ବେଡ଼ି ଉପରେ କୋରଡ଼ା ମାଡ଼

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ନିକଟରେ ରାଜ୍ୟ ସରକାର ତାଙ୍କ କ୍ୟାବିନେଟ୍‌ ବୈଠକରେ ରାଜ୍ୟର ଶିଳ୍ପନୀତିରେ କେତେକ ପରିବର୍ତ୍ତନ କରିବା ସହିତ ଶ୍ରମିକଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ରହିଥିବା ବିଭିନ୍ନ ଶ୍ରମ ଆଇନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ରାଜ୍ୟକୁ ନୂଆ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ତଥା ମହାମାରୀ ଓ ତଜ୍ଜନିତ ଲକ୍‌ଡାଉନ୍‌ ଯୋଗୁ ସଙ୍କଟରେ ଥିବା ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନଙ୍କୁ ରିହାତି ଦେବା ଲକ୍ଷ୍ୟରେ ଶ୍ରମ ଆଇନକୁ କୋହଳ କରାଯାଇଛି ବୋଲି ସରକାର କହିଛନ୍ତି। ତେବେ ମହାମାରୀ ବେଳେ ଦେଶୀ ବିଦେଶୀ କମ୍ପାନୀଗୁଡ଼ିକ ସ୍ବାର୍ଥରେ ଶ୍ରମିକମାନଙ୍କ କଷ୍ଟଲବ୍ଧ ଶ୍ରମ ଅଧିକାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆକ୍ରମଣ ନୂଆ ନୁହେଁ। ପୂର୍ବରୁ ଅର୍ଥାତ୍‌ ଗତ ମେ’ ମାସରେ ମଧ୍ୟ ସରକାର ରାଜ୍ୟରେ ଆଠ ଘଣ୍ଟିଆ ଶ୍ରମ ଦିବସକୁ ବାର ଘଣ୍ଟାକୁ ବୃଦ୍ଧି କରିବା ସହିତ ଶ୍ରମ ଆଇନରେ ଅନେକଗୁଡ଼ିଏ ପରିବର୍ତ୍ତନ କରି ସାରିଛନ୍ତି। ସରକାର ଇତି ମଧ୍ୟରେ କାରଖାନା ଆଇନ – ୧୯୪୮, ଶିଳ୍ପ ବିବାଦ ଆଇନ – ୧୯୪୭ ଏବଂ ଠିକା ଶ୍ରମିକ (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ – ୧୯୭୧ରେ ସଂଶୋଧନ କରି ସାରିଛନ୍ତି। କାରଖାନା ଆଇନ- ୧୯୪୮ରେ ସଂଶୋଧନ କରି ତିନି ମାସର ଅବଧି ମଧ୍ୟରେ ପୂର୍ବରୁ ରହିଥିବା ଓଭର ଟାଇମ୍‌ର ସୀମାକୁ ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରିଛନ୍ତି। କମ୍‌ ଶ୍ରମିକଙ୍କୁ ନିୟୋଜିତ କରି ଓଭର ଟାଇମ୍‌ ଜରିଆରେ ଅଧିକ କାମ ଆଦାୟ କରିବାକୁ ମାଲିକମାନଙ୍କୁ ସୁଯୋଗ ଦେବା ହେଉଛି ଏହି ସଂଶୋଧନର ଉଦ୍ଦେଶ୍ୟ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ଯୋଗୁ ରାଜ୍ୟର ବର୍ତ୍ତମାନ ଲକ୍ଷ ଲକ୍ଷ ଶ୍ରମିିକ ଛଟେଇ ହୋଇ ବସିଥିବା ବେଳେ ବାହାର ରାଜ୍ୟରୁ ବି ୭/୮ ଲକ୍ଷ ପ୍ରବାସୀ ଶ୍ରମିକ ଆମ ରାଜ୍ୟକୁ ଆସି କାମ ପାଇବା ଅପେକ୍ଷାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ସରକାର କାମ ହରାଇଥିବା ଅଧିକରୁ ଅଧିକ ଶ୍ରମିକଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବା ବଦଳରେ ଓଭରଟାଇମ୍‌ର ସୀମାକୁ ବୃଦ୍ଧି କରି କାହାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ? କାରଣ ଓଭରଟାଇମ୍‌ର ସୀମା ବଢ଼ିଲେ କମ୍‌ ଶ୍ରମିକଙ୍କ ଜରିଆରେ ଅଧିକ କାମ କରାଇ କାରଖାନା ଚଳାଇବାକୁ ମାଲିକମାନେ ସୁଯୋଗ ପାଇବେ। ଏହାଦ୍ୱାରା ହୁଏତ କମ୍ପାନୀଗୁଡ଼ିକ ନିଜର ଶ୍ରମ ବାବଦରେ ଖର୍ଚ୍ଚ କମାଇ ଅଧିକ ମୁନାଫା କମାଇ ପାରିବେ। ତା’ଫଳରେ ଶ୍ରମିକମାନଙ୍କ କାମର ବୋଝଟି ବଢ଼ିବ; ଯାହା କି ସେମାନଙ୍କ ସ୍ବାସ୍ଥ୍ୟ ଏବଂ ଜୀବନ ଉପରେ ଯେ ଖରାପ ପ୍ରଭାବ ପକାଇବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
କାରଖାନା ଆଇନରେ ସଂଶୋଧନର ଦ୍ୱିତୀୟ ବିପଦଟି ହେଲା, ଅଧିକରୁ ଅଧିକ ଶିଳ୍ପକୁ ଏହି ଆଇନର ପରିଧିରୁ ମୁକ୍ତ କରି ସେସବୁରେ କାର୍ଯ୍ୟରତ ଶ୍ରମିକଙ୍କୁ ସେମାନଙ୍କ ଶ୍ରମ ଅଧିକାରରୁ ବଞ୍ଚିତ କରିବା। ଏହି କ୍ରମରେ ସରକାର ଶ୍ରମିକଙ୍କ ସୀମାକୁ ଯଥାକ୍ରମେ ୨୦ ଓ ୪୦କୁ ବୃଦ୍ଧି କରି ଅଧିକ ଶିଳ୍ପକୁ ଏହି ଆଇନରୁ ମୁକ୍ତ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୈଦ୍ୟୁତିକ ମୋଟର ଲାଗି ନ ଥିବା ଶିଳ୍ପରେ ସର୍ବନିମ୍ନ ୧୦ ଜଣ ଏବଂ ମୋଟର ଚାଳିତ ଶିଳ୍ପରେ ସର୍ବନିମ୍ନ ୨୦ଜଣ ଶ୍ରମିକ କାମ କରୁଥିଲେ କାରଖାନା ଆଇନ ଲାଗୁ ହେଉଥିଲା। ଏହାର ଅର୍ଥ ହେଲା, ଏଣିକି ଯଥାକ୍ରମେ ୨୦ ଓ ୪୦ରୁ କମ୍‌ ଶ୍ରମିକ କାମ କରୁଥିବା ଶିଳ୍ପ ପ୍ରତିଷ୍ଠାନରେ ଶ୍ରମିକମାନେ କାରଖାନା ଆଇନ ଅନୁଯାୟୀ ପାଇବାକୁ ଥିବା ସମସ୍ତ ଶ୍ରମ ଅଧିକାରରୁ ବଞ୍ଚିତ ହେବେ।
ଶ୍ରମ ଆଇନରେ ତୃତୀୟ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହେଲା, ମହିଳାମାନଙ୍କୁ ରାତ୍ରିକାଳୀନ ସିଫ୍ଟରେ ନିୟୋଜିତ କରିବା। ଏଯାଏ କୌଣସି ଶିଳ୍ପ କାରଖାନାରେ ମହିଳା ଶ୍ରମିକ ଏବଂ କର୍ମଚାରୀଙ୍କ ରାତ୍ରିକାଳୀନ ସିଫ୍ଟକୁ ଅନୁମତି ନ ଥିବା ବେଳେ ସେମାନଙ୍କ ରାତ୍ରିକାଳୀନ ଡ୍ୟୁଟି (ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ) ପାଇଁ ଅନୁମତି ଦିଆଯାଇଛି। ଏଭଳି ପଦକ୍ଷେପ ଶିଳ୍ପରେ କାର୍ଯ୍ୟରତ ମହିଳା ଶ୍ରମିକ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ପ୍ରଭାବିତ କରିବାକୁ ଯାଉଛି। ଏହା ବ୍ୟତୀତ ପୂର୍ବରୁ ସର୍ବନିମ୍ନ ଦଶ ବା ତଦୂର୍ଦ୍ଧ୍ୱ ଶ୍ରମିକ କାମ କରୁଥିବା କାରଖାନାରେ ଠିକା ଶ୍ରମିକ (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ – ୧୯୭୧ଲାଗୁ ହେଉଥିବା ବେଳେ ବର୍ତ୍ତମାନ ସରକାର ତାକୁ ୫୦କୁ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ୫୦ ପର୍ଯ୍ୟନ୍ତ ଶ୍ରମିକ କାମ କରୁଥିବା ଶିଳ୍ପସଂସ୍ଥାରେ ଏଣିକି ଠିକା ଶ୍ରମିକ ଆଇନ ଆଉ ଲାଗୁ ହେବନାହିଁ। ସେମାନଙ୍କ ପାଇଁ ସମ୍ପୃକ୍ତ ମାଲିକଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବନି କିମ୍ବା ଲାଇସେନ୍ସ ଆଣିବାକୁ ପଡ଼ିବନି। ଏହାର ପରିଣାମ ହେଲା, ସେସବୁ କାରଖାନାର ଶ୍ରମିକମାନେ ପୂର୍ବପରି ଆଉ ଶ୍ରମ ଅଧିକାର ପାଇବାରୁ ବଞ୍ଚିତ ହେବେ।
ସରକାର ଶିଳ୍ପ ବିବାଦ ଆଇନ – ୧୯୪୭କୁ ମଧ୍ୟ ସଂଶୋଧନ କରି ୩୦୦ ପର୍ଯ୍ୟନ୍ତ ଶ୍ରମିକ ଥିବା କାରଖାନାଗୁଡ଼ିକୁ ଏହି ଆଇନର ପରିଧିରୁ ମୁକ୍ତ କରିଛନ୍ତି। ପୂର୍ବରୁ ସର୍ବନିମ୍ନ ୧୦୦ ଶ୍ରମିକ ଥିବା କୌଣସି ଶିଳ୍ପରେ ମାଲିକ ବା ପରିଚାଳନା କର୍ତ୍ତୃପକ୍ଷ ଯଦି ଶ୍ରମିକମାନଙ୍କୁ ଛଟେଇ, ଲେ-ଅଫ୍‌ କିମ୍ବା ତାଲାବନ୍ଦ କରିବାକୁ ଚାହିଁଲେ, ସରକାରଙ୍କ ଅନୁମତି ନେବା ଅନିବାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହି ସୀମାକୁ ୩୦୦କୁ ବୃଦ୍ଧି କରିବା ଫଳରେ ଅଧିକରୁ ଅଧିକ ଶିଳ୍ପ ଏହି ଆଇନର ପରିଧି ମଧ୍ୟରୁ ବାହାରିଯିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୮୦ପ୍ରତିଶତରୁ ଅଧିକ ଶିଳ୍ପରେ ୩୦୦ରୁ କମ୍‌ ସଂଖ୍ୟକ ଶ୍ରମିକ କାମ କରୁଥିବାରୁ ଏହି ସଂଶୋଧନ ଫଳରେ ରାଜ୍ୟର ଶିଳ୍ପ ଶ୍ରମିକଙ୍କ ଏକ ସିଂହଭାଗଟି ଶ୍ରମ ଅଧିକାରରୁ ବଞ୍ଚିତ ହୋଇ ମାଲିକମାନଙ୍କ ହାୟାର ଏଣ୍ଡ ଫାୟାର ବା ଛଟେଇ ନୀତିର ସହଜ ଶିକାର ହେବେ।
ଦେଶରେ ଶ୍ରମ ସଂସ୍କାର ନାଁରେ କେନ୍ଦ୍ରର ମୋଦି ସରକାର ବର୍ତ୍ତମାନ ଥିବା ଶ୍ରମ ଆଇନରେ ସଂଶୋଧନ ବା ଉଚ୍ଛେଦ କରି ତାକୁ ଚାରୋଟି ଶ୍ରମ କୋଡରେ ରୂପାନ୍ତରିତ କରିବାକୁ ଉଦ୍ୟମ କରି ଆସିଛନ୍ତି। ଦେଶୀ ବିଦେଶୀ ବୃହତ୍‌ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ବର୍ତ୍ତମାନ ରହିଥିବା ଶ୍ରମ ଆଇନଗୁଡ଼ିକୁ ପ୍ରତିବନ୍ଧକ ଭାବେ ଉପସ୍ଥାପିତ କରୁଛନ୍ତି। କିନ୍ତୁ ଏହା ଏକଦମ୍‌ ଭିତ୍ତିହୀନ। କାରଣ ଗତ ଚାଳିଶ ବର୍ଷ ମଧ୍ୟରେ ଆମ ଦେଶରେ ଦ୍ରବ୍ୟର ଉପତ୍ାଦନ ମୂଲ୍ୟରେ ମଜୁରିର ହାର ଲଗାତର ଭାବେ କମିବା ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି। ୧୯୮୦-୮୧ରେ ଏହା ୩୦ପ୍ରତିଶତ ଥିବା ବେଳେ ୧୯୯୦-୯୧ରେ ୨୧ପ୍ରତିଶତ, ୨୦୦୦-୦୧ରେ ୧୫ପ୍ରତିଶତ ଏବଂ ୨୦୧୦-୧୧ରେ ତାହା ୧୦ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡ଼ିଛି। ଅତଏବ ଏଭଳି ପରିସ୍ଥିତିରେ ଶ୍ରମ ଆଇନକୁ ଶିଳ୍ପ ବିକାଶର ପ୍ରତିବନ୍ଧକ କହି ସମସ୍ତ ଶ୍ରମ ଆଇନକୁ ସମାପ୍ତ କରି ତାରି ସ୍ଥାନରେ ଚାରୋଟି ଦୁର୍ବଳ ଓ ନିଷ୍ପ୍ରଭାବୀ ଶ୍ରମ କୋଡ୍‌ ଆଣିବାକୁ ଉଦ୍ୟମ କରିଛନ୍ତି ତାହା ବିପଜ୍ଜନକ ମନେହୁଏ।
ଆମ ଦେଶରେ ଶ୍ରମ ଆଇନଗୁଡ଼ିକ ଅନେକ ବର୍ଷ ତଳେ ପ୍ରଣୀତ ହୋଇଥିବାରୁ ଏବଂ ସେସବୁକୁ ଠିକ୍‌ ରୂପେ ଲାଗୁ କରାଯାଉ ନ ଥିବାରୁ ସେସବୁରେ ସଂସ୍କାର ଆଣି ତାହା କିପରି ଅଧିକ ଶକ୍ତିଶାଳୀ ଏବଂ ଶ୍ରମିକ ସପକ୍ଷବାଦୀ ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେବା ଦରକାର ଥିଲା। କିନ୍ତୁ ସରକାରଙ୍କ ଉଦ୍ଦେଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ସଂସ୍କାରଟି ଶ୍ରମିକଙ୍କ ସ୍ବାର୍ଥରେ ନୁହେଁ ବରଂ ମାଲିକ ଶ୍ରେଣୀର ସ୍ବାର୍ଥରେ କରାଯାଉଛି। ଶ୍ରମ ଆଇନରେ ସଂଶୋଧନ ଜରିଆରେ ସରକାର ସେଥିରେ ଥିବା ଶ୍ରମିକମାନଙ୍କ ଅଧିକାରକୁ ଦୁର୍ବଳ ଓ ପ୍ରଭାବହୀନ କରିବା ସହିତ ଅଧିକରୁ ଅଧିକ ଶ୍ରମିକ ଯେପରି ଶ୍ରମ ଆଇନର ପରିଧିରୁ ବାହାରିଯିବେ ସେଥିପାଇଁ ଉଦ୍ୟତ ଅଛନ୍ତି। ଅତଏବ ଶ୍ରମିକମାନଙ୍କୁ ସେମାନଙ୍କ କଷ୍ଟଲବ୍ଧ ବିଭିନ୍ନ ଅଧିକାରରୁ ବଞ୍ଚତ୍ତ କରି ମାଲିକମାନଙ୍କୁ ମନଇଚ୍ଛା ଶୋଷଣ ପାଇଁ ଅବାଧ ସୁଯୋଗ ଦେବା ହେଉଛି ଏହି ସଂଶୋଧନର ଏକମାତ୍ର ଉଦ୍ଦେଶ୍ୟ। ତେବେ ଶ୍ରମିକ ସଂଗଠନଗୁଡ଼ିକ ଜୋରଦାର ବିରୋଧ ଲାଗି ଏଯାଏ ଶ୍ରମ ଆଇନରେ ସଂଶୋଧନ କରିବାରେ ସଫଳ ହୋଇ ପାରି ନ ଥିବା ସରକାର ଆଜି ଲକ୍‌ଡାଉନ୍‌ର ଆଢ଼ୁଆଳରେ ସମସ୍ତ ପ୍ରକାର ରାଜନୈତିକ ଗତିବିଧି ଏବଂ ଆନ୍ଦୋଳନ ଉପରେ କଟକଣାର ସୁଯୋଗ ନେଇ ତାକୁ ଲାଗୁ କରିବାରେ ଏକରକମ ସଫଳ ହୋଇପାରିଛନ୍ତି।
ମହାମାରୀର ମୁକାବିଲା ନାଁରେ ମାସ ମାସ ଧରି ଲକ୍‌ଡାଉନ୍‌ ଫଳରେ ରାଜ୍ୟର ସାଧାରଣ ଜନତା ବିଶେଷ କରି ଶ୍ରମିକ ଶ୍ରେଣୀ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଅଧିକାଂଶ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯିବାରୁ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ନିଜର କାମ ଧନ୍ଦା ହରାଇ ଭୟଙ୍କର ଆର୍ଥିକ ଓ ମାନସିକ ସଙ୍କଟରେ ରହିଛନ୍ତି। ଏହି ସମୟ ମଧ୍ୟରେ ନା କେନ୍ଦ୍ର ନା ରାଜ୍ୟ, କୌଣସି ବି ସରକାର ସେମାନଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇବାରେ ଏକଦମ୍‌ ବିଫଳ ହୋଇଛନ୍ତି। ଏପରି କି ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଲକ୍‌ଡାଉନ୍‌ ସମୟରେ ଶ୍ରମିକ ଏବଂ କର୍ମଚାରୀଙ୍କ ଦରମାହାନିର ଭରଣା କ଼ରିବାକୁ ସେମାନଙ୍କ ଦରମା ଟଙ୍କାକୁ ସିଧାସଳଖ ବ୍ୟାଙ୍କଖାତାରେ ଜମା କରିଥିବା ବେଳେ ଆମ ଦେଶରେ ସରକାରମାନେ କିନ୍ତୁ ଚରମ ପ୍ରତାରଣା କରିଛନ୍ତି। ଏଭଳି ପରିସ୍ଥିତିରେ ମହାମାରୀ ଓ ଲକ୍‌ଡାଉନ୍‌ର ଦୋହରା ମାଡ଼ର ସମ୍ମୁଖୀନ ହୋଇ ଦୁର୍ଦ୍ଦିନ ଭିତରେ ରହିଥିବା ରାଜ୍ୟର ଶ୍ରମିକ ଶ୍ରେଣୀକୁ ସରକାରଙ୍କ ସଦ୍ୟତମ ପଦକ୍ଷେପ ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି।
ମୋ-୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ...

ଅନିଶ୍ଚିତତାରେ ପରୀକ୍ଷାର୍ଥୀ

ଡ. ମୌସୁମୀ ପରିଡ଼ା ମ୍ୟାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ପିଲାମାନଙ୍କ ପାଇଁ ୨୦୨୧ର ଶିକ୍ଷାବର୍ଷ ଏକ ସମସ୍ୟା ବହୁଳ ବର୍ଷ କହିଲେ ଭୁଲ୍‌...

ହର୍ଡ ଇମୁନିଟି ନା ଗଣହତ୍ୟା

ସହଦେବ ସାହୁ   ଯୁକ୍ତରାଷ୍ଟ୍ର ଆମେରିକାରେ ଅକ୍ଟୋବର ମାସ ଆରମ୍ଭରୁ ଦୈନିକ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,୨୩ ତାରିଖରେ ସର୍ବାଧିକ ୭୯,୦୦୦ ଲୋକ ଚିହ୍ନଟ...

ଦୁଃଖ ଦେବିନାହିଁ

ଡ. ବାସୁଦେବ ମିଶ୍ର ଜୀବନରେ କେବେ କାହାରିକୁ କିଛି ଦୁଃଖ ଦେବିନାହିଁ କିମ୍ବା କାହାରି ଦୁଃଖର କାରଣ ହେବିନାହିଁ ବୋଲି ଯେତେ ଚିନ୍ତାକଲେ ମଧ୍ୟ ତାହା...

ଏଇ ଭାରତରେ

ବେଳେବେଳେ କୃଷକମାନେ ଯାହା ଆବିଷ୍କାର କରନ୍ତି ତାହାକୁ ବୈଜ୍ଞାନିକମାନେ ବି ଗ୍ରହଣ କରିଥାନ୍ତି। ଏଭଳି ଜଣେ କୃଷକ ହେଉଛନ୍ତି ତେଲଙ୍ଗାନାର ଚିନ୍ତଲା ଭେଙ୍କଟ ରେଡ୍ଡୀ। ସେ...

ଏଇ ଭାରତରେ

ହାଇଦ୍ରାବାଦ୍‌ର ଜଣେ ଯୁବକ ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ ସୃଷ୍ଟି କରିଛନ୍ତି। ‘ସର୍ଭ୍‌ ନିଡି’ ନାମକ ଏନ୍‌ଜିଓର ପ୍ରତିଷ୍ଠାତା ଗୌତମ କୁମାର...

ଏଇ ଭାରତରେ

ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ...

ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା ”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ...

Advertisement


Archives

Model This Week

Why Dharitri