Posted inଫୁରସତ

ଏଇ ଫୁର୍‌ସତରେ

ଦିନଥିଲା ମଣିଷ ଟିକେ ଅବସର ସମୟ ପାଇଁ ତରସି ଯାଉଥିଲା। କାମର ଚାପରେ ଅନ୍ତର୍ନିହିତ ଇଚ୍ଛାସବୁ ଦବି ରହି ଯାଉଥିଲା। ହେଲେ ଏବେ ଏହି ମହାମାରୀ ପାଇଁ ଅନେକଙ୍କର କାମଦାମ ବନ୍ଦ । ଘରେ ବସି ରହିଛନ୍ତି ଅନେକେ । ପାଖରେ ସମୟ ହିଁ ସମୟ । କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ। ବଢ଼ିଯାଇଛି ମାନସିକ ଚାପ ଓ ହତାଶା। ତଥାପି କିଛି ଲୋକ ଏହି ବିଷମ ପରିସ୍ଥିତି ଆଗରେ ହାର୍‌ ମାନିନାହାନ୍ତି। ବରଂ ଏହି ସମୟର ସଦୁପଯୋଗ କରି କିଛି ନୂଆ କରିବାକୁ ଆଗେଇ ଆସିଛନ୍ତି…

କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଗୁରୁ: କେନ୍ଦୁଝର ଜିଲାର ଗୁରୁ ଦାସ, ଜଣେ ନୃତ୍ୟଗୁରୁ ସହ ଅଭିନେତା ବି। ବିଭିନ୍ନ ଟିଭି ସିରିୟଲରେ କାମ କରିବା ସହ ଦୀର୍ଘବର୍ଷ ଧରି ସେ ମଞ୍ଚ ସହିତ ଜଡ଼ିତ ଅଛନ୍ତି। ସେଥିପାଇଁ ବୋଧେ କଳାକୁ ନିଶା ଓ ପେସା ଭାବରେ ଗ୍ରହଣ କରି ଆସିଥିବା ଗୁରୁ ଦାସ କରୋନା କଟକଣା ସମୟରେ ଚୁପ୍‌ ବସି ପାରି ନ ଥିଲେ। ଆଉ ଆରମ୍ଭ କରିଥିଲେ ଏକ ନୂଆ ଅଧ୍ୟାୟ। ଚେଷ୍ଟା କଲେ କ୍ଷୁଦ୍ର ସିନେମା ନିର୍ମାଣ କରିବାକୁ। ନିଜର ନୃତ୍ୟକଳା ସଂସ୍ଥା କେନ୍ଦୁଝରର ‘ବର୍ଷା ସଙ୍ଗୀତ ଓ ନୃତ୍ୟ ଅଭିନୟ ଅନୁଷ୍ଠାନ’ ଦ୍ୱାରା ନିର୍ମାଣ କଲେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର। ଏଥିରେ ସେ ନିଜ ଜିଲାର କଳାକାରଙ୍କୁ ଅଭିନୟର ସୁଯୋଗ ଦେଲେ । ଫଳରେ ଅନେକ ନୂଆ ପ୍ରତିଭା ସାମ୍‌ନାକୁ ଆସିପାରିଲେ। ଏହିସବୁ କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ସେ ନିଜେ କରିବା ସହ ସଙ୍ଗିତ ନିର୍ଦ୍ଦେଶନା ନିଜେ ଦେଇଛନ୍ତି। ନିଜେ ଅଭିନୟ ବି କରିଛନ୍ତି। ନିର୍ଦ୍ଦେଶନା ସତ୍ୟ ପ୍ରକାଶ ସାହୁ ଦେଇଥିବାବେଳେ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଟୁଲୁ ପ୍ରହରାଜ। ତାଙ୍କ କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକରେ ବିଶେଷକରି ସାମ୍ପ୍ରତିକ ଘଟଣାବଳୀ ସ୍ଥାନ ପାଇଥାଏ, ଯେମିତିକି ନିଶାଶକ୍ତ ସ୍ବାମୀ କିପରି ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରୁଛି, ସରକାରୀ ସହାୟତା ନ ପାଇ କଳାକାର କିପରି ଦୁର୍ଦ୍ଦିନରେ ଜୀବନ କାଟୁଛି, ଚେଙ୍କ ଓ ଭୂତପ୍ରେତ ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ କିଭଳି ଅଘଟଣ ଘଟାଉଛନ୍ତି, ନିଶା ନିବାରଣ, ଭଣ୍ଡବାବାଙ୍କ କଳାକାମ ଆଦି। ଏହି ସବୁ ଘଟଣାବଳୀକୁ ନେଇ ସେ ଇତିମଧ୍ୟରେ ପାଞ୍ଚୋଟି ସଚେତନତାମୂଳକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରିଛନ୍ତି। ସେଗୁଡିକ ହେଉଛି ‘ଅପଦାର୍ଥ’, ‘ଅସଭ୍ୟ’, ‘ହଁ ହଁ ଭୂତ ଦେଖିଛି’, ‘ନଷ୍ଟ ଚରିତ୍ର’ ଆଦି। ଏହିସବୁ କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକର ଅବଧି ହେଉଛି ୧୨ ମିନିଟ୍‌। ଆଜି ଏହି କାମ ପାଇଁ ଗୁରୁଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ତାଙ୍କର ଏହି ପ୍ରୟାସକୁ ବରିଷ୍ଠ କଳାକାର ନିର୍ମଳ ନାୟକ ଭୁରି ଭୁରି ପ୍ରଶଂସା କରିଛନ୍ତି। ତାଙ୍କ ମତରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକରେ ଅଭିନୟ କରୁଥିବା କଳାକାରମାନେ ନିଶ୍ଚୟ ଏକ ନୂତନ ଦିଗଦର୍ଶନ ପାଇବେ। ଆଉ ଏହି ଅଭିଜ୍ଞତା ଆଗାମୀ ଦିନରେ ସେମାନଙ୍କୁ ସିନେମାରେ କାମ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିପାରିବ। ଗୁରୁ ଦାସ ଏହି ସମୟରେ ହାସ୍ୟରସାତ୍ମକ କ୍ଷୁଦ୍ର ନାଟକ ବି କରୁଛନ୍ତି।

ତିଆରି କଲେ ମାନବ ବିଶୋଧନ ସିଞ୍ଚନ ଯନ୍ତ୍ର :କରୋନା ଆତଙ୍କରେ ଏବେ ମଣିଷ ଆଉ ଜଣେ ମଣିଷକୁ ଛୁଇଁବାକୁ ଡରୁଛି। ଏମିତିକି ଅସୁବିଧାରେ ପଡିଥିବା ଲୋକକୁ ଛୁଇଁ ସାହାଯ୍ୟ କରିବାକୁ ଲୋକେ ଆଗଉ ନାହାନ୍ତି। ସ୍ଥିତି ଏମିତି ଯେ, ଡାକ୍ତର ବି ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କୁ ଛୁଇଁ ଚିକିତ୍ସା କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। କାରଣ ଏହି ମହାମାରୀ ପାଇଁ ଭାକ୍ସିନ କିମ୍ବା ଔଷଧ ଏ ଯାଏ ଆସି ନାହିଁ। ଏମିତି ସ୍ଥିତିରେ ବାସୁଦେବପୁର ପୌରପାଳିକା ୧୬ ନଂ ୱାର୍ଡ଼ର ସେକ୍‌ ତାଜଉଦ୍ଦିନ(ସକିଲ) ଲୋକଙ୍କ ଉପକାରରେ ଆସିପାରିବା ଭଳି ଜିନିଷ ତିଆରି କରିବାକୁ ଚାହିଁଥିଲେ। ଆଉ ମିଳିଥିବା ଖାଲି ସମୟର ସଦୁପଯୋଗ କରି ସେ ତିଆରି କଲେ ମଣିଷ ଶରୀରକୁ ମାତ୍ର କେଇ ସେକେଣ୍ଡରେ ବିଶୋଧନ କରିପାରୁଥିବା ଏକ ସିଞ୍ଚନ ଯନ୍ତ୍ର। ଏହି କାମରେ ତାଙ୍କ ମାଉସୀ ପୁଅ ବି ସହଯୋଗ କଲେ। କିଛି ସାଧାରଣ ଜିନିଷ ଯେମିତିକି ଏକ ଅଧା କିଲୋୱାଟ୍‌ର ମୋଟର, ମୋବାଇଲ ଚାର୍ଜର, ସେନ୍ସର, କିଛି ଓୟାରିଂ, ପ୍ଲାଷ୍ଟିକ୍‌ ପାଇପ ଆଦିକୁ ବ୍ୟବହାର କରି ସେ ଏହି ସିଞ୍ଚନ ଯନ୍ତ୍ର ତିଆରି କରିଛନ୍ତି। ସେନ୍ସର ଓ ମୋଟର ଦ୍ୱାରା ଚାଳିତ ଉକ୍ତ ଯନ୍ତ୍ରରେ ସେ ପ୍ରାକୃତିକ ବିଶୋଧନ ଦ୍ରବଣ ବ୍ୟବହାର କରିଛନ୍ତି। ଏହି ଦ୍ରବଣ ପାଇଁ ଘି କୁଅଁାରି, ଇଥାଇଲ ଆଲକୋହଲ, ଭିଟାମିନ-ଇ, ଗୋଲାପ ଜଳ ଓ ପାଣି ବ୍ୟବହାର କରାଯାଏ। ଯାହା ପ୍ରକୃତିରୁ ସହଜରେ ବହୁଳ ପରିମାଣରେ ମିଳିଥାଏ। ୬ ଫୁଟ ଉଚ୍ଚତା ଓ ୩.୫ ଫୁଟ ଓସାର ଏହି ସିଞ୍ଚନ ଯନ୍ତ୍ରରେ ମଣିଷ ପ୍ରବେଶ କରିବା ମାତ୍ରେ ସେନ୍ସର ଦ୍ୱାରା ସିଞ୍ଚନ ଆରମ୍ଭ ହୋଇଥାଏ। ବାହାରକୁ ବାହାରି ଗଲେ ଆପେ ଆପେ ଏହା ବନ୍ଦ ହୋଇଯାଏ। ଏହାକୁ ଚଳାଇବା ପାଇଁ କୌଣସି ସୁଇଚ୍‌ର ଆବଶ୍ୟକତା ନାହିଁ। ଜଣେ ବ୍ୟକ୍ତିଙ୍କୁ ସିଞ୍ଚନ ଦ୍ୱାରା ବିଶୋଧନ କରିବା ପାଇଁ ଏଥିରେ ମାତ୍ର ଦୁଇ ସେକେଣ୍ଡ ଲାଗିଥାଏ। ମୋଟର ଚଳାଇବା ପାଇଁ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ହେଉଥିବା ବେଳେ ଆବଶ୍ୟକ ସ୍ଥଳେ ବ୍ୟାଟେରି ଦ୍ୱାରା ମୋଟର ଚାଲିଥାଏ। ଏହି ଯନ୍ତ୍ର ତିଆରି କରିବା ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ୩ ଦିନ ସମୟ ଲାଗିଥିଲା। ତେବେ ଉକ୍ତ ଯନ୍ତ୍ର ତିଆରି କରିଥିବା ତାଜଉଦ୍ଦିନଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ। ଆଉ ସେ ପେସାରେ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରି। ଅଧିକ ପଢ଼ି ନ ଥିଲେ ହେଁ ନିଜର ଅଭିଜ୍ଞତା ଓ ବୁଦ୍ଧି ଖର୍ଚ୍ଚ କରି ସେ ଏହି ଯନ୍ତ୍ର ତିଆରି କରିବାରେ ସଫଳ ହେଲେ।

ଶର୍ମିଷ୍ଠାଙ୍କ ଲେଗ୍‌ ଅପରେଟେଡ୍‌ ସାନିଟାଇଜର ଷ୍ଟାଣ୍ଡ:କରୋନା ଜନିତ ଲକ୍‌ ଡାଉନ ଯୋଗୁ ଗତ ୫ ମାସ ହେଲା ସ୍କୁଲ ବନ୍ଦ ରହିଛି। ତେଣୁ ଅନ୍‌ ଲାଇନ୍‌ କ୍ଲାସ୍‌ ପରେ ମିଳୁଥିବା ସମୟକୁ କେତେକ ଛାତ୍ରୀଛାତ୍ର ଘରେ ବସି କାର୍ଟୁନ୍‌ ଦେଖିବା ସହ ବିଭିନ୍ନ ଖେଳ ଖେଳି ଅତିବାହିତ କରୁଛନ୍ତି। କିନ୍ତୁ ପାରାଦୀପ ନୂଆ ବଜାରର ଛାତ୍ରୀ ଶର୍ମିଷ୍ଠା ପ୍ରିୟଦର୍ଶିନୀ ପାତ୍ର ନିଜର ବହୁମୂଲ୍ୟ ସମୟକୁ ଅଯଥା ନଷ୍ଟ ହେବାକୁ ଦେଇ ନାହାନ୍ତି। ବରଂ ସେ ଏହାର ସଦୁପଯୋଗ କରି ତିଆରି କରିଛନ୍ତି ଗୋଡ ଦ୍ୱାରା ଚାଳିତ ସାନିଟାଇଜର୍‌ ଷ୍ଟାଣ୍ଡ। ଏହାକୁ ତିଆରି କରିବା ପାଇଁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଶର୍ମିଷ୍ଠା ଘରେ ଥିବା ପୁରୁଣା ଅଦରକାରୀ ସାମଗ୍ରୀ ବ୍ୟବହାର କରିଛନ୍ତି। ଯେମିତିକି ପୁରୁଣା ଷ୍ଟାଣ୍ଡ ଫ୍ୟାନ୍‌ର ଲୁହା ଷ୍ଟାଣ୍ଡ, ସ୍ପ୍ରିଙ୍ଗ, କାଠପଟା, ପରିବା ଚୋପା ଛଡାଯାଉଥିବା ପିଲର୍‌ ଆଦି। ଆଉ ଏହାକୁ ସେ ନିଜ ଘରର ପ୍ରବେଶ ପଥରେ ରଖିଛନ୍ତି। ବାହାରୁ ଘରକୁ ଫେରିବା ବେଳେ ଘରଲୋକ ସେହି ସାନିଟାଇଜର ଷ୍ଟାଣ୍ଡକୁ ଗୋଡ଼ରେ ଚାପି ଦେଲେ ସେଥିରୁ ସାନିଟାଇଜର୍‌ ଆପେ ବାହାରିଯାଏ, ଯାହାକୁ କେବଳ ହାତ ଦେଖାଇ ସଂଗ୍ରହ କରିବାକୁ ହୁଏ। ଏହାଛଡା ସାନିଟାଇଜର୍‌ ସ୍ପ୍ରେ ବଟଲକୁ ଷ୍ଟାଣ୍ଡରେ ରଖି ଗୋଡରେ ଅପରେଟ୍‌ କଲେ ସାନିଟାଇଜର୍‌ ସାରା ଶରୀରରେ ସ୍ପ୍ରେ ହୋଇଯାଏ। ଶର୍ମିଷ୍ଠାଙ୍କର ଏହି ପ୍ରୟାସ ସତରେ ପ୍ରଶଂସନୀୟ।

ଏତିକି କୁହାଯାଇପାରେ, ଯେକୌଣସି ପରିସ୍ଥିତିରେ ବି ମଣିଷ ହତାଶ ନ ହୋଇ କିମ୍ବା ହାରି ନ ଯାଇ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖି ଆଗେଇପାରିଲେ ହିଁ ଜଟିଳ ସ୍ଥିତି ବି ସରଳ ଲାଗିବ।
-ଶିବାନୀ ମହାନ୍ତି
ନରେଶ ଚନ୍ଦ୍ର ପଟ୍ଟନାୟକ,
ବିଭୁ ପ୍ରସାଦ ବେହେରା, ଶରତ କୁମାର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?