ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଜଷ୍ଟିସ ଏମ୍ଏମ୍ ସୁନ୍ଦ୍ରେଶ ଏବଂ ପି.ବି. ଭାରାଲେଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ପାଖରେ ଦଳୀୟ ପ୍ରତୀକ ବିବାଦ ବିଚାରାଧୀନ ଥିବା ଅବସ୍ଥାରେ ବ୍ୟାଙ୍କ ଆକାଉଣ୍ଟର ପାଣ୍ଠି ଉପରେ କାହାର ଅଧିକାର ରହିଛି, ତାହା ଏବେ ସ୍ଥିର କରାଯାଇପାରିବ ନାହିଁ।
କଲିକତା ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ଏବଂ ପ୍ରତୀକ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଆକାଉଣ୍ଟ ସମ୍ପର୍କରେ କୌଣସି ଅତିରିକ୍ତ ଆଦେଶ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ କୋର୍ଟ ହାଇକୋର୍ଟଙ୍କୁ ଏହି ମାମଲାର ଶୁଣାଣି ଶୀଘ୍ର ଶେଷ କରିବାକୁ ଅନୁରୋଧ କରିଛନ୍ତି। ଟିଏମସି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘ୍ଭୀ ଯୁକ୍ତି ଦର୍ଶାଇଥିଲେ ଯେ ଆକାଉଣ୍ଟଗୁଡ଼ିକ ଜବତ ହେବା କାରଣରୁ ଦଳର ଦୈନନ୍ଦିନ କାର୍ଯ୍ୟାଳୟ ପରିଚାଳନା ଏବଂ ରାଜନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇପଡ଼ିଛି।

