ଡଙ୍ଗା ବୁଡୁଛି

ବ୍ରିଟେନରେ ରାଜନୈତିକ ଅସ୍ଥିରତା ଏବେ ଆର୍ଥିକ ସଙ୍କଟ ଆଣି ଦେଇଛି। ପାଉଣ୍ଡ ଷ୍ଟର୍ଲିଂର ମୂଲ୍ୟ କମିବାରେ ଲାଗିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଶକ୍ତି କ୍ଷେତ୍ର ଘୋର ପ୍ରଭାବିତ ହୋଇ ଏହାର ମୂଲ୍ୟବୃଦ୍ଧି ଘଟାଇଛି। ଏଥିସହିତ ମୁଦ୍ରାସ୍ଫୀତି ଓ ଟିକସ ହ୍ରାସ ନୀତି ଆର୍ଥିକ ବଜାରରେ ବିପର୍ଯ୍ୟୟ ସୃଷ୍ଟି କଲାଣି। ନିକଟରେ ଲିଜ୍‌ ଟ୍ରସ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଆଶା କରାଯାଉଥିଲା ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିନ୍ତୁ ତାହା ଓଲଟା ଫଳ ଦେଇଛି। ଟିକସ ହ୍ରାସ କରିବା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ମଧ୍ୟ ତାହାକୁ ପରିଚାଳନା କରିବାରେ ବିଫଳ ହେଲେ। ଏପରିକି ତାଙ୍କ ଘନିଷ୍ଠ ବନ୍ଧୁ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଦେଲେ। ଅର୍ଥମନ୍ତ୍ରୀଙ୍କୁ ମନ୍ତିମଣ୍ଡଳରୁ ବାହାର କରିଦେବା ପରେ ଏବେ ତାଙ୍କ ପାଳି ପଡ଼ିଗଲାଣି ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଆଲୋଚନା ଆରମ୍ଭ ହେଲାଣି ଲିଜ୍‌ ଟ୍ରସ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ବିଶେଷଜ୍ଞ ଯାହା କହୁଛନ୍ତି ଯଦି ଟ୍ରସ୍‌ ଇସ୍ତଫା ଦିଅନ୍ତି, ତେବେ ବ୍ରେକ୍‌ଜିଟ୍‌ ପରେ ସେ ହେବେ ୪ର୍ଥ ପ୍ରଧାନମନ୍ତ୍ରୀ ଯିଏ ବିଦାୟ ନେବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ ୨୦୧୬ରେ ୟୁରୋପୀୟ ସଂଘରୁ ବାହାରି ଆସିବା ପରେ ଡେଭିଡ୍‌ କାମେରୁନ୍‌ଙ୍କ ପରେ ଥେରେସା ମେ ଓ ବୋରିସ୍‌ ଜନସନ୍‌ ଗାଦିଚ୍ୟୁତ ହୋଇଥିବା ବେଳେ ଲିଜ୍‌ ଟ୍ରସ୍‌ଙ୍କ ମୁଣ୍ଡ ଉପରେ ଏବେ ଡେମୋକ୍ଲିସ ଖଣ୍ଡା ଝୁଲୁଛି।
ବ୍ରିଟେନ୍‌ର ସ୍ଥିତି ଦେଖିଲେ ରାଜନୈତିକ ଓ ଅର୍ଥନୈତିକ କାରଣ ପରସ୍ପର ସହ ହାତ ଧରାଧରି ହୋଇ ବିଫଳତା ଆଡ଼କୁ ଗମନ କରିଛନ୍ତି। ଅର୍ଥାତ୍‌ ବ୍ରେକ୍‌ଜିଟ୍‌ ଯୋଗୁ ବ୍ରିଟେନ୍‌ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଥିଲା। କୁହାଯାଉଥିଲା ବ୍ରିଟେନ୍‌ ଏଭଳି ଏକ ସାମ୍ରାଜ୍ୟ ଯେଉଁଠାରେ କଦାପି ସୂର୍ଯ୍ୟାସ୍ତ ହୁଏ ନାହିଁ। ଅର୍ଥାତ୍‌ ଅସଂଖ୍ୟ ରାଷ୍ଟ୍ର ଉପରେ ରାଜୁତି କରିଥିବା ଇଂଲିଶ ଲୋକଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁ ସେମାନଙ୍କୁ ଏକ ବଣିକ ଜାତି ବୋଲି ମଧ୍ୟ କୁହାଯାଉଥିଲା। ବ୍ରେକ୍‌ଜିଟ୍‌ ପରେ ତାହା ଏକ ଦ୍ୱୀପ ରାଷ୍ଟ୍ର ଭାବେ ପରିଚିତ ହେଉଛି। ଆଜିର ଜଗତୀକରଣ ଅର୍ଥନୀତିରେ ଯେଉଁ ରାଷ୍ଟ୍ର ଅନ୍ତର୍ଜାତୀୟ ବଜାରର ଗତି ସହ ନିଜକୁ ଖାପ ଖୁଆଇ ଆଗେଇ ପାରିବ ନାହିଁ, ସେହି ଦେଶ ପଛରେ ପଡ଼ିଯିବା ଅବଶ୍ୟମ୍ଭାବୀ। ବ୍ରିଟେନ ଆଜି ସେହିଭଳି ସମସ୍ୟା ଦେଇ ଗତି କରୁଛି। ଏହି ପ୍ରେକ୍ଷାପଟରେ ଭାରତ କଥା ଦେଖିଲେ ଏହାର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ଫଳରେ ଦେଶବାସୀ ହଇରାଣ ହରକତ ହେଉଛନ୍ତି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇ ୧୭ ଅକ୍ଟୋବରରେ ୮୨ ଟଙ୍କା ୧୬ ପଇସା ଅତିକ୍ରମ କରିଛି। କିନ୍ତୁ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆମେରିକା ରାଜଧାନୀ ଓ୍ବାଶିଂଟନ ଡିସିରେ ଗତ ସପ୍ତାହରେ ସେଠାରେ ଅବସ୍ଥାପିତ ଭାରତୀୟ ଖବରଦାତାମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବାକୁ ଯାଇ କହିଥିବା ବିଷୟ ଏବେ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଛି। ସେ ସଫେଇ ଦେବାକୁ ଯାଇ କହିଥିଲେ, ଭାରତୀୟ ମୁଦ୍ରା ଦୁର୍ବଳ ହେଉଛି, କାରଣ ଡଲାର ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ପୃଥିବୀର ଅନ୍ୟାନ୍ୟ ଉଦୀୟମାନ ଅର୍ଥନୀତିଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥା ଉତ୍ତମ ପ୍ରଦର୍ଶନ କରୁଥିବା ବିଷୟ ସେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଥିଲେ ଯେ, ଭାରତୀୟ ମୁଦ୍ରାର ଅସ୍ଥିର ପ୍ରକୃତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କାର୍ଯ୍ୟ କରୁଛି। ଏଠାରେ କୁହାଯାଇପାରେ ଯେ ବିଗତ ୫ ମାସ ମଧ୍ୟରେ ଏହି ଶୀର୍ଷ ବ୍ୟାଙ୍କ ୪ ଥର ରେପୋ ରେଟ୍‌ ବଢ଼ାଇବା ଦ୍ୱାରା ଋଣଗ୍ରହୀତା ସର୍ବାଧିକ କ୍ଷତିରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ସାଧାରଣ ଲୋକ ବ୍ୟାଙ୍କରେ କମ୍‌ ସୁଧ ହାର ମିଳୁଥିବା ଉପଲବ୍‌ଧି କରିବା ପରେ ଜମା କରିବାକୁ ଅମଙ୍ଗ ହେଲାଣି। ସର୍ବୋପରେ ବ୍ୟାଙ୍କଗୁଡ଼ିକରେ ନଗଦ ଅର୍ଥର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅର୍ଥମନ୍ତ୍ରୀ ସୀତାରାମନ ଦେଶର ଆର୍ଥିକ ଅବସ୍ଥା ଭଲ ଅଛି ବୋଲି କହୁଛନ୍ତି। ଓଡ଼ିଆରେ ଢଗ ଅଛି-‘ଅଜାଗାରେ ବଥ ହେଲେ କହନ୍ତି ଛାଇ ହୋଇଛି’। ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ଆଜି ଜନସାଧାରଣଙ୍କୁ ବୋକା ବୋଲି ଧରିନେଲେଣି। ଏହାର କାରଣ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ପ୍ରତିକ୍ରିୟା ଦରକାର ପଡ଼ିଥାଏ, ତାହାର ଏଠାରେ ଘୋର ଅଭାବ ଦେଖାଦେଇଛି।
ଏବର ସ୍ଥିତିରେ ବ୍ରିଟେନ ଓ ଭାରତର ଅର୍ଥନୀତି ସମାନ ଭାବେ କ୍ଷତିଗ୍ରସ୍ତ ହେଉଥିବା ଦୃଶ୍ୟମାନ ହେଉଛି। କିନ୍ତୁ ବ୍ରିଟେନ୍‌ କ୍ଷେତ୍ରରେ ଯେଉଁ ସକାରାତ୍ମକ ଦିଗ ରହିଥିବା ଲକ୍ଷ୍ୟ କରାଯାଉଛି, ଭାରତ ପରିପ୍ରେକ୍ଷୀରେ ତାହାର କାଣିଚାଏ ଆଭାସ ମିଳୁନାହିଁ। ଅର୍ଥାତ୍‌ ଆର୍ଥିକ ସ୍ଥିତି ବିଗିଡ଼ି ଯାଉଥିବା ଦେଖି ସେଠାକାର ଆଇନ ପ୍ରଣେତାମାନେ ପ୍ରଧାନମନ୍ତ୍ରୀ ଭଳି ପଦକୁ ବାରମ୍ବାର ବଦଳାଇବାକୁ କୁଣ୍ଠାବୋଧ କରୁନାହାନ୍ତି। ତାହା କିଭଳି ସମ୍ଭବପର ସେ ବିଷୟରେ ହୁଏତ ସାଧାରଣ ଭାରତୀୟ ଚିନ୍ତା କରୁନାହିଁ। ବ୍ରିଟେନ ଭଳି ଦେଶରେ ସାଂସଦମାନେ ଦଳର ଆଭିମୁଖ୍ୟ ଓ ନୀତିକୁ ନେଇ ଜିତିଥିବା ହେତୁ ପ୍ରତ୍ୟେକଟି ନିର୍ବାଚିତ ବ୍ୟକ୍ତି ଦେଶର ମଙ୍ଗଳ ଚିନ୍ତା କରିବାର ସତ୍‌ସାହସ ରଖିପାରୁଛି ବୋଲି ବୁଝାପଡ଼ୁଛି। ସେଥିପାଇଁ ଲାଗଲାଗ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ କରିବାକୁ ସାଂସଦମାନଙ୍କର କ୍ଷମତା ରହୁଛି। ଏହା ତୁଳନାରେ ଭାରତରେ ଗଣତନ୍ତ୍ର ଅତ୍ୟନ୍ତ ବିଚିତ୍ର। ଏଠାରେ ଦେଶରେ ମଙ୍ଗଳ ଆଣିପାରୁଥିବା ଦଳଗୁଡ଼ିକର ଅର୍ଥନୈତିକ ଆଭିମୁଖ୍ୟ ବା ନୀତିର ଅଭାବ ଯୋଗୁ ନେତା ନାମରେ ଜିତିବା ସମ୍ଭବପର ହେଉଛି। ସେଥିପାଇଁ ନେତା ଯେତେ ବିକୃତ ମାନସିକତା ପ୍ରଦର୍ଶନ କଲେ ମଧ୍ୟ ତାଙ୍କୁ ବଦଳାଇବାକୁ ସାଂସଦମାନଙ୍କ ଜୁ ନାହିଁ। ଏଠାରେ ଆଇନ ପ୍ରଣେତାମାନେ ଅଧସ୍ତନ ଭୂମିକା ନିର୍ବାହ କରୁଥିବାରୁ ସ୍ବଚ୍ଛତା ଆସିପାରୁ ନାହିଁ। ବୁଡ଼ିଯାଉଥିବା ଡଙ୍ଗା ବିଷୟରେ ଜାଣି ଯେଉଁମାନେ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବାକୁ ଆଗେଇ ଆସିଥାଆନ୍ତି, ସେମାନଙ୍କର ବର୍ତ୍ତିଯିବାର ଆଶା ସଞ୍ଚାର ହୋଇଥାଏ। କିନ୍ତୁ ଡଙ୍ଗାରେ ପାଣି ପଶି ବୁଡ଼ିବା ଅବସ୍ଥାକୁ ଆସିଯାଇଥିଲେ ମଧ୍ୟ ଯେଉଁମାନେ ବାହୁସ୍ଫୋଟ ମାରିଥାଆନ୍ତି ସେମାନଙ୍କ ଅବସ୍ଥା କ’ଣ ହୋଇଥାଏ ସହଜରେ ଅନୁମେୟ। ବିଟ୍ରେନ୍‌ ସତର୍କ ହେଉଥିବା ବେଳେ ଭାରତ ନିଜ ତ୍ରୁଟି ଲୁଚାଇବାକୁ ଚେଷ୍ଟାକରି ଡଙ୍ଗା ବୁଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri