ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ ରାଜ୍ୟ ସରକାରୀ ପେନ୍ସନର ମହାସଂଘର ଡାକରା କ୍ରମେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ କେ.ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତ୍ତା ସୁବାସ ଚନ୍ଦ୍ର ପାଢ଼ୀ, ଭବାନୀ ପାଢ଼ୀ, ରାଜକିଶୋର ଚୌଧୁରୀ, ସୀମାଞ୍ଚଳ ପାଠୀ, କାଳୁ ଚରଣ ପାଣିଗ୍ରାହୀ, ବିମ୍ବାଧର ବେହେରା, ଜନାର୍ଦ୍ଦନ ପଣ୍ଡା, ସୁବାସ ଚୌଧୁରୀ ପ୍ରମୁଖ ବହୁ ସଂଖ୍ୟକ ସଭ୍ୟ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଗତ ୨୦୨୫ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଭାଲିଡେସନ ଆକ୍ଟକୁ ପ୍ରତ୍ୟାହାର କରାଯିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏନପିଏସ୍, ୟୁପିଏସ୍ ବଦଳରେ ଓପିଏସ୍ ସ୍କିମରେ ପେନ୍ସନ୍ ପ୍ରଦାନ, ଗତ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅବସର ନେଇଥିବା ସମସ୍ତ ପେନ୍ସନ୍ଧାରୀଙ୍କୁ ଅଷ୍ଟମ ବେତନ କମିଶନରଙ୍କ ସୁପାରିସ ଅଧାରରେ ସମସ୍ତ ସୁବିଧା ପ୍ରଦାନ, ରାଜ୍ୟ ପେନ୍ସନ୍ଧାରୀଙ୍କୁ କେନ୍ଦ୍ରୀୟ ହାରରେ ମହଙ୍ଗା ଭତ୍ତା ବୃଦ୍ଧି, ଗତ କୋଭିଡ ସମୟର ୮ ମାସର ମହଙ୍ଗା ଭତ୍ତା ପ୍ରଦାନ, କମ୍ୟୁଟେଶନ ଅବଧି ୧୫ ବର୍ଷ ବଦଳରେ ୧୧ ବର୍ଷ କରାଯିବା, ବରିଷ୍ଠ ନାଗରିକଙ୍କ ରେଳ ଯାତ୍ରାରେ ଥିବା ରିହାତିକୁ ପୁନଃ ଲାଗୁ, ସମସ୍ତ ରାଜ୍ୟ ସରକାରୀ ପେନ୍ସନ୍ଧାରୀମାନଙ୍କୁ ଇନ୍ୟୁରାନ୍ସ ମାଧ୍ୟମରେ ଚିକିତ୍ସାସୁବିଧା ପ୍ରଦାନ, ପବ୍ଲିକ ସେକ୍ଟର ଅନୁଷ୍ଠାନଗଡ଼ିିକୁ ନିଜିକରଣ କରିବାରେ କ୍ଷାନ୍ତ ହିବା, ଅତି ସାଂଘାତିକ ୪ ଶ୍ରମ କୋଡ୍କୁ ବାତିଲ ଓ ନୂତନ ଶିକ୍ଷାନୀତି ୨୦୨୦କୁ ପ୍ରତ୍ୟାହାର କରାଯିବା ଆଦି ୧୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ବିଡିଓ ଅନାମିକା ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା।

