ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ ଯେ, ଆଗକୁ ଓ ପଛକୁ ପହୁଣ୍ଡ ପକାଇ ବିଜେ ହେବାକୁ ପହଣ୍ଡି ବିଜେ କୁହାଯାଏ। ଜନମାନସରେ ଏହି ଧାରଣା ଅଦ୍ୟାବଧି ଅଛି ଯେ, କେବଳ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ସମୟରେ ଜଗନ୍ନାଥ ପହଣ୍ଡି ବିଜେ କରିଥାନ୍ତି। ସେଥିପାଇଁ ସେଦିନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଥିଲେ
ସ୍ନାନ ଗୁଣ୍ଡିଚା ଏ ବେନି ସ୍ବୟଂ ଲୀଳା ତା’ର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର।
ଏହା ଠିକ୍ ଯେ, ଉଭୟ ସ୍ନାନ ପୂର୍ଣ୍ଣିମା ଓ ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ପହଣ୍ଡି ବିଜେରେ ବାହାରୁଥିଲେ ମଧ୍ୟ ପ୍ରକୃତ ପକ୍ଷେ ମହାପ୍ରଭୁ ଛଅଥର ପହଣ୍ଡି ବିଜେ କରିଥାନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଦୁଇଥର, ଶ୍ରୀଗୁଣ୍ଡିଚା ଦିନ ଥରେ, ରଥ ଉପରୁ ଗୁଣ୍ଡିଚା ଘରକୁ ଯିବାଦିନ ଥରେ, ଗୁଣ୍ଡିଚାଘରୁ ରଥ ଉପରକୁ ଆସିବା ଦିନ ଥରେ ଏବଂ ରଥ ଉପରୁ ଶ୍ରୀମନ୍ଦିରକୁ ଯିବା ଦିନ ଅର୍ଥାତ୍ ନୀଳାଦ୍ରିବିଜେ ଦିନ ଥରେ, ଏହିପରି ମୋଟ ଛଅଥର ପହଣ୍ଡି ବିଜେ ହୋଇଥାନ୍ତି। ଶ୍ରୀଜୀଉମାନେ ଉପରଲିଖିତ ଦିନଗୁଡ଼ିକରେ ଯେଉଁ ପହଣ୍ଡିରେ ବିଜେ ହୁଅନ୍ତି, ତା’ର ସୂଚନା ନିମ୍ନରେ ପ୍ରଦତ୍ତ ହେଲା। ୧) ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜୀଉମାନେ ରତ୍ନସିଂହାସନରୁ ସ୍ନାନ ମଣ୍ଡପକୁ ଧାଡ଼ି ପହଣ୍ଡିରେ ବିଜେ ହୁଅନ୍ତି। ୨) ସେହି ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜୀଉମାନେ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ଗୋଟି ପହଣ୍ଡିରେ ବିଜେ ହୁଅନ୍ତି। ୩) ଶ୍ରୀଗୁଣ୍ଡିଚା ଦିନ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନେ ରଥାରୂଢ଼ ହୁଅନ୍ତି। ୪) ରଥ ଉପରୁ ଗୁଣ୍ଡିଚା ଗୃହକୁ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ବିଜେ ହୁଅନ୍ତି। ୫) ବାହୁଡ଼ା ଦିନ ଗୁଣ୍ଡିଚା ଘରୁ ଧାଡ଼ି ପହଣ୍ଡିରେ ଆସି ଶ୍ରୀବିଗ୍ରହମାନେ ରଥାରୂଢ଼ ହୁଅନ୍ତି। ୬) ନୀଳାଦ୍ରି ବିଜେ ଦିନ ଶ୍ରୀଜୀଉମାନଙ୍କୁ ରଥ ଉପରୁ ରତ୍ନସିଂହାସନକୁ ଗୋଟି ପହଣ୍ଡିରେ ବିଜେ କରାଯାଏ।
ପହଣ୍ଡି ଶବ୍ଦ ସଂସ୍କୃତ ଶବ୍ଦ ‘ପଦହୁଣ୍ଡନ’ରୁ ଆସିଛିି। ଏହାର ଅର୍ଥ ହେଲା- ଅଳ୍ପ ବ୍ୟବଧାନରେ ଧୀରେ ଧୀରେ ଚାଲିବା। ଧୀରେ ଧୀରେ ରହି ଅଥବା ଧୀରେ ଧୀରେ ଗତି କରିବା। କେହି କେହି ଏହାକୁ ପାହୁଣ୍ଡ ଶବ୍ଦର ଅପଭ୍ରଂଶ ବୋଲି ମଧ୍ୟ କହିଥାନ୍ତି। ସାଧାରଣ ଅର୍ଥରେ ଚାଲିବା ସମୟରେ ଦୁଇପାଦ ମଧ୍ୟସ୍ଥ ଦୂରତ୍ୱକୁ ପାହୁଣ୍ଡ କୁହାଯାଏ। ଏହି ପାହୁଣ୍ଡ କ୍ରମରେ ଠାକୁରମାନଙ୍କୁ ପହଣ୍ଡ ମଣାଇ ବିଜେ ବା ଗତି କରାଯାଉଥିବାରୁ ଏହାକୁ ସାଧାରଣ ବୋଲିରେ ପହଣ୍ଡି ବିଜେ ବୋଲି କୁହାଯାଏ। ପହଣ୍ଡି ଦୁଇ ପ୍ରକାର। (୧) ଧାଡ଼ି ପହଣ୍ଡି, (୨) ଗୋଟି ପହଣ୍ଡି। ବର୍ତ୍ତମାନ ଆମ ମନକୁ ଏହି ପ୍ରଶ୍ନ ସ୍ବାଭାବିକ ଆସେ ଯେ, ଧାଡ଼ି ପହଣ୍ଡି ଓ ଗୋଟି ପହଣ୍ଡି କହିଲେ ଆମେ କ’ଣ ବୁଝୁ? ସରଳ ଭାଷାରେ ବୁଝାଇ କହିଲେ, ଶ୍ରୀବିଗ୍ରହମାନଙ୍କୁ ଗୋଟି ଗୋଟି କରି ପହଣ୍ଡି ବିଜେ କରିବାକୁ ଗୋଟି ପହଣ୍ଡି କୁହାଯାଏ। ଅନ୍ୟପକ୍ଷେ ଠାକୁରମାନେ ଏକାଧିକ କ୍ରମେ ବିଜେ କରିବାକୁ ଧାଡ଼ି ପହଣ୍ଡି କୁହାଯାଏ।
ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଦୃଶ୍ୟ ଅତୀବ ରମଣୀୟ। ସେବକମାନଙ୍କ ମଣିମା’ ଡାକ, ଘଣ୍ଟୁଆମାନଙ୍କର ବିଭିନ୍ନ ଭଙ୍ଗୀରେ ଘଣ୍ଟବାଦନ, ତ୍ରିମୂର୍ତ୍ତିଙ୍କ ଉପରକୁ ଯାତ୍ରୀମାନଙ୍କର ପୁଷ୍ପ ବର୍ଷଣ ଶ୍ରୀଜଗନ୍ନାଥ ଓ ବଳଭଦ୍ର ପହଣ୍ଡି ବିଜେ କରୁଥିବା ବେଳେ ସେମାନଙ୍କ ମସ୍ତକରେ ଟାହିଆର ଢଳଢ଼ଳ ଦୃଶ୍ୟ ଯାତ୍ରୀଙ୍କର ହରିବୋଲ ଓ ହୁଳହୁଳିର ମଧୁର ଧ୍ୱନି ତଥା ଠାକୁରମାନଙ୍କ ଧୀର ମନ୍ଥର ଗତି ପରିବେଶକୁ ମଧୁମୟ କରିଦିଏ।
ଶ୍ରୀବିଗ୍ରହଙ୍କୁ ରଥାରୂଢ଼ କରିବା ଦୃଶ୍ୟ ଅତୀବ ରମଣୀୟ। ଠାକୁରଙ୍କ ଗଳଦେଶରେ ରଜ୍ଜୁ, କଟିରେ ରଜ୍ଜୁ, ମସ୍ତକ ଉପରିଭାଗରେ ବିଳମ୍ବିତ ରଜ୍ଜୁ, ଉରପାର୍ଶ୍ୱରେ ବେଣୀ ସଦୃଶ ଲମ୍ବି ଯାଇଥାଏ। ସେବକମାନେ ତାହାକୁ ଧରି ଆକର୍ଷଣ ଓ ବିକର୍ଷଣରେ ନଚାଇ ନଚାଇ ଠାକୁରଙ୍କୁ ରଥାରୂଢ଼ କରିବାର ପ୍ରୟାସ କରନ୍ତି। ଠାକୁରମାନଙ୍କ ଢଳିଢଳି ଯାତ୍ରା ଭକ୍ତମନରେ ଯେଉଁ ଭାବାବେଗ ସୃଷ୍ଟି କରେ, ତା’ର ବର୍ଣ୍ଣନା ସମ୍ପୂର୍ଣ୍ଣ ଅସମ୍ଭବ।
ଆମକୁ ମନେ ରଖିବାକୁ ହେବ ପହଣ୍ଡି ବିଜେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଅନେକ ନୀତି ସମ୍ପନ୍ନ ହୋଇଥାଏ। ସେଦିନ ପ୍ରତ୍ୟୁଷରୁ ପ୍ରଥମେ ଅଣସର ଗୃହ ଖୋଲାଯାଏ। ଏହା ପରେ ଅନ୍ୟାନ୍ୟ ନୀତି ହୋଇ ଶ୍ରୀଜୀଉଙ୍କ ପାଖେ ଖେଚୁଡ଼ି ଭୋଗ କରାଯାଏ। ଏସବୁ କାର୍ଯ୍ୟ ସମ୍ପନ୍ନ ପରେ ହିଁ ଶ୍ରୀତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ବାହାରନ୍ତି।
ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜୀଉମାନେ ରତ୍ନସିଂହାସନ ଛାଡ଼ିଦିଅନ୍ତି। ସାଧାରଣ ଅର୍ଥରେ ଏହାକୁ ‘ଚକାଛାଡ଼’ କୁହାଯାଏ। ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରତ୍ନସିଂହାସନ ଖାଲିପଡ଼େ। ସ୍ନାନ ପୂର୍ଣ୍ଣିମା ଦିନ ରତ୍ନସିଂହାସନରୁ ସ୍ନାନ ମଣ୍ଡପ, ସ୍ନାନମଣ୍ଡପରୁ ଅଣସର ଗୃହ, ଅଣସର ଗୃହରୁ ରଥଯାତ୍ରା ଦିନ ରଥ ଉପରକୁ ରଥରୁ ଗୁଣ୍ଡିଚା ଗୃହକୁ, ବାହୁଡ଼ା ଯାତ୍ରା ଦିନ ଗୁଣ୍ଡିଚା ମଣ୍ଡପରୁ ରଥ ଉପରକୁ ଶ୍ରୀଜୀଉମାନେ ବିଜେ କରନ୍ତି। ବାହୁଡ଼ା ପରଦିନ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ ଅନୁଷ୍ଠିତ ହୁଏ। ଏହା ପରେ ଅଧରପଣା ସରିବା ପରେ ଠାକୁର ନୀଳାଦ୍ରି ବିଜେ ଦିନ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ସ୍ନାନପୂର୍ଣ୍ଣିମା ଦିନ ସିଂହାସନ ଉପରୁ ଗର୍ଭଗୃହରୁ ଚଟାଣ ପର୍ଯ୍ୟନ୍ତ ଚାରମାଳ କୋଠସୁଅଁାସିଅଁାର ସେବକମାନଙ୍କ ଦ୍ୱାରା ନିର୍ମାଣ କରାଯାଏ। ନୀଳାଦ୍ରି ବିଜେ ଦିନ ଠାକୁରମାନେ ଚାରମାଳ ଦେଇ ରତ୍ନସିଂହାସନକୁ ବିଜେ କରନ୍ତି। ଏହାପରେ ଯାଇ ହିଁ ଚାରମାଳ ଫିଟାଯାଏ।
ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ରଥ ଉପରେ ବିଜେ ହୁଅନ୍ତି। ସେ ସାତ ପାହାଚ ଅତିକ୍ରମ କଲାପରେ ଶ୍ରୀବଳଭଦ୍ରଙ୍କ ରୁନ୍ଧା ଫିଟାଯାଏ। ଶ୍ରୀବଳଭଦ୍ର ସାତ ପାହାଚ ପାରି ହେଲା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୁଏ। ସେ ସାତ ପାହାଚ ଅତିକ୍ରମ କଲାପରେ ଶ୍ରୀଜଗନ୍ନାଥଙ୍କର ରୁନ୍ଧା ଫିଟାଯାଏ। ସାତପାହାଚଠାରେ ଶ୍ରୀବିଗ୍ରହମାନେ ଟାହିଆ ଲାଗି ହୁଅନ୍ତି। ଏହିପରି ଭାବେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇଥାଏ। ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଖୁବ୍ କମ୍ ସମୟ ମଧ୍ୟରେ ହୋଇଥିବା ବେଳେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ପହଣ୍ଡି ବେଶ୍ କିଛି ସମୟ ନେଇଥାଏ।
ସେବା ନିବୃତ୍ତ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର,
ଶବରସାହି, ଭୁବନେଶ୍ୱର
ମୋ:୯୪୩୮୦୭୨୮୫୦

