Posted inଫୁରସତ

ଅଭିନୟ ଦେଇଛି ପରିଚୟ

ନିଶା ତାଙ୍କର ଅଭିନୟ ମାତ୍ର ପେସାରେ ଜଣେ ବହି ଦୋକାନୀ । ଦୀର୍ଘ ୫ ଦଶନ୍ଧି ଧରି ସେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି। ପୁଣି ଏକାଧିକ ନାଟକକୁ ନିର୍ଦ୍ଦେଶନା ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ ତାଙ୍କର ଅନେକ ସ୍ବପ୍ନ। ଥିଏଟର, ଅପେରା, ଟିଭି ସିରିଏଲ ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ରହିଛିି ଭିନ୍ନ ପରିଚୟ। ନାଟ୍ୟ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମେତ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଉମାକାନ୍ତ ସାହା। ଜନ୍ମ ୧୬ା୮ା୧୯୪୮ମସିହାରେ। ପିତା ବସନ୍ତ କୁମାର ସାହା। ମାତା ଭୁଲି ଦେବୀ। ଘର ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳର ସରଧା ଗାଁରେ। ସେ କୁହନ୍ତି-ସ୍କୁଲ ବୟସରୁ ଗାଁରେ ପାଲା ଦେଖିବାକୁ ଯାଏ । ତା’ ପରେ ଘରକୁ ଆସି ଘରେ ଲୁଚିଲୁଚି ଝାଡ଼ୁଧରି ଗୀତ ବୋଲୁଥିଲି। ଏମିତି ଅଭ୍ୟାସ ମଞ୍ଚ କ୍ଷେତ୍ର ପ୍ରତି ଆକୃଷ୍ଟ କରିଥିଲା । ବାପା ବି ଯେତେବେଳେ ଯେଉଁଠିକି ଯାତ୍ରା ନାଚ ଦେଖିବାକୁ ଯାଉଥିଲେ ମତେ ତାଙ୍କ ସାଥିରେ ନେଉଥିଲେ। ଏଥିଯୋଗୁ ନାଟକ ପ୍ରତି ଉତ୍ସାହିତ ହେଲି। ଗାଁରେ ଯେଉଁଠି ନାଟକଟିଏ ମଞ୍ଚସ୍ଥ ହୁଏ ସେଠାରେ ପହଞ୍ଚି ଯାଇଥାଏ। ସେତେବେଳେ ୫ମରେ ପଢୁଥିଲି। ମୋର ପ୍ରଥମ ଅଭିନୀତ ନାଟକ ଥିଲା ‘ଏକଲବ୍ୟର ଗୁରୁଦକ୍ଷିଣା’। ଏଥିରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲି। ଏହି ନାଟକକୁ ଦେଖିଥିବା ଦର୍ଶକମାନେ ମୋ ଅଭିନୟକୁ ଖୁବ ପ୍ରଶଂସା କରିଥିଲେ। ଏହା ମୋତେ ଆଗକୁ ପାଦ ପକାଇବାରେ ସହାୟକ ହୋଇଥିଲା। ଯେଉଁଠି ନାଟକହୁଏ ମୋ ଅଭିନୟ ଦେଖିବାକୁ ବାପା ସାଇକେଲ ନେଇ ସେଠାକୁ ଯାଉଥିଲେ। ଦିନଥିଲା କରଞ୍ଜିଆର ଏକ ଗାଁରେ ବାଉଁଶଖୁଣ୍ଟରେ ପେଟ୍ରୋମାକ୍ସ ଲାଇଟ ବାନ୍ଧି ମଞ୍ଚ ଆଲୋକିତ କରାଯାଉଥିଲା। ଆମେ ଅଭିନୟ କରୁଥିଲୁ। ଥରେ ଆଲୁଅ ଲିଭିଗଲା। ସେଠାରେ କେତେଜଣ ନାଟ୍ୟପ୍ରେମୀ ଧାଡ଼ିହୋଇ ମଶାଲ ଧରି ଠିଆହେଲେ। ଆମେ ସେହି ଆଲୁଅରେ ଅଭିନୟ କରିଥିଲୁ। ତୁରୁମୁଙ୍ଗା ଦଧିବାମନ ହାଇସ୍କୁଲରେ ପଢ଼ାସାରିବା ପରେ ଉଦଳା ଓ ଭଦ୍ରକ କଲେଜରେ ବିଏ ପାସ୍‌ କଲି। ଆମ ଗାଁର ୪/୫ଜଣ ସାଙ୍ଗ ଏକାଠି ହୋଇ କେତେବେଳେ ବସ୍‌ରେ ତ ପୁଣି କେତେବେଳେ ଟ୍ରେନ୍‌ରେ ନାଟକ ଦେଖିବାକୁ କଲିକତା ଯାଉଥିଲୁ। ଏଥିପାଇଁ ନିଜନିଜ ପକେଟମନିକୁ ଖର୍ଚ୍ଚ କରୁଥିଲୁ। କଲିକତାର ନନ୍ଦିକା ଫେଷ୍ଟିଭାଲକୁ ଦେଖି ଖୁସି ହେଉଥିଲୁ। ପୁଣି ଯେବେ ଦିଲ୍ଲୀ ଯାଏ ସେଠାରେ ଖବରକାଗଜ କିଣି ପଢୁଥିଲି କେଉଁଠି ଥିଏଟର ହେଉଛି ବୁଝି ସେଠାକୁ ବି ଯାଇ ଥିଏଟର ଦେଖେ। ଦିଲ୍ଲୀର ଲିଟଲ ଥିଏଟର ଗ୍ରୁପର ନାଟକ ଦେଖି ବେଶ୍‌ ଉତ୍ସାହିତ ହେଉଥିଲି । ନାଟ୍ୟ ନିର୍ଦ୍ଦେଶକ ଆଲେକଜାଣ୍ଡର ଡିନ୍‌ଙ୍କ ନାଟକ ବହି ପଢ଼ି ଅଧିକ ପ୍ରଭାବିତ ହୋଇଛି। ଯେତେବେଳେ ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢିଲି, ସେହି ସମୟରେ ସକାଳୁ ସକାଳୁ ଭୁବନେଶ୍ୱରରୁ କଟକ ମଧୁସୂଦନ ଲ’କଲେଜକୁ ଯାଉଥିଲି ପଢ଼ିବାକୁ, ପୁଣି କଟକରୁ ଦିନ ପ୍ରାୟ ୧୨ଟା ସୁଦ୍ଧା ବାଣୀବିହାରରେ ପହଞ୍ଚି ଇତିହାସରେ ଏମ୍‌ଏ ପଢୁଥିଲି। ଏଠାରେ ଅଧିତ୍କାଂଶ ସମୟ ନାଟକ ବହି ପଢ଼ିବାକୁ ପସନ୍ଦ କରୁଥିଲି । ବିଶ୍ୱଜିତ ଦାସଙ୍କ ସଙ୍କେତ ନାଟ୍ୟ ସଂସ୍ଥାରେ ସଦସ୍ୟଭାବେ ଯୋଗଦେଇ ମୃଗୟା ଓ ସମ୍ରାଟ ନାଟକରେ ଅଭିନୟ କରିଥିଲି । ମୋ ଅଭିନୀତ ନାଟକ ମଧ୍ୟରେ- ମୃଗୟା, ସମ୍ରାଟ, ପଦ୍ମତୋଳା, ପ୍ରତିବିମ୍ବ, କୌଣସି ଜଣେ ଗୌତମ, ବନ୍ଦ ଘଣ୍ଟାର ସମୟ, ବିଜୟୀ ପାଣ୍ଡବ, କିମ୍ବଦନ୍ତୀ, ସୁବର୍ଣ୍ଣ ଯୁଗର ସନ୍ଧ୍ୟା ଆଦି ନାଟକ ପରିଚୟ ଦେଇଥିଲା। ତେବେ ୧୯୬୩ ମସିହାରେ ମୋର ପ୍ରଥମ ନିର୍ଦ୍ଦେଶିତ ନାଟକ ମଞ୍ଚସ୍ଥ ହେଲା। ସେବେଠାରୁ ଆଉ ପଛକୁ ଫେରି ନାହିଁ। କଲିକତା, ଜାମ୍‌ସେଦପୁର, ମୟୂରଭଞ୍ଜ, ଭୁବନେଶ୍ୱର, କଟକ, ସୁନ୍ଦରଗଡ଼, ରାଉରକେଲା ଆଦି ଅନେକ ସ୍ଥାନରେ ନାଟକ ମଞ୍ଚରେ ଅଭିନୟ କରିସାରିଛି। ମଞ୍ଚ ନାଟକ ସହିତ ଦୂରଦର୍ଶନରେ ସଂପର୍କ ଧାରାବାହିକରେ ଜଣେ ଅବସରପ୍ରାପ୍ତ ପ୍ରିନ୍‌ସିପାଲ ଭୂମିକାରେ ଅଭିନୟ କରିଥିଲି, ଯାହା ମତେ ଭିନ୍ନ ପରିଚୟ ଦେଇଥିଲା। ପରେ ପ୍ରାୟଶ୍ଚିତ୍ତ, ଝୁମୁକା, ହରିଭାଇ ହାବିଲଦାର, ଅଦେଖା ଲୁହ ଓ ତପ୍ତ ଉପତ୍ୟକା ଆଦି ଟେଲିସିରିଏଲରେ ଅଭିନୟ କରିସାରିଛି। ସମାଜରେ ଜନସଚେତନତା ପାଇଁ ଅଭିନୟ ଏକ ବଳିଷ୍ଠ ମାଧ୍ୟମ। ଥରେ ଭୁବନେଶ୍ୱରରେ ଏକ ନାଟକ ‘ନଈର ଠିକଣା’ ମଞ୍ଚସ୍ଥ କରାଯାଇଥିଲା। ସେତେବେଳେ ଏହାର ନିର୍ଦ୍ଦେଶନା ଦେଇଥିଲି। ଅଭିନୟ କରୁଥିବା କଳାକାରଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଏବେ ବି ମୋର ମନେ ଅଛି- ସେଦିନ ଏହି ନାଟକର ଗୋଟିଏ ଦୃଶ୍ୟ ଏମିତି ଥିଲା, ଯାହାକି ବିନା ମ୍ୟୁଜିକ, ବିନା ସଂଳାପ, କେବଳ ନୀରବତାରେ ହିଁ ଦର୍ଶକଙ୍କ ମନଛୁଇଁ ଯାଇଥିଲା। ଏହି ନାଟକର ନିର୍ଦ୍ଦେଶନା ପାଇଁ ଅନେକେ ଏବେ ବି ମତେ ମନେରଖିତ୍ଛନ୍ତି। ନାଟ୍ୟ ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ୧୯୮୫ ଓ ୧୯୯୦ରେ ଶ୍ରେଷ୍ଠ ଅଭିନେତା, ୧୯୮୭ ଓ ୧୯୯୪ରେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କୃତ ହୋଇଛି। ୨୦୦୫ରେ ଓଡ଼ିଶା ସଙ୍ଗୀତ ନାଟକ ତରଫରୁ ପୁରସ୍କୃତ ହୋଇଛି। ବିନ୍ଦୁବଳୟ, କଲ୍ଲୋଳ, ସଙ୍କେତ ସଂସ୍ଥାରୁ ପୁରସ୍କୃତ ହୋଇଛି। ଉତ୍କଳ ସାମ୍ବାଦିକ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ-୧୯୯୫ରେ ପୁରସ୍କୃତ । ଏଯାଏ ପ୍ରାୟ ୪୭ଟି ନାଟକରେ ଅଭନୟ କରିସାରିଛି। ଏବଂ ପ୍ରାୟ ୨୮ଟି ନାଟକକୁ ନିର୍ଦ୍ଦେଶନା ଦେଇସାରିଛି। ନାଟକରେ ଉତ୍କଣ୍ଠା ରହିଲେ ତାହା ଦର୍ଶକଙ୍କ ମନଙ୍କୁ ଅଧିକ ବାନ୍ଧିରଖେ। ଭଲ ହୁଏ। ନାଟକରେ ଅଭିନୟ କରିବା ପୂର୍ବରୁ ଜଣେ ସାଧାରଣ ଦର୍ଶକ ଭାବେ ନାଟକକୁ ପଢ଼େ। ନାଟ୍ୟ ବିଷୟକୁ ନେଇ କଳାକାରଙ୍କ ଅଭିନୟ ପାଇଁ ବଛାଯାଇଥିବା ଚରିତ୍ରର ଭୂମିକାକୁ ନେଇ ସଂଳାପର ସ୍ବର, ଭାବଭଙ୍ଗୀ ପରିସ୍ଥିତି ଓ ପରିବେଶକୁ ନଜରରେ ରଖି ନିର୍ଦ୍ଦେଶନା ଦେଇଥାଏ। ପଲ୍ଲବୀ ଏକନାଟ୍ୟ ଅନୁଷ୍ଠାନଟିଏ ଗଢ଼ିଥିଲି। ଏବେ ବୟସ ଅଧିକ ହେବାରୁ ଆଉ ଅଭିନୟରେ ଯୋଗଦେଇପାରୁନାହିଁ। କିନ୍ତୁ ନାଟକ ପ୍ରତି ମୋର ଆଗ୍ରହ ସର୍ବଦା ରହିଛି। ବହିଦୋକାନରେ ବ୍ୟବସାୟ ଚାଲିଛି। ପରିବାରରେ ୨ଭାଇ ଓ ମୋର ୩ ଭଉଣୀ। ଏବେ ମୋର ପୁଅ, ଝିଅ ଓ ପତ୍ନୀଙ୍କୁ ନେଇ ମୋର ଛୋଟ ସଂସାର, କିନ୍ତୁ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଭିନ୍ନ ଏକ ସଂସାର।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri