ପାଭେଲ: ଆତ୍ମହତ୍ୟା ନା ହତ୍ୟା

ରାୟଗଡ଼ାରୁ ସୁନୀତ୍‌ ମିଶ୍ର, ୨୯ା୧୨:  ଓଡ଼ିଶା ଭ୍ରମଣରେ ଆସିଥିବା ରୁଷିଆ ନାଗରିକ ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରାୟଗଡ଼ାଠାରେ ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରଥମରୁ ଯଦିଓ ଏହି ଘଟଣା ବାହାରକୁ ସେତେଟା ଜଣାପଡୁ ନ ଥିଲା, ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି କଥା ସାମ୍ନାକୁ ଆସିଥିଲା। ଅର୍ଥାତ୍‌ ୨୨ ତାରିଖରେ ବିଦାନୋଭ ଏବଂ ୨୪ରେ ପାଭେଲଙ୍କ ମୃତ୍ୟୁ ରାୟଗଡ଼ାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲରେ ଘଟିଥିବା ସତ୍ତ୍ୱେ ପୋଲିସ ଏବଂ ଜିଲା ପ୍ରଶାସନ ଏହି କଥାକୁ ସେତେଟା ଗୁରୁତ୍ୱର ସହକାରେ ନେଇ ନ ଥିଲେ। ୨ ବିଦେଶୀ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ ୨ ଦିନ ଅନ୍ତରରେ ହେବା ସତ୍ତ୍ୱେ ଓଡ଼ିଶା ପୋଲିସ ଅତି ହାଲୁକା ଭାବେ କାହିଁକି ଏହି କଥାଟିକୁ ନେଲା ତାହା ବୁଝାପଡ଼ୁନାହିଁ। ପରବର୍ତ୍ତୀ ସମୟରେ ଯେତେବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କଲା ଯେ, ପାଭେଲ ହେଉଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଜଣେ ଦୃଢ଼ ସମାଲୋଚକ ଏବଂ ସେଠାକାର ଏମ୍‌ପି ଓ ପ୍ରତିଷ୍ଠିତ ବ୍ୟବସାୟୀ, ନିକଟରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ନେଇ ପୁଟିନ୍‌ଙ୍କ ନିଷ୍ପତ୍ତିକୁ ପାଭେଲ କଡ଼ା ଭାଷାରେ ସମାଲୋଚନା କରି ଚର୍ଚ୍ଚାରେ ଥିଲେ, ଏହାପରେ ପୋଲିସ ହଠାତ୍‌ କିଛିଟା ତପତ୍ରତା ଦେଖାଇଲା। ସେତେବେଳକୁ ପାଭେଲଙ୍କ ମୃତ୍ୟୁକୁ ୩ ଦିନ ବିତିସାରିଥିବା ବେଳେ ତାଙ୍କ ମୃତଶରୀରକୁ ନେଇ ମଧ୍ୟ ଅଧିକ ତଦନ୍ତ ହେବା ପୂର୍ବରୁ ପୋଡ଼ିଦେଇଥିଲେ ବୋଲି ରାୟଗଡ଼ା ଟାଉନ ଥାନାର ଜଣେ ଏଏସ୍‌ଆଇ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ଏହି ଘଟଣା ଅଧିକ ସନ୍ଦେହ ବଢ଼ାଇ ଦେଇଛି। ବୁଧବାର ସକାଳ ୧୦ଟା ସମୟରେ ପ୍ରଥମେ ଆମେ ସାଇ ଇଣ୍ଟରନ୍ୟାଶନାଲ ହୋଟେଲରେ ପହଞ୍ଚି ପାଭେଲଙ୍କ ମୃତ୍ୟୁ ଘଟିଥିବା ସ୍ଥାନକୁ ଯାଇଥିଲୁ। ପାଭେଲଙ୍କ ମୃତ ଶରୀର ଯେଉଁଠି ପଡ଼ିଥିଲା ସେଠାରେ ବିନ୍ଦୁଟିଏ ମଧ୍ୟ ରକ୍ତ ଦେଖିବାକୁ ମିଳି ନ ଥିଲା। ଏମିତିକି ସେଠାରେ ବହୁ ବଡ଼ ଆକାରର ଲୁହା ଯନ୍ତ୍ରପାତି ପଡ଼ିଥିବା ସତ୍ତ୍ୱେ ପାଭେଲ ତାହା ଉପରେ ପଡ଼ି ନ ଥିଲେ ବୋଲି କୁହାଯାଉଛି। ହେଲେ ମୃତ୍ୟୁ ଘଟିଥିବା ସ୍ଥାନ ଦେଖିଲେ ଏହା ସେତେଟା ସମ୍ଭବପର ଲାଗୁନାହିଁ ା ଅନ୍ୟପଟେ ପାଭେଲ ତାଙ୍କ ରୁମ୍‌ରୁ ମୃତ୍ୟୁ ସ୍ଥାନରେ ପଡ଼ିବା ସମ୍ଭବପର ନୁହେଁ । କାରଣ ରୁମ୍‌ର ସବୁ ଝରକାରେ ଗ୍ରୀଲ୍‌ ପୂର୍ବଭଳି ଥିଲା। ତେଣୁ ସେଠାରୁ ସେ ଡେଇଁବା ସମ୍ଭବପର ହୋଇ ନ ପାରେ। ଯଦି ଦୁଇ ମହଲା ଉପରୁ ପାଭେଲ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାନ୍ତି ତେବେ ମୃତ୍ୟୁ ସ୍ଥାନକୁ ଦେଖିଲେ ସେହି କଥାକୁ କେହି ବିଶ୍ୱାସ କରିବେ ନାହିଁ । ତେବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପାଭେଲଙ୍କ ମରଶରୀର ଯେଉଁଠି ମିଳିଥିଲା ସେହି ସ୍ଥାନକୁ ଏ ପର୍ଯ୍ୟନ୍ତ ସିଲ୍‌ କରାଯାଇନାହିଁ। ତେବେ ସେଠାରେ ଆମେ ଥିବା ସମୟରେ ମଧ୍ୟ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡ ଜାଗା ଛାଡ଼ି ଚାଲିଯିବାକୁ କହିଥିଲେ। ଏହାପରେ ହୋଟେଲ ମ୍ୟାନେଜର କୌଶିକ ଠାକେର୍‌ ପହଞ୍ଚି ସେଠାରୁ ଚାଲିଯିବାକୁ ନିବେଦନ କରିଥିଲେ। ତେବେ ପାଭେଲଙ୍କ ମୃତ୍ୟୁ ବିଷୟରେ ତାଙ୍କଠାରୁ ଜାଣିବାକୁ ଚାହିଁଥିଲୁ । ପାଭେଲଙ୍କ ମୃତ୍ୟୁ ସମୟରେ ସେ କାର୍ଯ୍ୟରେ ନ ଥିଲେ ଏବଂ ତାଙ୍କ କର୍ମଚାରୀମାନେ ମଧ୍ୟ କିଛି ଦେଖିନାହାନ୍ତି ବୋଲି କହି ସେ କଥାରୁ ଦୂରେଇଯିବାକୁ ଚେଷ୍ଟା କରିଥିଲେ ।

ସେଠାରୁ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ଏସ୍‌ପିଙ୍କ କାର୍ଯ୍ୟାଳୟରେ ପ୍ରାୟ ୧୨ଟା ୧୫ ମିନିଟ୍‌ ସମୟରେ ପହଞ୍ଚିଥିଲୁ। ଭିଡିଓ କନ୍‌ଫରେନ୍ସରେ ବ୍ୟସ୍ତ ଥିବାବେଳେ ଦିନ ୧ଟା ବେଳକୁ ଏସ୍‌ପି ବିବେକାନନ୍ଦ ଶର୍ମା ଭେଟିବା ପାଇଁ ଡାକିଥିଲେ । ତେବେ ଫରେନ୍‌ ରେଜିଷ୍ଟ୍ରେଶନ ଆକ୍ଟ ଅନୁଯାୟୀ ଏସ୍‌ପି ହେଉଛନ୍ତି ବିଦେଶୀ ପର୍ଯ୍ୟଟକଙ୍କ ରିପୋର୍ଟିଂ ଅଫିସର। ଏହି ନିୟମ ବିଷୟରେ ଏସ୍‌ପି ମଧ୍ୟ ଅବଗତ ଥିବା କହିଥିଲେ। ତେବେ ଏହି ନିୟମ ଅନୁଯାୟୀ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ୨୪ ଘଣ୍ଟା ମଧ୍ୟରେ ଏସ୍‌ପିଙ୍କ ହସ୍ତଗତ ହେବା କଥା । ଜିଲା ଗୋଇନ୍ଦା ବିଭାଗ କେଉଁ ବିଦେଶୀ ପର୍ଯ୍ୟଟକ ତାଙ୍କ ଜିଲାରେ ଅଛନ୍ତି ତା’ର ରିପୋର୍ଟ ରଖିବା କଥା । ତେବେ ଏ ନେଇ ସେ ତଥ୍ୟ ରଖିଛନ୍ତି ନା ନାହିଁ ବୋଲି ପଚାରିବାରୁ ଏସ୍‌ପି କହିଛନ୍ତି, ବିଦେଶୀ ପର୍ଯ୍ୟଟକମାନେ ଭାରତରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ତଥ୍ୟ ଦେଇଥାନ୍ତି ।

ପାଭେଲ ଯେତେବେଳେ ଆସିଥିଲେ ପ୍ରଥମେ ଦାରିଙ୍ଗବାଡ଼ିରେ ଥିଲେ। ତେଣୁ ସେଠାକାର ଏସ୍‌ପିଙ୍କୁ କିଛି ଚିଠି ଆସିଥାଇପାରେ। ଜଣେ ପର୍ଯ୍ୟଟକ ବୁଲିବା ଉଦ୍ଦେଶ୍ୟରେ ଆସି କାହିଁକି ଏତେ ରିପୋର୍ଟ ଦେବେ। ତେବେ ଜିଲା ଗୋଇନ୍ଦା ଡେସ୍କ ଦାୟିତ୍ୱରେ ଥିବା ସୁଦାମ ମଲିକଙ୍କୁ ଏସ୍‌ପି ଡକାଇ ପର୍ଯ୍ୟଟକଙ୍କ ରିପୋର୍ଟ ଆସିଛି ନା ନାହିଁ ପଚାରିଥିଲେ। ଏହି ସମୟରେ ମଲିକ କହିଥିଲେ, ଯେଉଁ ଥାନା ଅଧୀନରେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ରହିଛି ସେମାନେ ବିଦେଶୀ ପର୍ଯ୍ୟଟକଙ୍କ ଆସିବା ଓ ଯିବା ସମୟ ଏବଂ କେଉଁଆଡ଼େ ଯିବେ ତାହାର ତଥ୍ୟ ଦେବା କଥା, ହେଲେ ସେମାନେ ଦେଇନାହାନ୍ତି ା ଏଥିରୁ ବୁଝାପଡ଼ୁଛି ଯେ, ପୋଲିସ ନିଜର କାର୍ଯ୍ୟରେ ପ୍ରବଳ ହେଳା କରିଛି। ତେବେ ଏସ୍‌ପି ସଙ୍ଗେ ସଙ୍ଗେ ସେ କଥାକୁ ଅଲଗା ଆଡ଼କୁ ନେଇଯାଇଥିଲେ ଏବଂ ସେହି ରିପୋର୍ଟର ଗୁରୁତ୍ୱ ନ ଥିବା ଭଳି ମତ ରଖିଥିଲେ। ତେବେ ପାଭେଲଙ୍କ ସହିତ ଆସିଥିବା ଅନ୍ୟ ଦୁଇ ପର୍ଯ୍ୟଟକ ତୁରଭ ମିଖାଇଲ ଏବଂ ପାନାସାଙ୍କୋ ନାତାଲିଆ(ଦମ୍ପତି) ସେମାନଙ୍କୁ କାହିଁକି ଏଠାରୁ ପଠାଇଦିଆଗଲା ବୋଲି ପଚାରିବାରୁ ଏସ୍‌ପି କହିଛନ୍ତି ସେମାନଙ୍କୁ କାହିଁକି ଜବରଦସ୍ତି ରଖାଯାଇଥାନ୍ତା। ସେମାନେ ଯିବାକୁ ଚାହିଁଲେ, ତେଣୁ ଛାଡ଼ି ଦିଆଗଲା। ସେମାନେ ପୋଲିସକୁ ପ୍ରଶଂସା କରିବା ସହିତ ସାହାଯ୍ୟ ମଧ୍ୟ କରିଛନ୍ତି ବୋଲି ଏସ୍‌ପି କହିଛନ୍ତି। ଅନ୍ୟପଟେ ଏସ୍‌ପି ଯିବାପରେ ଏହି ଘଟଣାରେ କେଉଁ ସବୁ ତଥ୍ୟ ସଂଗ୍ରହ ହୋଇଛି ସେ ନେଇ ଡିଆଇବି ଅଧିକାରୀ ସୁଦାମ ମଲିକଙ୍କୁ ପଚାରିଥିଲୁ ା ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଗୃହ ବିଭାଗ ଯାହା ତଥ୍ୟ ମାଗୁଛି କେବଳ ତାହା ଦିଆଯାଉଛି ବୋଲି ସେ କହିଛନ୍ତି। ତେବେ ଜିଲା ପ୍ରଶାସନ କେତେ ଖାମଖିଆଲ ଭାବେ ସବୁ ଘଟଣାକୁ ଦେଖୁଥିବ ତାହା ଏହି ଘଟଣାକୁ ତର୍ଜମା କଲେ ଜଣାପଡ଼ୁଛି। ଘଟଣା ବିଷୟେରେ ଅଧିକ ଜାଣିବାକୁ ରାୟଗଡ଼ା ଟାଉନ ଥାନାରେ ପହଞ୍ଚିବା ସହ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କ ସହିତ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ। ସେହିପରି ବୁଧବାର ରାତି ୯ଟା ସୁଦ୍ଧା ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ନ ଥିଲେ।

ଏଭଳି ସ୍ଥିତିରେ ଦ୍ୱିପ୍ରହର ସମୟରେ ପାଭେଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି। ହେଲେ ରିପୋର୍ଟରେ କ’ଣ ଆସିଛି ତାହା ଆଉ ଜିଲା ପ୍ରଶାସନ ବାହାରକୁ ଜଣାଉନାହିଁ। ବିଦାନୋଭଙ୍କ ମୃତ୍ୟୁର ଅଧିକ ତଦନ୍ତ ପାଇଁ ଭିସେରା ଟେଷ୍ଟ ନିମନ୍ତେ ଭୁବନେଶ୍ୱର ପଠାଯାଇଥିବା ବେଳେ ପାଭେଲଙ୍କ ମୃତ୍ୟୁର ଅଧିକ ତଦନ୍ତ ପାଇଁ ଭିସେରା ରଖାଯାଇ ନ ଥିବା ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟ କହିଛନ୍ତି ା ଏହା ଅତ୍ୟନ୍ତ ସନ୍ଦେହଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଭେଲଙ୍କ ମୃତ୍ୟୁର ଅଧିକ ତଦନ୍ତ ହେବା ପୂର୍ବରୁ ଏପରି ତରବରିଆ ଭାବେ ସବୁକିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବିଦେଶରୁ ଆସିଥିବା ଜଣେ ଏମ୍‌ପିଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଠିକ୍‌ ଢଙ୍ଗରେ ଖୋଜିବା ଦିଗରେ ଏତେ ଖାମଖିଆଲ କରାଯିବା ନେଇ ମଧ୍ୟ ରାୟଗଡ଼ା ସହରର ସବୁଠି ଆଲୋଚନା ହେଉଛି। ଜଣେ ଖ୍ରୀଷ୍ଟିଆନଙ୍କ ମରଶରୀରକୁ କବର ଦେବା ପରିବର୍ତ୍ତେ କାହିଁକି ତରବରିଆ ଭାବେ ପୋଡ଼ିଦିଆଗଲା ସେ କଥା ତଦନ୍ତ ସାପେକ୍ଷ। ଶେଷରେ ଏହା କୁହାଯାଇପାରେ ଯେ, ପାଭେଲଙ୍କ ମୃତ୍ୟୁ ହୁଏତ ଆତ୍ମହତ୍ୟା ନ ହୋଇ ହତ୍ୟା ହୋଇଥାଇପାରେ। ଏଥିରେ ଅନ୍ତର୍ଜାତୀୟ ରାଜନୀତିର ସମ୍ପୃକ୍ତି ଥିବାର ସମ୍ଭାବନା ରହିଛି। ଓଡ଼ିଶା ପୋଲିସର ତଦନ୍ତରେ ଇଚ୍ଛାଶକ୍ତିର ଅଭାବ ସ୍ପଷ୍ଟ ବୁଝାପଡ଼ୁଛି।

ପୁଟିନ୍‌ ସମାଲୋଚକଙ୍କ ମୃତ୍ୟୁ ତାଲିକା ଲମ୍ବିଚାଲିଛି

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ କେହି ବିସ୍ମିତ ହେବା ଅନୁଚିତ। କାରଣ ଏଭଳି ଅନେକ ରହସ୍ୟଜନକ ମୃତ୍ୟୁ ପାଇଁ କ୍ରେମଲିନ୍‌ କାଠଗଡ଼ାରେ ଛିଡ଼ା ହୋଇଛି। ପୂର୍ବରୁ ମଧ୍ୟ ଅତି ନିର୍ଦ୍ଦୟ ଭାବେ ରୁଷିଆ ସରକାରଙ୍କ ସମାଲୋଚକମାନଙ୍କ ମୁହଁ ବନ୍ଦ କରାଯାଇଛି। ମସ୍କୋ ଏସବୁ ମୃତ୍ୟୁକୁ ‘ଦୁର୍ଭାଗ୍ୟଜନକ ଘଟଣା’ ବୋଲି ଅଭିହିତ କରିଆସିଛି।

ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନେତୃତ୍ୱାଧୀନ ରୁଷିଆ ସରକାର ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ରଣନୀତି ସେତେବେଳେ ଲୋକଲୋଚନକୁ ଆସିଥିଲା, ଯେତେବେଳେ ତାଙ୍କ ଦୃଢ଼ ସମାଲୋଚକ ଆଲେକ୍ସି ନଭାଲନିଙ୍କୁ ଜେଲରେ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା। ୨୦୨୦ ଅଗଷ୍ଟରେ ଆଇନଜୀବୀ ତଥା ରୁଷିଆ ଅଫ୍‌ ଦି ଫ୍ୟୁଚର ପାର୍ଟିର ୪୬ ବର୍ଷୀୟ ନେତା ନଭାଲ୍‌ନିଙ୍କୁ ଜଣେ ନୋଭିଚୋକ୍‌ ନର୍ଭ ଏଜେଣ୍ଟ ବିଷ ଦେବା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜର୍ମାନୀର ବର୍ଲିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନଭାଲ୍‌ନିଙ୍କ ଶରୀରରେ ବିଷ ପ୍ରୟୋଗ କରାଯାଇଥିବା ବିଷୟ ଉକ୍ତ ହସ୍ପିଟାଲ ପକ୍ଷରୁ ମଧ୍ୟ ସେତେବେଳେ ସ୍ପଷ୍ଟ କରାଯାଇଥିଲା। ରୁଷୀୟ ସରକାର ଏହାକୁ ଖଣ୍ଡନ କରିଥିଲେ ହେଁ ନଭାଲ୍‌ନି ରୁଷିଆକୁ ଫେରିବା ପରେ ପାରୋଲ ନିୟମ ଉଲ୍ଲଂଘନ ଅଭିଯୋଗରେ ତତ୍କାଳ ଜେଲକୁ ପଠାଇ ଦେଇଥିଲେ।
ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରଠୁ ପ୍ରାଣ ହରାଇଥିବା ଆଉ କେତେଜଣ ବ୍ୟକ୍ତିଙ୍କ ସହ ପାଭେଲ ଓ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ମୃତ୍ୟୁର ରହସ୍ୟମୟ ସାମଞ୍ଜସ୍ୟ ରହିଛି। ଗୋଷ୍ଠୀତନ୍ତ୍ରର ସଦସ୍ୟମାନଙ୍କ ଦେଶ ବାହାରେ ମୃତ୍ୟୁ ଘଟୁଥିବାବେଳେ ବୈଜ୍ଞାନିକମାନେ ଆଣ୍ଟୋଭଙ୍କ ଭଳି ଖସିପଡ଼ି ପ୍ରାଣ ହରାଇଥିବାର ଅନେକ ନଜିର ରହିଛି। ଗତ ସେପ୍ଟେମ୍ବରରେ ୭୨ ବର୍ଷୀୟ ବୈଜ୍ଞାନିକ ଆନାଟୋଲି ଗେରାଶଚେଙ୍କୋଙ୍କ ମୃତ୍ୟୁ ଏପରି ରହସ୍ୟଜନକ ମାମଲା ମଧ୍ୟରୁ ଅନ୍ୟତମ। ଗେରାଶଚେଙ୍କୋ ୨୦୦୭ରୁ ୨୦୦୧୫ ପର୍ଯ୍ୟନ୍ତ ମସ୍କୋ ଆଭିଏଶନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁ ଘଟିଥିବା ନେଇ ସେପ୍ଟେମ୍ବର ୨୧ରେ ଉକ୍ତ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ରିପୋର୍ଟ କରାଯାଇଥିଲା। ତେବେ ସେ ଏକ ଅତ୍ୟୁଚ୍ଚ ସ୍ଥାନରୁ ଖସିପଡ଼ିଥିବା ନେଇ ପ୍ରକାଶ କରିବା ବ୍ୟତୀତ ଘଟଣା ସମ୍ପର୍କରେ ଅଧିକାରୀମାନେ ଅଧିକ ସୂଚନା ଦେଇ ନ ଥିଲେ। ସେହିପରି ରୁଷିଆର ଦ୍ୱିତୀୟ ବୃହତ୍‌ ତୈଳ ଉତ୍ପାଦନକାରୀ ତଥା ସର୍ବବୃହତ୍‌ ଘରୋଇ ଅଏଲ୍‌ କମ୍ପାନୀ ‘ଲୁକୋଇଲ୍‌’ର ୬୭ ବର୍ଷୀୟ ଅଧ୍ୟକ୍ଷ ରାଭିଲ୍‌ ମାଗାନୋଭ୍‌ଙ୍କ ମୃତ୍ୟୁ ମଧ୍ୟ ଆଉ ଏକ ରହସ୍ୟମୟ ମାମଲା। ମସ୍କୋର ଏକ ହସ୍ପିଟାଲ ଝରକାରୁ ଖସିପଡ଼ିବା ପରେ ସେପ୍ଟେମ୍ବର ୧ରେ ରାଭିଲ୍‌ଙ୍କ ମୃତଦେହ ମିଳିଥିଲା ସେତେବେଳେ ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଇଥିଲା।

ଉଲ୍ଲେଖଯୋଗ୍ୟ, ମାଗାନୋଭ୍‌ଙ୍କ ସମେତ ଲୁକୋଇଲ୍‌ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ବିରୋଧୀ ଆଭିମୁଖ୍ୟ ପ୍ରକାଶ କରିବା ସହ ଆଲୋଚନା ଜରିଆରେ ଯଥାଶୀଘ୍ର ସମ୍ଭବ ସଶସ୍ତ୍ର ଯୁଦ୍ଧ ବନ୍ଦ କରିବା ସକାଶେ ଏକ ବିବୃତି ଜାରି କରିଥିଲେ। ମାଗାନୋଭ୍‌ଙ୍କ ମୃତ୍ୟୁ ସହ ରାୟଗଡ଼ା ହୋଟେଲ ରୁମ୍‌ର ଝରକାରୁ ଖସିପଡ଼ିଥିବା ଆଣ୍ଟୋଭ୍‌ଙ୍କ ମୃତ୍ୟୁର ଅନେକ ସାମଞ୍ଜସ୍ୟ ରହିଛି। ମାଗାନୋଭ୍‌ ଆମତ୍ହତ୍ୟା କରି ନ ଥିବେ ବୋଲି ତାଙ୍କର ୨ ଜଣ ଘନିଷ୍ଠ ବ୍ୟକ୍ତି ଏକ ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି।

ଗତ ଏପ୍ରିଲରେ ମାତ୍ର ୨୪ ଘଣ୍ଟାର ବ୍ୟବଧାନରେ ୨ ରୁଷୀୟ ସମ୍ଭ୍ରାନ୍ତ ସେରେଗି ପ୍ରୋଟୋସେନ୍ୟା ଏବଂ ଭ୍ଲାଡିସ୍ଲାଭ୍‌ ଆଭାଏଭ୍‌ଙ୍କ ମୃତ୍ୟୁ ସାରା ବିଶ୍ୱକୁ ଚକିତ କରିଦେଇଥିଲା। ପ୍ରୋଟୋସେନ୍ୟାଙ୍କ ଝୁଲନ୍ତା ମୃତଦେହ ଏପ୍ରିଲ ୧୮ରେ ସ୍ପେନ୍‌ରେ ଥିବା ତାଙ୍କ ବଗିଚାରେ ଠାବ ହୋଇଥିଲା। ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଦେହରେ ଅନେକ ଥର ଛୁରାମାଡ଼ କରାଯାଇଥିବା ଏକ ରୁମ୍‌ରୁ ମିଳିଥିବା ଦୁହିଁଙ୍କ ମରଶରୀରରେ ଥିବା କ୍ଷତରୁ ଜଣାପଡ଼ିଥିଲା। ଏହାର ଦିନକ ପୂର୍ବରୁ ମଲ୍ଟି-ମିଲିୟନେୟାର ଆଭାଏଭ୍‌ଙ୍କ ସହ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ମୃତଦେହ ମସ୍କୋସ୍ଥିତ ପ୍ରୋସ୍ପେକ୍ଟ ୟୁନିଭର୍ସିଟିରେ ଥିବା ତାଙ୍କ ବାସଭବନରୁ ମିଳିଥିଲା। ଉଭୟେ ୟୁକ୍ରେନ୍‌ ଆକ୍ରମଣକୁ ସମାଲୋଚନା କରୁଥିଲେ। ତେବେ ରୁଷିଆର ଶୀର୍ଷ ଟାଇକୁନମାନଙ୍କ ରହସ୍ୟଜନକ ମୃତ୍ୟୁର ତାଲିକା ଏତିକିରେ ସୀମିତ ହୋଇ ରହିନାହିଁ। ଗତ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ ପରଠାରୁ ଆଲେକ୍‌ଜାଣ୍ଡାର ତିଉଲିକୋଭ୍‌ ଏବଂ ମିଖାଇଲ ଓ୍ବାଟଫୋର୍ଡଙ୍କ ଭଳି ବହୁ ଧନୀ ରୁଷୀୟ ଅତି ରହସ୍ୟଜନକ ସ୍ଥିତିରେ ପ୍ରାଣ ହରାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?