ହିସାବ ଠିକ୍‌

ଆଗରୁ ବନ୍ଦର ଯାଇସାରିଛି। ଅଧିକାଂଶ ଉଡ଼ାଜାହାଜ ପଡ଼ିଆ ମଧ୍ୟ ବିକ୍ରି ହୋଇସାରିଛି। ଏପରିକି ଭାରତର ଐତିହାସିକ କୀର୍ତ୍ତିରାଜି ମଧ୍ୟ ବିକ୍ରି କରିଦିଆଯାଇଛି। କିଛିମାସ ହେବ ଚାଷୀ ଆନ୍ଦୋଳନ ଚାଲିଛି। ଗତ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିଲ୍ଲୀର ପ୍ରସିଦ୍ଧ ଲାଲ୍‌କିଲ୍ଲା ୨୦୧୮ରୁ ଡାଲ୍‌ମିଆ ଭାରତ କମ୍ପାନୀକୁ ପ୍ରତ୍ୟେକ ବର୍ଷ ଭଡ଼ା ଆକାରରେ ୫ କୋଟି ଟଙ୍କା ପାଇଁ ଦେଇଦିଆଯାଇଛି। କୌତୂହଳରେ କୁହାଯାଉଛି, ସମସ୍ତ ଭାରତବର୍ଷକୁ ମଧ୍ୟ ଓଏଲ୍‌ଏକ୍ସରେ ପକାଇଦେଲେ କିଛି କ୍ଷତି ହୁଅନ୍ତା ନାହିଁ। ୧ ଫେବୃୟାରୀ ୨୦୨୧ରେ ୧୦ ହଜାର ୫ ଶହ ଶବ୍ଦବିଶିଷ୍ଟ ଏବଂ ୧୦୦ କେତେ ମିନିଟ୍‌ରେ ପଢ଼ାଯାଇଥିବା ଭାରତର ସାଧାରଣ ବଜେଟ ଏଇଭଳି ବିକ୍ରି ଏବଂ ନିର୍ବାଚନରେ ଜିଣିବା ପାଇଁ ଉଦ୍ଦିଷ୍ଟ ଥିବାଭଳି ମନେହେଉଛି। ବଜେଟରେ କୁହାଯାଇଛି ଯେ, ସରକାର ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଛନ୍ତି। ଦୁଇ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ଜୀବନବୀମା ନିଗମ (ଏଲ୍‌ଆଇସି)ରୁ ପୁଞ୍ଜି ପ୍ରତ୍ୟାହାର ବା ଘରୋଇକରଣ କରାଯିବା ପୂର୍ବରୁ ବୀମା କ୍ଷେତ୍ରରେ ୪୯ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ୭୪ ପ୍ରତିଶତକୁ ବୃଦ୍ଧି କରାଗଲା। ଏବେ ଆମେ ବୁଝିବା ଦରକାର ଏହି ବିଦେଶୀ ପୁଞ୍ଜି କିଏ ଭାରତରେ ଲଗାଉଛି। ଏହା ଜଣାଶୁଣା ଯେ, ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ଓ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ସେଥିପାଇଁ ଭାରତ ସରକାରଙ୍କ ବିଭିନ୍ନ ଉଦ୍ୟୋଗକୁ ବିକ୍ରି କରିବା ପଛରେ ଏକ ଉଦ୍ଦେଶ୍ୟ ରହିଛି। ଏହି ଦେଶର ଅଳ୍ପକେତେକ ବଛା ନାଗରିକଙ୍କ କଳାଧନ ବିଦେଶରେ ସଞ୍ଚିତ ଅଛି। ଯେହେତୁ ସେଗୁଡ଼ିକ କାଗଜ ଟଙ୍କାରେ ରଖାଯାଇ ନାହିଁ, ସେଥିପାଇଁ ବିମୁଦ୍ରୀକରଣ ଦ୍ୱାରା ତାହା ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏବେ ଯେତେବେଳେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମ୍ପର୍କରେ ଉଲ୍ଲେଖ କରାଯାଇଛି, ସେଥିରୁ ବୁଝିବାକୁ ହେବ ଯେ, ସେହି ହାତଗଣତି ଭାରତୀୟ ସେମାନଙ୍କ ଅପବିତ୍ର ଅର୍ଥ ଦେଶ ଭିତରକୁ ପୁନର୍ବାର ଫେରାଇ ଆଣିବା ପାଇଁ ଏହା ଦ୍ୱାରା ବାଟ ପ୍ରସ୍ତୁତ କରାଯାଉଛି। ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ କରୋନା ଯୋଗୁ ଅର୍ଥନୀତି ଉପରେ ଶକ୍ତ ଧକ୍କା ଲାଗିଥିବାରୁ ସେହି ଦେଶର କୌଣସି ପୁଞ୍ଜିଲଗାଣକାରୀ ଭାରତକୁ ଆସିବେ ନାହିଁ। କ୍ରମଶଃ ସେହି ହାତଗଣତି ଭାରତୀୟ ସବୁ କିଣି ନେଉଛନ୍ତି।
ମନେପଡୁଛି ନିକଟ ଅତୀତ, ଅର୍ଥାତ୍‌ ୨୦୨୦ କରୋନା ଭାଇରସ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩ ପର୍ଯ୍ୟାୟରେ ଆତ୍ମନିର୍ଭର ଭାରତ ସହାୟତା ଦେବାର ପ୍ରତିଶ୍ରୁତି ସହିତ ୨୭.୧ ଲକ୍ଷ କୋଟି ଟଙ୍କା ଘୋଷଣା କରିଥିଲେ। ସେଥିରୁ ଅଧିକାଂଶ ଋଣ ଆକାରରେ ଥିଲା। ଆଶା କରାଯାଉଥିଲା ଏହି ବଜେଟରେ ସାଧାରଣ ଲୋକଙ୍କ ସମେତ ବଡ଼ଧରଣର ନିଯୁକ୍ତି ଦେଉଥିବା ସଂସ୍ଥାକୁ ଅର୍ଥ ଆକାରରେ ସାହାଯ୍ୟ ମିଳିବ। ନିଯୁକ୍ତି ବୃଦ୍ଧି ପାଇଲେ ଲୋକଙ୍କ ହାତକୁ ଦରମା ଅର୍ଥାତ୍‌ ଅର୍ଥ ପହଞ୍ଚିଥାଆନ୍ତା। ତେବେ ସାଧାରଣ ନାଗରିକର ରୋଜଗାର ବୃଦ୍ଧି ପାଇଁ ଏଥିରେ କୌଣସି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଘରୋଇ ଖର୍ଚ୍ଚ ମେଣ୍ଟାଇବାର ଯେଉଁ ସମସ୍ୟା ଦେଖାଯାଇଛି ତାହା ଭବିଷ୍ୟତରେ ଲାଗିରହିବ।
ବଜେଟରେ କୁହାଯାଇଛି ଯେଉଁସବୁ ବ୍ୟାଙ୍କରେ ଅତ୍ୟଧିକ ମାତ୍ରାରେ ଅନାଦାୟ ପରିସମ୍ପତ୍ତି ବା ଏନ୍‌ପିଏ ପଡ଼ିରହିଛି, ସେସବୁକୁ ଏକତ୍ରିତ କରି ଗୋଟିଏ ଆସେଟ୍‌ ରିକନ୍‌ଷ୍ଟ୍ରକ୍‌ଶନ୍‌ କମ୍ପାନୀ (ଏଆର୍‌ସି)କୁ ଧରାଇ ଦିଆଯିବ। ଏଥିରେ ଆମେ ଯାହା ବୁଝିଲୁ ଦୁର୍ବଳ ବା ବଦ୍‌ମାସ ବ୍ୟାଙ୍କ ପରିଚାଳନା ଯୋଗୁ ଜମାକାରୀଙ୍କ ଅର୍ଥକୁ ଅପବ୍ୟବହାର କରାଯାଇଛି। ଏହା କେବଳ କଂଗ୍ରେସ ସମୟରେ କରାଯାଇଥିବା କହିବା ଭୁଲ୍‌ ହେବ। ୨୦୧୪ ପରେ ଏହାର ପରିମାଣ ଯଥେଷ୍ଟ ମାତ୍ରାରେ ବଢ଼ିଛି। ଅର୍ଥାତ୍‌ ଆଜିର ସରକାର ମନ୍ଦ ଉଦ୍ଦେଶ୍ୟ ରଖି ବା ଅପାରଗତା ଯୋଗୁ ଏଭଳି ଏନ୍‌ପିଏ ବଢ଼ିବାକୁ ଦେଇଛନ୍ତି। ଏବେ କୁହାଯାଉଥିବା ଏଆର୍‌ସି ଏହିସବୁ ଅନାଦାୟ ପରିସମ୍ପତ୍ତିକୁ ମୁଣ୍ଡାଇନେଲେ ସେହି ଅର୍ଥ କିଏ ଭରଣା କରିବ ତାହା ବୁଝିବା କଷ୍ଟକର ନୁହେଁ। ପୁନର୍ବାର ପ୍ରତ୍ୟେକ ଭାରତୀୟ ମୁଣ୍ଡରେ ଋଣବୋଝ ବୃଦ୍ଧିପାଇବ। ମନେରଖିବାକୁ ହେବ ଯେ, କେବଳ କରଦାତା ଏହି ଦେଶର ଖର୍ଚ୍ଚ ସମ୍ଭାଳୁ ନାହିଁ। ପ୍ରତ୍ୟେକ ନାଗରିକ ତାହାର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସବୁ ସାମଗ୍ରୀ ପାଇଁ ଟିକସ ଦେଇ ମରିଯାଉଛି।
ଏବେ କୁହାଗଲାଣି କୃଷିକ୍ଷେତ୍ରରେ ଅର୍ଥ ବିନିଯୋଗ ପାଇଁ ପେଟ୍ରୋଲ ଓ ଡିଜେଲ୍‌ ଉପରେ ଏକ ନୂଆ ଟିକସ ବସାଯିବ। ତାହା କୃଷି ଭିତ୍ତିଭୂମି ସୃଷ୍ଟି କରାଯିବା ପାଇଁ ଉଦ୍ଦେଶ୍ୟ ରଖି ଆଦାୟ କରିବାକୁ ଥିବା ଏହି ଟିକସର ବାସ୍ତବ ବ୍ୟବହାର କେଉଁଭଳି ହେବ ସ୍ପଷ୍ଟ କରାଯାଉ ନାହିଁ। ଇନ୍ଧନର ସମ୍ପର୍କ କେବଳ କୃଷି ନୁହେଁ, ସବୁ କ୍ଷେତ୍ର ସହିତ ଯୋଡ଼ିବା ଅତି ସହଜ। ଆଜିର ଭାରତରେ ପେଟ୍ରୋଲ ଓ ଡିଜେଲର ଦର ପ୍ରାୟ ପ୍ରତ୍ୟେକ ଦିନ ବୃଦ୍ଧିପାଇବାରେ ଲାଗିଛି। ଏବେ ଘୋଷଣା କରାଯାଇଥିବା ଏହି ନୂଆ ଟିକସକୁ ପୁନର୍ବାର ସାଧାରଣ ଲୋକଙ୍କ ମୁଣ୍ଡରେ ଲଦି ଦିଆଯିବ। ସେଥିପାଇଁ ଏକ୍ସାଇଜ ବା ଉତ୍ପାଦ ଟିକସ ବସାଇବାର ପ୍ରତିଶ୍ରୁତି ଯାହା ଦିଆଯାଇଛି ତାହା କୌତୂହଳପୂର୍ଣ୍ଣ ମନେହେଉଛି। କାରଣ ଏବେ ଇନ୍ଧନର ଦର ବୃଦ୍ଧି ବଜାର ନିୟନ୍ତ୍ରିତ ବୋଲି ସରକାର ବାରମ୍ବାର ଘୋଷି ହେଉଛନ୍ତି। ଆଜି ୧୦ ଟଙ୍କା ଏକ୍ସାଇଜ୍‌ କମାଇଲେ, ଆସନ୍ତା ୧୫ ଦିନ ଭିତରେ ତାହାକୁ ୧୧ ଟଙ୍କା ବୃଦ୍ଧିକରି ଭରଣା କରାଯିବ। ଭାରତୀୟ ନାଗରିକ ଉପରେ ସମଗ୍ର ପୃଥିବୀ ତୁଳନାରେ ସର୍ବାଧିକ ଇନ୍ଧନ ଟିକସ ବସାଯାଇଛି। ଏବେ କୃଷି ନାଁରେ ନେବାକୁ ଥିବା ଟିକସ ଆଦାୟ ଏକ ମନ୍ଦ ଉଦ୍ଦେଶ୍ୟ ରଖାଯାଇ କରାଯାଇଥିବା ଭଳି ମନେହୁଏ। ବଜାର ଚାପରେ ଯେତେବେଳେ ଇନ୍ଧନ ଦର ବୃଦ୍ଧି ପାଇବ ସେତେବେଳେ ସାଧାରଣ ଲୋକଙ୍କ ମନରେ କ୍ରୋଧ ସୃଷ୍ଟି ହେବ କୃଷକଙ୍କ ବିରୋଧରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟମାନେ ଶିକ୍ଷା କର ଦୀର୍ଘଦିନ ଧରି ଦେଇଆସୁଛନ୍ତି। ଶିକ୍ଷାର ଭିତ୍ତିଭୂମି କେଉଁଭଳି ଭାବେ ଉନ୍ନତ ହେଉଛି ତାହାକୁ ପ୍ରତ୍ୟେକ ନାଗରିକ ନିଜକୁ ପଚାରିବା ଦରକାର। ସେହିଭଳି କୃଷକଙ୍କ ନାଁରେ କର ଆଦାୟ ଯୋଜନା କୃଷି କ୍ଷେତ୍ରରେ ବିନିଯୋଗ ହେବାର କୌଣସି ପରିକଳ୍ପନା କରାଯାଇ ନାହିଁ। ଏଥିରେ କେବଳ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଏଭଳି କରାଯିବା କଥା ସ୍ପଷ୍ଟ ବୁଝାପଡୁଛି।
କରୋନା ଭୂତାଣୁ ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଦେବାର ଉଦ୍ଦେଶ୍ୟ କ’ଣ ତାହା ବୁଝିବା କଷ୍ଟ ନୁହେଁ। ଏହାବାଦ୍‌ ଯେଉଁ ବିପୁଳ ଅର୍ଥ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଦିଆଯାଇଛି, ତାହା କେବଳ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌ ଠିକାଦାରି ଓ ଅସ୍ବାଭାବିକ ନେଣଦେଣର ସୁଯୋଗ ରହିବା ବେଳକୁ ସାଧାରଣ ନାଗରିକଙ୍କୁ ବିନା ମୂଲ୍ୟରେ ଏହି ଟିକା ଦେବାର ଯୋଜନା ନାହିଁ। ତେବେ ଏହି ଅର୍ଥ କୁଆଡ଼େ ଯିବ? ସହଜରେ ବୁଝିବାକୁ ହେଲେ ଏହି ବିପୁଳ ଅର୍ଥ ମୁଷ୍ଟିମେୟ ଔଷଧ କମ୍ପାନୀକୁ ଦିଆଯାଇ ଆତ୍ମସାତ କରାଯିବ। ଅପରପକ୍ଷରେ ଆମେରିକା ଭଳି ଦେଶ ତାହାର ନାଗରିକଙ୍କୁ ସମ୍ପୂର୍ଣ୍ଣ ମାଗଣା ଟିକା ଦେଉଛି।
ସାଧାରଣ ବଜେଟ ୨୦୨୧-୨୨ରେ କେବଳ ରାଜନୀତି ସର୍ବଉପରେ ରହିଛି। ଚାରିଟି ରାଜ୍ୟରେ ନିକଟରେ ହେବାକୁ ଥିବା ନିର୍ବାଚନ ଜିଣିବା ପାଇଁ ତାମିଲନାଡୁକୁ ୧.୦୩ ଲକ୍ଷ କୋଟି, କେରଳକୁ ୬୫ ହଜାର କୋଟି, ପଶ୍ଚିମବଙ୍ଗକୁ ୨୫ ହଜାର କୋଟି ଏବଂ ଆସାମକୁ ୩୪ ହଜାର କୋଟି ଟଙ୍କା ଦିଆଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ବାଦ୍‌ ପଡ଼ିଯାଇଥିବା ସତ୍ତ୍ୱେ ଏହି ୪ଟି ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗକୁ ସର୍ବନିମ୍ନ ଅର୍ଥ ଦେବାରୁ ବୁଝାପଡୁଛି ଯେ, ହୁଏତ ସେଠାରେ ଭାଜପା କ୍ଷମତାକୁ ଆସିବ ନାହିଁ ବୋଲି ବୁଝିଗଲାଣି।
ଗୋଟାଏପଟେ କରୋନା ଭୂତାଣୁ ଟିକା ମାଗଣାରେ ଦେଉ ନ ଥିବା ସରକାର କହୁଛନ୍ତି ଯେ, ୭୫ କିମ୍ବା ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ହୁଏତ ଏହି ଆୟୁଷ ଅଧିକ ଲୋକ ଭୂତାଣୁ ଯୁଗରେ ପହଞ୍ଚିବେ ନାହିଁ ବୋଲି ସରକାର ଜାଣି ଏଭଳି ବୟସସୀମା ନିର୍ଦ୍ଧାରଣ କରିଛନ୍ତି। ୨୦୨୨ରେ ସ୍ବାଧୀନ ଭାରତ ୭୫ ବର୍ଷର ହେବ ବୋଲି କହି ଅର୍ଥମନ୍ତ୍ରୀ ଏହି ବୟସସୀମା ଟିକସ ଛାଡ଼ ପାଇଁ ରଖିଛନ୍ତି। ଏହି ନୀତିରେ ଚାଲିଲେ ଦେଶ ୧୦୦ ବର୍ଷର ସ୍ବାଧୀନତା ଦିବସ ପାଳନ କଲେ ପରଧାମକୁ ଯାଇ ନ ଥିବା ୧୦୦ ବର୍ଷର ବୃଦ୍ଧାବୃଦ୍ଧଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ହିସାବ ଠିକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri