ଇନ୍ଦୋର,୧୪।୧୧:ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ୍ର ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଶନିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଉଦ୍ଘାଟନୀ ମ୍ୟାଚ୍ରେ ସୌରାଷ୍ଟ୍ର ବିପକ୍ଷରେ ବିହାର ଦଳର ନେତୃତ୍ୱ ନେବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ସେ ପୁରୁଷ ଟି-୨୦ କ୍ରିକେଟ ଇତିହାସର ସବୁଠୁ କମ ବୟସ୍କ ଅଧିନାୟକ ହୋଇଛନ୍ତି। ତେବେ ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍ରେ ବ୍ୟାଟ୍ରେ ବଡ଼ ଇନିଂସ ଖେଳିପାରି ନ ଥିଲେ ବୈଭବ। ସେ ୧୨ଟି ବଲ୍ରୁ ୧୮ ରନ ସଂଗ୍ରହ କରିଥିଲେ।
୧୫ ବର୍ଷ ବୟସରେ ବିହାରର ଅଧିନାୟକ ହୋଇ ବୈଭବ ସୂର୍ଯ୍ୟବଂଶୀ କ୍ରୋଏସିଆର ଜ୍ୟାକ ୱୁକୁସିକଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୨୫ ମସିହାରେ ସାଇପ୍ରସ ବିପକ୍ଷରେ ୧୭ ବର୍ଷ ୩୧୧ ଦିନ ବୟସରେ ଜ୍ୟାକ ଅଧିନାୟକତ୍ୱ କରିଥିଲେ। ତେବେ ବୈଭବ ପୂରା ଟୁର୍ନାମେଣ୍ଟରେ ବିହାର ଦଳର ନେତୃତ୍ୱ ନେଇପାରିବେ ନାହିଁ। ନଭେମ୍ବର ୧୯ରୁ କତାରରେ ଆରମ୍ଭ ହେବାକୁ ଥିବା ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଭାଗ ନେବା ପାଇଁ ସେ ଖୁବ୍ଶୀଘ୍ର ଦଳ ସହ ଯୋଗଦେବାକୁ ଯିବେ।
ଚଳିତ ବର୍ଷ ଆରମ୍ଭରେ ଦିଲୀପ ଟ୍ରଫି ପାଇଁ ବୈଭବଙ୍କୁ ଇଷ୍ଟ ଜୋନ୍ର ଉପ-ଅଧିନାୟକ ମଧ୍ୟ କରାଯାଇଥିଲା। ସେହି ସମୟରେ ଈଶାନ କିଶନଙ୍କ ଅଧିନାୟକଭାବେ ଦାୟିତ୍ୱ ତୁଲାଇଥିବା ବୈଭବ କିଛି ମ୍ୟାଚ୍ରେ ପଡ଼ିଆରେ ଦଳର ନେତୃତ୍ୱ ନେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ପୁରୁଷ ଟି-୨୦ କ୍ରିକେଟରେ ସବୁଠୁ କମ ବୟସ୍କ ଅଧିନାୟକ
-ବୈଭବ ସୂର୍ଯ୍ୟବଂଶୀ: ବିହାର (ଭାରତ) ୧୫ ବର୍ଷ
-ଜ୍ୟାକ ୱୁକୁସିକ: କ୍ରୋଏସିଆ ୧୭ ବର୍ଷ ୩୧୧ ଦିନ
-ତୈମୁର ଅଲ୍ଲୀ:କ୍ୱେଟା ବିୟର୍ସ (ପାକିସ୍ତାନ) ୧୭ ବର୍ଷ ୩୫୮ ଦିନ
ବୈଭବ ସୂର୍ଯ୍ୟବଂଶୀ ନିଜର ଐତିହାସିକ ଅଧିନାୟକତ୍ୱ ପଦାର୍ପଣକୁ ବଡ଼ ଇନିଂସରେ ପରିଣତ କରିପାରିନଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ବୈଭବ ଏହି ମ୍ୟାଚ୍ରେ ମଧ୍ୟ ଦ୍ରୁତ ରନ ସଂଗ୍ରହ କରିଥିଲେ। କିନ୍ତୁ ଅଧିକ ସମୟ କ୍ରିଜ୍ରେ ରହିପାରି ନ ଥିଲେ। ସେ ୧୨ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୮ ରନ କରିଥିଲେ। ଇନିଂସର ପଞ୍ଚମ ଓଭରରେ ଦ୍ରୁତ ବୋଲର ଚେତନ ସାକରିୟାଙ୍କ ବଲ୍ରେ କ୍ୟାଚ ଦେଇ ସେ ପାଭିଲିୟନ ଫେରିଥିଲେ।
Dharitri – Odisha’s No.1 Odia Daily

