
ନୂଆପଡ଼ା,୧୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ବ୍ଲକ୍ ମହରାଜୋର ଗାଁର କୁମ୍ଭକାର ସମ୍ପ୍ରଦାୟର ପରିବାରକୁ ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ। ଜିଲା ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହାୟତା ସେମାନଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଅଭାବ ଅନଟନରେ ଥିବା ଏହି ଗାଁର ପ୍ରାୟ ୩୦ ପରିବାର ଦିନେ ଗାଁ ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ। ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବା ଅନ୍ୟନ୍ତ କଷ୍ଟକର ଥିଲା। ବିଶେଷକରି ପରିବାରର ବୃଦ୍ଧାବୃଦ୍ଧ ଓ ଛୋଟ ପିଲାମାନେ ଏହାଦ୍ୱାରା ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ହସ୍ତଶିଳ୍ପ ବିଭାଗ ସହାୟତାରେ ସେମାନେ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବିଭାଗ ତରଫରୁ ସେମାନଙ୍କୁ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଟେରାକୋଟା ସାମଗ୍ରୀ ତିଆରି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ପାଇବା ପରେ ସେମାନେ ମାଟିରେ ସୁନ୍ଦର ସାମଗ୍ରୀ ତିଆରି କରିପାରୁଛନ୍ତି। ଟେରାକୋଟା ମାଷ୍ଟର ଟ୍ରେନର ଯୋଗେଶ୍ୱର ରଣା କହନ୍ତି, ଆମେ ଦିନେ ଅନ୍ୟ ରାଜ୍ୟକୁ ଯାଇ ଇଟାଭାଟି ମାଲିକଙ୍କ ପାଇଁ କାମ କରୁଥିଲୁ। ସେଥିରେ ପୁଣି ଅନେକ ନିର୍ଯାତନାର ଶିକାର ହେବାକୁ ପଡୁଥିଲା। କିନ୍ତୁ ଏବେ ଜିଲା ପ୍ରଶାସନ ସହାୟତାରେ ନିଜ ଘରେ ରହି ମାଟି ଚକଟି ଆମେ ସ୍ବାଭିମାନର ସହ ବଞ୍ଚତ୍ପାରୁଛୁ। ଟେରାକୋଟା ଶିଳ୍ପ ଆମକୁ ଏକ ନୂତନ ପରିଚୟ ଦେଇଛି। ସୂଚନାଯୋଗ୍ୟ, ଜିଲା ହସ୍ତଶିଳ୍ପ ବିଭାଗ ସହାୟତାରେ ସେମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନକରି ଯନ୍ତ୍ରଚାଳିତ କୁମ୍ଭାର ଚକ ଦ୍ୱାରା ଘରସଜ୍ଜା ଉପକରଣଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମୂର୍ତ୍ତି ଆଦି ନିର୍ମାଣ କରିପାରୁଛନ୍ତି। ଗାଁରେ ମା’ ଜୟଦୁର୍ଗା ଓ ମା’ ମାଣିକେଶ୍ୱରୀ ନାମରେ ଦୁଇଟି ମହିଳା ସ୍ବୟଂ ସହାୟକ ଦଳ ଗଠିତ ହୋଇଛି। ଏଥିରେ ୩୦ ପରିବାର ଯୋଡ଼ିହୋଇଛନ୍ତି। ନିଜ ଘରେ ରହି ସେମାନେ ସାମଗ୍ରୀ ତିଆରି କରୁଛନ୍ତି। ପରେ ହସ୍ତଶିଳ୍ପ ବିଭାଗ ଦ୍ୱାରା ସେମାନଙ୍କ ଉତ୍ପାଦ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରିବଟା ସୁବିଧା ଯୋଗାଇ ଦିଆଯାଉଛି l ଏହାଦ୍ୱାରା ସେମାନେ ବେଶ୍ ଦୁଇପଇସା ରୋଜଗାରକରି ଖୁସିରେ ଜୀବନଯାପନ କରିପାରୁଛନ୍ତି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଜିଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଯେଉଁ ଅଭିଯାନ ଚଳାଇଛନ୍ତି ସେଥିରେ ମହରାଜୋର ଗାଁ ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।