ପ୍ରଜ୍ଞାପନ ମେଢ଼କୁ ସ୍ଥାନ ମିଳୁ

ଡ. ପ୍ରମୋଦ କୁମାର ପଣ୍ଡା

ଭାରତରେ ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକ ବାସ କରନ୍ତି। ମରୁଭୂମିଠୁ ହିମପାତ ଅଞ୍ଚଳ ତଥା ସମୁଦ୍ରତଟ ଦ୍ୱୀପ ଅଞ୍ଚଳ ପରିବେଷ୍ଟିତ ଭାରତବର୍ଷ, ପୃଥିବୀର ସମସ୍ତ ପ୍ରକାର ଜଳବାୟୁରେ ଆଚ୍ଛାଦିତ। ସେହିପରି ସମୁଦ୍ରପତନ ଠାରୁ ହିମାଳୟର ଉତ୍ତୁଙ୍ଗ ହିମ ଶିଖର ପର୍ଯ୍ୟନ୍ତ ଭୂମିରୂପ ବିବିଧତା ଓ ବୈଚିତ୍ରର ଏହା ଗନ୍ତାଘର। ୧୯,୫୦୦ ଭାଷାରୁ ଦେଶରେ ଦଶ ହଜାରରୁ ଅଧିକ ଲୋକ କହୁଥିବା ଭାଷାର ସଂଖ୍ୟା ୧୨୧, ଏହା ବିବିଧତାର ପରିଚୟ ନୁହେଁ ତ ଆଉ କ’ଣ ହୋଇପାରେ। କେବଳ ଯେ ଭାଷାଗତ ବିବିଧତା ଏ ଦେଶରେ ଭରିରହିଛି ତାହା ନୁହେଁ, ତା’ର ଜଳବାୟୁ ଓ ଭୂମିରୂପକୁ ଆଧାର କରି ବିଭିନ୍ନ ଭାଷା ସହିତ ଭିନ୍ନ ଭିନ୍ନ ପୋଷାକ, ଖାଦ୍ୟପେୟ, ପର୍ବପର୍ବାଣି, ଚାଲି ଚଳନ, ସାହିତ୍ୟ ଆଦି ଗଢ଼ି ଉଠିଛି କେଉଁ ଆଦିମ କାଳରୁ। ଏ ଦେଶ ବିଶ୍ୱ ସଭ୍ୟତାକୁ ଅନେକ କିଛି ଦେଇଛି ତା’ର ସାହିତ୍ୟ, ବିଜ୍ଞାନ, ସ୍ଥପତି, କଳା, ଭାସ୍କର୍ଯ୍ୟ, ସଂସ୍କୃତି, ପୋଷାକ ଓ ଖାଦ୍ୟ ପେୟ ମାଧ୍ୟମରେ। ଆଜି ବି ଏ ଦେଶରେ ଅନେକ ଐତିହ୍ୟ ବିଶ୍ୱବାସୀଙ୍କ ନଜର ଆଢୁଆଳରେ ଅପହଞ୍ଚ ହିସାବରେ ରହିଯାଇଛି।
ବିଭିନ୍ନ ଅଞ୍ଚଳର ଅପରୂପ ସୌନ୍ଦର୍ଯ୍ୟ ତା’ର ବିବିଧତାକୁ ଆହୁରି ରଙ୍ଗାୟିତ କରିଥାଏ। ତା’ର ଜଳପ୍ରପାତ, ନଦନଦୀ, ପାହାଡ଼ ପର୍ବତ, ଝରଣା, ଶସ୍ୟଶାମଳା କ୍ଷେତ, ଗାଈ ଗୋଷ୍ଠ, ହସ୍ତଶିଳ୍ପ, ପଶୁପକ୍ଷୀ, ଅରଣ୍ୟ, ସମୁଦ୍ରତଟ, ମନ୍ଦିର, ଫଳଫୁଲ ବଗିଚା, ନାଚ ଗୀତ ସବୁଥିରେ ସ୍ପଷ୍ଟରୂପେ ବିବିଧତା ବାରିହୋଇପଡ଼େ। ମାତ୍ର ଏହି ବିବିଧତା ବା ସୌନ୍ଦର୍ଯ୍ୟର ଏ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ପ୍ରଚାର ଓ ପ୍ରସାର ହୋଇପାରି ନାହିଁ ଓ ଆମେ ବିଶ୍ୱ ପର୍ଯ୍ୟଟନ ବଜାରରେ ଅତି ନଗଣ୍ୟ ସ୍ତରରେ ଅଛନ୍ତି। ଆମ ରାଜ୍ୟଗୁଡ଼ିକରେ ଥିବା ସ୍ବତନ୍ତ୍ରତା ଓ ବିବିଧତା ପ୍ରଦର୍ଶନର ଏକ ବଳିଷ୍ଠ ମାଧ୍ୟମ ହେଉଛି ସ୍ବତନ୍ତ୍ରତା ଦିବସ ପରେଡ। ଏହି ପରେଡକୁ କେବଳ ଦିଲ୍ଲୀବାସୀ ନୁହନ୍ତି, ଟିଭି ମାଧ୍ୟମରେ ଆମ ଦେଶର କୋଟି କୋଟି ଲୋକ ଦେଖିଥାନ୍ତି। ତା’ ଛଡ଼ା ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ କୋଟି କୋଟି ଜନତା ମଧ୍ୟ ଏହାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଅବଲୋକନ କରିଥାନ୍ତି। ମାତ୍ର ଦୁଃଖର କଥା ଯେ ବିଭିନ୍ନ କାରଣରୁ କେତେକ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଜାତୀୟ ପରେଡରେ ଅଂଶ ଗ୍ରହଣ କରିବାକୁ ଅନୁମତି ମିଳୁନାହିଁ। ଦେଶ ହିଁ ରାଜ୍ୟକୁ ନେଇ ହୋଇଥାଏ। ରାଜ୍ୟ ପୁଣି ତା’ର ସଂସ୍କୃତି ଓ ସଭ୍ୟତାକୁ ନେଇ। ଆମେ ଯଦି କୌଣସି ରାଜ୍ୟର ମେଢ଼କୁ ପ୍ରତ୍ୟାଖ୍ୟାନ କରନ୍ତି, ତା’ ହେଲେ ବିଶ୍ୱର କୋଟି କୋଟି ଜନତା ସେ ସବୁକୁ ଦେଖିବାରୁ ବଞ୍ଚିତ ହେବେ ଓ ତା’ର ପ୍ରଚାର ପ୍ରସାର ହେବ ନାହିଁ। ଆଗକାଳରେ ସୈନ୍ୟବାହିନୀର ସଂଖ୍ୟାରେ ଦେଶର ଦକ୍ଷତା ମପାଯାଉଥିଲା। ମାତ୍ର ବର୍ତ୍ତମାନ ଯାହା ପାଖରେ ଯେତେ ଆଧୁନିକ ହତିଆର ଯଥା ମିଶାଇଲ, ପରମାଣୁ ବୋମା, ଯୁଦ୍ଧବାହୀ ଉଡ଼ାଜାହାଜ, ବୁଡ଼ାଜାହାଜ ଆଦି ମହଜୁଦ ଅଛି ସେ ସେତେ ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ତେଣୁ ସବୁପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ କରାଯାଉ। ଚିରାଚରିତ ପ୍ରଥାରେ ଆମେ ବିଭିନ୍ନ ରେଜିମେଣ୍ଟ ପରେଡକୁ ସାମିଲ କରିଥାଉ। ସେଥିପାଇଁ ଅଧିକ ସମୟ ଆବଶ୍ୟକ ହୋଇଥାଏ। ମାତ୍ର ବିଭିନ୍ନ ରେଜିମେଣ୍ଟର ପରେଡକୁ ପରେଡ ଗ୍ରାଉଣ୍ଡରେ ସୀମିତ ରଖି ଖାଲି ପାଳି ଅନୁସାରେ ପ୍ରତିବର୍ଷ ଗୋଟେ ଦୁଇଟି ରେଜିମେଣ୍ଟର ପରେଡକୁ ସ୍ବତନ୍ତ୍ରତା ଦିବସରେ ପ୍ରଦର୍ଶିତ କରିବା ଆବଶ୍ୟକ। ଏହା ସହିତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବତନ୍ତ୍ରତା ବହନ କରୁଥିବା ମେଢ଼କୁ ଦେଶର ସ୍ବତନ୍ତ୍ରତା କିମ୍ବା ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ମଜଭୁତ ହେବ। ପ୍ରତ୍ୟେକ ରାଜ୍ୟବାସୀ ତାଙ୍କ ସଂସ୍କୃତି ଓ ଅବଦାନ ପାଇଁ ନିଜକୁ ଗର୍ବିତ ମନେକରିବେ। ଭାରତର ଅନ୍ୟାନ୍ୟ ରାଜ୍ୟର ଲୋକ ଓ ବିଦେଶବାସୀ ସେ ସବୁକୁ ଦେଖିବାକୁ ସୁଯୋଗ ପାଇବେ ଓ ସେ ରାଜ୍ୟର ପର୍ଯ୍ୟଟନ ବଜାର ଆଗକୁ ବଢ଼ିବ। ପ୍ରତିବର୍ଷ ରାଜ୍ୟଗୁଡ଼ିକୁ ସେ ସବୁକୁ ପରିବର୍ତ୍ତନ କରି ନୂଆ ନୂଆ ଜିନିଷ ଦେବାକୁ କୁହାଯିବା ଆବଶ୍ୟକ। କିଛି ସ୍କୁଲ ପିଲା, ସାହସୀ ପିଲା, ମହିଳା, ସାହସିକ ଗାଡ଼ି ଚାଳନା, ଭାରତ ସରକାରଙ୍କ ବିଭିନ୍ନ ବିଭାଗର ଅଂଶ ଗ୍ରହଣ ଯେପରି ରହୁଥିଲା, ସେପରି ରଖାଯାଇପାରିବ। ଯଦି ପୂର୍ବ ପ୍ରଚଳିତ ସମସ୍ତ କାର୍ଯ୍ୟକ୍ରମକୁ ରଖିବାକୁ ଚାହାନ୍ତି, ତା’ ହେଲେ ସାଧାରଣତନ୍ତ୍ର ଦିବସରେ ପରେଡର ଅବଧିକୁ ବୃଦ୍ଧି କଲେ ସମସ୍ତ ରାଜ୍ୟର ସଂସ୍କୃତି ପ୍ରଦର୍ଶନ ଖୁବ୍‌ ସୁରୁଖୁରୁରେ ହୋଇପାରନ୍ତା।
ବହୁ ସମୟରେ ବିଭିନ୍ନ କାରଣ ଦର୍ଶାଇ ରାଜ୍ୟଗୁଡ଼ିକ ଦେଇଥିବା ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶନରୁ ବଞ୍ଚିତ କରିବା ଠିକ ନୁହେଁ। କେବେ କେବେ କୌଣସି ରାଜ୍ୟରେ କେନ୍ଦ୍ର ବିପରୀତ ସରକାର ରହିଲେ ସେମାନଙ୍କୁ ବୈମାତୃକ ଦୃଷ୍ଟିରେ ଦେଖାଯାଉଛି ବୋଲି ରାଜ୍ୟ ସରକାର ମଧ୍ୟ ଅଭିଯୋଗ କରନ୍ତି । ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ସୁଦୃଢ଼ ରହିବା ନିହାତି ଆବଶ୍ୟକ। ତା’ ଛଡ଼ା ସାଧାରଣତନ୍ତ୍ର ଦିବସରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସବୁ କାର୍ଯ୍ୟ କରିବା କଥା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏ ବର୍ଷ ଯଦି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ ଭାରତର ପ୍ରଥମ ସାଧୀନତା ସଂଗ୍ରାମର ପ୍ରତୀକକୁ ଦେଶର ସାଧୀନତାର ୭୫ ତମ ବର୍ଷରେ ପ୍ରଦର୍ଶିତ ହେବାର ସୁଯୋଗ ନ ମିଳିଲା, ତା’ ହେଲେ ଆମେ କି ପ୍ରକାର ପୂଜ୍ୟପୂଜା ଆଗାମୀ ପିଢ଼ିଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି। କୌଣସି ରାଜ୍ୟର କେଉଁ ଜିନିଷ ଭାରତର ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ, ତାହା ସେ ରାଜ୍ୟର ନିର୍ବାଚିତ ଶାସକ ଓ ବୁଦ୍ଧିଜୀବୀଙ୍କ ଉପରେ ନ୍ୟସ୍ତ କରିବା ଉଚିତ । ଅବଶ୍ୟ ପ୍ରଜ୍ଞାପନ ମେଢ଼ଗୁଡ଼ିକ କୌଣସି ଜାତି, ଧର୍ମ, ବ୍ୟକ୍ତି, ସଂସ୍ଥା ଇତ୍ୟାଦି ବିରୋଧରେ ହେବା ଉଚିତ ନୁହେଁ; ଯାହା କି ସମାଜରେ ଅସ୍ଥିରତା ସୃଷ୍ଟି କରିବାର କାରଣ ହୋଇପାରେ । ମୋ ମତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ର ଅଂଶ ଗ୍ରହଣ ବାଧ୍ୟତାମୂଳକ ହେଉ। ଏହାଦ୍ୱାରା ଆମର ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାର ପ୍ରସାର ସହଜରେ ହୋଇପାରିବ।
ଗତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ସ୍ଥାନିତ ହୋଇପାରି ନ ଥିଲା। ଏ ବର୍ଷ ମଧ୍ୟ କୌଣସି କାରଣରୁ ତାହା ପୁଣି ସ୍ଥାନିତ ହୋଇନାହିଁ। ଏହିପରି ଅନ୍ୟ ରାଜ୍ୟଗୁଡ଼ିକ ଅବସ୍ଥା ମଧ୍ୟ ହୋଇଥିବ। ରାଜ୍ୟଗୁଡ଼ିକର ପ୍ରଜ୍ଞାପନ ମେଢ଼ ମୂଲ୍ୟାଙ୍କନରେ କଠିନ ମାପଦଣ୍ଡ ରଖିବା ବି ଠିକ୍‌ ନୁହେଁ। କାରଣ ଏକ ଅଞ୍ଚଳର ସଂସ୍କୃତି ଓ ସଭ୍ୟତାକୁ ଅନ୍ୟ ଅଞ୍ଚଳ ସହିତ ତୁଳନା କରିବା ଠିକ୍‌ ନୁହେଁ । ଏକ ଅଞ୍ଚଳର ନାଚ ଗୀତ, ଖାଦ୍ୟପାନୀୟ ଓ ଐତିହ୍ୟକୁ କିପରି ଅନ୍ୟ ଅଞ୍ଚଳ ସହିତ ତୁଳନା କରାଯାଇ, ଭଲ ଖରାପ ବଛାଯାଇ ପାରିବ ? ଯଦି ନୂ୍ୟନ ମାପଦଣ୍ଡ ପାଇଁ କୌଣସି ରାଜ୍ୟକୁ ବାରମ୍ବାର ପ୍ରଦର୍ଶନର ସୁଯୋଗ ନ ଦିଆଯିବ, ସେ ରାଜ୍ୟର ଅଧିବାସୀମାନଙ୍କ ମନରେ ବିଦ୍ରୋହାତ୍ମକ ଭାବନା ଜନ୍ମ ନେବା ଅସମ୍ଭବ ନୁହେଁ; ଯାହା କି ପରବର୍ତ୍ତୀ ସମୟରେ ସଙ୍ଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନରେ ଦେଶର ସବୁ ଅଞ୍ଚଳର ସ୍ବତନ୍ତ୍ରତା ପ୍ରଦର୍ଶିତ କରି ପ୍ରତ୍ୟେକ ଅଞ୍ଚଳର ଜନସାଧାରଣଙ୍କର ମନରେ ଆନନ୍ଦୋଲ୍ଲାସ ଭରିଦେବା ଉଚିତ।
ମୈତ୍ରୀବିହାର, ଭୁବନେଶ୍ବର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri