Posted inଫୁରସତ

ଶେଷ ଯାଏ ମୂର୍ତ୍ତି ଗଢୁଥିବି: କଳ୍ପତରୁ ମହାରଣା

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିରେ ପ୍ରାଣ। ନିହାଣ ମଗୁରରେ ପଥରକୁ ଖୋଦେଇକରି ଗଢ଼ିତୋଳନ୍ତି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ମୂର୍ତ୍ତି। ପଥରରେ ତିଆରି ସୁନ୍ଦର ସୁନ୍ଦର କଳାକୃତିକୁ ଦେଖିଲେ ମନେହୁଏ ସଜଫୁଟା ଫୁଲପରି ସତେଜ ଓ ଜୀବନ୍ତ। ଏପରି କଳାକାରିଗରିରେ ଶିଳ୍ପୀ ଖୋଜିଥାନ୍ତି ବିଭିନ୍ନ କାଳ୍ପନିକ, ପୌରାଣିକ ଓ ଐତିହାସିକ ବିଷୟ ଉପରେ ଆଧାରିତ କେତେକ ପ୍ରସଙ୍ଗ। ସେମିତି ଜଣେ ଶିଳ୍ପୀ ତାଙ୍କ ଗାଁ ପାଖ ପାହାଡ଼ ଓ ଜଙ୍ଗଲର ପ୍ରାକୃତିକ ଶୋଭା ତଥା ଐତିହ୍ୟଭରା ସ୍ମୃତିକୁ ସାଉଁଟି ପଥରରେ ତିଆରି କରନ୍ତି ନୂତନ କଳାକୃତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀଗୁରୁ କଳ୍ପତରୁ ମହାରଣା। ଜନ୍ମ ୨୬ା୮ା୧୯୫୪ରେ। ପିତା ଭୋଳି ମହାରଣା। ମା’ ସୁକଲତା ମହାରଣା। ଘର କଟକ ଜିଲାର ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ଗାଁରେ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱର କପିଳପ୍ରସାଦ ଅଞ୍ଚଳରେ। ସେ କୁହନ୍ତି, ବଢ଼େଇ କୂଳରେ ମୋର ଜନ୍ମ। ଆମର ପୂର୍ବଜମାନେ ଭଗବାନ ବୁଦ୍ଧଙ୍କ କେତେକ ପଥରମୂର୍ତ୍ତି ଗଢ଼ିଛନ୍ତି। ମା’ବାପାଙ୍କର ଆମେ ୪ପୁଅ ଓ ୩ ଝିଅ। ସେତେବେଳେ ଘରର ଆର୍ଥତ୍କ ଅବସ୍ଥା ଭଲ ନ ଥିଲା। ବିଭିନ୍ନ ପଥରମୂର୍ତ୍ତି କାମରେ ମୋ ବାପା କାମ କରୁଥିଲେ। ଗାଁ ଚାଟଶାଳୀରେ ପଢ଼ା ପରେ ସ୍କୁଲରେ ୯ମ ଯାଏ ପଢ଼ିଛି।

ସ୍କୁଲରୁ ଫେରିଲା ପରେ ବିଭିନ୍ନ ପଥର କାମ ପାଇଁ ଶିଳପୁଆ, ଖଲ, ଶିଳ ଆଦି କେତେକ ଘରକରଣା ପଥର ସାମଗ୍ରୀକୁ ତିଆରି କରିବା ଶିଖିଥିଲି। ସମୟକ୍ରମେ ମୂର୍ତ୍ତି ଗଢ଼ିବା ଶିଖିଲି। ପ୍ରଥମେ ବୁଦ୍ଧମୂର୍ତ୍ତି ଗଢ଼ିଥିଲିି। ସେତେବେଳେ ଥରେ ହସ୍ତକଳା ଡିଜାଇନର ନବକିଶୋର ସାହୁ ଏବଂ ଜଗନ୍ନାଥ ଦାସ ଆମ ମୂର୍ତ୍ତିଗଢ଼ିବା ସ୍ଥାନକୁ ଆସିଥିଲେ। ପ୍ରଥମେ ମତେ ଏହି କାର୍ଯ୍ୟରେ ଉତ୍ସାହିତ କରିଥିଲେ। ତା’ପରେ ସେମାନଙ୍କ ସହିତ କଥା ହୋଇ ୧୯୬୭ରେ ଭୁବନେଶ୍ୱରରେ ପହଞ୍ଚିଥିଲି। ଏହାପରେ ସେତେବେଳେ ଖଦି ବୋର୍ଡ଼ରେ ଥିବା ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ମୋ ମୂର୍ତ୍ତିଗଢ଼ିବା ଶୈଳୀକୁ ଦେଖି ମତେ ଅଧିକ ଉତ୍ସାହିତ କରିଥିଲେ। ୧୯୭୯ମସିହାରେ ହାଣ୍ଡିକ୍ରାଫ୍ଟ ସେଣ୍ଟରରେ ଇନ୍‌ସପେକ୍ଟର ଭାବେ ନିଯୁକ୍ତି ପାଇଥିଲି । ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପାଖରେ ରହି ତାଙ୍କଠାରୁ ଏହି ସ୍ଥପତି କଳାକାରିଗରି ସମ୍ପର୍କରେ ଅଧିକ ଶିକ୍ଷାଲାଭ ପାଇଁ ତାଲିମ ନେଇଥିଲି। ଏଥିପାଇଁ ବିଭିନ୍ନ ପୁରାଣଶାସ୍ତ୍ରକୁ ଅଧ୍ୟୟନ କରି ସେସବୁ ବିଷୟ ସମ୍ପର୍କରେ ଜାଣିଲି। ପଥର ଦେହରେ ବିଭିନ୍ନ ମୂର୍ତ୍ତିର ପ୍ରତିକୃତି କିପରି ଗଢ଼ିହେବ ସେଥିପାଇଁ ପ୍ରଥମେ ପ୍ରଥମେ ପଥରକୁ ମାପକରି ମୂର୍ତ୍ତି ସାଇଜ ନିମନ୍ତେ ଆକଳନ କରିଥାଉ। ଫର୍ମାଟ ଅନୁସାରେ ଆଉଟ ସାଇଜ କରୁ। ଆବଶ୍ୟକ ମୂର୍ତ୍ତିର ନମୁନା ମାପ ଅନୁସାରେ ଖୋଦନ କରିଥାଏ। ତା’ପରେ ଅଙ୍କନ ଅନୁସାରେ ମୂର୍ତ୍ତି ଗଢ଼ିଥାଉ। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ପ୍ରକାର ପଥରକୁ କିଣିବାକୁ ପଡ଼ିଥାଏ। ଧକୋଠ, ଖିଚିଂ, ବାଲେଶ୍ୱର, ଖୋର୍ଦ୍ଧା ଆଦି କେତେକ ଅଞ୍ଚଳରୁ ଏହି ମୂର୍ତ୍ତି ଗଢ଼ିବା ପଥରକୁ ସଂଗ୍ରହକରି ଆଣିବାକୁ ପଡ଼ିଥାଏ। ପଥର ଶିଳ୍ପୀ ଭାବେ ମୂର୍ତ୍ତିଗଢ଼ିବା ଅଭ୍ୟାସ ଜାରି ରହିଲା। ଆଜକୁ ପ୍ରାୟ ୬ଦଶନ୍ଧି ଧରି ଏମିତି ପଥରରେ ହସ୍ତଶିଳ୍ପର କଳାକୃତିକୁ ଗଢ଼ିଚାଲିଛି। ପ୍ରତିବର୍ଷ ମୋ ପାଖରୁ ଏକାଧିକ ଶିଷ୍ୟ ପଥରର ହସ୍ତକଳାକୁ ନେଇ ତାଲିମ ପାଇଥାନ୍ତି। ଯେଉଁ କାମଟିକୁ କରେ ସମ୍ପୂର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ରହିପାରେ ନାହିଁ ।

ଗୋଟିଏ କଥା ମନେପଡୁଛି ଥରେ ଦିଲ୍ଲୀରେ ଉତ୍କଳିକା ତରଫରୁ ଏକ ହସ୍ତଶିଳ୍ପ କଳା ପ୍ରଦର୍ଶନ ହୋଇଥିଲା। ହସ୍ତତନ୍ତ କଳାକୃତି ପ୍ରଦର୍ଶନରେ ମୋ ହାତଗଢ଼ା ଏକ ପଥରର (ଦୁର୍ବାସାଙ୍କ )ମୂର୍ତ୍ତିଟିଏ ସେଠାରେ ରଖାଯାଇଥିଲା। ଏହାକୁ ଆମେରିକାର ଜଣେ ବ୍ୟକ୍ତି ଦେଖି ଖୁସି ହୋଇପଡ଼ିଥିଲେ। ତାପରେ ସେଠାରୁ ସେହି ମୂର୍ତ୍ତିକୁ ସେ କିଣିକରି ନେଇଥିଲେ। କିନ୍ତୁ ଟ୍ରାନ୍‌ସପୋର୍ଟିଂରେ କାୈଣସି କାରଣରୁ ହୁଏତ କେମିତି ମୂର୍ତ୍ତିର ଅଗ୍ରଭାଗ ଚୂଳ ଟିକେ ଭାଙ୍ଗି ଯାଇଥିଲା। ମାତ୍ର ଆମେରିକାରେ ପହଞ୍ଚିଲା ପରେ ସେଠାରେ ସେହି ମୂର୍ତ୍ତିର ଏମିତି ଅବସ୍ଥା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ପରେ ସେହି ମୂର୍ତ୍ତିର ସେହି ଭଙ୍ଗା ଅଂଶକୁ ଧରି ସେହି ଦମ୍ପତ୍ତି ଭୁବନେଶ୍ୱରର ଶିଶୁପାଳଗଡ଼ଠାରେ ପହଞ୍ଚିଥିଲେ। ସେଦିନ ସେ ହସ୍ତଶିଳ୍ପକଳା ସେଣ୍ଟରରେ ରହି ବହୁତ ଖୁସି ହୋଇପଡ଼ିଥିଲେ । ଏହାପରେ ସେହି ମୂର୍ତ୍ତିକୁ ଯୋଡ଼ିବାର ମାପ କୌଶଳ ବତାଇ ଦେଇଥିଲୁ । ତାପରେ ସେ ଖୁସିିରେ ସେହି ମୂର୍ତ୍ତିର ଭଙ୍ଗାଅଂଶକୁ ନେଇ ଆମେରିକାକୁ ଫେରିଯାଇଥିଲେ। ଏକଥା ସବୁଦିନ ମନେ ରହିବ। ସେମାନଙ୍କଠାରୁ କଳା ପ୍ରତି ଥିବା ଉତ୍ସାହ ମତେ ଅଧିକ ପ୍ରେରଣା ଦେଇଛି। ଆବୁଧାବିରେ ଏକ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୭ଶହ ମୂର୍ତ୍ତିର ଆବଶ୍ୟକ ରହିଛି। ସେଥିପାଇଁ ଏବେ ସେହି କାମ ଚାଲିଛି। ପୂର୍ବରୁ ମୁଁ ମୋର ଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସହିତ ବିଭିନ୍ନ ସ୍ଥାନରେ ଯାଇ ଅନେକ ମୂର୍ତ୍ତି ଗଢ଼ିଛି। ୧୯୮୫ରେ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଶିଳ୍ପୀ ପୁରସ୍କାର, ୨୦୧୬ରେ ରାଜ୍ୟସ୍ତରୀୟ ଲଳିତକଳା ଏକାଡ଼େମୀରୁ ଶିଳ୍ପୀଗୁରୁ, ୨୦୧୪ରେ ତପସ୍ବିନୀ ପୁରସ୍କାର, ୨୦୧୯ରେ ଶ୍ରେଷ୍ଠଶିଳ୍ପୀ ସମେତ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଘରେ ପତ୍ନୀ ଗାୟତ୍ରୀ ମତେ ଏହି କ୍ଷେତ୍ରରେ ସହଯୋଗ କରିଥାନ୍ତି। ମୋର ଏକମାତ୍ର ପୁଅ ରୁଦ୍ରମାଧବ ଏହି କଳାପ୍ରତି ରୁଚି ରଖିଛି, ଗୀତ ବି ଗାଉଛି। ବିଭିନ୍ନ ପଥରର ମୂଲ୍ୟ ଭିନ୍ନଭିନ୍ନ ରହିଥାଏ । ସେଥିରେ ମୂର୍ତ୍ତିଗଢ଼ିଲେ ତା’ର ମୂଲ୍ୟ ବି ଭିନ୍ନ ରହିଥାଏ। ତେବେ ଏହି ପଥରମୂର୍ତ୍ତି ଗଢ଼ିବା କଳା ମତେ ଜଣେ ସ୍ଥପତିର ପରିଚୟ ଦେଇଛି। ଏଥିରେ ଆତ୍ମସନ୍ତୋଷ ମିଳୁଛି। ଜୀବନର ଶେଷ ଯାଏ ମୂର୍ତ୍ତି ଗଢ଼ିଚାଲିଥିବି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?