ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ କରିଥିଲା, ସେହି ପିଚ୍ରେ ଭାରତୀୟ ଦଳ ମାତ୍ର ୮୯ ରନ୍ରେ ଅଲଆଉଟ ହୋଇଯାଇଥିଲା। ଭାରତର ଏହି ଶୋଚନୀୟ ପରାଜୟ ପରେ ପିଚ୍ରେ ହଠାତ୍ ଏପରି କ’ଣ ପରିବର୍ତ୍ତନ ହେଲା, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳର ବ୍ୟାଟିଂ ବିପର୍ଯ୍ୟୟର କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଧିନାୟକ ଶ୍ରେୟସ ଆୟର। ଶ୍ରେୟସ ଆୟରଙ୍କ କହିବା ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଇନିଂସ୍ରେ ପିଚ୍ରେ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଥିଲା। ଏଭଳି ପରାଜୟକୁ ସହଜରେ ଗ୍ରହଣ କରିବା କଷ୍ଟକର ବୋଲି ସେ କହିଛନ୍ତି।
ଆୟର କହିଥିଲେ, ଏଭଳି ପରାଜୟ ଦେଖିବା କଷ୍ଟକର। କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଇନିଂସର ପିଚ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ଥିଲା। ତେବେ ମ୍ୟାଟ ହେନରୀ ଠିକ ଲାଇନ ଓ ଲେନ୍ଥରେ ବୋଲିଂ କରିଥିଲେ। ଏଥିପାଇଁ ତାଙ୍କୁ ଶ୍ରେୟ ଦେବା ଉଚିତ। ଆୟର କହିଛନ୍ତି, ଭାରତୀୟ ଦଳ ପିଚକୁ ବ୍ୟାଟିଂ ପାଇଁ ଅନୁକୂଳ ବୋଲି ଭାବିଥିଲା। କାରଣ ନ୍ୟୁଜିଲାଣ୍ଡ ସେହି ପିଚ୍ରେ ୩୩୦ରୁ ଅଧିକ ରନ କରିଥିଲା। କିଛି କ୍ୟାଚ ହାତଛଡ଼ା ହୋଇଥିବା କଥା ମଧ୍ୟ ସ୍ବୀକାର କରିଥିଲେ।
ଆୟରଙ୍କ କହିବା ଅନୁଯାୟୀ, ଡ୍ରେସିଂ ରୁମକୁ ଫେରିବା ପରେ ଦଳ ସହଜରେ ମ୍ୟାଚ ଜିତିବ ବୋଲି ଭାବିଥିଲା। କିନ୍ତୁ ଦ୍ୱିତୀୟ ଇନିଂସ୍ରେ ବଲ କେତେବେଳେ ଭିତରକୁ ତ ଆଉ କେତେବେଳେ ବାହାରକୁ ସିମ କରୁଥିଲା। ପିଚ୍ର ବ୍ୟବହାର ମଧ୍ୟ ପ୍ରଥମ ଇନିଂସଠାରୁ ଭିନ୍ନ ଥିଲା। ସେ ଆହୁରି କହିଥିଲେ, ଆମେ ଭଲ ବଲ୍ରେ ନିଜର ଉଇକେଟ ହରାଇଥିଲୁ। ସେହି ବଲ୍ଗୁଡ଼ିକ ଭଲ ଥିଲା। ଆମେ ଏହି ମ୍ୟାଚକୁ ଭୁଲି ଆଗକୁ ବଢ଼ିବାକୁ ଚାହୁଁଛୁ। ବୋଲିଂ ଓ ବ୍ୟାଟିଂରେ କେଉଁଠି ଭୁଲ ରହିଲା, ତାହାର ସମୀକ୍ଷା କରିବୁ। ପରବର୍ତ୍ତୀ ମ୍ୟାଚକୁ ସକାରାତ୍ମକ ମନୋଭାବ ନେଇ ଓହ୍ଲାଇବୁ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ ରବିବାର ଖେଳାଯିବ। ସିରିଜ ନିଜ ନାଁରେ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ରେ ବିଜୟୀ ହେବାକୁ ପଡ଼ିବ। ପରବର୍ତ୍ତୀ ମ୍ୟାଚ ମଧ୍ୟ ସେହି ବେ ଓଭାଲ ଷ୍ଟାଡିୟମରେ ଖେଳାଯିବ।
Dharitri – Odisha’s No.1 Odia Daily

