ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଘାତକ ବୋଲିଂ କରି ସେ ୫ଟି ଉଇକେଟ ହାସଲ କରିଛନ୍ତି। ତାଙ୍କ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟରମାନେ ହାର ମାନିଛନ୍ତି। ଏହି ସଫଳତା ସହ ସେ ଅଷ୍ଟ୍ରେଲିଆ ପକ୍ଷରୁ ଦିନିକିଆ ଡେବ୍ୟୁରେ ୫ ଉଇକେଟ ନେବାରେ ଦ୍ୱିତୀୟ ବୋଲର ହୋଇଛନ୍ତି। ମାହଲି ବିୟର୍ଡମ୍ୟାନ ମାତ୍ର ୨୮ଟି ବଲ ମଧ୍ୟରେ ଇଂଲଣ୍ଡର ୫ ଜଣ ପ୍ରମୁଖ ବ୍ୟାଟରଙ୍କୁ ପାଭିଲିୟନ ଫେରାଇଛନ୍ତି। ଜୋ ରୁଟ, ହ୍ୟାରି ବ୍ରୁକ, ଜୋର୍ଡାନ କକ୍ସ, ସାମ କରନ ଓ ଲିଆମ ଡସନଙ୍କ ଭଳି ଖେଳାଳି ତାଙ୍କ ଶିକାର ହୋଇଥିଲେ।
ଦିନିକିଆ କ୍ରିକେଟ ଇତିହାସରେ ଡେବ୍ୟୁ ମ୍ୟାଚ୍ରେ ୫ ଉଇକେଟ ନେବାରେ ବିୟର୍ଡମ୍ୟାନ ୧୮ତମ ବୋଲର ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଡେବ୍ୟୁକୁ ସ୍ମରଣୀୟ କରିଦେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ବିୟର୍ଡମ୍ୟାନଙ୍କ ବ୍ୟତୀତ ସ୍ପେନ୍ସର ଜନସନ ମଧ୍ୟ ଭଲ ବୋଲିଂ କରି ୨ଟି ଉଇକେଟ ନେଇଛନ୍ତି। ସେହିପରି ଜାଭିୟର ବାର୍ଟଲେଟଙ୍କୁ ଗୋଟିଏ ଉଇକେଟ ମିଳିଛି। ଅଷ୍ଟ୍ରେଲିଆର ବୋଲରଙ୍କ ଘାତକ ପ୍ରଦର୍ଶନ ଇଂଲଣ୍ଡ ବ୍ୟାଟିଂ ଲାଇନଅପକୁ ଚାପରେ ପକାଇଛି। ଅଷ୍ଟ୍ରେଲିଆର ପୂର୍ବତନ ଦିଗ୍ଗଜ ବ୍ୟାଟର ମାଇକେଲ ହସି ମାହଲି ବିୟର୍ଡମ୍ୟାନଙ୍କୁ ତାଙ୍କ ପ୍ରଥମ ଦିନିକିଆ ଡେବ୍ୟୁ କ୍ୟାପ ପ୍ରଦାନ କରିଥିଲେ।
Dharitri – Odisha’s No.1 Odia Daily

