ନିଜକୁ ନିଜ ସହ ତୁଳନା

ପ୍ର. ଶରତ ଚନ୍ଦ୍ର ରଥ

 

ସେଦିନ ପ୍ରାତଃଭ୍ରମଣ ବେଳେ ରାମବାବୁ ପ୍ରଶ୍ନଟିଏ ପଚାରିଲେ ରମେଶବାବୁଙ୍କୁ। ପ୍ରଶ୍ନଟି ଏହିପରି ଯେ କାହିଁକି ଏ ଲୋଭ, କାହିଁକି ଏ କ୍ରୋଧ, ଏ ହିଂସା, ଏ ଈର୍ଷା, ଏ ମିଥ୍ୟା, ଏ ଅସହିଷ୍ଣୁତା କାହିଁକି? ରମେଶବାବୁ ଏ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ଉମେଶବାବୁଙ୍କୁ ପଚାରିବା ପାଇଁ ସ୍ଥିର କରାଗଲା। ଉମେଶବାବୁ ପ୍ରଶ୍ନଟି ଶୁଣି ଯାହା ଉତ୍ତର ଦେଲେ ତାହା ଶୁଣି ସମସ୍ତଙ୍କୁ ଅବାକ୍‌ ଲାଗିଲା। ଉମେଶବାବୁ କହିଲେ ଯେ, ହୀନମନ୍ୟତା ହିଁ ଏ ସବୁ କିଛିର କାରଣ। କଥାଟି ବଡ଼ ଅଡୁଆ ଲାଗିଲା କାରଣ ପ୍ରାୟ ସମସ୍ତଙ୍କର ଧାରଣା ଥିଲା ଯେ ଧନୀ ଲୋକମାନେ ଲୋଭ କରନ୍ତି, ରାଗୁଆ ଲୋକମାନେ କ୍ରୋଧକରନ୍ତି, ପ୍ରତିଷ୍ଠିତ ଲୋକମାନେ ଈର୍ଷା କରନ୍ତି, ବୁଦ୍ଧିଆ ଲୋକମାନେ ମିଥ୍ୟା କହନ୍ତି ବା ଆଚରଣ କରନ୍ତି (କାରଣ ସେମାନେ ନେଇ ଆଣି ଥୋଇପାରନ୍ତି), ଅତି ଶୃଙ୍ଖଳିତ ଲୋକମାନେ ଟିକିଏ ଓଲମ୍‌ବିଲମ୍‌ ଦେଖିଲେ ଅସହିଷ୍ଣୁ ହୋଇପଡ଼ନ୍ତି। ଅଥବା ନିଜକୁ ବଡ଼ ଭାବୁଥିବା ଲୋକମାନେ ଅନ୍ୟ ପ୍ରତି ଅସହିଷ୍ଣୁ ହୋଇପଡ଼ନ୍ତି।
ଉମେଶବାବୁଙ୍କ କଥାକୁ ଭଲ ଭାବରେ ତର୍ଜମା କରାଗଲା ଏବଂ କଥାଟିର ସତ୍ୟାସତ୍ୟ ନିର୍ଣ୍ଣୟ କରାଗଲା। ପ୍ରକୃତରେ ନିଜକୁ ଗରିବ ମନେ ନ କଲେ କେହି ଅନ୍ୟର ସମ୍ପଦ ପ୍ରତି ଲୋଭ କରେ ନାହିଁ। ଚିନ୍ତା ଓ ଚେତନାରେ ଦୁର୍ବଳ ନ ହେଲେ କେହି ଅନ୍ୟ ଉପରେ ଟିକିଏ ଟିକିଏ କଥାରେ କ୍ରୋଧ କରେ ନାହିଁ। ମନରେ ଭୟ ନ ଥିଲେ କେହି ଅନ୍ୟ ପ୍ରତି ହିଂସା କରେ ନାହିଁ। ନିଜେ ସେଇ ସେଇ କଥାରେ କମ୍‌ଜୋର ନ ଥିଲେ କେହି ଅନ୍ୟ ପ୍ରତି ଈର୍ଷା କରେ ନାହିଁ। ଦୁର୍ବଳମନା ନ ହେଲେ ଜଣେ ମିଛକୁ ଆଶ୍ରୟ କରେ ନାହିଁ। ମନରେ ଘୃଣା ଭାବ ନ ଥିଲେ କେହି ଅସହିଷ୍ଣୁତା ପ୍ରକାଶ କରେ ନାହିଁ। ଏସବୁ ହଠାତ୍‌ ପଢିଲେ ବା ଶୁଣିଲେ ଟିକିଏ କେମିତି କେମିତି ମନେହେବ, ମାତ୍ର ତଳେଇ ଦେଖିଲେ ଅଥବା ଟିକିଏ ମନମୁନ ଲଗାଇଲେ କଥାଟିର ମର୍ମ ବୁଝିହେବ। ଅସଲ କାରଣ ଜାଣିହେବ ଏବଂ ଇଚ୍ଛା କଲେ ଓ ଚେଷ୍ଟା କଲେ ନିରାକରଣ ମଧ୍ୟ କରିହେବ। ବାସ୍ତବରେ ଏସବୁ ବିଚାର୍ଯ୍ୟ ବିଷୟ।
ପ୍ରକୃତପକ୍ଷେ ଆମ ଭିତରେ ଚିନ୍ତାଚେତନାର ସୀମିତତା, ସଂକୀର୍ଣ୍ଣତା ଏବଂ କ୍ଷୁଦ୍ରତା ରହିଛି। ଫଳରେ ଆମ ଦୃଷ୍ଟିକୋଣ ଏବଂ ଗ୍ରହଣଶୀଳତା ସଙ୍କୁଚିତ, ସୀମିତ ଓ ସଂକୀର୍ଣ୍ଣ ହୋଇଯାଉଛି। ଏହାର ଫଳଶ୍ରୁତିସ୍ବରୂପ ଆମକୁ ସବୁକିଛି ସଂକୀର୍ଣ୍ଣ, ହେୟ ଓ ନଗଣ୍ୟ ଲାଗୁଛି। ଏପରି କି ଅନ୍ୟର ଭଲ ଗୁଣ ଆମକୁ ମନ୍ଦ ଲାଗୁଛି। ଅବାଗ ଲାଗୁଛି। ଅନ୍ୟର ଉଦାରତା ଆମକୁ ଚଞ୍ଚକତା ଅଥବା କୃତ୍ରିମତା ପରି ବୋଧ ହେଉଛି। ଆମର ଛାଞ୍ଚଟି କ୍ଷୁଦ୍ର ଓ ସୀମିତ ହୋଇଥିବାରୁ ସେହି ଛାଞ୍ଚ ଦ୍ୱାରା କ୍ଷୁଦ୍ର ସଂକୀର୍ଣ୍ଣ କଥା ସବୁ ଧରାପଡୁଛି। ଆମର ମାପକାଠିଟି ଛୋଟ ହୋଇଥିବାରୁ ଖାଲି ଛୋଟ କଥାଗୁଡିକୁ ମାପି ହେଉଛି। ଅନ୍ୟକୁ ମାପିବାର ସାମର୍ଥ୍ୟ ଆମର ନାହିଁ। ଆମେ କେବଳ ନିଜକୁ ଘୋଡାଇବା ପାଇଁ ଅଥବା ବୃଥା ବଡ କରିବା ପାଇଁ ଆମ ମାପରେ ଅନ୍ୟକୁ ମାପୁ ଓ ମନ୍ତବ୍ୟ ପ୍ରକାଶ କରୁ। ତେଣୁ କଥାଟି ଅନ୍ଧଙ୍କର ହାତୀ ଦେଖାପରି ହୁଏ ଅଥବା ଲବଣି ପିତୁଳାର ସମୁଦ୍ର ମାପ ପରି ହୁଏ। ଫଳରେ ନା ନିଜର କିଛି ଲାଭ ହୁଏ ନା ଅନ୍ୟର।
ଏ ସବୁର ମୂଳରେ ଅଛି ଅନ୍ୟ ସହ ନିଜକୁ ଲକ୍ଷ୍ୟରେ ଅବା ଅଲକ୍ଷ୍ୟରେ ତୁଳନା କରିବା। ଅନ୍ୟ ସହିତ ଆମେ ନିଜକୁ ଯେତେ ତୁଳନା କରିବା ଆମ ଭିତରକୁ ସେତେ ଦୁଃଖ, ଯନ୍ତ୍ରଣା, ବିଷଣ୍ଣତା, ନୈରାଶ୍ୟ, ହତାଶା ପଶିଆସିବ। ସେହି ଦୁଃଖ, ଯନ୍ତ୍ରଣା, ହତାଶା, ନିରାଶାର ରୋଗ ଜୀବାଣୁ ପଶିଲେ ମନର ଫାଙ୍କବାଟେ ଶରୀର ପର୍ଯ୍ୟନ୍ତ ପହଞ୍ଚି ଶରୀର ଓ ପ୍ରାଣକୁ ଅସୁସ୍ଥ କରିବ। ଶରୀର ଓ ପ୍ରାଣ ଗୋଟିଏ ମୁଦ୍ରାର ଦୁଇ ପାଖ ପରି ଅଙ୍ଗାଙ୍ଗିଭାବରେ ଜଡିତ। ପ୍ରାଣଶକ୍ତି ଦୁର୍ବଳ ହୋଇଗଲେ ଶରୀର ମଧ୍ୟ ଦୁର୍ବଳ ହେବ। ପ୍ରାଣ ହିଁ ଶରୀରକୁ ଶକ୍ତିଦିଏ। ପ୍ରାଣ ଶକ୍ତିହୀନ ହୋଇଗଲେ ଶରୀର ଦୁର୍ବଳ ହୋଇ ଭାଙ୍ଗିପଡେ।
ବାସ୍ତବିକ ଅନ୍ୟ ସହ ତୁଳନା ଆମକୁ କ୍ଷତିଗ୍ରସ୍ତ କରେ, ମାତ୍ର ନିଜ ସହ ନିଜକୁ ତୁଳନା ଆମକୁ ଲାଭବାନ କରେ। ନିଜ ସହ ନିଜର ତୁଳନାକୁ ଆତ୍ମତୁଳନା ବୋଲି ଆମେ କହିପାରିବା। ଆମ ସମସ୍ତଙ୍କ ଭିତରେ ନକାରାତ୍ମକତାରୁ କିଛି ଓ ସକାରାତ୍ମକତାରୁ କିଛି କଥା ଅଛି। ଆମେ କେବେ ଏ କଥା ଭାବିନାହୁଁ, ଦେଖିନାହୁଁ, ବୁଝିବା ତ ଦୂରର କଥା। ପ୍ରଥମେ ଭାବନା ଦ୍ୱାରା ଏହାକୁ ସ୍ଥିର କରାଯିବା କଥା, ଯାହାକୁ ଆମେ ଆତ୍ମବିଶ୍ଳେଷଣ ବୋଲି କହିବା। ଆତ୍ମବିଶ୍ଳେଷଣ ଦ୍ୱାରା ଆମ ଭିତରେ ଥିବା ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣକୁ ଆମେ ଜାଣିପାରିବା। ଏହି ତିନିଗୁଣର ସମଷ୍ଟିରେ ଆମର ସ୍ବଭାବ ଗଠିତ। ଏପରି କେହି ବ୍ୟକ୍ତି ନାହିଁ ଏ ପୃଥିବୀରେ ଯାହା ଭିତରେ କମ୍‌ବେଶି ଭାବରେ ତିନିଗୁଣ ନାହିଁ। ଅତଏବ ସମସ୍ତଙ୍କ ଭିତରେ ସମାନ ଭାବରେ ନୁହେଁ ଅସମାନ ଭାବରେ ତିନିଗୁଣ ରହିଛି। କାହା ଭିତରେ ସତ୍ତ୍ୱଗୁଣ ଅଧିକ ଏବଂ ତମୋଗୁଣ ଓ ରଜୋଗୁଣ କମ୍‌, ପୁଣି କାହା ଭିତରେ ସତ୍ତ୍ୱଗୁଣ କମ୍‌ ଏବଂ ରଜୋଗୁଣ ଓ ତମୋଗୁଣ ଅଧିକ। ତମୋଗୁଣ ଅଧିକ ଥିଲେ ଜଣେ ସଂକୀର୍ଣ୍ଣମନା, କ୍ଷୁଦ୍ରମନା ହୁଏ। ଫଳସ୍ବରୂପ ଲୋଭୀ, କ୍ରୋଧୀ, ଈର୍ଷାଳୁ, ମିଥ୍ୟାବାଦୀ, ହିଂସ୍ର, ଅସହିଷ୍ଣୁ ଇତ୍ୟାଦି ହୁଏ।
ନିଜ ସହ ନିଜକୁ ତୁଳନା କରିବାର ଲାଭ ହେଉଛି ଯେ ନିଜେ ନିଜକୁ ଅତିକ୍ରମ କରିବା। ଆତ୍ମବିଶ୍ଳେଷଣ ଦ୍ୱାରା ଜଣାପଡିବ ଯେ ଆମ ଭିତରେ ଏଇସବୁ ଅଳିଆ, ଆବର୍ଜନା ରହିଛି। ତାକୁ କେଉଁ ଆଡକୁ ଫିଙ୍ଗିଦେଲେ ଚଳିବ ନାହିଁ। ତାହା ପୁଣି ପବନରେ ଆମ ଭିତରକୁ ଉଡି ଆସିବ। ତାକୁ କେବଳ ରୂପାନ୍ତରିତ କରିହେବ। ତାକୁ ରିସାଇକ୍ଲିଙ୍ଗ କରି ଭିନ୍ନ ଭିନ୍ନ ବ୍ୟବହାର୍ଯ୍ୟ ବସ୍ତୁରେ ପରିଣତ କରିହେବ। ମଇଳା ପାଣିକୁ ରିସାଇକ୍ଲିଙ୍ଗ ତଥା ରିକ୍ଲିନିଙ୍ଗ କରି ସଫା ପାଣିରେ ପରିଣତ କରିହେବ।
ତମୋଗୁଣକୁ ରଜୋଗୁଣରେ ଏବଂ ରଜୋଗୁଣକୁ ସତ୍ତ୍ୱଗୁଣରେ ପରିଣତ କରିବାର ସାମର୍ଥ୍ୟ ଆମ ପାଖରେ ରହିଛି। ଆମର ଦୃଷ୍ଟିଭଙ୍ଗୀ ବଦଳିଗଲେ ଆମ ପାଇଁ ଦୃଶ୍ୟ ବଦଳିଯିବ। ଆମେ ସତ୍ତ୍ୱଗୁଣର ଯେତେ ଅଧିକାରୀ ହେବା ଆମକୁ ଅନ୍ୟମାନଙ୍କ ଭିତରେ ଥିବା ସତ୍ତ୍ୱଗୁଣ ସେତେ ଅଧିକ ଦିଶିବ। ଆମେ ଅନ୍ୟର ସତ୍ତ୍ୱଗୁଣକୁ ଦେଖି ତାକୁ ଦେଖାଇଦେଲେ ସେ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ତା’ ଭିତରେ ଥିବା ତମୋଗୁଣର ପରିବର୍ତ୍ତନ ପାଇଁ ମଧ୍ୟ ଚେଷ୍ଟା କରିବ। ଫଳସ୍ବରୂପ ତା’ ଭିତରେ ଥିବା ତମୋଗୁଣ ହ୍ରାସ ପାଇବ ଏବଂ ସତ୍ତ୍ୱଗୁଣ ବୃଦ୍ଧିପାଇବ। ଏହା କେବଳ ମନସ୍ତତ୍ତ୍ୱର କଥା ନୁହେଁ ଯୁକ୍ତିଯୁକ୍ତ କଥା ମଧ୍ୟ। ଲାଭ ହେବ ଏତିକି ଯେ ଆମେ ଅଯଥା ଦୁଃଖଯନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଦୁଃଖକଷ୍ଟରୁ ମୁକ୍ତି ପାଇବାରେ ସହାୟତା କରିପାରିବା। ମନେପଡେ ଏଇ ପରିପ୍ରେକ୍ଷୀରେ ଶ୍ରୀମାଙ୍କର କଥା ଯେ ଯଦି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହଁ, ତେବେ ପ୍ରଥମେ ନିଜ ଭିତରେ ଶାନ୍ତି ପ୍ରତିଷ୍ଠା କର। ନିଷ୍କର୍ଷରେ ଏତିକି କୁହାଯାଇପାରେ ଯେ ଆତ୍ମ ପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନର ଚାବିକାଠି। ବ୍ୟକ୍ତି କେତେ ଶାନ୍ତିରେ ରହିବ, କେତେ ଅଶାନ୍ତିରେ ରହିବ, କେତେ ସୁଖରେ ବା ଦୁଃଖରେ ରହିବ ତାହା ଆଜି ଆମର ସମ୍ପୂର୍ଣ୍ଣ ଆୟତ୍ତାଧୀନ ନ ହେଲେ ମଧ୍ୟ ଆମେ ଚେଷ୍ଟା କଲେ କିଛି ଅଂଶରେ ଦୁଃଖ ଓ ଅଶାନ୍ତି କବଳରୁ ମୁକ୍ତ ହୋଇପାରିବା। ନିଜେ ନିଜର ବନ୍ଧୁ ହୋଇପାରିବା।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର
ମୋ-୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?