ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ। ଅନେକ ବର୍ଷର ଅଧ୍ୟବସାୟ ପରେ କାମଟି ସମ୍ପୂର୍ଣ୍ଣ ହେବାରୁ ସେ ଆନନ୍ଦିତ ହେଲେ। ଦିନେ ସନ୍ଧ୍ୟା ସମୟରେ ସେ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ସେହି ପାଣ୍ଡୁଲିପିଟି ଦେଖାଇବା ପାଇଁ ନିଜ ଘରକୁ ନେଇ ଆସିଲେ। ମାତ୍ର ଟେବୁଲ ଉପରେ ପାଣ୍ଡୁଲିପି ନ ଥିଲା। ତାଙ୍କ ପତ୍ନୀ ଡିନା ଭାବୁଥିଲେ ତାଙ୍କ ସ୍ବାମୀ ଗୋଟିଏ ଅଯଥା କାମର ପ୍ରେମରେ ପଡ଼ି ବିଶ୍ରାମବିହୀନ ଜୀବନଯାପନ କରୁଛନ୍ତି ଓ ସ୍ବାସ୍ଥ୍ୟହାନି କରୁଛନ୍ତି। ଏହି ମୋହରୁ ତାଙ୍କୁ ମୁକୁଳାଇବା ପାଇଁ ସେ ସବୁ ପାଣ୍ଡୁଲିପିକୁ ନିଆଁରେ ପୋଡ଼ି ପାଉଁଶ କରିଦେଲେ। କୁପାର ସ୍ତବ୍‌ଧ ହେଲେ, ମାତ୍ର କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। କେବଳ ପତ୍ନୀଙ୍କୁ ଏତିକି କହିଲେ- ‘ଡିନା! ତୁମେ ମୋତେ ବଡ଼ କଷ୍ଟ ଦେଲ।’ ପୁଣି ଆରମ୍ଭ କଲେ ସଂକଳନ ଓ ଆଠ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ଅଭିଧାନଟି ପ୍ରସ୍ତୁତ କଲେ। ଜଣେ ସ୍ଥିତପ୍ରଜ୍ଞ ଭଳି ନିଜର ଶାନ୍ତି ଓ ସମତାଭାବ ବଜାୟ ରଖିଲେ। ଫଳରେ ଦଗ୍ଧ ପାଣ୍ଡୁଲିପି ଜୀବନ୍ୟାସ ପାଇଲା। ଅନୁତପ୍ତ ପତ୍ନୀ ମଧ୍ୟ ତାଙ୍କୁ ନୀରବରେ ସାହାଯ୍ୟ କଲେ। ବାକ୍‌ଶକ୍ତିର ଉପଯୁକ୍ତ ପ୍ରୟୋଗ ଓ ବାକ୍‌ସଂଯମ ଜୀବନରେ ଏହିଭଳି ଦୁଃଖଦ ଅନୁଭୂତିକୁ ପ୍ରଶାନ୍ତ ଭାବରେ ଗ୍ରହଣ କରିବା ପାଇଁ ଶକ୍ତି ଦିଏ।
ଗୌତମ ବୁଦ୍ଧ ଥିଲେ ଆତ୍ମସଂଯମର ମୂର୍ତ୍ତିମନ୍ତ ପ୍ରତୀକ। ଥରେ ସେ ଜଣେ ଗୃହସ୍ବାମୀଙ୍କ ଦ୍ୱାରଦେଶରେ ଭିକ୍ଷାପାତ୍ର ଧରି ଉପସ୍ଥିତ ହୋଇ ଭିକ୍ଷା ମାଗନ୍ତେ ଗୃହସ୍ବାମୀ ତାଙ୍କୁ କଟୁ ଭାଷାରେ ଭର୍ତ୍ସନା କଲେ। ବୁଦ୍ଧ ନୀରବରେ ସବୁ ଶୁଣିଗଲେ ଓ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା ନ ପାଇଁ ଗୃହସ୍ବାମୀ ଆହୁରି ରାଗିଗଲେ ଓ କହିଲେ, ”ତୁମେ ମୋ କଥାର ଜବାବ ଦେଉନ କାହିଁକି? ମୁଁ ଏତେ କଥା କହୁଛି, ତୁମକୁ କ’ଣ ବାଧୁନି?“ ବୁଦ୍ଧଦେବ କହିଲେ ”ମୁଁ ଯଦି ତୁମ ଉଦ୍ଦେଶ୍ୟରେ ମୋର ଏହି ଭିକ୍ଷାପାତ୍ରଟିକୁ ଅର୍ପଣ କରିବି ଓ ତୁମେ ତାକୁ ଗ୍ରହଣ ନ କର, ଏହି ପାତ୍ରଟି କୁଆଡ଼େ ଯିବ?“ ଗୃହସ୍ବାମୀ ଉତ୍ତର ଦେଲେ, ‘ତାହା ତୁମର ହୋଇ ରହିବ।’ ବୁଦ୍ଧ କହିଲେ, ”ଠିକ୍‌ ସେପରି ତୁମେ ମୋ ପ୍ରତି ଯେଉଁ କଟୁବାକ୍ୟ ପ୍ରୟୋଗ କରିଛ ମୁଁ ତାକୁ ଗ୍ରହଣ କରିନାହିଁ। ଏଣୁ ତାହା ତୁମ ପାଖରେ ରହିଲା।“ ଗୃହସ୍ବାମୀ ସ୍ତବ୍ଧ ହେଲେ। ସେହି ମୁହୂର୍ତ୍ତରେ ତାଙ୍କ ଚେତନାରେ ଏକ ବଡ଼ ପରିବର୍ତ୍ତନ ହେଲା। ସେ ହେଲେ ବୁଦ୍ଧଙ୍କ ଶିଷ୍ୟ। ଏହିଭଳି ଆତ୍ମସଂଯମ ସାଧନା କରି ଅନ୍ୟ କାହାରି ପ୍ରତି ଅସଦିଚ୍ଛା ଓ ଈର୍ଷାପୋଷଣରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ କରିପାରିଲେ ନିଜକୁ ନିରାପଦ ରଖିହୁଏ ଏବଂ ତଦ୍ଦ୍ବାରା ଅସୂୟାଭାବ ପୋଷଣ କରିଥିବା ବ୍ୟକ୍ତି ଅନୁତପ୍ତ ହୋଇ ସେ ନିଜର ଜୀବନଧାରାକୁ ପରିବର୍ତ୍ତନ କରେ।
ଦୈନନ୍ଦିନ ଜୀବନରେ ଆମେ ଯେତେ କଥା କହିଥାଉ ତା’ର ବହୁ ଅଂଶ ନ କହିଥିଲେ ଚଳିଥାନ୍ତା। ମାତ୍ର ଆମେ ଅନେକ ସମୟରେ ଅନାବଶ୍ୟକ ଭାବେ ବହୁ କଥା ଗପିଥାଉ ଓ ଆମର ଶବ୍ଦସ୍ଫୀତି ବେଳେବେଳେ ସମାଜରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ଓ ବେଳେବେଳେ ଜୀବନକୁ ବିପଦାପନ୍ନ କରେ। ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ରରେ ବର୍ଣ୍ଣିତ ଏହି ସମ୍ପର୍କିତ ଏକ କାହାଣୀ ଏକ ଭିନ୍ନ ରୂପରେ ପହଞ୍ଚତ୍ଥିଲା ଇଂଲଣ୍ଡରେ। ଚତୁର୍ଦ୍ଦଶ ଶତାବ୍ଦୀରେ କବି ଚସର୍‌ ‘କାଣ୍ଟରବରି ଟେଲସ୍‌’ରେ ବାକ୍‌ସଂଯମକୁ ଗୁରୁତ୍ୱ ଦେଇ ଲେଖିଲେ ଗୋଟିଏ ଗଞ୍ଜାର କାହାଣୀ। ଗୋଟିଏ ପଲ୍ଲୀରେ ବୁଢ଼ୀଟିଏ ପୋଷିଥାଏ ଏକ ଗଞ୍ଜା। ନାମଟି ତା’ର ଚଣ୍ଟିକ୍ଲିଅର୍‌। ତା’ର କଣ୍ଠର ସୁଲଳିତ ସଂଗୀତରେ ସମଗ୍ର ପକ୍ଷୀକୁଳ ମୋହିତ ହୁଅନ୍ତି। ମାତ୍ର ଗଞ୍ଜା ଉପରେ ଲୋଲୁପ ଦୃଷ୍ଟି ପକାଇଥାଏ ଏକ ଶୃଗାଳ। ଦିନେ ଶୃଗାଳ ତାକୁ କହିଲା ”ତୁମକୁ ଦେଖିଲେ ତୁମ ସ୍ବର୍ଗତ ପିତାଙ୍କ କଥା ମନେପଡ଼ିଯାଏ। ଯେତେବେଳେ ସେ କଣ୍ଠ ଖୋଲି ଗୀତ ବୋଲନ୍ତି ମୁଁ ଅଭିଭୂତ ହେଉଥାଏ। ତୁମେ ତାଙ୍କର କଳାକୁ ବଜାୟ ରଖିଛ।“ ଗଞ୍ଜାଟି ପୁଲକିତ ହେଲା ଓ ଆହୁରି ଉଚ୍ଚ ସ୍ବରରେ ଗୀତ ଗାଇବାକୁ ଚେଷ୍ଟା କଲା। ଶୃଗାଳ କହିଲା ”ମାତ୍ର ତୁମ ପିତା ସଂଗୀତ ଗାଇବା ବେଳେ ଆଖି ବନ୍ଦ କରୁଥିବାରୁ ଏକ ଅପୂର୍ବ ଭାବାବେଶ ସୃଷ୍ଟି ହେଉଥିଲା। ତାହା ଥିଲା ତାଙ୍କର ବିଶିଷ୍ଟ ଶୈଳୀ।“ ଗଞ୍ଜା ଆହୁରି ପୁଲକିତ ହୋଇ ଆଖି ଦୁଇଟି ବନ୍ଦକରି ଗୀତ ଗାଆନ୍ତେ ଶୃଗାଳ ତା’ ଉପରକୁ କୁଦିପଡ଼ି କାମୁଡ଼ି ଧରି ଅରଣ୍ୟ ଭିତରକୁ ଚାଲିଗଲା।
ଘଟଣା ବିଷୟରେ ମାଲିକାଣୀ ବୁଢ଼ୀ ଅବଗତ ହେଲାପରେ ତା’ର ଦଳବଳ ଧରି ଗଞ୍ଜାର ପୁନରୁଦ୍ଧାର ସକାଶେ ଶୃଗାଳର ଅନୁଧାବନ କଲା। ଶୃଗାଳ ପାଟିରେ ଥାଇ ଗଞ୍ଜାଟି କହିଲା, ”ଦେଖ ବନ୍ଧୁ! ଏହି ବୁଢ଼ୀ ଓ ତା’ ଦଳ କେତେ ଓଲୁ। ସେମାନେ ତୁମଭଳି ଶକ୍ତିଶାଳୀ ପଶୁର ଅନୁଧାବନ କରୁଛନ୍ତି। ତାଙ୍କୁ ଉପହାସ କରି କହି ଦେଉନ ଯେ ସେମାନଙ୍କ ଶ୍ରମ ବୃଥା ହେବ।“ ପୁଲକିତ ହେଲା ଶୃଗାଳ ଓ କହିଲା ‘ତୁମେ ଠିକ୍‌ କହୁଛ। ମୁଁ କହିଦେଉଛି।’ ସେ ମୁହଁ ଖୋଲିବା ମାତ୍ରେ ଗଞ୍ଜାଟି ତା’ ପାଟିରୁ ଖସି ଯାଇ ଗଛ ଉପରକୁ ଚାଲିଗଲା। ଶୃଗାଳ ତା’ର ମୂର୍ଖତା ପାଇଁ ଅନୁତାପ କଲା ଓ କହିଲା, ”ହେ ଅନିନ୍ଦ୍ୟ ଗାୟକ। ତୁମ ସହ ମୋ ସମ୍ପର୍କ ଏମାନେ କିପରି ବୁଝିବେ? ମୁଁ ଚାହୁଁଥିଲି ତୁମକୁ ନେଇ ନିକାଞ୍ଚନରେ ତୁମଠାରୁ ଗୀତ ଶୁଣିବି। ଆସ ଶୀଘ୍ର ପଳାଇବା। ତୁମେ ଗାଇବ ଓ ମୁଁ ଶୁଣିବି।“ ମାତ୍ର ଗଞ୍ଜା କହିଲା, ”ଆଉ ଧୂର୍ତ୍ତ ବୁଦ୍ଧିଦ୍ୱାରା ତୁମେ ମୋତେ ପ୍ରତାରଣା କରିପାରିବ ନାହିଁ। ମୁଁ ଯେତେବେଳେ ଆଖି ଖୋଲା ରଖିବା କଥା, ସେତେବେଳେ ଆଖି ବନ୍ଦ କରି ଦୁର୍ଦ୍ଦଶା ଭୋଗିଲି।“ ଶୃଗାଳ ମଧ୍ୟ କହିଲା, ”ମୁଁ ଯେତେବେଳେ ପାଟି ବନ୍ଦ କରିବା କଥା ସେତେବେଳେ ପାଟି ଖୋଲି ମୂର୍ଖାମି କଲି ଓ ତୁମକୁ ହରାଇଲି।“
କାହାଣୀଟି ଚମକତ୍ାର ଭାବରେ ସ୍ଥାନ କାଳ ପାତ୍ର ଅନୁସାରେ ବାକ୍‌ଶକ୍ତିର ଉପଯୋଗ କରିବା ଉପରେ ଚେତାବନୀ ଦେଇଛି। ଶାସ୍ତ୍ରରେ ଅଛି ”ବ୍ୟାଘ୍ରୀ ଯଥା ହରେତ୍‌ ପୁତ୍ରାନ୍‌ ଦ୍ରଂଷ୍ଟୟୋର୍ମଧ୍ୟେ ସଂସ୍ଥିତାନ୍‌। ଭୀତା ପତନଭେଦଭ୍ୟାଂ ତତ୍‌ବତ୍‌ ବର୍ଣ୍ଣାନ୍‌ ପ୍ରୟୋଜୟେତ୍‌।“ ଅର୍ଥାତ୍‌ ବ୍ୟାଘ୍ରୀ ନିଜ ଶାବକକୁ ଉପରତଳ ଦୁଇ ଦାନ୍ତ ମଧ୍ୟରେ ଅତି ସତର୍କତାର ସହ ବହନ କରେ, କାରଣ ଅନ୍ୟଥା ଶାବକ ଭୂଇଁକୁ ଖସି ପଡ଼ିବାର ଅଥବା ତା’ର ଦାନ୍ତ ଶାବକ ଶରୀରକୁ ଭେଦ କରି କ୍ଷତାକ୍ତ କରିବାର ଭୟ ଥାଏ। ଜଣେ ସଂଭ୍ରାନ୍ତ ଯୁବକ ଲଜ୍ଜାବଶତଃ ମହିଳାମାନଙ୍କ ସହ ମିଶି ପାରୁ ନ ଥିବାରୁ ଆତ୍ମଗ୍ଲାନି ଅନୁଭବ କରନ୍ତେ ଜଣେ ବନ୍ଧୁ ତାକୁ କହିଲେ, ”ପ୍ରଥମେ ମହିଳାଙ୍କ ବିଭିନ୍ନ ଜିନିଷକୁ ପ୍ରଶଂସା କରିବୁ। ସେ ବିବାହିତା ନା ନୁହେଁ, ତାଙ୍କର ପିଲାପିଲି କେତେ ଆଦି ସୌହାର୍ଦ୍ଦପୂର୍ଣ୍ଣ ପ୍ରଶ୍ନ ପଚାରିବୁ, ଦେଖିବୁ ସେ ନିଶ୍ଚୟ ତୋ ସଙ୍ଗେ କଥାବାର୍ତ୍ତା କରିବେ।“ ଦିନେ ଯୁବକଟି ଜଣେ ମହିଳାଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଇ ତାଙ୍କ ବ୍ୟାଗ୍‌ର ପ୍ରଶଂସା କଲା। ମହିଳାଟି ଖୁସି ବ୍ୟକ୍ତ କଲେ। ତା’ପରେ ସେ ପଚାରିଲା ”ଆପଣଙ୍କ ପିଲାପିଲି କେତେ? ମହିଳା ଜଣକ ଉତ୍ତର ଦେଲେ, ପୁଅଟିଏ, ଝିଅଟିଏ।“ ତା’ପରେ ସେ ପଚାରିଲେ, ‘ଆପଣ ବିବାହିତା?’ ସଙ୍ଗେ ସଙ୍ଗେ ଭଦ୍ରମହିଳା ଉତ୍‌କ୍ଷିପ୍ତ ହୋଇ ତାକୁ ଅଭଦ୍ର ବୋଲି କହନ୍ତେ ଯୁବକଟି ଚାଲି ଆସିଲା ଓ ତାକୁ ତାଲିମ ଦେଇଥିବା ବନ୍ଧୁଙ୍କ ପାଖରେ ସବୁକଥା କହିଲା। ବନ୍ଧୁ କହିଲେ ”ମୂର୍ଖ, ତୁ ସିନା ପ୍ରଥମେ ବିବାହ କଥା ପଚାରିଥାନ୍ତୁ। ତୁ କ୍ରମ ରକ୍ଷା ନ କରି ଅସୁବିଧାରେ ପଡ଼ିଲୁ।“ ଆଉ ଦିନକର କଥା। ସେ ଆଉ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଇ କଥା ପ୍ରସଙ୍ଗରେ ପଚାରିଲା, ‘ମ୍ୟାଡାମ୍‌ ଆପଣ ବିବାହିତା?’ ସେ କହିଲେ ‘ନା’। ତା’ପରେ ସେ ପଚାରିଲା ‘ଆପଣଙ୍କ ପିଲାପିଲି କେତେ?’ ମହିଳା ଜଣକ ଉତ୍‌କ୍ଷିପ୍ତ ହୋଇ ତାକୁ ଅଭଦ୍ର କହିଲେ ଓ ଗାଳି ବର୍ଷଣ କଲେ। ଯୁବକଟି ସଚେତନ ହେଲା ଓ ତାଙ୍କୁ କ୍ଷମା ମାଗି ଚାଲିଆସିଲା। ଏହା ଅବଶ୍ୟ ଯୁବକର ନିର୍ବୋଧତା ବା ନିରୀହତା ହୋଇପାରେ। ମାତ୍ର ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ମତରେ ଏ ପର୍ଯ୍ୟାୟରେ ନିରୀହତା ମଧ୍ୟ ଅଜ୍ଞାନତାର ଅଭିବ୍ୟକ୍ତି। ଏଣୁ ସତର୍କତା ଅବଲମ୍ବନ ନ କଲେ ପାଟିରୁ ଉଚ୍ଚାରିତ ଶବ୍ଦ ଅନ୍ୟକୁ ଆଘାତ ଦେବା ସଙ୍ଗେ ସଙ୍ଗେ ସମାଜରେ ବିଷମ ସମସ୍ୟା ସୃଷ୍ଟିକରେ ଓ ଶାନ୍ତିଭଙ୍ଗ କରେ। ଆମେ କହୁଥିବା ପ୍ରତ୍ୟେକ ଶବ୍ଦ ଆମର ଅନ୍ତଃକରଣରେ ଏକ ଅଲିଭା ଦାଗ ଛାଡ଼ିଯାଏ। ତାହା ଆମ ସ୍ବଭାବ ଓ ଚରିତ୍ର ନିର୍ମାଣ କରିବାରେ ସାହାଯ୍ୟ କରେ। ଏଣୁ ଭାରତୀୟ ଋଷିଗଣ ଶବ୍ଦ ଉଚ୍ଚାରଣ ଉପରେ ଅତ୍ୟନ୍ତ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ଛାନ୍ଦୋଗ୍ୟ ଉପନିଷଦରେ ବାକ୍‌କୁ ବ୍ରହ୍ମ କୁହାଯାଇଛି। ଏଣୁ ବାକ୍‌ର ଯଥାର୍ଥ ପ୍ରୟୋଗ ହିଁ ବ୍ରହ୍ମୋପସାନା।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?