ବସନ୍ତ ଓ ଯୌବନ

ଉପେନ୍ଦ୍ର ବିଶ୍ୱାଳ

ଆମ୍ର ମୁକୁଳର ଆବେଗିକ ଆମନ୍ତ୍ରଣରେ ସମ୍ମୋହନ ହୋଇଉଠେ ବସନ୍ତ। ଅଧୀର ହୋଇ ଅନେଇଥାଏ ବାଗ୍‌ଦେବୀଙ୍କ ଆଗମନୀକୁ। ବିଦ୍ୟାଦାତ୍ରୀଙ୍କ ଆବାହନୀ ହେଲାକ୍ଷଣି ଧରାପୃଷ୍ଠକୁ ଓହ୍ଲାଇ ଆସେ ବସନ୍ତ। ସେଇଠୁ ସର୍ବତ୍ର ସ୍ନିଗ୍ଧତା ସବୁଜିମାର ସୁନ୍ଦର ସମାବେଶ ସହିତ ମନ୍ଦ ମଳୟର ମତୁଆଲା ସ୍ପର୍ଶ। ବେଶ୍‌ ବାରିହୁଏ ବସନ୍ତର କୋମଳ ଓ କମନୀୟ କାନ୍ତି। ସୁଖର ପସରା ନେଇ ଆସିଥିବା ବସନ୍ତ, ମନ୍ତ୍ରମୁଗ୍ଧ କରେ ସଭିଙ୍କୁ। ଋତୁରାଜଙ୍କ ସ୍ବାଗତ ବନ୍ଦନା କରେ କୋଇଲି। ମନ ମତାଣିଆ ସେ କୁହୁତାନ। ସତେ ଯେମିତି ଯମୁନା ତଟର ସେଇ କୁହୁକ ବଂଶୀ ସ୍ବନ; କାନରେ ବାଜିଲା କ୍ଷଣି ଅଥୟ ହେଉଥିଲେ ଗୋକୁଳର ଗୋପାଙ୍ଗନାଗଣ। ନାଚି ଉଠୁଥିଲା ଯମୁନାର ପାଣି। କୁହୁକ ବଂଶୀ ସ୍ବନପରି କୋଇଲିର ସଙ୍ଗୀତ ରାଗିଣୀରେ ଏତେ ମଧୁରତା ଭରି ରହିଥାଏ ଯେ ସ୍ବୟଂ ରାଧା-କୃଷ୍ଣ ବି ଓହ୍ଲାଇ ଆସନ୍ତି ଏ ମର୍ତ୍ତ୍ୟକୁ। ଆଉ, ପାଲିଙ୍କିରେ ବୁଲି ବୁଲି ଦେଖନ୍ତି ବସନ୍ତର ବର୍ଣ୍ଣାଳୀକୁ, ତା’ ମନଲୋଭା ବିଭାକୁ। ମନ୍ତ୍ରମୁଗ୍ଧ ହୋଇ ଶୁଣନ୍ତି କୋଇଲିର ପଞ୍ଚମ ତାନକୁ। ରକ୍ତିମ ଆଭାରେ ମଣ୍ଡିତ ହୋଇ ପଳାଶ ବି ତୋଳିଧରେ ବସନ୍ତର ବିଜୟ ଧ୍ୱଜାକୁ, ନିଜ ଚୂଳାରେ। ଏହିପରି ସମୟର ଗୀତ ଲେଖେ ବସନ୍ତ। ସାଧନା ଓ ସାନ୍ତ୍ୱନାର ସମୟ ହେଉଛି ବସନ୍ତ। ସେମିତି ବି ଯୌବନ ହେଉଛି ଜୀବନର ବସନ୍ତ। ଅର୍ଥାତ୍‌ ଯୌବନ ହେଉଛି ତାହା, ଯେଉଁଠି ଥାଏ ସୁନ୍ଦରତା ଆଉ ମଧୁରତା। ଯହିଁ ବିରାଜିତ ବିନମ୍ର ଭାବ ଓ କୋମଳ ଶୋଭା। ଯୁବା ହେଉଛି ସିଏ, ଯେ ବଳ-ବୁଦ୍ଧି-ଚରିତ୍ରର ଉପାସକ। ଯୁବା ସିଏ, ଯିଏ ସୁସ୍ଥ ସମାଜଟିଏ ପାଇଁ ସମର୍ପିତ। ଯୁବ ମନ ହେଉଛି ଶିବ ମନ, ଯିଏ ସଦା ସମାଜ ହିତୈଷୀ। ଜଗତର କଲ୍ୟାଣ ନିମନ୍ତେ କେବେ ଗରଳ ପାନ କରିପାରନ୍ତି ତ ଆଉ କେବେ ମୁଣ୍ଡ ବି ପତେଇ ଦେଇଥାନ୍ତି, ଭାରି ବୋଝକୁ (ଗଙ୍ଗା ମାତାଙ୍କ ପରି) ଧରି ରଖିବାକୁ। ଆଉ, ପୁଣି କେବେ ତାଣ୍ଡବ ବି ରଚିପାରନ୍ତି ଦାନବ ସଂହାର ପାଇଁ। ବୟସ ନୁହଁ, ଶୋଭା ହିଁ ସ୍ବୀକୃତି ଦିଏ ଯୁବାର।
ବଳ ଅପେକ୍ଷା ଲକ୍ଷଣ ହିଁ ସୂଚାଇଥାଏ ଯୁବା ପରିଚୟ। ଅତଏବ, ବଢି ଚାଲୁଥିବା ପାପାଚାର, ହିଂସା, ଅନୀତି, ଅନାଚାର ବିରୋଧରେ ଲଢ଼ିବା ପାଇଁ ଯିଏ ତତ୍ପର, ସିଏ ହେଉଛି ଅସଲରେ ଯୁବା। ମାତ୍ର ଆଜିର ଦିନରେ ଯୁବ ମାନସିକତା ଏଥିରୁ ଲକ୍ଷ୍ୟଚ୍ୟୁତ। ଯେଉଁଥିପାଇଁ କି ଗାନ୍ଧିଜୀ ବି ଦିନେ ଚିନ୍ତାବ୍ୟକ୍ତ କରିଥିଲେ। ଗାନ୍ଧିଜୀଙ୍କୁ ଥରେ ପଚରା ଯାଇଥିଲା – ଆପଣଙ୍କ ଦୃଷ୍ଟିରେ ଭାରତର ଆଶା ଓ ନିରାଶାର ଉତ୍ସ କ’ଣ? ତାଙ୍କର ମତ ଏମିତି ଥିଲା – ଯାବତୀୟ ଷଡ଼ଯନ୍ତ୍ର, ଶୋଷଣ, କଷଣ, ଅତ୍ୟାଚାର, ଚକ୍ରାନ୍ତ ସତ୍ତ୍ୱେ, ଆଜି ବି ଆଧ୍ୟାତ୍ମିକତା ଆମ ସମାଜରେ ଅକ୍ଷୁଣ୍ଣ ରହିଛି। ଏହା ହିଁ ଆମ ପାଇଁ ଆଶା ଓ ଆଶ୍ୱାସନାର ବିଷୟ। ମାତ୍ର, ଦିନକୁ ଦିନ ଭାରତୀୟ ତରୁଣ ନିଜର ସ୍ବାଭିମାନ ଓ ଆତ୍ମପ୍ରତ୍ୟୟ ଭୁଲିଯିବାରେ ଲାଗିଛି। ତା’ ଠାରେ ନପୁଂସକତା, ସ୍ବାର୍ଥପରତା ଗ୍ରାସ କରିବାରେ ଲାଗିଛି। ଏହା ହିଁ ନିରାଶାର ପ୍ରମୁଖ କାରଣ। ଯୁବ ସମାଜର ଚିର ଆଦର୍ଶ ସ୍ବାମୀ ବିବେକାନନ୍ଦଙ୍କ ଯୁବ ସମାଜ ପ୍ରତି ଆହ୍ବାନ ଓ ଆବେଦନ, ପ୍ରସଂଗକ୍ରମେ ଏଠାରେ ଉଲ୍ଲେଖ କରିବା ସମୀଚୀନ ମନେ ହୁଏ। ତାଙ୍କ ଶବ୍ଦରେ ”ବଳ ଓ ସାହସ ହିଁ ଜୀବନ। ଦୁର୍ବଳତା ହିଁ ଭୀରୁ। ସାମର୍ଥ୍ୟ ହିଁ ପୁରୁଷାର୍ଥ। ଏଣୁ ହେ ଯୁବା ବର୍ଗ, ପୁରୁଷାର୍ଥର ଉପାସନା କର। ଅନ୍ଧକାର ଆସିଲେ ଡର ନାହିଁ। ବରଂ ଅନ୍ଧାର ହଟେଇବାକୁ ଚେଷ୍ଟା କର। ପାରୁଛ ଯଦି ଆଦିତ୍ୟ ସମ ନିଜକୁ ପ୍ରତିଭାତ କର। ଈର୍ଷା ଓ ସ୍ବାର୍ଥପରତାଠାରୁ ମୁକ୍ତ ରୁହ। ସତ୍ୟ ଓ ମାନବତାକୁ ସାଥିକରି ଚିରକାଳ ମାତୃଭୂମି ପ୍ରତି ନିଷ୍ଠାବାନ୍‌ ହୋଇ ରୁହ। ଦେଖିବ, ସାରା ସଂସାର ତୁମକୁ ସହସ୍ର ସହସ୍ର ସଲାମ ମାରିବ।“ଯୁବାଙ୍କ ଠାରେ ଯେକୌଣସି କାମକୁ ପୂରା କରିପାରିବାର ଶକ୍ତି ରହିଛି। ସେମାନେ ଯେପରି ଚାହିଁବେ, ସେପରି କରିପାରିବେ। ଖାଲି, ଚାହିଁଲେ ହିଁ ହେଲା। ଯୁବା ସେହି ବ୍ୟକ୍ତି, ଯାହା ମଧ୍ୟେ ଏପରି ଉତ୍ସାହ ଥିବ, ଉଚ୍ଛ୍ବାସ ଥିବ। ଯେ କୌଣସି କାମ ପାଇଁ ପ୍ରସ୍ତୁତ ଥିବ। କିଛି କରି କି ଦେଖାଇବାର ଦୃପ୍ତ ମାନସିକତା ଥିବ।
ଯୌବନର ଉପଯୋଗ ହିଁ ଉତ୍କର୍ଷର ଉତ୍ସ। ଯୌବନର ସାଧନା ହିଁ ସିଦ୍ଧି ପ୍ରାପ୍ତିର ମାର୍ଗ। ବସନ୍ତର ଉଚ୍ଛ୍ବାସ ଓ ଉତ୍ସବ ଯେମିତି କ୍ଷଣିକ, ଯୌବନ ମଧ୍ୟ ସେମିତି। ଜନ୍ମ ସହିତ ଯୌବନ ଆସେନି କି ମୃତ୍ୟୁ ସହିତ ଯାଏନି। ଏହା ଆସିଥାଏ ଜୀବନର ମଝି ରାସ୍ତାରେ। ଏହାକୁ ବେପରୁଆ ଭାବେ ଅତିବାହିତ କରିବା ହେଉଛି ମୂର୍ଖାମି। ଜୀବନର ଏହି ମହାର୍ଘ୍ୟ ମୁହୂର୍ତ୍ତ ହେଉଛି ଏକ ପ୍ରକାର ଅତିଥି। ଅତିଥିର ଯଥାର୍ଥ ସତ୍କାରରେ ଆମର ଗରିମା ଯେପରି ବଢିଥାଏ, ଠିକ୍‌ ସେପରି, ଠିକ୍‌ ଢଙ୍ଗରେ ଓ ଖୁବ୍‌ ସତର୍କତାର ସହିତ ଯୌବନର ସତ୍କାର କଲେ, ଯଶବାନା ଉଡ଼େ ଜୀବନ ଦେଉଳରେ। ଆମ ସାମ୍ନାରେ ଦୁଇଟି ରାସ୍ତା – ବିଳାସ, ବ୍ୟସନ ପ୍ରତି ବିକଳ ହୋଇ ଦୌଡ଼ିବା ଅବା ଯୌବନର ସାମର୍ଥ୍ୟକୁ ଠିକ୍‌ ଉପଯୋଗ କରି ଜୀବନର ଜୟଗୀତି ରଚିବା। ଆମକୁ ଧ୍ୟାନ ଦେବାକୁ ହେବ ଯେ, ଘାସ ଉପୁଜାଇବା ପାଇଁ ଯତ୍ନବାନ ହେବା ଅପେକ୍ଷା ଫସଲ ଉତ୍ପନ୍ନ ପାଇଁ ଯତ୍ନଶୀଳ ହେଲେ ତାହା ଅଧିକ ଉତ୍କର୍ଷ ବର୍ଦ୍ଧକ ହେବ। ଅର୍ଥାତ୍‌ ତଥାକଥିତ ସୁଖ-ସଉକ, ଆମୋଦ-ପ୍ରମୋଦରେ ନ ମାତି, ସମୟ ଓ ଶକ୍ତିର ଠିକ୍‌ ଉପଯୋଗ କରି ସୁକୀର୍ତ୍ତି ପାଇଁ ଯତ୍ନବାନ ହେବା ଉଚିତ।
ଏ ଭୂମିରେ ଯୌବନର ଅମ୍ଳାନ ଗାଥା, ଗୌରବ ଗୀତି ଅନନ୍ୟ, ସୂର୍ଯ୍ୟସମ ଚିର ଭାସ୍ବତ। ଏଇ ଯେମିତି, ପ୍ରାୟ ଅଢେଇ ଲକ୍ଷ ଯୁବା ବିଳାସ-ବ୍ୟସନକୁ ବେଖାତିର କରି, ଯୌବନର ଉଲ୍ଲାସକୁ ପଦ ଦଳିତ କରି, ସାଜିଲେ ବୌଦ୍ଧ ସନ୍ନ୍ୟାସୀ। ବୃହତ୍ତର ଲକ୍ଷ୍ୟରେ ବୌଦ୍ଧ ସଂଘ ଓ ଧର୍ମର ପ୍ରସାର ପାଇଁ ଖେଦିଗଲେ ସାରା ଜଗତକୁ। ଯେଉଁମାନଙ୍କର ଉତ୍କର୍ଷତାର ଆଭା ବଳରେ ସେ ସବୁ ସ୍ଥାନରେ ଉଦ୍ଭାସିତ ହୋଇ ଚାଲିଛି ଭାରତୀୟ ଜୀବନ ଦର୍ଶନ। ବିଶାଳ ଯୁବା ବର୍ଗର ଉତ୍କର୍ଷତାର ଉପଲବ୍ଧି ସ୍ବରୂପ, ହିନ୍ଦୁ ଧର୍ମର ଅତ୍ୟନ୍ତ ଅନୁରାଗୀ, ବୌଦ୍ଧ ଶାଖାର ପ୍ରାୟ ଦଶଟି ଭୂଖଣ୍ଡ ଛିଡା ହୋଇପାରିଲା ସାରା ପୃଥିବୀରେ। ଜାଜ୍ୱଲ୍ୟଭରା ଯୁବା ଦୁନିଆରେ ଏମିତି ଅନେକ ଦୃଷ୍ଟାନ୍ତ ଭିତରୁ ଦୀନବନ୍ଧୁ ଆଣ୍ଡରୁଜ ହେଉଛନ୍ତି ଏକ ଆଦରଣୀୟ ଆଭା। ଅପରାଧୀଙ୍କ ବସ୍ତି ରୂପେ ଜଣାଶୁଣା ଥିଲା ଲଣ୍ଡନର କୁଲବର୍ଥ କ୍ଷେତ୍ର। ଏଠାକାର ଅଧିକାଂଶ ନିବାସୀ ଥିଲେ, ନିର୍ଦ୍ଧନ ଓ ଅଶିକ୍ଷିତ। ସେଠାକାର ପିଲାମାନେ ମଧ୍ୟ କୁସଂସ୍କାରୀ ହୋଇ ଯାଇଥିଲେ। ଏମିତି ଏକ ସମୟରେ ସେଠାରେ ଯାଇ ପହଞ୍ଚତ୍ଲେ ଅତି ଉଚ୍ଚଶିକ୍ଷିତ ଯୁବକ ଜଣେ। ସୁପ୍ରସିଦ୍ଧ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଉଚ୍ଚତମ ଡିଗ୍ରୀ ପ୍ରାପ୍ତ ତରୁଣଟି ସେଠାକୁ ଆସି ଲୋକଙ୍କ ସାଥିରେ ଅତ୍ୟନ୍ତ ଆତ୍ମୀୟତାର ସହିତ ମିଶିଲେ ଏବଂ ବିନା ପାରିଶ୍ରମିକରେ ସେମାନଙ୍କ ପିଲାଙ୍କୁ ପାଠ ପଢେଇ ଚାଲିଲେ। ଆପରାଧିକ ଦୁନିଆର ଅଶିକ୍ଷିତ ଥିବା ଏହି ପିଲାମାନେ, ସେଇ ଯୁବକଙ୍କର ସ୍ନେହରେ ବାନ୍ଧି ହେବା ସହିତ ଶିକ୍ଷାପ୍ରତି ଅଧିକରୁ ଅଧିକ ମନୋନିବେଶ କଲେ। ସମ୍ପୃକ୍ତ ଯୁବକଙ୍କର ପ୍ରଭାବରେ ସମୁଦାୟ ଅଞ୍ଚଳବାସୀ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲେ। ଯୁବକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଯେମିତି ବଢିବଢି ଚାଲିଲା, ସେମିତି ବି ଯୁବକଟିର ବିଚାରରେ ନିଜକୁ ସେମାନେ ବଦଳାଇବାକୁ ଲାଗିଲେ। ଏମିତି ଏକ ସୁଦିନ ଆସିଲା, ଅପରାଧୀଙ୍କ ଇଲାକା ଭାବେ ଅପଖ୍ୟାତ ଥିବା ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଅପରାଧ ମୁକ୍ତ ହୋଇଗଲା। ସେଇଠୁ ସେ କ୍ଷେତ୍ରର ମହକ ବ୍ୟାପିବାକୁ ଲାଗିଲା ଚାରିଆଡକୁ। ତା’ପରେ ସେହି ସମାଜ ସୁଧାରକ, ଯୁବପ୍ରାଣଟି ଭାରତକୁ ବାଛିନେଲେ ଭବିଷ୍ୟତ ଜୀବନର ବାସସ୍ଥାନ ଭାବେ। ଦୀନବନ୍ଧୁ ଆଣ୍ଡରୁଜ ନାମରେ ପ୍ରସିଦ୍ଧି ଲଭିଲେ ସେ ଏ ଭୂଖଣ୍ଡରେ। ବାସ୍ତବରେ ଏହା ହିଁ ହେଉଛି, ଜୀବନ-ବସନ୍ତର ଅମ୍ଳାନ କଥା ଓ ଯୌବନର ଯଶଗାଥା।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର। ମୋ-୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri