Posted inଫୁରସତ

ସମ୍ବର୍ଦ୍ଧନା ବିସମ୍ବାଦ

ଆଜି ସକାଳେ କିଛି ଲୋକ ଆମ ଘରର ଠିକଣା ଖୋଜି ଖୋଜି ପରିଶେଷରେ ମୋ ପାଖରେ ପହଁଚିଗଲେ । ଆସନ୍ତା ରବିବାର ଏକ ସାହିତ୍ୟ ଉତ୍ସବରେ ମୋତେ ସମ୍ମାନିତ କରିବା ପାଇଁ ଆଗରୁ ଯୋଗାଯୋଗ କରିଥିଲେ। କିନ୍ତୁ କୋଭିଡ କଟକଣା ଯୋଗୁଁ ଉତ୍ସବ ଉପରେ ପ୍ରତିବନ୍ଧକ ଲାଗିବା ପରେ ଅନୁଷ୍ଠାନର କିଛି କର୍ମକର୍ତ୍ତା ଉପଢୌକନ ଓ ମାନପତ୍ର ଧରି ଘରେ ହାଜର । ଏ ଅନୁଷ୍ଠାନ ବିଷୟରେ ମୁଁ ଆଗରୁ ଶୁଣି ନ ଥିଲି । କେବଳ ଫୋନ ଦ୍ୱାରା ସୂଚନା ପାଇଥିଲି । ଏହି ଅନୁଷ୍ଠାନ କାଳେ କିଛି ଦିନ ତଳେ ସଦ୍ୟ ଗଢ଼ା ଯାଇଛି । ପ୍ରତିଭା ପୂଜନ ଏମାନଙ୍କ ଲକ୍ଷ୍ୟ । ଅବସ୍ଥା ଏବେ ଏମିତି କି ସକାଳେ ଚାହା ଖଟିରେ ଚାରି ପାଞ୍ଚଜଣ ସାଙ୍ଗଙ୍କ ଚାହା ପିଆ ସରିଲା ବେଳକୁ ଏକ ନୂତନ ଅନୁଷ୍ଠାନର ଅଙ୍କୁରରୋଦଗମ ହୋଇସାରିଥିବ। ମଧ୍ୟାହ୍ନ ସୁଦ୍ଧା ସାଙ୍ଗଠନିକ ବିଭାଗ ସହ ଦାୟିତ୍ୱ ବଣ୍ଟନ ସରିଥିବ । ସାରେ ଆପଣ ଖବର ପାଇବେ ସକାଳେ ପରିକଳ୍ପନା କରାଯାଇଥିବା ନୂତନ ସଙ୍ଗଠନର ଆସନ୍ତା ଏତେ ତାରିଖରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବା ସାଙ୍ଗକୁ ଅମୁକ ଅମୁକ ପ୍ରତିଭାମାନଙ୍କୁ ସାମ୍ମାନିତ କରାଯିବ । ପ୍ରତି ଉତ୍ସବରେ ଯଦି ଅନୁନ୍ୟ ଦଶ ଜଣ ପ୍ରତିଭା ସମ୍ମାନିତ ହେଉଥିବେ ତେବେ ଯେତିକି ଅନୁଷ୍ଠାନ ଏବେ ପ୍ରତିଭା ପୂଜନ କାମରେ ଲାଗିଛନ୍ତି ଦିନ ଆସିବ ଲଣ୍ଠନ ନେଇ ଖୋଜିଲେ ବି କେହି ଜଣେ ଅସମ୍ମାନିତ ପ୍ରତିଭା ମିଳିବେ ନାହିଁ ।

ଆଗକୁ ଯାହା ଲାଗୁଛି ପ୍ରତିଭା ପୂଜନ ଅନୁଷ୍ଠାନ ନିଜ ନିଜ ଭିତରେ ମାନପତ୍ର ଦିଆ ନିଆ ହେବେ। ତୁମେ ଆମ ଅନୁଷ୍ଠାନର ଲୋକଙ୍କୁ ପୁରସ୍କାର ଦିଅ ଆମେ ତୁମ ଅନୁଷ୍ଠାନର ଲୋକଙ୍କୁ ଦେବୁ । ଥରେ ରାଜ୍ୟର ଜଣେ ପ୍ରତିଷ୍ଠିତ ସାହିତି୍ୟକଙ୍କ ସହ ଦେଖା ହୁଏ । କଥାବାର୍ତ୍ତା ଭିତରେ ମୁଁ ସଦ୍ୟ ପୁରସ୍କାର ପାଇଥିବା ଆଉ ଜଣେ ପ୍ରତିଷ୍ଠିତ ସାହିତି୍ୟକଙ୍କ ବିଷୟରେ କହିଲା ବେଳେ ସେ ରାଗିଯାଇ ଅତ୍ୟନ୍ତ ଅଭଦ୍ରୋଚିତ ଭାଷାରେ ତାଙ୍କୁ ଗାଳି କଲେ । ମୁଁ ହଠାତ୍‌ କଣ ହେଲା ବୋଲି ଭାବି ଆଶ୍ଚର୍ଯ୍ୟ ହେବାରୁ ସେ କହିଲେ, ‘କୁହନି ଭାଇ ସେ କଥା । ତା’ ସହ ମୋର କଥାବାର୍ତ୍ତାରେ ସବୁ ଛିଣ୍ଡି ଥିଲା । ମୁଁ ତାକୁ ଆମ ଅନୁଷ୍ଠାନକୁ ଡାକି ସମ୍ବର୍ଦ୍ଧନା ଓ କୋଡିଏ ହଜାର ପୁରସ୍କାର ରାଶି ଦେବି । ବଦଳରେ ସେ ମୋତେ ତାଙ୍କ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରିବା ସହ ସେହି କୋଡିଏ ହଜାର ୱାପସି ଦେବ। ସେ ଚାଲୁ ଲୋକକୁ ଦେଖ । ଆଗୁଆ ଆମ ଅନୁଷ୍ଠାନକୁ ଆସି ମାନପତ୍ର, ଚଦର ଓ କୋଡିଏ ହଜାର ଟଙ୍କା ନେଇଗଲା କିନ୍ତୁ ତାଙ୍କ ଅନୁଷ୍ଠାନର ପ୍ରୋଗ୍ରାମ ବେଳେ ମୋତେ ଭୁଲିଗଲା ! ଟାଉଟର୍‌ କଣ ଗଛରେ ଫଳନ୍ତି ! ‘ମୁଁ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ । ଏହି ଅଗ୍ରଜ ସାହିତି୍ୟକ ମହୋଦୟ କିଛିଦିନ ପୂର୍ବରୁ ଫେଶବୁକରେ ଲେଖିଥାନ୍ତି – ‘ଆଜି କାଲି ନୂତନ ପିଢିର ଲେଖକମାନେ ଯେମିତି ପୁରସ୍କାର ପାଇଁ ବିକଳିଆ ହେଉଛନ୍ତି ତାକୁ ଦେଖି କଷ୍ଟ ହେଉଛି । ଏପରି ନିମ୍ନମାନର ବିକଳି ସାହିତି୍ୟକଙ୍କ ଯୋଗୁଁ ଆମ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଅନ୍ଧକାରମୟ ।

ନବପ୍ରତିଭାମାନେ ପୁରସ୍କାର ପଛରେ ନ ଧାଇଁ ସାଧନା କଲେ ପୁରସ୍କାର ଆପେ ତାଙ୍କ ପଛରେ ଦୌଡିବ।’
ଯାହାହେଉ ମୋତେ ସମ୍ମାନିତ କରିବାକୁ ଆସିଥିବା ଉଦ୍ୟୋକ୍ତା ମାନେ ଚା’ ଜଳଖିଆ ସାରି ଗଲାପରେ ଆମ୍ଭ ପତ୍ନୀଙ୍କୁ ଖୁବ ଆଗ୍ରହରେ କହିଲି,”ଦେଖିଲ ମୋତେ ଏବେ କେମିତି ସମ୍ମାନ ସବୁ ଘରେ ଆଣି ଦେଇଗଲେଣି ।’ ପତ୍ନୀ ମୁହଁ ବୁଲେଇ କହିଲେ -‘ଖାଲି ଛପା ମାନପତ୍ର ଓ ଗାମୁଛା ଖଣ୍ଡେ ଲେଖା ଦେଉଛନ୍ତି ନା କିଛି ମାଲ ପାଣି ବି ମିଳୁଛି ? କିଛି ନ ହେଲେ ଖଣ୍ଡେ ଭଲ ଗାମୁଛା ହେଲେ ଦିଅନ୍ତେ । ଯାହା ମିଳୁଛି ତାହା ଗାମୁଛାକୁ ବଡ଼ ଚଦରକୁ ଛୋଟ। ଉପରେ ପୁଣି ଥରେ ଧୋଇଦେଲେ ତାକୁ ନା ପିନ୍ଧି ହେବ ନା ଘୋଡେଇ ହେବ ।’ ଯାହା କୁହ ସ୍ତ୍ରୀଲୋକଙ୍କ ଦୌଡ଼ ଚୁଲି ମୁଣ୍ଡକୁ । ଜଡ଼ରୁ ମଣିଷ ବନିବା ପକ୍ରିୟା ଭିତରେ ଏମାନଙ୍କ ମୁଣ୍ଡ ସେହି ଅନୁପାତରେ ବିକଶିତ ହୋଇଥିବା ମୋତେ ଲାଗେନି । କିହୋ ଏଇ ଟିକକ ସମ୍ମାନ ପାଇବା ପାଇଁ କିଏ କେତେ କଣ କରୁଛନ୍ତି ଆଉ ୟାଙ୍କୁ ଚାଦର କଥା ପଡିଛି । ହଁ ମାନୁଛି ମାନପତ୍ର ସହ କିଛି କିଛି ଅର୍ଥ ଯଦି ଦିଆ ଯାଇପାରନ୍ତା ତେବେ ଅନ୍ତତଃ ଦୁସ୍ଥ ଲେଖକମାନଙ୍କୁ ସେମାନଙ୍କ ଘରେ ଅଧିକ ଲେଖିବା ପାଇଁ ପ୍ରୋତ୍ସାହନ ମିଳନ୍ତା । କିଛି ନହେଲେ ଅନ୍ତତଃ ଦର୍ଶକଙ୍କ ଜାଣିବା ପାଇଁ ମଞ୍ଚରେ ପୁରସ୍କାର ରାଶିର ବ୍ୟାଙ୍କ ଚେକ୍‌ ଦେଇ ପଛେ ମଞ୍ଚ ପଛପଟେ ଫେରସ୍ତ ନେଇଯାଆନ୍ତୁ ।

ଅବଶ୍ୟ ଏ ସବୁ ପୁରସ୍କାର ଅର୍ଥରାଶି ପ୍ରାପ୍ତିର ରହସ୍ୟ ଆଉ ରହସ୍ୟମୟ ହୋଇ ରହିନାହିଁ । ସଭାରେ ମାନପତ୍ର ପାଇଁ ଅପେକ୍ଷାରତ ଦୁଇ ପ୍ରତିଭା ପରସ୍ପରକୁ ଦେଖି ବୋଧେ ଏଇୟା ଭାବୁଥିବେ । ଯେଉଁ ସୁଗମ ପଥ ଦେଇ ତୁମେ ଏଇଠି ମୁଁ ମଧ୍ୟ ସେଇ ରାସ୍ତା ଦେଇ ଆସିଛି। ଦାନ୍ତୁରୀ ହସେନି ହସିଲେ ମୁହଁ ଲୁଚେଇ ହସେ । ତେଣୁ ଏତେ ଖୁସି ହେବା ଦରକାର ନାହିଁ । ମୁଁ ପୁରସ୍କାର ନେଲା ବେଳେ ତୁମେ ଫୋଟ ନେବ ତୁମେ ନେଲା ବେଳେ ମୁଁ ତୁମ ଫୋଟ ନେବି । ପରସ୍ପରକୁ କୋଳାକୋଳି ହୋଇ ଟେକାଟେକି କରିବା କଣ ନୂଆ କଥା ହୋଇ ଅଛି !! କଥାହେଲା ପୁରସ୍କାର ବାଣ୍ଟିବା ଅନୁଷ୍ଠାନମାନଙ୍କ ସଂଖ୍ୟା ଯେଉଁଭଳି ଅହେତୁକ ଭାବେ ବୃଦ୍ଧି ପାଉଛି ଦିନ ଆସିବ ରାଜ୍ୟର ପ୍ରତ୍ୟେକ ସାହିତି୍ୟକଙ୍କୁ ନିଶ୍ଚେ ଗୋଟିଏ କିମ୍ବା ଅଧିକ ମାନପତ୍ର ଦିଆସରିଥିବ । ଏପରିକି ଯଦି ଭବିଷ୍ୟତରେ କେହି ଜଣେ କେବଳ ସାହିତି୍ୟକ ହେବାର ସ୍ବପ୍ନ ଦେଖିଲା ତେବେ ତାର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଆଗୁଆ ମାନପତ୍ର ଖଣ୍ଡେ ମିଳିବା ଅସମ୍ଭବ ନୁହେଁ।

-ବନମାଳୀ ଭବନ, ଖାନ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri