ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ପୋଲିସର ତଦନ୍ତରୁ ଗଜପତି ଜିଲାର କେଶରୀଗୁଡ଼ା ଅଞ୍ଚଳର ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।
ସୂଚନା ଅନୁଯାୟୀ, ଚଳିତ ମାସ ୧୩ ତାରିଖରେ ତାମିଲନାଡୁର ଭେଲୋର ରେଳ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ପ୍ରାୟ ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ। ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଉକ୍ତ ଗଞ୍ଜେଇ ଗଜପତି ଜିଲାର କେଶରୀଗୁଡ଼ା ଅଞ୍ଚଳରୁ ନିଆଯାଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା।
ଏହାପରେ ତାମିଲନାଡୁ ପୋଲିସର ଏକ ଟିମ୍ ଗଜପତି ଜିଲାର ଅଡ଼ବା ଥାନା ଅଧୀନ କେଶରୀଗୁଡ଼ା ଅଞ୍ଚଳରେ ପହଞ୍ଚି ତଦନ୍ତ କରିଥିଲା। ତେବେ ସନ୍ଦିଗ୍ଧ ଯୁବକଙ୍କ ସନ୍ଧାନ ମିଳିନଥିଲା। ପରେ ମୋହନା ଥାନା ପୋଲିସର ସହଯୋଗରେ ତଦନ୍ତ ଆଗକୁ ବଢ଼ିଥିଲା। ମୋହନା ଥାନା ଇନ୍ସପେକ୍ଟର ଶ୍ରୀରାଜ ପାଢ଼ୀଙ୍କ ତତ୍ତ୍ୱାବଧାନରେ ପୋଲିସ ମୋହନା ବଜାରରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକ ଜଣକ କେଶରୀଗୁଡ଼ା ଗ୍ରାମର ରିଙ୍କୁ ଲିମା (୧୯) ବୋଲି ଜଣାପଡ଼ିଛି। ମିଲନାଡୁରେ ଜବତ ହୋଇଥିବା ୧୪ କିଲୋଗ୍ରାମ ଗଞ୍ଜେଇ ମାମଲାରେ ରିଙ୍କୁଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି। ଏହି ଗଞ୍ଜେଇ ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ମାମଲାର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

