ଆତଙ୍କର ବୁଲ୍‌ଡୋଜର

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦେଶରେ ଆଜିକାଲି ବୁଲ୍‌ଡୋଜରକୁ ନେଇ ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ବୁଲ୍‌ଡୋଜର ଏବେ ରାଜନୀତିର ନୂଆ ପ୍ରତୀକ ଭାବେ ସାମ୍‌ନାକୁ ଆସିଛି। ବିଶେଷକରି କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶାସନ କ୍ଷମତାରେ ରହିଥିବା ଭାଜପା ନିଜର ରାଜନୈତିକ ବିଚାରକୁ ଲାଗୁ କରିବାକୁ ଏହାକୁ ନୂଆ ହତିଆରରେ ପରିଣତ କରିବା ଦେଖିବାକୁ ମିଳିଛି।
ନିକଟରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲ୍‌ଡୋଜରକୁ ନେଇ ଯେଉଁ ଘଟଣା ଘଟିଗଲା, ତାକୁ ସାରା ଦେଶ ଦେଖିଛି। ହନୁମାନ ଜୟନ୍ତୀ ଅବସରରେ ସେ ଅଞ୍ଚଳରେ ହୋଇଥିବା ଏକ ଶୋଭାଯାତ୍ରାରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଥିଲା। ପୋଲିସର ବିନା ଅନୁମତିରେ ଅସ୍ତ୍ରଶସ୍ତ୍ର ଧରି ବାହାରିଥିବା ହିନ୍ଦୁମାନଙ୍କ ଏହି ଶୋଭାଯାତ୍ରା ମୁସଲିମ ବସ୍ତି ଓ ମସ୍‌ଜିଦ୍‌ ଦେଇ ଯିବା ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଘଟଣାର ତୁରନ୍ତ ପରଦିନ ଭାଜପା ନେତୃତ୍ୱରେ ରହିଥିବା ଦିଲ୍ଲୀ ପୌର ନିଗମର ଅଧିକାରୀମାନେ ଦିଲ୍ଲୀ ପୋଲିସର ସହାୟତାରେ ଜବରଦଖଲ ଉଚ୍ଛେଦ କରିବା ନାଁରେ ବୁଲ୍‌ଡୋଜର ଧରି ସେଠାରେ ପହଞ୍ଚତ୍ ଯାଇଥିଲେ। କୌଣସି ବିଧିବଦ୍ଧ ପ୍ରକ୍ରିୟା ବିନା ସେଠାକାର ବସ୍ତି ଓ ଫୁଟ୍‌ପାଥ୍‌ରେ ଥିବା ଘର ଏବଂ ଦୋକାନଗୁଡ଼ିକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ। ତେବେ ସୁପ୍ରିମ କୋର୍ଟଙ୍କ ସ୍ଥଗିତାଦେଶ ଆସିବା ପରେ ଯାଇ ହିଁ ସେଦିନ ବୁଲ୍‌ଡୋଜରର ଅଭିଯାନ ବନ୍ଦ ହୋଇଥିଲା।
ଭାଜପାର ଏହି ବୁଲ୍‌ଡୋଜର ରାଜନୀତିଟି ମୂଳତଃ ଉତ୍ତର ପ୍ରଦେଶରୁ ଆରମ୍ଭ ହୋଇଛି। ସେଠାକାର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବୁଲ୍‌ଡୋଜରକୁ ନେଇ ଏତେ ସମ୍ମୋହନ ରହିଛି ଯେ, ତାଙ୍କ ସମର୍ଥକ ଓ ବିରୋଧୀ ଉଭୟ ତାଙ୍କୁ ‘ବୁଲ୍‌ଡୋଜର ବାବା’ ବୋଲି କହୁଛନ୍ତି। ନିକଟରେ ନିର୍ବାଚନ ଜିତିବା ପରେ ତାଙ୍କର ଜଣେ ସମର୍ଥକ ତାଙ୍କୁ ରୁପାର ଏକ ବୁଲ୍‌ଡୋଜର ନମୁନାକୁ ଉପହାର ସ୍ବରୂପ ଦେବା ବେଳେ ସେ ତାକୁ ଖୁସିରେ ଗ୍ରହଣ କରିଥିବା ଜଣାପଡ଼ିଛି। ସାମନ୍ତବାଦୀ ଶାସନକାଳରେ ରାଜା ଓ ସାମନ୍ତମାନେ ନିଜଠାରୁ ଅଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଖଣ୍ଡା ଉପହାର ସ୍ବରୂପ ପ୍ରଦାନ କରୁଥିଲେ। ସେତେବେଳେ ତାହା ଶକ୍ତି ଓ ଆଧିପତ୍ୟର ପ୍ରତୀକ ଥିଲା। ଆଜି କିନ୍ତୁ ବିଧ୍ୱଂସ କରିବାକୁ ସକ୍ଷମ ବୁଲ୍‌ଡୋଜର ସରକାରଙ୍କ ରାଜନୈତିକ ଆଧିପତ୍ୟର ପ୍ରତୀକ ହୋଇଯାଇଛି।
ତେବେ ଆଦିତ୍ୟନାଥଙ୍କ ଏହି ବୁଲ୍‌ଡୋଜର ଅଭିଯାନର ସବୁଠାରୁ ବଡ଼ ଶିକାର ହୋଇଛନ୍ତି ସେଠାକାର ଗରିବ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ। ନିର୍ବାଚନ ରଣନୀତିର ଅଂଶବିଶେଷ ଭାବେ ଭାଜପା ସେଠାରେ ଧାର୍ମିକ ଧୃବୀକରଣ କରିବା ପାଇଁ ବୁଲ୍‌ଡୋଜରକୁ ଶାସନର ପ୍ରତୀକ କରିଦେଇଛି। ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ବିରୋଧୀ ଦଳ ବେରୋଜଗାରୀ, ଦରବୃଦ୍ଧି, ବୁଲାପଶୁ ଯୋଗୁ ଫସଲ କ୍ଷତି ଆଦି ସମସ୍ୟା ସମ୍ବଳିତ ପ୍ରସଙ୍ଗ ଉଠାଉଥିଲେ, ସେତେବେଳେ ଆଦିତ୍ୟନାଥ ନିଜର ନିର୍ବାଚନୀ ସଭାଗୁଡ଼ିକରେ ଖୋଲାଖୋଲି ଭାବେ ନିଜର ବୁଲ୍‌ଡୋଜର ଅଭିଯାନର ମହିମା ମଣ୍ଡିତ କରି ସରକାର ଆସିଲେ ପୁଣି ଥରେ ବୁଲ୍‌ଡୋଜର ଚଳାଇ ବିରୋଧୀମାନଙ୍କୁ ଜବତ କରାଯିବ ବୋଲି କହୁଥିଲେ। ତେବେ ଆଦିତ୍ୟନାଥ ନିର୍ବାଚନରେ ସଫଳତା ପାଇବା ପରେ ତାଙ୍କ ବୁଲ୍‌ଡୋଜର ରାଜନୀତି ଅନ୍ୟ ଭାଜପା ଶାସିତ ରାଜ୍ୟର ସରକାରମାନଙ୍କୁ ଏକଦମ୍‌ ଉତ୍ସାହିତ କରିଛି। ସେମାନଙ୍କୁ ବି ଏହି ବୁଲ୍‌ଡୋଜର ରାଜନୀତିକୁ ଆପଣେଇବାକୁ ପ୍ରୋତ୍ସାହିତ କରିଛି।
ନିକଟରେ ମଧ୍ୟପ୍ରଦେଶର ଖରଗୋନ୍‌ଠାରେ ରାମନବମୀ ଶୋଭାଯାତ୍ରାରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ପରେ ପରେ ସେଠାକାର ଭାଜପା ସରକାର କୌଣସି ବିଧିବଦ୍ଧ ପ୍ରକ୍ରିୟା ବିନା ତତ୍‌କ୍ଷଣାତ୍‌ ବୁଲ୍‌ଡୋଜର ବ୍ୟବହାର କରିବା ଦେଖିବାକୁ ମିଳିଛି। ଦଙ୍ଗାରେ ଉଭୟ ସମ୍ପ୍ରଦାୟର ଲୋକେ ସାମିଲ ଥିଲେ ମଧ୍ୟ ସରକାରଙ୍କ ବୁଲ୍‌ଡୋଜର କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟ ରହୁଥିବା ବସ୍ତି ଓ ଘରକୁ ଟାର୍ଗେଟ୍‌ କରିଛି। ସେହି ଏକା ପ୍ରକାର ତରିକାକୁ ଦିଲ୍ଲୀର ଜାହାଙ୍ଗୀରପୁରୀ ଓ ଗୁଜରାଟର ହିମ୍ମତନଗରଠାରେ ମଧ୍ୟ ସେଠାକାର ଭାଜପା ସରକାର ବା ପୌରସଭାମାନେ ଆପଣେଇ ଲୋକଙ୍କ ଘର ଓ ଦୋକାନ ଉପରେ ବୁଲ୍‌ଡୋଜର ଚଳାଇଛନ୍ତି। ଦିଲ୍ଲୀରେ ପ୍ରାୟ ୫୦ ଲକ୍ଷ ଲୋକ ୧୭୩୧ଟି ଅବୈଧ କଲୋନୀ ବା ବସ୍ତିରେ ବସବାସ କରୁଥିବା ବେଳେ କେବଳ ସଂଖାଲଘୁ ବହୁଳ ଜାହାଙ୍ଗୀରପୁରୀକୁ ହିଁ ଟାର୍ଗେଟ୍‌ କରାଯାଇଛି। ସହରର ଫେରିବାଲାଠାରୁ ଆରମ୍ଭକରି ଫୁଟ୍‌ପାଥ୍‌ର ଛୋଟ ବେପାରୀ ପର୍ଯ୍ୟନ୍ତ ସମସ୍ତଙ୍କ ବାସସ୍ଥାନ ହେଉଛି ଏହି ବସ୍ତି। କହିବାକୁ ଗଲେ କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ସବୁ ସହରରେ ଏହି ବସ୍ତିର ବାସିନ୍ଦାମାନେ ଶ୍ରମ ଯୋଗାଇ ଥାଆନ୍ତି। ଅତଏବ ନିଜର ରାଜନୈତିକ ସ୍ବାର୍ଥରେ ସେମାନଙ୍କୁ ବାସହରା କରିବା ବା ରୋଜଗାର ଛଡ଼େଇବାର ଅଧିକାର କୌଣସି ସରକାରର ନାହିଁ। ଏହା କେବଳ ଅମାନବିକ ନୁହେଁ ବରଂ ସମ୍ବିଧାନ ପ୍ରଦତ୍ତ ସେମାନଙ୍କ ବଞ୍ଚିବାର ଅଧିକାରର ଖୋଲା ଉଲ୍ଲଂଘନ। ଯେହେତୁ ଆଶ୍ରୟର ଅଧିକାର ମଧ୍ୟ ବଞ୍ଚିବାର ଅଧିକାରର ଅନ୍ତର୍ଭୁକ୍ତ ଅତଏବ କୌଣସି ବିକଳ୍ପ ଆଶ୍ରୟ ନ ଯୋଗାଇ ରାଷ୍ଟ୍ର କୌଣସି ବ୍ୟକ୍ତିକୁ ଆଶ୍ରୟହୀନ କରି ନ ପାରେ। କିନ୍ତୁ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଯେଉଁ ବୁଲ୍‌ଡୋଜର ଚଳାଗଲା ସେଥିରେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ କିଛି ହିନ୍ଦୁ ପରିବାର ରହିଥିଲେ ମଧ୍ୟ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି।
ସରକାର ବୁଲ୍‌ଡୋଜର ଲଗାଇ କୌଣସି ସ୍ଥାନରେ ଜବରଦଖଲକୁ ଉଚ୍ଛେଦ କରିବା ନୂଆଁ କଥା ନୁହେଁ। ଦେଶର ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ସବୁ ଦଳର ସରକାରମାନେ ରାସ୍ତା ଓ ସରକାରୀ ସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ କରିବାକୁ ବୁଲ୍‌ଡୋଜର ବ୍ୟବହାର କରିଥାନ୍ତି। ଏହା ଏକ ସ୍ବାଭାବିକ ପ୍ରଶାସନିକ ପ୍ରକ୍ରିୟା। କିନ୍ତୁ ଏଥିପାଇଁ ନିୟମ କାନୁନର ଏକ ବିଧିବଦ୍ଧ ପ୍ରକ୍ରିୟାକୁ ଅବଲମ୍ବନ କରାଯାଇଥାଏ। ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଆଗୁଆ ନୋଟିସ ଦେଇ ତାକୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥାଏ। ସେଠାରୁ ନିଜର ଜିନିଷପତ୍ର ଖାଲି କରିବାକୁ ସମୟ ବି ଦିଆଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶର ଖରଗୋନ୍‌, ଦିଲ୍ଲୀର ଜାହାଙ୍ଗୀରପୁରୀ ଏବଂ ଗୁଜରାଟର ହିମ୍ମତନଗରଠାରେ ଜବର ଦଖଲ ଉଚ୍ଛେଦ ନାଁରେ ଯେଉଁଭଳି ବୁଲ୍‌ଡୋଜର ଚଳାଗଲା, ତାହା ଆଇନରେ ଉଲ୍ଲେଖିତ ସମସ୍ତ ନିୟମକାନୁନକୁ ଏକଦମ୍‌ ଅଣଦେଖା କରାଯାଇଛି। ଏକ ପ୍ରତିଶୋଧାତ୍ମକ ମନୋଭାବ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସାବାଡ କରିବା ଉଦ୍ଦେଶ୍ୟରେ ସେମାନେ ରହୁଥିବା ବସ୍ତି ଓ ଉଠାଦୋକାନ ଉପରେ ବୁଲ୍‌ଡୋଜର ଚଳାଯାଇଛି। ଏହାକୁ ଫାସୀବାଦୀ ଅଭିଯାନ ବ୍ୟତୀତ ଆଉ କ’ଣ ବା କୁହାଯାଇପାରେ?
ଦେଶରେ ଚାଲିଥିବା ଏହି ବୁଲ୍‌ଡୋଜର ଅଭିଯାନକୁ ବିଚ୍ଛିନ୍ନ ଭାବେ ଦେଖାଯାଇ ନ ପାରେ। ରାଜନୈତିକ ସ୍ବାର୍ଥ ପାଇଁ ଗତ କିଛି ବର୍ଷ ହେଲା ଦେଶରେ ଯେଉଁ ସାମ୍ପ୍ରଦାୟିକ ଧୃବୀକରଣର ରାଜନୀତି ଚାଲିଛି, ତା’ର ଏହା ହେଉଛି ଅଂଶବିଶେଷ। ଏଭଳି ପରିସ୍ଥିତିରେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ସମାଜର ଗରିବ ଓ ସଂଖ୍ୟାଲଘୁ ଲୋକ ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ବେଆଇନ ବୁଲ୍‌ଡୋଜର ଅଭିଯାନ ସରକାରୀ ନୀତିରେ ପରିଣତ ହେବା ଦେଶର ସମ୍ବିଧାନ ଓ ଆଇନ ବ୍ୟବସ୍ଥା ପ୍ରତି ସିଧାସଳଖ ଆହ୍ବାନ ସୃଷ୍ଟି କରିଛି।
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?