ଖାତା ଖୋଲିପାରିଲାନି ଭାଜପା

ବାରିପଦା ଅଫିସ,୨୮ା୨: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାର ମୋଟ ୫୬ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୪୯ଟି ହାସଲ କରି ରାଜ୍ୟରେ ଚହଳ ପକାଇଥିବା ଭାଜପା ଚଳିତ ନିର୍ବାଚନରେ ଖାତା ଖୋଲିପାରି ନାହିଁ। ଦ୍ୱିତୀୟ ଦିନ ଗଣତି ସୁଦ୍ଧା ୨୫ ଜୋନ୍‌ରେ ବିଜେଡି ବିଜୟୀ ହୋଇଥିବା ବେଳେ ୨୫ଟିରେ ଆଗୁଆ ରହିଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଗୋଟିଏ ଜୋନ୍‌ରେ ଆଗୁଆ ରହିବା ସହ ଗୋଟିଏ ଜୋନ୍‌ ହାତେଇବାରେ ସଫଳ ହୋଇଛି। ବିଶୋଇ ବ୍ଲକ ଅଧୀନ ଏହି ୩୩ନଂ. ଜୋନ୍‌ରେ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଖୁବ୍‌ କମ୍‌ ରହିଥିବାରୁ ବିଜେଡି ପୁନଃ ଗଣତି ପାଇଁ ଆବେଦନ କରିଛି। ଜିଲାର ସମସ୍ତ ଜୋନ୍‌ରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ଜେଏମ୍‌ଏମ୍‌ ୧୧ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଶୋଚନୀୟ ପରାଜୟ ବରଣ କରି ଭାଜପା ଗଡ଼ ଭୁଶୁଡ଼ି ପଡ଼ିଥିବା ସମୟରେ କଂଗ୍ରେସ ମଧ୍ୟ ସମଦଶା ଭୋଗିଛି। ତେବେ ଗତ ନିର୍ବାଚନର ତ୍ରୁଟି ସୁଧାରି ଜିଲାରେ ବିଜେଡି ଏକତରଫା ବିଜୟ ହାସଲ କରିବାକୁ ଯାଉଥିବା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି।
ନିର୍ବାଚନ ତୁଳନାରେ ଭାଜପା ଅପେକ୍ଷା ଜେଏମ୍‌ଏମ୍‌ ଏହି ଜିଲାରେ ଭଲ ପ୍ରଦର୍ଶନ କରିଛି। ଗତ ନିର୍ବାଚନରେ ଭାଜପା ପରିଷଦ ଗଠନ କରିଥିବା ବେଳେ ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନ ଉପରେ ପଡ଼ିଥିଲା। ଫଳ ସ୍ବରୂପ ଏମ୍‌ପି ଆସନ ସମେତ ମୋଟ ୯ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୬ଜଣ ଭାଜପା ବିଧାୟକ ନିର୍ବାଚିତ ହୋଇଥିଲେ। ବିଜେଡି ମାତ୍ର ୩ଜଣ ବିଧାୟକଙ୍କୁ ଜିତାଇବାରେ ସକ୍ଷମ ହୋଇପାରିଥିଲା। ଗତଥର ଖୁଣ୍ଟା ବ୍ଲକ ୧୨ନଂ. ଓ ଯଶିପୁର ବ୍ଲକ ୪୧ନଂ. ଜୋନ୍‌ର ବିଜୟୀ ଭାଜପା ପ୍ରାର୍ଥୀ ସୁଜାତା ମୁର୍ମୁ ଓ ନରେନ୍ଦ୍ର ସାହୁ ଯଥାକ୍ରମେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଆସନରେ ବସିଥିଲେ ା ତେବେ ଚଳିତଥର ଏହି ଦୁଇଟି ଜୋନ୍‌କୁ ସୁରକ୍ଷିତ ରଖିବାରେ ଭାଜପା ବିଫଳ ହୋଇଛି। ଜିଲାର ବାରିପଦା, ଯଶିପୁର, ଉଦଳା, ବଡ଼ସାହି, ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାୟକମାନେ ପ୍ରତିନିଧିତ୍ୱ କରୁଥିବା ବେଳେ ନିଜ ଅଞ୍ଚଳରେ ଥିବା ଜୋନ୍‌କୁ ସୁରକ୍ଷା ଦେଇପାରି ନାହାନ୍ତି।
ଜିଲାର ବଡ଼ସାହିି ନିର୍ବାଚନମଣ୍ଡଳୀ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଯାଉଛି। ବାଲେଶ୍ୱର ଏମ୍‌ପି ଭାବେ ଭାଜପାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜୟୀ ହେବା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ବଡ଼ସାହି ନିର୍ବାଚନ ମଣ୍ଡଳୀରେ ମଧ୍ୟ ତାଙ୍କର କିଛିଟା ଦବ୍‌ଦବା ରହିଛି। ସେହିପରି ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିଥିଲେ ମଧ୍ୟ ଚଳିତ ନିର୍ବାଚନରେ ସେଭଳି କିଛି କରିସ୍ମା ଦେଖାଇବାରେ ସକ୍ଷମ ହୋଇପାରି ନାହାନ୍ତି। ନିର୍ବାଚନ ପୂର୍ବରୁ ଦୁଇ ସରକାରୀ ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି କେନ୍ଦ୍ରମନ୍ତ୍ରୀ ଟୁଡୁ ମାଡ଼ ମାରିବା ଘଟଣାର ପ୍ରଭାବ ମଧ୍ୟ ଭୋଟରଙ୍କ ଉପରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଦଳୀୟ ଅସନ୍ତୋଷ ସାଙ୍ଗକୁ ଜିଲାବାସୀଙ୍କ ଆବଶ୍ୟକତା ଓ ବିକାଶ ଦିଗରେ ଭାଜପା କୌଣସି ଆଖିଦୃଶିଆ କାର୍ଯ୍ୟ କରି ନ ଥିବାରୁ ଜନମତ ପରିବର୍ତ୍ତନ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ହୋଇଥିବା ସାଙ୍ଗଠନିକ ତ୍ରୁଟିବିଚ୍ୟୁତିକୁ ସଜାଡ଼ିବା ସହ ଲୋକଙ୍କ ସମସ୍ୟା ସମାଧାନ କରି ଭାଜପା ଗଡ଼ରେ ବିଜେଡ଼ି ଶଙ୍ଖନାଦ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri