ଜାତୀୟତାର ଯଜ୍ଞପୀଠ: ଉତ୍କଳ ସମ୍ମିଳନୀ

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଆଜି ଡିସେମ୍ବର ୩୦, ଓଡ଼ିଆ ଜାତି ପାଇଁ ଏକ ଐତିହାସିକ ଦିବସ। ଉତ୍କଳୀୟତାର ମୁଗ୍‌ଧ ଅନୁଭବରେ ଜଡ଼ସଡ଼ ବା ଓଡ଼ିଆ ଅସ୍ମିତାର ଅବବୋଧରେ ବଢୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୀର୍ଘ ୧୧୭ ବର୍ଷ ଧରି ଏହି ଦିବସ ବହନ କରି ଆସିଛି ଏକ ସ୍ବତନ୍ତ୍ର ମର୍ଯ୍ୟାଦା। କାରଣ ୧୯୦୩ ମସିହା ଠିକ୍‌ ଆଜିର ଦିନରେ ଅନୁଷ୍ଠିତ ହୋଇଥିଲା ଓଡ଼ିଆ ଜାତୀୟତାର ଯଜ୍ଞପୀଠ ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ। ସେଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୨୫ ଜଣ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ। ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ତା’ର ପ୍ରାଣ ପ୍ରତିଷ୍ଠାତା ଉକତ୍ଳ ଗୌରବ ମଧୁସୂଦନ ଦାସ ଲେଖିଥିଲେ – ”ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ, ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ।“ ଏହି ଆହ୍ବାନର ପ୍ରତିଟି ଅକ୍ଷର ଏଭଳି ଅନୁଭବସିଦ୍ଧ ସତ୍ୟତା ଓ ବିଶ୍ୱାସର ବହ୍ନିରେ ପ୍ରଜ୍ୱଳିତ ଥିଲା ଯେ ତା’ର ଯାଦୁକରୀ ଆକର୍ଷଣରେ ଚେଇଁ ଉଠିଲା ଓଡ଼ିଆ ଜାତି।
ଇତିହାସ କହେ ୧୫୬୮ରେ ଗଜପତି ମୁକୁନ୍ଦଦେବଙ୍କ ପରାଜୟ ଓ ନିଧନ ପରେ ଦୁର୍ବଳ ହୋଇଗଲା ଦୁର୍ଦ୍ଧର୍ଷ ଓ ଅପରାଜିତ ଓଡ଼ିଆ ଜାତି। ମୋଗଲ ଓ ମରହଟ୍ଟାମାନଙ୍କ ଅକଥନୀୟ କଷଣର ତୋଡ଼ମାଡ଼ରେ ନିର୍ବେଦ, ନିଃସହାୟ ଓ ରିକ୍ତ ହୋଇ ଗୁରୁଣ୍ଡି ବୁଲିଲା ଅନ୍ଧାରୀ ଗମ୍ଭୀରା ଭିତରେ। ବିଶେଷ କରି ୧୮୦୩ ମସିହାରେ ଓଡ଼ିଶା ଶାସନ ଭାର ଇଂରେଜମାନଙ୍କ ହାତକୁ ଗଲାପରେ ଖଣ୍ଡ ବିଖଣ୍ଡିତ ହୋଇଗଲା ବିଶାଳ ଓଡ଼ିଶା। କଟକ, ପୁରୀ ଓ ବାଲେଶ୍ୱରକୁ ନେଇ ଗଠିତ ଓଡ଼ିଶା ଡିଭିଜନ ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳକୁ ମିଶାଇ ଦିଆଗଲା ଚାରୋଟି ପ୍ରାନ୍ତୀୟ ରାଜ୍ୟ ସହିତ। କଳାହାଣ୍ଡି, ପାଟଣା, ସୋନପୁର, ସମ୍ବଲପୁର ଓ ବାମଣ୍ଡା ଆଦି ରାଜ୍ୟ ମିଶିଲା ମଧ୍ୟପ୍ରଦେଶରେ। ବଙ୍ଗଳାରେ ରହିଲା ମେଦିନାପୁର। ଛୋଟ ନାଗପୁରରେ ଅନ୍ତର୍ଭୁକ୍ତ ହେଲା ବଣେଇ ଗଡ଼ଜାତ। ଓଡ଼ିଶା ଡିଭିଜନର ଶାସନ ବ୍ୟବସ୍ଥା ବି ସଂଯୁକ୍ତ ହୋଇ ରହିଲା ବିହାର ପ୍ରଦେଶ ସହିତ। ସଙ୍କୁଚିତ ହୋଇଗଲା ଓଡ଼ିଶାର ଭୌଗୋଳିକ ସୀମା ଓ ସାଂସ୍କୃତିକ ପରିଚୟ। ଅନ୍ୟାନ୍ୟ ରାଜ୍ୟରେ ଅନ୍ତର୍ଭୁକ୍ତ ହୋଇ ସଂଖ୍ୟାଲଘୁ ହୋଇଗଲେ ସେଠାକାର ଓଡ଼ିଆମାନେ। ପ୍ରାଦେଶିକ ସରକାରଙ୍କ କ୍ରମାଗତ ଅବହେଳା ତଥା ପକ୍ଷପାତିତା ଯୋଗୁ ଉପେକ୍ଷିତ ହେଲା ସେମାନଙ୍କ ସ୍ବାର୍ଥ। ବିପର୍ଯ୍ୟସ୍ତ ହୋଇପଡ଼ିଲା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ତଥା ସାମାଜିକ ଚଳଣି। ବିଲର ଚଷା ଓ ଅନ୍ତପୁରର ଯୋଷା ମୁହଁରୁ ହଜିଗଲା ମଧ୍ୟ ଯୁଗୀୟ ଓଡ଼ିଆ କାବ୍ୟ, ଚଉପଦୀ ଓ ଛନ୍ଦ। ସୁଯୋଗକ୍ରମେ ଚକ୍ରାନ୍ତକାରୀ ପ୍ରତିବେଶୀଙ୍କ ପକ୍ଷରୁ ଆରମ୍ଭ ହେଲା ଓଡ଼ିଆ ଭାଷା ସାହିତ୍ୟକୁ ସମ୍ପୂର୍ଣ୍ଣ ବିଲୋପ କରିଦେବାର ବିଧିବଦ୍ଧ ଉଦ୍ୟମ। ଏପରି ଏକ ଅସହ୍ୟ ଓ ଅସ୍ବସ୍ତିକର ପରିସ୍ଥିତିର ସମ୍ମୁଖୀନ ହୋଇ ଜାତିପ୍ରାଣମାନଙ୍କ ଆଖିରୁ ହଜିଗଲା ନିଦ। ଭାଷା ବିଲୋପ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ସେମାନେ ଲଢିଲେ ବୌଦ୍ଧିକ ଲଢେଇ। ସେମାନଙ୍କ ଜାତିପ୍ରାଣତାର ଉଦ୍ଦୀପ୍ତ ଆଭାରେ ଉଷ୍ମ ସ୍ପର୍ଶରେ କଡ଼ ଲେଉଟାଇଲା ଗଭୀର ନିଦ୍ରାରେ ଶାୟିତ ଓଡ଼ିଆ ଜାତି। ଆପଣା ତୁଣ୍ଡର ଭାଷାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶୁଭିଲା ରଣ ହୁଙ୍କାର। ଏହି ଭାଷା ସୁରକ୍ଷା ଆନ୍ଦୋଳନକୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କଲେ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ତଥା ବିଶିଷ୍ଟ ଗବେଷକ ଜନ୍‌ ବିମ୍‌ସ ସାହେବ। ୧୯୭୦ ମାର୍ଚ୍ଚ ୪ ତାରିଖରେ କଲିକତାସ୍ଥିତ ‘ଏସିଆଟିକ’ ସୋସାଇଟି ଆନୁକୂଲ୍ୟରେ ଆୟୋଜିତ ସଭାରେ ଓଡ଼ିଆ ଭାଷାର ବୁନିଆଦି ପ୍ରମାଣ କରିବାକୁ ଯାଇ ବିମ୍‌ସ ସାହେବ ଯେଉଁ ତଥ୍ୟ ସମ୍ବଳିତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କଲେ, ସେଥିରେ ଭଣ୍ଡୁର ହୋଇଗଲା ପ୍ରତିବେଶୀ ବଙ୍ଗାଳୀମାନଙ୍କ ଚକ୍ରାନ୍ତ। ବଞ୍ଚତ୍ରହିଲା ଓଡ଼ିଆ ଭାଷା। ଭାଷା ସୁରକ୍ଷା ଆନ୍ଦୋଳନର ଏହି ସଫଳତାରୁ ପ୍ରେରଣା ଲାଭ କରି ଦାନା ବାନ୍ଧିଲା ଦେଶମିଶ୍ରଣ ଆନ୍ଦୋଳନ।
ସାଧାରଣତଃ ଜାତି ଯେତେବେଳେ ଗଭୀର ସଙ୍କଟ ଦେଇ ଗତିକରେ, ସେତେବେଳେ ଜାତୀୟ ଜୀବନରେ ଆରମ୍ଭ ହୁଏ ଉଦ୍‌ବେଳନ। ଜାତିପ୍ରାଣମାନେ ଏକାଠି ହୋଇ ଗଠନ କରନ୍ତି ମଞ୍ଚ। ତେଣୁ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ତଥା ସର୍ବବିଧ ବିକାଶର ଲକ୍ଷ୍ୟ ନେଇ ଜାତି ଐରାବତ ମଧୁବାବୁଙ୍କ ଆହ୍ବାନକ୍ରମେ ଏକାଠି ହେଲେ ପାରଳା ମହାରାଜା ଡ. କୃଷ୍ଣଚନ୍ଦ୍ର ଗଜପତି, ବାମଣ୍ଡାର ଆଦର୍ଶ ମହାରାଜା ସାର୍‌ ସୁତଳ ଦେବ, ଆଧୁନିକ ରାମରାଜ୍ୟର ପ୍ରବର୍ତ୍ତକ ଶ୍ରୀରାମଚନ୍ଦ୍ର ଭଞ୍ଜ, ଖଲ୍ଲିକୋଟର ପ୍ରଜାବତ୍ସଳ ମହାରାଜା ହରିହର ମର୍ଦ୍ଦରାଜ, ବାଲେଶ୍ୱରର ମହାରାଜା ତଥା ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ପୁରୋଧା ବୈକୁଣ୍ଠ ନାଥ ଦେଓ, ଜୟପୁରର ମହାରାଜା ଋଷିପ୍ରାଣ ବିକ୍ରମ ଦେବ ବର୍ମା, ଉକତ୍ଳମଣି ଗୋପବଂଧୁ, କର୍ମବୀର ଗୌରୀଶଙ୍କର, ବାଗ୍ମୀ ବିଶ୍ୱନାଥ କର, ବ୍ୟାସକବି ଫକୀର ମୋହନ, କବିବର ରାଧାନାଥ ଓ କାନ୍ତକବି ଲକ୍ଷ୍ମୀକାନ୍ତ ପ୍ରମୁଖ ଅନେକ ଦେଶପ୍ରେମୀ ଓ ସାହିତ୍ୟ ସାଧକ। ଏମାନଙ୍କ ସମ୍ମିଳିତ ଉଦ୍ୟମ ଓ ସର୍ବସମ୍ମତ ପ୍ରସ୍ତାବ କ୍ରମେ ୧୯୦୩ ମସିହାରେ ଗଠନ ହେଲା ଓଡ଼ିଆମାନଙ୍କ ଜାତୀୟ ଆକାଂକ୍ଷାର ସଂଗଠିତ ରୂପ ବା ଜାତୀୟ ମହାମଞ୍ଚ ଉକତ୍ଳ ସମ୍ମିଳନୀ। ଓଡ଼ିଆ ଅସ୍ମିତାବୋଧର ଜାଗରଣ ନିମନ୍ତେ ଗଢିଉଠିଥିବା ଏହି ଅଣରାଜନୈତିକ ମଞ୍ଚରୁ ପ୍ରବାହିତ ହେଲା ଜାତୀୟତାର ଉତ୍ତାଳ ତରଙ୍ଗ। ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, ଓଡ଼ିଆ ଭାଷାର ସୁରକ୍ଷା ତଥା ଓଡ଼ିଆ ଜାତିର ସ୍ବାର୍ଥରକ୍ଷା ନିମନ୍ତେ ଚାଲିଲା ନିରବଚ୍ଛିନ୍ନ ସଂଗ୍ରାମ। ଏହି ଲଢେଇ ଆରମ୍ଭରୁ ମିଳିଲା ସଫଳତାର ସଙ୍କେତ। ବଙ୍ଗ ଭଙ୍ଗ ପାଇଁ ଯେଉଁ ବଡ଼ଲାଟ ଲଡ୍‌ କର୍ଜନଙ୍କୁ ଦୁର୍ଜନ ବୋଲି କୁହାଯାଏ, ଓଡ଼ିଶା ପରିପ୍ରେକ୍ଷୀରେ ସେ ସାବ୍ୟସ୍ତ ହେଲେ ସଜ୍ଜନ। ମଧୁବାବୁଙ୍କ ବାଷ୍ପାକୁଳ କଣ୍ଠରୁ ସେ ଓଡ଼ିଶାର କ୍ଷୋଉ, କଷଣ, ଦାବି ଓ ସ୍ପଷ୍ଟ ଦମ୍ଭୋକ୍ତି ଶୁଣିବା ସହିତ କଳା ଭାସ୍କର୍ଯ୍ୟ ସମ୍ବଳିତ ମନ୍ଦିରମୟ ଦେବଭୂମି ଓଡ଼ିଶା ପରିଦର୍ଶନ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣ ପାଇଁ ଗ୍ରହଣ କଲେ ସିଦ୍ଧାନ୍ତ। କର୍ଜନଙ୍କ ରିସ୍‌ଲେ ସର୍କୁଲାର ଆଧାରରେ (୧୯୦୫) ମଧ୍ୟପ୍ରଦେଶରୁ ସମ୍ବଲପୁର, କଳାହାଣ୍ଡି, ପାଟଣା, ସୋନପୁର, ବାମଣ୍ଡା, ରେଢାଖୋଲ ଏବଂ ବିହାରର ଛୋଟ ନାଗପୁର ଅଞ୍ଚଳରୁ ଗାଙ୍ଗପୁର, ବଣେଇ, ଷଢ଼େଇକଳା, ଖରସୁଆଁ ଆଦି ଅଞ୍ଚଳ ଆସି ମିଶିଲା ଓଡ଼ିଶା ଡିଭିଜନରେ। ଏହି ପ୍ରାରମ୍ଭିକ ସଫଳତା ଯୋଗୁ ଅଧିକ ଉତ୍ସାହର ସହିତ ଆଗକୁ ବଢିଲା ଉକତ୍ଳ ସମ୍ମିଳନୀ। କଟକ, ବାଲେଶ୍ୱର, ପୁରୀ, ବ୍ରହ୍ମପୁର, ପାରଳାଖେମୁଣ୍ଡି, ସମ୍ବଲପୁର, ଚକ୍ରଧରପୁର ଓ ଜଳନ୍ତର ଆଦି ବିଭିନ୍ନ ସ୍ଥାନରେ ଆୟୋଜିତ ହେଲା (୧୯୦୩ ରୁ ୧୯୩୪ ମଧ୍ୟରେ ୨୪ ଥର) ସମ୍ମିଳନୀର ଅଧିବେଶନ। ଓଡ଼ିଆ ଜାତିର ଉନ୍ନତି କଳ୍ପେ ଗ୍ରହଣ କରାଗଲା ବିଭିନ୍ନ ପଦକ୍ଷେପ। ଏହି କ୍ରମରେ ସାଇମନ କମିଶନକୁ ସ୍ବାଗତ କରିବା ଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ଏକ ସକାରାମତ୍କ ନିଷ୍ପତ୍ତି। କଂଗ୍ରେସର ନିଷ୍ପତ୍ତି କ୍ରମେ ସାଇମନ କମିଶନକୁ ସାରାଦେଶ ବିରୋଧ କରୁଥିବା ବେଳେ ପାଟଣା ଷ୍ଟେଶନରେ କମିଶନଙ୍କୁ ସ୍ବାଗତ କରିଥିଲା ଓଡ଼ିଶାର ଏକ ପ୍ରତିନିଧି ଦଳ। ସେଇବାଟ ଦେଇ ମିଳିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସୁପାରିସ। ଉତ୍କଳ ସମ୍ମିଳନୀର ଏହି ଲମ୍ବା ଲଢେଇ ଯୋଗୁ ଶେଷରେ ଭାରତ ସରକାରଙ୍କ ଓଡ଼ିଶା ପ୍ରଦେଶ ଗଠନ ଆଇନ୍‌ ୧୯୩୬ ଅନୁଯାୟୀ ଗଠନ ହେଲା ( ୧ା୪ା୧୯୩୬) ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ମାତ୍ର ଉକତ୍ଳ ସମ୍ମିଳନୀ ଯେଉଁ ଭୌଗୋଳିକ ଓଡ଼ିଶାର ସ୍ବପ୍ନ ଦେଖିଥିଲା, ସେ ଓଡ଼ିଶା ନୁହେଁ, ଏକ ବିଖଣ୍ଡିତ ଓଡ଼ିଶା।
ସ୍ବତନ୍ତ ଉତ୍କଳ ପ୍ରଦେଶ ଗଠନ ହେବାଠାରୁ ଆଜିଯାଏ- ବିତିଗଲାଣି ଆଠ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ। ଓଡ଼ିଶା ବାହାରେ ରହିଯାଇଥିବା ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶିବାର ସମ୍ଭାବନା ତ ଆଉ ନାହିଁ, ବରଂ ଆମ ରାଜନୈତିକ ଉଦାସୀନତା ଯୋଗୁ ସୃଷ୍ଟି ହେଲାଣି ଆଉ କିଛି ଅଞ୍ଚଳ ହାତଛଡ଼ା ହେବାର ଆଶଙ୍କା। ସାଧାରଣତଃ ଗୋଟିଏ ଜାତି ତା’ ବୈଭବକୁ ନେଇ ବଞ୍ଚେ ଓ ଆଗକୁ ବଢେ। ଏ ଦୃଷ୍ଟିରୁ ଦେଖିଲେ ପ୍ରାଚୁର୍ଯ୍ୟ ଭିତରେ ଥାଇ ଓଡ଼ିଶା ଆଜି ଦରିଦ୍ର ରାଜ୍ୟ। ଏଠାରେ ଭରପୂର ହୋଇ ରହିଛି ଜଳସମ୍ପଦ, ବନ୍ୟ ସମ୍ପଦ ଓ ଖଣିଜ ସମ୍ପଦ ମୃତ୍ତିକା ବି ଉର୍ବର। ଅଭାବ ନାହିଁ ମାନବ ସମ୍ବଳର। ଅଭାବ କେବଳ ଦୃଢ ସଂକଳ୍ପ ଓ ତାକୁ କାର୍ଯ୍ୟରେ ପରିଣତ କରିବାର ମାନସିକତା। ସେଥିପାଇଁ ବହୁବିଧ ପୌରୁଷ ସତ୍ତ୍ୱେ ଆମେ ଆଜି କର୍ମଭୀରୁ ଓ ଭାଷଣ ପ୍ରବଣ। ଦୁର୍ନୀତି ଏଠି ବିକାଶର ବାଧକ। ଜାତୀୟ ସ୍ବାର୍ଥକୁ ହତ୍ୟା କରିବା ହୀନମନ୍ୟତା ଯୋଗୁ ଅନେକ ଭୋଗିଲାଣି ଓ ଅନେକ ଅପଯଶ ପାଇଲାଣି ଏ ଜାତି। ଏଭଳି ସ୍ଥିତିରେ ଜାତିକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆବଶ୍ୟକ ଲୋକ ଆନ୍ଦୋଳନ। ମାତ୍ର ବିଡ଼ମ୍ବନାର ବିଷୟ ଏକ ଲୋକ ଅନୁଷ୍ଠାନ ଭାବରେ ଲୋକ ଆନ୍ଦୋଳନ ଭଳି ସକ୍ରିୟ କାର୍ଯ୍ୟକ୍ରମ ଆଉ ହାତକୁ ନେଇପାରୁନି ଉତ୍କଳ ସମ୍ମିଳନୀ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri