ଭୁବନେଶ୍ୱର, ୧୫।୧୦ (ପ୍ରସନଜିତ୍ ସାହୁ): ଛାତ୍ର ସଂସଦ ନିର୍ବାଚନ ଦିନକ ପୂର୍ବରୁ ବୁଧବାର ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀ ବିହାରରେ ଉତ୍ତେଜନା ଦେଖିବାକୁ ମିଳିଛି। ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଆରମ୍ଭ ପୂର୍ବରୁ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀର କେତେ ଜଣ ଅଣଛାତ୍ର ସମର୍ଥକ ଜୋର ଜବରଦସ୍ତ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପେଣ୍ଡାଲ ନିକଟରେ ପହଞ୍ଚତ୍ ଗଣ୍ଡଗୋଳ କରିଥିଲେ। ଉଭୟଙ୍କ ମଧ୍ୟରେ ହାତାହାତି ସ୍ଥିତି ହେବା ସହ ପରସ୍ପର ଉପରକୁ ଚେୟାର ଫିଙ୍ଗା ଫୋପଡ଼ା କରିଥିଲେ। ବିସିଜେଡି ଉପସଭାପତି ମନୋରଞ୍ଜନ ସ୍ବାଇଁ ଏବଂ ଭାଜପା ଯୁବ ମୋର୍ଚ୍ଚାର ସୁବ୍ରତ ବିଶ୍ୱାଳ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧ଘଣ୍ଟାରୁ ଊଦ୍ଧ୍ୱ ଉକ୍ତ ସ୍ଥାନ ରଣକ୍ଷେତ୍ର ପାଲଟିଯାଇଥିଲା। ସାମାନ୍ୟ ବଚସାରୁ ଆରମ୍ଭ ହୋଇଥିବା ୨ଗୋଷ୍ଠୀର ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ସହିତ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ଓ ଭୁବନେଶ୍ବର ଡିସିପି ସର୍ବଣା ବିବେକ ଏମ୍ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନାରାବାଜି ଯୋଗୁଁ ଉତ୍ତେଜନା ଆହୁରି ବଢ଼ିଥିଲା। ଅନ୍ୟପଟେ ଅଣଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି ଓ ଡିସିପି କହିଥିଲେ। ଏହାସହିତ ପୋଲିସ ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଅଣଛାତ୍ରମାନେ କ୍ୟାମ୍ପସରୁ ବାହାରିବା ପରେ ଅପରାହ୍ନ ପ୍ରାୟ ୧.୩୦ ମିନିଟରେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଆରମ୍ଭ ହୋଇଥିଲା। ବାଣୀବିହାର କ୍ୟାମ୍ପସରେ କଡା ସୁରକ୍ଷା ସତ୍ତ୍ୱେ ଆଇଡି କାର୍ଡ ନ ଥାଇ କ୍ୟାମ୍ପସ୍ ଭିତରକୁ ଅଣଛାତ୍ର କିପରି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।
ଗଣ୍ଡଗୋଳକୁ ନେଇ ବିସିଜେଡିର ପ୍ରାର୍ଥୀ ଏବଂ ସମର୍ଥକମାନେ କୁଳପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସେମାନେ ଅଡିଟୋରିୟମ ଭିତରେ ଧାରଣାରେ ବସି ରହିବା ସହିତ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ସାମିଲ ହୋଇ ନ ଥିଲେ। ଛାତ୍ର ସଂସଦ ନିର୍ବାଚନରେ ପରାଜୟ ଭୟ ଏବଂ ନିର୍ବାଚନ ବନ୍ଦ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। କୁଳପତି ନିଜେ ଆସି ଏହାର ସମାଧାନ ନ କରିବା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମିଟିଂରେ ସାମିଲ ହେବେ ନାହିଁ କି ଧାରଣାରୁ ଉଠିବେ ନାହିଁ ବୋଲି ବିସିଜେଡିର ପ୍ରାର୍ଥୀଙ୍କ ସମେତ ସମର୍ଥକମାନେ କହିଥିଲେ। ସେମାନେ ଆହୁରି କହିଥିଲେ, ନିର୍ଦ୍ଦିିଷ୍ଟ ସଂଗଠନର ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବା ପାଇଁ ଧମକ ଦିଆଯାଉଛି। କାର୍ଯ୍ୟକ୍ରମ ମଝିରେ ଆମ ସମର୍ଥକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଭୋଟ୍ ନ ଦେଲେ ହଷ୍ଟେଲରେ ଜୀବନରୁ ମାରିଦେବା ପାଇଁ ବିସିଜେଡି ସମର୍ଥିତ ଛାତ୍ରୀଛାତ୍ରଙ୍କୁ ଧମକ ମଧ୍ୟ ଦିଆଯାଉଛି।
ଅନ୍ୟପଟେ ବିସିଜେଡି ପ୍ରାର୍ଥୀ ଏବଂ ସମର୍ଥକମାନଙ୍କ ଅଭିଯୋଗକୁ ଏବିଭିପି ପ୍ରାର୍ଥୀ ଓ ସମର୍ଥକ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି, ଆମେ ମିଟିଂକୁ ଆସୁଥିବା ସମୟରେ ବିସିଜେଡି ସମର୍ଥକମାନେ ପ୍ରଥମେ ଆକ୍ରମଣ କରିଥିଲେ। ଆମେ ନିଜକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛୁ। ଗତ ବିଜେଡି ସରକାର ସମୟରେ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା । ଏବେ ନିର୍ବାଚନ ହାରିଯିବା ଭୟରେ ବିସିଜେଡି ଗଣ୍ଡଗୋଳ ଆରମ୍ଭ କରିଛି। ଆଇଏମ୍ସିଏ ଚତୁର୍ଥ ବର୍ଷର ଛାତ୍ର ଶ୍ୟାମ ସୁନ୍ଦର ବେହେରାଙ୍କୁ ବିସିଜେଡି ସମର୍ଥକମାନେ ଆକ୍ରମଣ କରିବା ସହ ଲହୁଲୁହାଣ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ପରାଜୟ ଭୟରେ ବିସିଜେଡି ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ହିଂସା ସୃଷ୍ଟି କରି ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବାକୁ ହୀନ ଉଦ୍ୟମ କରାଯାଉଛି। ଗଣ୍ଡଗୋଳର ମୁଖ୍ୟ ସୂତ୍ରଧର ତନ୍ମୟ ସ୍ବାଇଁଙ୍କ ନିର୍ଦ୍ଦେଶରେ ଶତାଧିକ ଅଣଛାତ୍ର ବିଶ୍ୱବିଦ୍ୟାଳୟ ପରିସରରେ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ। ଶିକ୍ଷାନୁଷ୍ଠାନର ଶାନ୍ତି ବାତାବରଣକୁ ନଷ୍ଟ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ତିଆରି କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଥିବା ଏବିଭିପି ପ୍ରାର୍ଥୀ ଓ ସମର୍ଥକମାନେ କହିଛନ୍ତି।

