମୁଖ୍ୟ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ନିଜର ସୈନ୍ୟ ସହ ଅସ୍ତ୍ରଶସ୍ତ୍ର ନଷ୍ଟ, ତୈଳ ମୂଲ୍ୟ ବୃଦ୍ଧି ସହ ଅର୍ଥନୀତି ଉପରେ ଯୁଦ୍ଧ ଚାପ କେବଳ ଆମେରିକା ନୁହେଁ, ବିଶ୍ୱ ଅର୍ଥନୀତି ଉପରେ ଘୋର ପ୍ରଭାବ ପକାଇଛି। ନାଟୋ ସହଯୋଗୀମାନେ ଆମେରିକାକୁ ସହଯୋଗ ଦେଇ ନାହାନ୍ତି। ଇରାନ୍‌କୁ ଯେଉଁ ଉଦ୍ଦେଶ୍ୟ ନେଇ ଆମେରିକା ଆକ୍ରମଣ କରିଥିଲା ତାହାର କାଣିଚାଏ ସଫଳତା ପାଇପାରିଲା ନାହିଁ। ସେହିପରି ଇସ୍ରାଏଲ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଇରାନ୍‌ ପ୍ରତିହତ କରିବାରେ ସକ୍ଷମ ହୋଇଛି। କେବଳ ସେତିକି ନୁହେଁ, ଇସ୍ରାଏଲ ବାହୁସ୍ଫୋଟ ମାରୁଥିବା ‘ଆଇରନ୍‌ ଡୋମ୍‌’ର ସୁରକ୍ଷା କବଚ ଭେଦକରି ଇରାନ ବାରମ୍ବାର ରକେଟ୍‌ ଓ ଡ୍ରୋନ୍‌ ମାଡ଼ରେ ଇସ୍ରାଏଲକୁ ଘାଇଲା କରିଚାଲିଛି।
ଆମେରିକା ଓ ଇସ୍ରାଏଲର ଯୁଦ୍ଧଖୋର ମନୋବୃତ୍ତି ଏବଂ ଅନ୍ୟ ଉପରେ ପ୍ରଭୁତ୍ୱ ଦେଖାଇବାର ଦମ୍ଭ ନିଶ୍ଚିତ ଭାବେ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥଳେ ଛୋଟ ଦେଶଗୁଡ଼ିକ ସେମାନଙ୍କୁ ଧମକ ଦେବାକୁ ଆଗେଇ ଆସିଲେ। ଆଧୁନିକ ବିଶ୍ୱରେ କାହାରିକୁ ଦୁର୍ବଳ ଭାବି ଆକ୍ରମଣ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବା ଏକ ନୂଆ ବିଶ୍ୱ ବ୍ୟବସ୍ଥା ଭାବେ ବିଚାର କରାଯିବା କଥା। ଏଥିରୁ ଆଉ ଏକ ବାର୍ତ୍ତା ଗଲା ଯେ, ନିଜକୁ ଶକ୍ତିଶାଳୀ କହିବୁଲିଲେ ଆଉ ଚଳିବ ନାହିଁ। ଶତ୍ରୁକୁ କଦାପି ଦୁର୍ବଳ ଭାବିବା ଠିକ୍‌ ନୁହେଁ। ଏବେକାର ବିଶ୍ୱ ପରିସ୍ଥିତିଠାରୁ ଭାରତ ମଧ୍ୟ ଶିକ୍ଷା ନେବା ଦରକାର। ଆଜିର ପୃଥିବୀରେ ‘ବଡ଼’ ଦେଶର ନେତା ନିଜକୁ ବିଶ୍ୱଗୁରୁ କହିଲେ ବୁମେରାଂ ହେଉଛି। ଭାରତର ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। କାରଣ ଏହି ଦେଶର ନୀତି ଭାରତକୁ ସୁରକ୍ଷିତ ରଖିଛି ବୋଲି କହିବା ହେଉଛି ଅପରିପକ୍ୱତାର ପରିଚୟ। ଯୁଦ୍ଧରେ ସାମିଲ ନ ହୋଇ ନୀରବ ରହିବା ଏକ ବିକଳ୍ପ ନୁହେଁ। ଏଥିସହିତ ସ୍ପଷ୍ଟ ଭାବେ ଇରାନ୍‌ର ବିରୋଧୀ ସାଜିକରି ଭାରତ ତା’ର ବ୍ରିକ୍ସ ବନ୍ଧୁତ୍ୱ ଓ ନିଜ ସମ୍ପର୍କରେ ଭାବମୂର୍ତ୍ତି ଉଭୟକୁ କ୍ଷତି କରିଦେଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?