ନିଜକୁ ନିଜ ସହ ତୁଳନା

ପ୍ର. ଶରତ ଚନ୍ଦ୍ର ରଥ

 

ସେଦିନ ପ୍ରାତଃଭ୍ରମଣ ବେଳେ ରାମବାବୁ ପ୍ରଶ୍ନଟିଏ ପଚାରିଲେ ରମେଶବାବୁଙ୍କୁ। ପ୍ରଶ୍ନଟି ଏହିପରି ଯେ କାହିଁକି ଏ ଲୋଭ, କାହିଁକି ଏ କ୍ରୋଧ, ଏ ହିଂସା, ଏ ଈର୍ଷା, ଏ ମିଥ୍ୟା, ଏ ଅସହିଷ୍ଣୁତା କାହିଁକି? ରମେଶବାବୁ ଏ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ଉମେଶବାବୁଙ୍କୁ ପଚାରିବା ପାଇଁ ସ୍ଥିର କରାଗଲା। ଉମେଶବାବୁ ପ୍ରଶ୍ନଟି ଶୁଣି ଯାହା ଉତ୍ତର ଦେଲେ ତାହା ଶୁଣି ସମସ୍ତଙ୍କୁ ଅବାକ୍‌ ଲାଗିଲା। ଉମେଶବାବୁ କହିଲେ ଯେ, ହୀନମନ୍ୟତା ହିଁ ଏ ସବୁ କିଛିର କାରଣ। କଥାଟି ବଡ଼ ଅଡୁଆ ଲାଗିଲା କାରଣ ପ୍ରାୟ ସମସ୍ତଙ୍କର ଧାରଣା ଥିଲା ଯେ ଧନୀ ଲୋକମାନେ ଲୋଭ କରନ୍ତି, ରାଗୁଆ ଲୋକମାନେ କ୍ରୋଧକରନ୍ତି, ପ୍ରତିଷ୍ଠିତ ଲୋକମାନେ ଈର୍ଷା କରନ୍ତି, ବୁଦ୍ଧିଆ ଲୋକମାନେ ମିଥ୍ୟା କହନ୍ତି ବା ଆଚରଣ କରନ୍ତି (କାରଣ ସେମାନେ ନେଇ ଆଣି ଥୋଇପାରନ୍ତି), ଅତି ଶୃଙ୍ଖଳିତ ଲୋକମାନେ ଟିକିଏ ଓଲମ୍‌ବିଲମ୍‌ ଦେଖିଲେ ଅସହିଷ୍ଣୁ ହୋଇପଡ଼ନ୍ତି। ଅଥବା ନିଜକୁ ବଡ଼ ଭାବୁଥିବା ଲୋକମାନେ ଅନ୍ୟ ପ୍ରତି ଅସହିଷ୍ଣୁ ହୋଇପଡ଼ନ୍ତି।
ଉମେଶବାବୁଙ୍କ କଥାକୁ ଭଲ ଭାବରେ ତର୍ଜମା କରାଗଲା ଏବଂ କଥାଟିର ସତ୍ୟାସତ୍ୟ ନିର୍ଣ୍ଣୟ କରାଗଲା। ପ୍ରକୃତରେ ନିଜକୁ ଗରିବ ମନେ ନ କଲେ କେହି ଅନ୍ୟର ସମ୍ପଦ ପ୍ରତି ଲୋଭ କରେ ନାହିଁ। ଚିନ୍ତା ଓ ଚେତନାରେ ଦୁର୍ବଳ ନ ହେଲେ କେହି ଅନ୍ୟ ଉପରେ ଟିକିଏ ଟିକିଏ କଥାରେ କ୍ରୋଧ କରେ ନାହିଁ। ମନରେ ଭୟ ନ ଥିଲେ କେହି ଅନ୍ୟ ପ୍ରତି ହିଂସା କରେ ନାହିଁ। ନିଜେ ସେଇ ସେଇ କଥାରେ କମ୍‌ଜୋର ନ ଥିଲେ କେହି ଅନ୍ୟ ପ୍ରତି ଈର୍ଷା କରେ ନାହିଁ। ଦୁର୍ବଳମନା ନ ହେଲେ ଜଣେ ମିଛକୁ ଆଶ୍ରୟ କରେ ନାହିଁ। ମନରେ ଘୃଣା ଭାବ ନ ଥିଲେ କେହି ଅସହିଷ୍ଣୁତା ପ୍ରକାଶ କରେ ନାହିଁ। ଏସବୁ ହଠାତ୍‌ ପଢିଲେ ବା ଶୁଣିଲେ ଟିକିଏ କେମିତି କେମିତି ମନେହେବ, ମାତ୍ର ତଳେଇ ଦେଖିଲେ ଅଥବା ଟିକିଏ ମନମୁନ ଲଗାଇଲେ କଥାଟିର ମର୍ମ ବୁଝିହେବ। ଅସଲ କାରଣ ଜାଣିହେବ ଏବଂ ଇଚ୍ଛା କଲେ ଓ ଚେଷ୍ଟା କଲେ ନିରାକରଣ ମଧ୍ୟ କରିହେବ। ବାସ୍ତବରେ ଏସବୁ ବିଚାର୍ଯ୍ୟ ବିଷୟ।
ପ୍ରକୃତପକ୍ଷେ ଆମ ଭିତରେ ଚିନ୍ତାଚେତନାର ସୀମିତତା, ସଂକୀର୍ଣ୍ଣତା ଏବଂ କ୍ଷୁଦ୍ରତା ରହିଛି। ଫଳରେ ଆମ ଦୃଷ୍ଟିକୋଣ ଏବଂ ଗ୍ରହଣଶୀଳତା ସଙ୍କୁଚିତ, ସୀମିତ ଓ ସଂକୀର୍ଣ୍ଣ ହୋଇଯାଉଛି। ଏହାର ଫଳଶ୍ରୁତିସ୍ବରୂପ ଆମକୁ ସବୁକିଛି ସଂକୀର୍ଣ୍ଣ, ହେୟ ଓ ନଗଣ୍ୟ ଲାଗୁଛି। ଏପରି କି ଅନ୍ୟର ଭଲ ଗୁଣ ଆମକୁ ମନ୍ଦ ଲାଗୁଛି। ଅବାଗ ଲାଗୁଛି। ଅନ୍ୟର ଉଦାରତା ଆମକୁ ଚଞ୍ଚକତା ଅଥବା କୃତ୍ରିମତା ପରି ବୋଧ ହେଉଛି। ଆମର ଛାଞ୍ଚଟି କ୍ଷୁଦ୍ର ଓ ସୀମିତ ହୋଇଥିବାରୁ ସେହି ଛାଞ୍ଚ ଦ୍ୱାରା କ୍ଷୁଦ୍ର ସଂକୀର୍ଣ୍ଣ କଥା ସବୁ ଧରାପଡୁଛି। ଆମର ମାପକାଠିଟି ଛୋଟ ହୋଇଥିବାରୁ ଖାଲି ଛୋଟ କଥାଗୁଡିକୁ ମାପି ହେଉଛି। ଅନ୍ୟକୁ ମାପିବାର ସାମର୍ଥ୍ୟ ଆମର ନାହିଁ। ଆମେ କେବଳ ନିଜକୁ ଘୋଡାଇବା ପାଇଁ ଅଥବା ବୃଥା ବଡ କରିବା ପାଇଁ ଆମ ମାପରେ ଅନ୍ୟକୁ ମାପୁ ଓ ମନ୍ତବ୍ୟ ପ୍ରକାଶ କରୁ। ତେଣୁ କଥାଟି ଅନ୍ଧଙ୍କର ହାତୀ ଦେଖାପରି ହୁଏ ଅଥବା ଲବଣି ପିତୁଳାର ସମୁଦ୍ର ମାପ ପରି ହୁଏ। ଫଳରେ ନା ନିଜର କିଛି ଲାଭ ହୁଏ ନା ଅନ୍ୟର।
ଏ ସବୁର ମୂଳରେ ଅଛି ଅନ୍ୟ ସହ ନିଜକୁ ଲକ୍ଷ୍ୟରେ ଅବା ଅଲକ୍ଷ୍ୟରେ ତୁଳନା କରିବା। ଅନ୍ୟ ସହିତ ଆମେ ନିଜକୁ ଯେତେ ତୁଳନା କରିବା ଆମ ଭିତରକୁ ସେତେ ଦୁଃଖ, ଯନ୍ତ୍ରଣା, ବିଷଣ୍ଣତା, ନୈରାଶ୍ୟ, ହତାଶା ପଶିଆସିବ। ସେହି ଦୁଃଖ, ଯନ୍ତ୍ରଣା, ହତାଶା, ନିରାଶାର ରୋଗ ଜୀବାଣୁ ପଶିଲେ ମନର ଫାଙ୍କବାଟେ ଶରୀର ପର୍ଯ୍ୟନ୍ତ ପହଞ୍ଚି ଶରୀର ଓ ପ୍ରାଣକୁ ଅସୁସ୍ଥ କରିବ। ଶରୀର ଓ ପ୍ରାଣ ଗୋଟିଏ ମୁଦ୍ରାର ଦୁଇ ପାଖ ପରି ଅଙ୍ଗାଙ୍ଗିଭାବରେ ଜଡିତ। ପ୍ରାଣଶକ୍ତି ଦୁର୍ବଳ ହୋଇଗଲେ ଶରୀର ମଧ୍ୟ ଦୁର୍ବଳ ହେବ। ପ୍ରାଣ ହିଁ ଶରୀରକୁ ଶକ୍ତିଦିଏ। ପ୍ରାଣ ଶକ୍ତିହୀନ ହୋଇଗଲେ ଶରୀର ଦୁର୍ବଳ ହୋଇ ଭାଙ୍ଗିପଡେ।
ବାସ୍ତବିକ ଅନ୍ୟ ସହ ତୁଳନା ଆମକୁ କ୍ଷତିଗ୍ରସ୍ତ କରେ, ମାତ୍ର ନିଜ ସହ ନିଜକୁ ତୁଳନା ଆମକୁ ଲାଭବାନ କରେ। ନିଜ ସହ ନିଜର ତୁଳନାକୁ ଆତ୍ମତୁଳନା ବୋଲି ଆମେ କହିପାରିବା। ଆମ ସମସ୍ତଙ୍କ ଭିତରେ ନକାରାତ୍ମକତାରୁ କିଛି ଓ ସକାରାତ୍ମକତାରୁ କିଛି କଥା ଅଛି। ଆମେ କେବେ ଏ କଥା ଭାବିନାହୁଁ, ଦେଖିନାହୁଁ, ବୁଝିବା ତ ଦୂରର କଥା। ପ୍ରଥମେ ଭାବନା ଦ୍ୱାରା ଏହାକୁ ସ୍ଥିର କରାଯିବା କଥା, ଯାହାକୁ ଆମେ ଆତ୍ମବିଶ୍ଳେଷଣ ବୋଲି କହିବା। ଆତ୍ମବିଶ୍ଳେଷଣ ଦ୍ୱାରା ଆମ ଭିତରେ ଥିବା ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣକୁ ଆମେ ଜାଣିପାରିବା। ଏହି ତିନିଗୁଣର ସମଷ୍ଟିରେ ଆମର ସ୍ବଭାବ ଗଠିତ। ଏପରି କେହି ବ୍ୟକ୍ତି ନାହିଁ ଏ ପୃଥିବୀରେ ଯାହା ଭିତରେ କମ୍‌ବେଶି ଭାବରେ ତିନିଗୁଣ ନାହିଁ। ଅତଏବ ସମସ୍ତଙ୍କ ଭିତରେ ସମାନ ଭାବରେ ନୁହେଁ ଅସମାନ ଭାବରେ ତିନିଗୁଣ ରହିଛି। କାହା ଭିତରେ ସତ୍ତ୍ୱଗୁଣ ଅଧିକ ଏବଂ ତମୋଗୁଣ ଓ ରଜୋଗୁଣ କମ୍‌, ପୁଣି କାହା ଭିତରେ ସତ୍ତ୍ୱଗୁଣ କମ୍‌ ଏବଂ ରଜୋଗୁଣ ଓ ତମୋଗୁଣ ଅଧିକ। ତମୋଗୁଣ ଅଧିକ ଥିଲେ ଜଣେ ସଂକୀର୍ଣ୍ଣମନା, କ୍ଷୁଦ୍ରମନା ହୁଏ। ଫଳସ୍ବରୂପ ଲୋଭୀ, କ୍ରୋଧୀ, ଈର୍ଷାଳୁ, ମିଥ୍ୟାବାଦୀ, ହିଂସ୍ର, ଅସହିଷ୍ଣୁ ଇତ୍ୟାଦି ହୁଏ।
ନିଜ ସହ ନିଜକୁ ତୁଳନା କରିବାର ଲାଭ ହେଉଛି ଯେ ନିଜେ ନିଜକୁ ଅତିକ୍ରମ କରିବା। ଆତ୍ମବିଶ୍ଳେଷଣ ଦ୍ୱାରା ଜଣାପଡିବ ଯେ ଆମ ଭିତରେ ଏଇସବୁ ଅଳିଆ, ଆବର୍ଜନା ରହିଛି। ତାକୁ କେଉଁ ଆଡକୁ ଫିଙ୍ଗିଦେଲେ ଚଳିବ ନାହିଁ। ତାହା ପୁଣି ପବନରେ ଆମ ଭିତରକୁ ଉଡି ଆସିବ। ତାକୁ କେବଳ ରୂପାନ୍ତରିତ କରିହେବ। ତାକୁ ରିସାଇକ୍ଲିଙ୍ଗ କରି ଭିନ୍ନ ଭିନ୍ନ ବ୍ୟବହାର୍ଯ୍ୟ ବସ୍ତୁରେ ପରିଣତ କରିହେବ। ମଇଳା ପାଣିକୁ ରିସାଇକ୍ଲିଙ୍ଗ ତଥା ରିକ୍ଲିନିଙ୍ଗ କରି ସଫା ପାଣିରେ ପରିଣତ କରିହେବ।
ତମୋଗୁଣକୁ ରଜୋଗୁଣରେ ଏବଂ ରଜୋଗୁଣକୁ ସତ୍ତ୍ୱଗୁଣରେ ପରିଣତ କରିବାର ସାମର୍ଥ୍ୟ ଆମ ପାଖରେ ରହିଛି। ଆମର ଦୃଷ୍ଟିଭଙ୍ଗୀ ବଦଳିଗଲେ ଆମ ପାଇଁ ଦୃଶ୍ୟ ବଦଳିଯିବ। ଆମେ ସତ୍ତ୍ୱଗୁଣର ଯେତେ ଅଧିକାରୀ ହେବା ଆମକୁ ଅନ୍ୟମାନଙ୍କ ଭିତରେ ଥିବା ସତ୍ତ୍ୱଗୁଣ ସେତେ ଅଧିକ ଦିଶିବ। ଆମେ ଅନ୍ୟର ସତ୍ତ୍ୱଗୁଣକୁ ଦେଖି ତାକୁ ଦେଖାଇଦେଲେ ସେ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ତା’ ଭିତରେ ଥିବା ତମୋଗୁଣର ପରିବର୍ତ୍ତନ ପାଇଁ ମଧ୍ୟ ଚେଷ୍ଟା କରିବ। ଫଳସ୍ବରୂପ ତା’ ଭିତରେ ଥିବା ତମୋଗୁଣ ହ୍ରାସ ପାଇବ ଏବଂ ସତ୍ତ୍ୱଗୁଣ ବୃଦ୍ଧିପାଇବ। ଏହା କେବଳ ମନସ୍ତତ୍ତ୍ୱର କଥା ନୁହେଁ ଯୁକ୍ତିଯୁକ୍ତ କଥା ମଧ୍ୟ। ଲାଭ ହେବ ଏତିକି ଯେ ଆମେ ଅଯଥା ଦୁଃଖଯନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଦୁଃଖକଷ୍ଟରୁ ମୁକ୍ତି ପାଇବାରେ ସହାୟତା କରିପାରିବା। ମନେପଡେ ଏଇ ପରିପ୍ରେକ୍ଷୀରେ ଶ୍ରୀମାଙ୍କର କଥା ଯେ ଯଦି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହଁ, ତେବେ ପ୍ରଥମେ ନିଜ ଭିତରେ ଶାନ୍ତି ପ୍ରତିଷ୍ଠା କର। ନିଷ୍କର୍ଷରେ ଏତିକି କୁହାଯାଇପାରେ ଯେ ଆତ୍ମ ପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନର ଚାବିକାଠି। ବ୍ୟକ୍ତି କେତେ ଶାନ୍ତିରେ ରହିବ, କେତେ ଅଶାନ୍ତିରେ ରହିବ, କେତେ ସୁଖରେ ବା ଦୁଃଖରେ ରହିବ ତାହା ଆଜି ଆମର ସମ୍ପୂର୍ଣ୍ଣ ଆୟତ୍ତାଧୀନ ନ ହେଲେ ମଧ୍ୟ ଆମେ ଚେଷ୍ଟା କଲେ କିଛି ଅଂଶରେ ଦୁଃଖ ଓ ଅଶାନ୍ତି କବଳରୁ ମୁକ୍ତ ହୋଇପାରିବା। ନିଜେ ନିଜର ବନ୍ଧୁ ହୋଇପାରିବା।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର
ମୋ-୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri