ପ୍ରଜାପତି ଉଡ଼ିଲେ

ଭାରତ ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ପାଣ୍ଠି ପାଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ) କରିଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳରେ ହାରାହାରି ତାପମାତ୍ରା ବୃଦ୍ଧି ପାଉଥିବାରୁ ପ୍ରଜାପତି ଓ କୀଟଗୁଡ଼ିକ ସାଧାରଣ ବାସସ୍ଥଳ ଛାଡ଼ି ଅଧିକ ଉଚ୍ଚତାକୁ ଯିବାର ପରିଲକ୍ଷିତ ହୋଇଛି। ପୂର୍ବରୁ ଯେଉଁ ଉଚ୍ଚତାରେ ଏହି ଜୀବଗୁଡ଼ିକ ଉଡ଼ୁଥିଲେ ତାହାଠାରୁ କେତେକ ୧୦୦୦ ମିଟର ଓ ଆଉ କିଛି ୨୦୦୦ ମିଟର ଉପର ଯାଏ ଚାଲିଗଲେଣି। ଜେଡ୍‌ଏସ୍‌୍‌ଆଇର ନିର୍ଦ୍ଦେଶକ କୈଳାସ ଚନ୍ଦ୍ରା ଉଦାହରଣ ଦେଇ କହିଛନ୍ତି, କମନ୍‌ ମ୍ୟାପ୍‌ ଓ ଟେଲ୍‌ଲେସ୍‌ ବୁଶ୍‌ବ୍ଲୁ ପ୍ରଜାପତି ୨,୫୦୦ ମିଟର ଉପରେ ଦେଖାଯାଉଥିଲେ। ଏବେ ସେମାନେ ୩,୫୭୭ ମିଟର ଉପରେ ବୁଲୁଛନ୍ତି। ଅତି ସୂକ୍ଷ୍ମ ଜୀବ ହୋଇଥିବାରୁ ପ୍ରଜାପତିଗୁଡ଼ିକ ସାଧାରଣତଃ ଦୀର୍ଘମିଆଦୀ ଜଳବାୟୁ ପରିବର୍ତ୍ତନର ସଙ୍କେତ ଦେଇଥାଆନ୍ତି। ଅନୁରୂପ ଭାବେ ଚଳିତବର୍ଷ ପ୍ରାରମ୍ଭରେ ନର୍ଥ କ୍ୟାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟି ଓ ଆମେରିକାର ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟମୋସ୍ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ, ଆଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ବଦଳିବା ସହ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଫିକା ପଡ଼ିଯିବ। ଆଉ ମାତ୍ର ୧୫ ବର୍ଷ ପରେ ଅର୍ଥାତ୍‌ ୨୦୩୫ ଗ୍ରୀଷ୍ମ ଋତୁ ବେଳକୁ ବ୍ୟାପକ ପରିବର୍ତ୍ତନ ଦେଖାଦେବ। ସୁମେରୁ ଅଞ୍ଚଳରୁ ପ୍ରଥମ ଥର ପାଇଁ ସମସ୍ତ ବରଫ ତରଳିଯିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୂର୍ବରୁ ଥିବା ଅନୁମାନକୁ ପୁନଃଗବେଷଣା କରି ପରିବେଶ ବୈଜ୍ଞାନିକମାନେ ଏହି ସମସ୍ୟା ନିକଟ ହୋଇଆସୁଥିବା ଚେତାବନୀ ଦେଲେଣି। ତେଣୁ ଆଗାମୀ ସମୟ ପରିବେଶ ଓ ପ୍ରାଣୀଜଗତ ତିଷ୍ଠିବା ସକାଶେ କିଭଳି ବିପଦ ସୃଷ୍ଟି କରିବ ଏହିସବୁ ଗବେଷଣା ଓ ସର୍ଭେ ରିପୋର୍ଟରୁ ବୁଝିିନେବା କଥା।
ଭାରତ ସମେତ ସମଗ୍ର ବିଶ୍ୱ ଏବେ କୋଭିଡ୍‌-୧୯ ମହାମାରୀ କବଳରେ ପଡ଼ିଛି। ଗତ ମାର୍ଚ୍ଚରେ ଯେତେବେଳେ ସଂକ୍ରମଣର ସଂଖ୍ୟା ବଢ଼ିଚାଲିଲା, ସରକାରୀ ନିର୍ଦ୍ଦେଶ କ୍ରମେ ପ୍ରଥମେ ଲକ୍‌ଡାଉନ୍‌ ଓ ପରେ ଶଟ୍‌ଡାଉନ ଲାଗୁ କରାଯାଇ ଜନସାଧାରଣଙ୍କ ଚଳପ୍ରଚଳକୁ ସଙ୍କୁଚିତ କରାଯାଇଥିଲା। ଗାଡ଼ିମୋଟର ନ ଚାଲିବା ଓ ଲୋକଙ୍କ ହାଉଜାଉ କମିଯିବା ପରେ ରାସ୍ତା ଉପରକୁ ବଣୁଆ ଜୀବ ଚାଲିଆସିଥିଲେ। ପ୍ରଦୂଷଣ ସ୍ତର କମିଯାଇଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା। ହେଲେ ଏବେ ଜୀବନଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବା ଓ କର୍ମସ୍ଥଳୀଗୁଡ଼ିକ ଖୋଲିଯାଉଥିବାରୁ ଲୋକେ ପୁଣି ବିଶୃଙ୍ଖଳିତ ହୋଇ ଏଣେତେଣେ ଦୌଡ଼ିବାରେ ଲାଗିଲେଣି।
ଜୀବଜନ୍ତୁ ପ୍ରକୃତି କୋଳରେ ବଢ଼ିଥିବାରୁ ସେମାନେ ଶୃଙ୍ଖଳିତ ହୋଇ ଗତି କରିଥାଆନ୍ତି। ଅତିବୁଦ୍ଧିଆ କୁହାଯାଉଥିବା ମଣିଷ ପ୍ରତି ମୁହୂର୍ତ୍ତରେ ପ୍ରାକୃତିକ ନିୟମ ଭାଙ୍ଗି ଦେଉଥିବାରୁ ସବୁକିଛି ବିଗିଡ଼ିଯାଉଛି। ବିସ୍ତାରବାଦୀ ଚିନ୍ତାଧାରା ଯୋଗୁ ଜୀବଜନ୍ତୁଙ୍କ ପ୍ରାକୃତିକ ବାସସ୍ଥଳ ମଣିଷର ଲୋଭ ଯୋଗୁ ଜବରଦଖଲ ହେଉଛି।
ଏକ ଭୂତାଣୁ କୋଭିଡ୍‌-୧୯ ମହାମାରୀ ବିଭୀଷିକା ଆଣି ସମଗ୍ର ପୃଥିବୀକୁୁ ତଟସ୍ଥ କରିଦେଲା। ବିଶ୍ୱର ବଡ଼ ବଡ଼ ଗବେଷକ, ବୈଜ୍ଞାନିକ ଓ ଡାକ୍ତର ଅଦ୍ୟାବଧି ଟିକାଟିଏ ଆଣିପାରିଲେ ନାହିଁ। ତେବେ ମଣିଷର ବାହାଦୁରି କ’ଣ ପାଇଁ ବୋଲି ପ୍ରଶ୍ନ ଉଠୁଛି। ଭୂତାଣୁ କେଉଁଭଳି ରୂପ ନେଇ ଆସିବ କହିବା କଷ୍ଟକର। ଏଠାରେ ଆଉ ଏକ ବିପଦ ସିଧାସଳଖ ଦେଖାଦେଲାଣି। ଦୀର୍ଘ ୭ ମାସ ହେବ ଭାରତର ବିଭିନ୍ନ ପ୍ରାନ୍ତରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଚଳିତ ବର୍ଷ କଦାପି ଆଶାନୁରୂପ ଅମଳ ହେବ ନାହିଁ। କିଛି ମାସ ତଳେ ପଙ୍ଗପାଳ ଦଳ ମାଡ଼ିଆସି ଦେଶର ବିଭିନ୍ନ ପ୍ରାନ୍ତରେ ଫସଲ ବ୍ୟାପକ ନଷ୍ଟ କରିଥିଲେ। ଏବେ ଜାଏଣ୍ଟ ଆଫ୍ରିକାନ୍‌ ସ୍ନେଲ୍‌ ବା ଅତିକାୟ ଆଫ୍ରିକୀୟ ଗେଣ୍ଡା ଦକ୍ଷିଣ ଭାରତର ଚାଷ ଖେତ ଓ ବାଡ଼ିବଗିଚା ପାଇଁ ବିପଦ ସୃଷ୍ଟି କଲେଣି। କେନିଆ ଓ ତାଞ୍ଜାନିଆ ଆଦି ଦେଶରେ ଏହି ଧରଣର ଗେଣ୍ଡା ବହୁଳ ଭାବେ ଦେଖାଯାଇଥାଆନ୍ତି। କୁହାଯାଉଛି କେରଳରୁ ଜଳପଥ ଦେଇ ବାଣିଜି୍ୟକ କାରବାର ବିଶେଷକରି କାଠ ବା ତା’ର ଗଣ୍ଡି ଆମଦାନୀ ବେଳେ ଏହି ପ୍ରଜାତିର ଗେଣ୍ଡା ଆସିଯାଇଥିଲେ। ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶସ୍ୟଖେତ ଓ ଉଦ୍ଭିଦରାଜି ପ୍ରତି ବିପଦ ବଢ଼ିଲାଣି। ବିଦେଶୀ କାଠରେ ଏହି ଗେଣ୍ଡା କେତେବେଳେ ଆସିଯାଇଥିବ ତାହା ଜାଣିବା କଷ୍ଟକର। ମନେରଖିବା ଉଚିତ ଯେ ସାମାନ୍ୟ ଅସାବଧାନତା ଯୋଗୁ ଗୋଟିଏ ଦେଶର ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିଲା ପରି ଗେଣ୍ଡା ଭଳି ସାମାନ୍ୟ ଜୀବ ହେଲେ ମଧ୍ୟ ଗୋଟିଏ ଜଳବାୟୁ ଅବସ୍ଥାରୁ ଆଉ ଏକ ପରିବେଶକୁ ଯାଇ ବ୍ୟାପକ କ୍ଷତି ଘଟାଇପାରିବ। ଏବେ କେରଳ, କର୍ନାଟକ କୃଷକ ଫସଲ ନଷ୍ଟ ପାଇଁ ଆଫ୍ରିକୀୟ ଗେଣ୍ଡାକୁ ଦୋଷ ଦେଲେଣି। ଅନେକେ ଭୟଭୀତ ହେଲେଣି ଯେ ଯେଉଁ ପରିବା ଓ ଫଳ ସହ ଏହି ପ୍ରଜାତିର ଗେଣ୍ଡା ଲାଗି ରହିଥିବ ତାହାକୁ ଖାଇଲେ ସଂକ୍ରମଣ ହେବ। ତେଣୁ ମଣିଷ ପ୍ରତି ପଦକ୍ଷେପରେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଆସୁଥିବା ବିପଦରୁ ଶିଖିବା ଦରକାର।
ଆଜିର ସ୍ଥିତିରେ ମଣିଷକୃତ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନକୁ ଖୋରାକ ଯୋଗାଇ ଚାଲିଛି। ବିପଦ ଆସିଲା ବେଳେ ଗୋଟିଏ ଜାଗାରେ ଜାକିଜୁକି ହୋଇଯାଉଛେ। ତାହା ଟଳିଗଲା ପରେ ଯେଉଁ କଥାକୁ ସେହି କଥା। ଯଦି ଆମେ ଆମ ଜୀବନକୁ ଶୃଙ୍ଖଳିତ ଭାବେ ନେବା ଓ ଅନ୍ୟ ପ୍ରାଣୀ ଏବଂ ଉଦ୍ଭିଦଜଗତ ତିଷ୍ଠି ରହିବା ସକାଶେ ସେମାନଙ୍କ ସ୍ଥାନ ଛାଡ଼ି ଦେବା, ତାହା ହେଲେ ବ୍ୟାପକ ଜଳବାୟୁ ପରିବର୍ତ୍ତନରୁ ହୁଏତ ଆମର ଆଗାମୀ ପିଢ଼ି ବର୍ତ୍ତିଯାଇପାରିବ। ଯେଉଁ ପରିବେଶରେ ବାସ କରୁଛେ, ସେଥିପ୍ରତି ପ୍ରଥମେ ଧ୍ୟାନ ଦେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?