Posted inଫୁରସତ

ଆଧ୍ୟାତ୍ମିକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ

ବେଶ୍‌ କିଛି ବର୍ଷ ହେଲା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ଅନେକ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ସ୍ଥିତି ଦୋହଲି ଯାଇଥିବା ବେଳେ କେବଳ ଏହି ଗୋଟିଏ ମାତ୍ର ବ୍ୟବସାୟର ଅଭିବୃଦ୍ଧି ଘଟିଛି । ଏହି ବ୍ୟବସାୟ ହେଲା ଆଧ୍ୟାତ୍ମିକ ବ୍ୟବସାୟ । ଏବେ ଆଧ୍ୟାତ୍ମିକ ବ୍ୟବସାୟର ଡିମାଣ୍ଡ କାହିଁରେ କ’ଣ। ବହୁରାଷ୍ଟ୍ରୀୟ କମ୍ପାନୀ ଭଳି ଏମାନଙ୍କ ଥାଟ ବାଟଠାରୁ ମାର୍କେଟିଂ ଷ୍ଟାଇଲ ସବୁଥିରେ ଆଖିଦୃଶିଆ ନୂଆପଣ । ଲୋକଙ୍କ ମାନସିକ ଅଶାନ୍ତି ଯେତେ ବଢୁଛି ଏମାନଙ୍କ ଗ୍ରାହକ ସେତେ ବୃଦ୍ଧି ପାଉଛି । ଯୁଦ୍ଧ, ବେକାରି ସମସ୍ୟା, ଚାକିରିରେ ଅନିଶ୍ଚିତତା, ମାନସିକ ଅବସାଦ ଭଳି ସମସ୍ୟା ପୃଥିବୀର ସବୁ ଦେଶରେ ମହାମାରୀ ଭଳି ବଢ଼ିଚାଲିଛି । ତେଣୁ ମେରୁଠାରୁ ମରୁଭୂମି ପର୍ଯ୍ୟନ୍ତ ସବୁଠାରେ ଏବେ ଏଭଳି କମ୍ପାନୀଗୁଡ଼ିକ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି।

କୌଣସି କାରଣ ପାଇଁ ହେଉ କି ନ ହେଉ କିନ୍ତୁ ଆଧ୍ୟାତ୍ମିକ କମ୍ପାନୀଗୁଡ଼ିକର ସ୍ବଦେଶୀ ଜ୍ଞାନକୌଶଳର ଅଭିନବ ମାର୍କେଟିଂ ଶୈଳୀ ପାଇଁ ଆମ ଦେଶ ନିଶ୍ଚିତଭାବେ ବିଶ୍ୱଗୁରୁ । ମାଳ ମାଳ ବିଶ୍ୱଗୁରୁଙ୍କ ଦେଶରେ ଆଧ୍ୟାତ୍ମିକ କମ୍ପାନୀଗୁଡ଼ିକ ମାର୍କେଟିଂ ଶୈଳୀ ବିଶ୍ୱରେ ବିରଳ । ଏକ ଗବେଷଣାରୁ ଜଣାପଡ଼ିଛି କଲେଜର ପ୍ରଚଳିତ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଦ୍ୱାରା ସୃଷ୍ଟି ହେଉଥିବା ପୋଥି ବାଇଗଣମାନଙ୍କ ଅପେକ୍ଷା ଭାରତର ଆଧ୍ୟାତ୍ମିକ କମ୍ପାନୀଗୁଡ଼ିକରେ ଦୀକ୍ଷା ନେଇ ଶିକ୍ଷା ଲାଭ କରୁଥିବା ଛାତ୍ରୀଛାତ୍ରମାନଙ୍କ ବ୍ୟବହାରିକ ଜ୍ଞାନ ବହୁତ ଅଧିକ । ସେଥିପାଇଁ ଏବେ ଅଧିକାଂଶ ବିଦେଶୀ ଛାତ୍ରୀଛାତ୍ର ଭାରତୀୟ ଆଧ୍ୟାତ୍ମିକ କମ୍ପାନୀଗୁଡ଼ିକରେ ଶିକ୍ଷାନବିସ ଭାବେ ଯୋଗ ଦେଉଛନ୍ତି। ସେମାନଙ୍କ ଭିତରୁ ଅନେକେ ଏଠାରୁ ମାର୍କେଟିଂର ସୂକ୍ଷ୍ମ ଉପାୟମାନ ଶିଖିଲା ପରେ ସେମାନଙ୍କ ନିଜ ଦେଶରେ ମୂଳ କମ୍ପାନୀର ବ୍ରାଞ୍ଚ ଖୋଲିଲେଣି ।

ଅଛି ଭେକ ଦେଖି ଭିକ । ଆଉ ସେ ମନ୍ଦିର ପ୍ରାଙ୍ଗଣ ଚଉତରା ନାହିଁ କି ବାଉଁଶ ଓ ଦାଗଲଗା ଅସନା କନାର ଟେଣ୍ଟ ନାହିଁ । ତା’ ଜାଗାରେ ଶୀତତାପ ନିୟନ୍ତ୍ରିତ ସମ୍ମିଳନୀ ଗୃହ, ଲେଡି ରିସେପ୍ସନିଷ୍ଟ, ସୁଦୃଶ୍ୟ ଅଫିସ, ଗ୍ରାହକଙ୍କ ସୁବିଧା ପାଇଁ ହୋଟେଲ ଲଜିଂ ସ୍ବିସ କଟେଜ ଭଳି ଅତ୍ୟାଧୁନିକ ପଞ୍ଚତାରକା ବ୍ୟବସ୍ଥା। ଗ୍ରାହକ ନିଜ ସାମର୍ଥ୍ୟ ଦେଖି ବ୍ୟବସ୍ଥାର ଆନନ୍ଦ ନେଇପାରିବେ। ଆଗ ଭଳି ଥନ୍ତଲ ପେଟ, ଚନ୍ଦନ ଲେପା ଖାଲି ଦେହ, ଚନ୍ଦା ମୁଣ୍ଡିଆ ବୃଦ୍ଧ ବାବାଙ୍କ ଜାଗାରେ ଏବେ ହିରୋ ମାର୍କା ଯୁସ୍‌ ଆଧ୍ୟାତ୍ମିକ ସିଇଓ ଆସିଲେଣି । ବଡ଼ କମ୍ପାନୀ ଭଳି ସବୁ ଜିଲାରେ ଏମାନଙ୍କ ଏଜେଣ୍ଟ ନିଯୁକ୍ତ ହୋଇଛନ୍ତି । ଗ୍ରାହକଙ୍କୁ ନିଜ କମ୍ପାନୀ ପ୍ରତି ଆକୃଷ୍ଟ କରିବା ପାଇଁ ଏ ଏଜେଣ୍ଟମାନଙ୍କ କଥାରେ ବାଟୁଳି ବାଜେନି । ଗୋଟେ ନାମୀ କମ୍ପାନୀର ଏଜେଣ୍ଟ ଥରେ ମୋତେ କହିଲେ ଭାଇ ତୁମେ ଆମ କମ୍ପାନୀର ସିମେଣ୍ଟ ଗାଈ କ୍ଷୀର ପ୍ରତିଦିନ ଗିଲାସେ ପିଅ ଦେଖିବ ଅଳ୍ପଦିନ ଭିତରେ ଅଗା ବଗା ଖଗାରୁ ସିଧା ପ୍ରତିଷ୍ଠିତ ସାହିତି୍ୟକ ହୋଇଯିବ ।

ଦୁନିଆରେ ବହୁରାଷ୍ଟ୍ରୀୟ ଆଧ୍ୟାତ୍ମିକ କମ୍ପାନୀର ସିଇଓମାନଙ୍କ କାର୍ଯ୍ୟ ଶୈଳୀ ବି ବିଚିତ୍ର । ଏବେ ଗୋଟେ ନୂଆ କମ୍ପାନୀ ମାର୍କେଟକୁ ଆସିଛି । ଏହାର ଏଜେଣ୍ଟଙ୍କ ସହ ଥରେ ଦେଖା ହେଲା । ସେ କହିଲେ ତାଙ୍କ କମ୍ପାନୀ ମୁଖ୍ୟ କାଳେ ଖୋଦ ହନୁମାନଙ୍କ ସହ କଥା ହେଉଛନ୍ତି । ଲୋକ ତାଙ୍କ ନିଜ ସମସ୍ୟା କହିବା ପୂର୍ବରୁ ସେ ହନୁମାନଙ୍କୁ ପଚାରି କାଗଜରେ ଲେଖିଦେଉଛନ୍ତି ।

ତାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ । ସତରେ କ’ଣ ଏହା ସମ୍ଭବ । ଶୁଣିଥିଲି ହନୁମାନ ରାମଙ୍କ ପରମ ଭକ୍ତ ଥିଲେ । ହେଲେ ତାଙ୍କର ଲେଖା ଲେଖିରେ ଆଗ୍ରହ ଥିବା ଜାଣି ନ ଥିଲି । ମୋ କଥା ଶୁଣି କମ୍ପାନୀର ମାର୍କେଟିଂ ଏଜେଣ୍ଟ କହିଲେ ଖୋଦ ସାରଳା ଦାସ ପରା କହିଛନ୍ତି ମା’ ସରସ୍ବତୀ ତାଙ୍କ କଣ୍ଠରେ ବସି ମହାଭାରତ ଲେଖେଇଦେଲେ । ତେଣୁ ଯଦି ସ୍ବୟଂ ହନୁମାନ ଆମ ସିଇଓଙ୍କ ଦେହରେ ବିଜେ କରି ଲେଖିଦେଉଛନ୍ତି ତେବେ ଏତେ ଅବିଶ୍ୱାସ କ’ଣ ପାଇଁ । ଯଦି ସାରଳା ଦାସଙ୍କୁ ପ୍ରଶ୍ନ କରିନ ତେବେ ଆମକୁ ପ୍ରଶ୍ନ କରିବା ନିଶ୍ଚିତଭାବେ ଅନ୍ୟାୟ ।

ଉତ୍ସୁକତାବଶତଃ ମୋର କିଛି ସମସ୍ୟା ନେଇ ସେହି ସିଇଓଙ୍କ ପାଖକୁ ଯାଇଥିଲି । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଅଫିସର ପାନୀୟଠାରୁ ପରିସ୍ରାଗାର ପର୍ଯ୍ୟନ୍ତ ସବୁଥିରେ ଆଭିଜାତ୍ୟର ଛାପ । କେବଳ ନିଃଶ୍ୱାସ ନେବାକୁ ଛାଡ଼ିଦେଲେ ବାକି ସବୁ ପାଇଁ ମୂଲ୍ୟଦେବାକୁ ହେବ। ସମସ୍ତଙ୍କ ଗୋଚରାର୍ଥେ ଏକ ଦୀର୍ଘ ମୂଲ୍ୟସୂଚୀ ଫଳକ ଲଗାଯାଇଛି । ଜଣେ ଅଧିକାରୀ ମୋତେ ପ୍ରତୀକ୍ଷାଳୟକୁ ବାଟ କଢ଼େଇ ନେଲେ । ପ୍ରତୀକ୍ଷାଳୟରେ ବସିଥିଲା ବେଳେ ପାଖରେ ବସିଥିବା ଆଉ ଜଣେ ଗ୍ରାହକ ମୋ ସହ ଆତ୍ମୀୟତା ବଢ଼େଇ ମୁଁ କେଉଁଠୁ ଆସିଛି, କ’ଣ ସମସ୍ୟା ଅଛି ଇତ୍ୟାଦି ମୋ ବିଷୟରେ କଥା ଛଳରେ ସବୁ ବୁଝୁଥାନ୍ତି । ସେ ନିଜେ ମଧ୍ୟ କେତେ ଅସୁବିଧାରେ ପଡ଼ି ଏଇ କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ ଓ ଆଜି କମ୍ପାନୀ ଦୟାରୁ ଖୁସିରେ ଅଛନ୍ତି ବୋଲି କହିଲେ । ଅନେକ ସମୟ ଅପେକ୍ଷା କଲା ପରେ ଭିତରୁ ଡାକରା ଆସିଲା । ମୋତେ ଦେଖି ସିଇଓ କହିଲେ ମୁଁ ଜାଣିଛି ଆପଣ ଜଣେ ସାହିତି୍ୟକ । ଆପଣଙ୍କ ସମସ୍ୟା ବିଷୟରେ ମୁଁ ଅବଗତ । ତାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ । ଏ ତ ସାକ୍ଷାତ ତ୍ରିକାଳଦର୍ଶୀ । ତା’ ପରେ ସେ ଶୂନ୍ୟକୁ ଅନେଇ କାହା ସହ କଥାହେଲେ । ହଠାତ ଶୂନ୍ୟରୁ କିଛି ହାତମୁଠାରେ ଝାମ୍ପିନେଇ କାନ ପାଖରେ ରଖି ଶୁଣିବାର ଅଭିନୟ କଲେ । ତାପରେ କାଗଜରେ ଲେଖି ମୋତେ ଦେଖେଇ କହିଲେ ପଢ଼ନ୍ତୁ ଆପଣଙ୍କ ସବୁ ସମସ୍ୟା ବିଷୟରେ ଏଠି ଲେଖାଅଛି ।

ମୁଁ କାଗଜକୁ ଦେଖିଲି । ଆବୁରୁ ଜାବୁରୁ କରି କିଛି ଗାର ପଡିଛି । ଆମର ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଭଳି । ଯାହାକୁ କେବଳ ଔଷଧ ଦୋକାନୀ ହିଁ ବୁଝନ୍ତି । ମୁଁ କହିଲି ନା ଆଜ୍ଞା କିଛି ପଢ଼ିପାରୁନି । ସିଇଓ ହସିଲେ ଓ କହିଲେ ଏହା ଖୋଦ ହନୁମାନ ଦେବଲିପିରେ ଲେଖିଛନ୍ତି। ଆପଣ ସାଧାରଣ ଚର୍ମଚକ୍ଷୁରେ ଏହାକୁ ପଢ଼ି ପାରିବେ ନାହିଁ । ତାପରେ ସିଇଓ ନିଜେ ପଢ଼ି ଶୁଣେଇଲେ । ଆପଣଙ୍କ ସମସ୍ୟା ହେଲା ଆପଣ ଅନେକ ବର୍ଷ ଧରି ସାହିତ୍ୟ ରଚନା କରୁଥିଲେ ବି ଏଯାଏଁ ଆପଣଙ୍କୁ ଜଣେ ସାହିତି୍ୟକର ମାନ୍ୟତା ମିଳିଲା ନାହିଁ । ସାହିତ୍ୟ ତଥା ସାହିତି୍ୟକ ଓ ସାହିତି୍ୟକାମାନଙ୍କ ମେଳରେ ଆପଣଙ୍କ ଅତ୍ୟଧିକ ସମୟ ଅପଚୟ ହେତୁ ପାରିବାରିକ ଅଶାନ୍ତି ଓ ଦାମ୍ପତ୍ୟ କଳହ ହେଉଛି । ମୁଁ କହିଲି ଆଜ୍ଞା ହନୁମାନ ତ ସ୍ବୟଂ ଅନ୍ତର୍ଯ୍ୟାମୀ, ଏହାର ସମାଧାନର ଉପାୟ କୁହନ୍ତୁ । ସିଇଓ ପୁଣିଥରେ ଆଖିବୁଜିଲେ, ତାପରେ ହାତମୁଠାକୁ କାନ ପାଖରେ ରଖି ଶୁଣିବା ଅଭିନୟ କଲେ ଓ କାଗଜରେ କିଛି ଗାରେଇଦେଲେ । ମୋତେ କହିଲେ ହନୁମାନଜୀ କହୁଛନ୍ତି ସାହିତ୍ୟରେ ଆପଣଙ୍କ ଭବିଷ୍ୟତ ଅନ୍ଧାର । ଆପଣ ସାହିତ୍ୟ ଚାଷ ଛାଡି ଟମାଟୋ ଓ ପିଆଜ ଚାଷ କରନ୍ତୁ ଏଥିରେ ପରିବାରରେ ଖୁସି ଓ ଦାମ୍ପତ୍ୟରେ ପ୍ରେମ ବଢ଼ିବ । ମୁଁ ଆଉ କିଛି ପଚାରିବାକୁ ଚାହୁଁଥିଲି ହେଲେ ପାଖରେ ଥିବା କମ୍ପାନୀ ସହକାରୀ ଜଣଙ୍କ ବାରଣ କଲେ । କହିଲେ ଆପଣ ଯେତିକି ଟଙ୍କାର ରିଚାର୍ଜ କରିଥିଲେ ସେତିକିର ଟକ୍‌ ଟାଇମ ସରିଗଲା ।

ଆଉ ଥରେ କଥା ହେବା ପାଇଁ ପୁଣିଥରେ ରିଚାର୍ଜ କରିବାକୁ ପଡ଼ିବ । ବହୁ ପ୍ରଶିକ୍ଷିତ ଏଜେଣ୍ଟ ଶୁଙ୍ଘିକି କହିଦେବେ କେଉଁଲୋକ ତାଙ୍କ ନୂଆ ଶିକାର ହେବ । ଗ୍ରାହକ ଯୋଗାଡ଼ ପାଇଁ ସେମାନେ ପ୍ରତିଦିନ ନୂଆ ନୂଆ ଆଶାୟୀ ଗ୍ରାହକଙ୍କ ସନ୍ଧାନରେ ଥାଆନ୍ତି । ମୁଁ ସାହିତ୍ୟକୁ ନେଇ ଦେଖୁଥିବା ଦିବାସ୍ବପ୍ନକୁ ସାକାର କରିବା ପାଇଁ ଅନେକ କମ୍ପାନୀର ଏଜେଣ୍ଟଙ୍କ ହାବୁଡ଼ରେ ପଡିଛି । ଏମିତି ଥରେ ଗୋଟେ କମ୍ପାନୀର ସିଏମଡିଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଲି । ସିଏମଡି ପଚାରିଲେ ତୁମେ କି ପ୍ରକାର ସାହିତ୍ୟ ରଚନା କରୁଛ ? ମୁଁ କହିଲି ବ୍ୟଙ୍ଗ ସାହିତ୍ୟ । ସିଏମ୍‌ଡି କହିଲେ ତୁମ କୃପା ସେଇଠି ଅଟକିଛି। ହୃଦୟ ବିଦାରି ହେଲାଭଳି କାନ୍ଦୁରା ସାହିତ୍ୟ ଲେଖ। ପାଠକ ଛାତି ଭିତରେ କୋହ ଜମିଯିବା ଭଳି ପ୍ରେମ, ପ୍ରଣୟ, ପ୍ରତାରଣା ଓ ବିରହର କବିତା ଲେଖ ମା’ଙ୍କ କୃପା ବର୍ଷିବ ।

ବାଣ୍ଟୁଥିବା ଅନୁଷ୍ଠାନ, ତୁଙ୍ଗ ସମ୍ପାଦକଗଣ ତଥା ବିଦଗ୍ଧ ପାଠକମାନଙ୍କ ବୈମାତୃକ ଭାବରେ ଅତିଷ୍ଠ ହୋଇ ମୁଁ ଏବେ ସାହିତ୍ୟ ଫାଇତ୍ୟ ଉପରୁ ଆଶା ଛାଡ଼ିଦେଇଛି । ନିକଟରେ ଗୋଟେ ନାମୀ ବହୁରାଷ୍ଟ୍ରୀୟ ଆଧ୍ୟାତ୍ମିକ କମ୍ପାନୀର ଏଜେନ୍ସି ନେଇଛି । ଖୁବଶୀଘ୍ର ଯୋଗାଯୋଗ ସୁବିଧା ଓ ଭଲ ମୋବାଇଲ ନେଟୱର୍କ ଥିବା ନିରୋଳା ଜାଗାରେ ଆଶ୍ରମ ଖୋଲିବି ।
ସେଠାରେ ବିଳାସବ୍ୟସନର ସମସ୍ତ ସୁବିଧା ରହିବ । କେବଳ ଇଂଲିଶ ସ୍ପିକିଙ୍ଗ ଓ ହିନ୍ଦୀ ମୈ ବାତ୍‌ କରୁଥିବା ଓ ହ୍ବାଟ୍ସଆପ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ସୁନ୍ଦରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକିରି ଦିଆଯିବ । ନାଚଗୀତ ମାଧ୍ୟମରେ ବୋଧିତ୍ୱ ପ୍ରାପ୍ତିର ଶିକ୍ଷାଦେବା ସହ କମ୍ପାନୀ ଚିହ୍ନ ଥାଇ ଲକେଟ, ଡ୍ରେସ କ୍ୟାଲେଣ୍ଡର ଧୂପକାଠି ଇତ୍ୟାଦିର କୁଟୀରଶିଳ୍ପ ଖୋଲାଯିବାର ଯୋଜନା ରହିଛି । ଫେସ୍‌ବୁକ, ହ୍ବାଟ୍ସଆପ ଇନ୍‌ଷ୍ଟାଗ୍ରାମରେ ମୋ ବିଜ୍ଞାପନକୁ ଯେଉଁମାନେ ଲାଇକ ଶେୟାର କରିବେ ସେମାନଙ୍କୁ ଦଶ ପରସେଣ୍ଟ ରିହାତି ଅଫର ଦେବି ।

ଭାଷା ସାହିତ୍ୟର ଉନ୍ନତି ପାଇଁ ଅନେକ ଶ୍ରମ ଓ ସମୟ ନଷ୍ଟ କରିସାରିଲିଣି । ଯେତେଭଲ କଥା କହିଲେ ବି ଆମ ସାହିତି୍ୟକମାନେ ମୋ ଉପଦେଶକୁ ଗ୍ରହଣ କରୁନାହାନ୍ତି । ତେଣୁ ଆଗକୁ କେବଳ ଆଧ୍ୟାତ୍ମିକ କାର୍ଯ୍ୟରେ ମନୋନିବେଶ କରିବା ସହ ବିଶ୍ୱବାସୀଙ୍କୁ ସହଜ, ସରଳ ଓ ସୁଗମ ମୋକ୍ଷପ୍ରାପ୍ତି ପାଇଁ ପ୍ରବଚନ ଦେବି ।

-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?