Posted inUncategorized

ସାପକାମୁଡ଼ା ମୃତ୍ୟୁ କମାଇବାକୁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ପଦକ୍ଷେପ ସ୍ବରୂପ ସାପକାମୁଡା ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରତି ଗ୍ରାମରେ ହାଲୁକା ଷ୍ଟ୍ରେଚର୍‌ ରହିବ। ଏଥିସହ ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ସୂଚନା ପୋଷ୍ଟର ଲଗାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆମ ରାଜ୍ୟରେ ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ଭେନମ୍‌ ଯୋଗାଇ ଦିଆଯାଉଛି। ଏହାସତ୍ତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି। ରାଜ୍ୟରେ ଯେତିକି ସାପକାମୁଡ଼ା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପକାମୁଡ଼ିଥିବା ତଥ୍ୟ ରହିଛି। ୨୫ରୁ ୩୦% ମୃତ୍ୟୁ ସାପ କାମୁଡ଼ାର କିଛି ଘଣ୍ଟା ଭିତରେ ଘଟୁଛି, ଯେଉଁ ସମୟରେ ବିଷ ଶରୀରକୁ ବ୍ୟାପୀ ନ ଥାଏ। ଏସବୁ କ୍ଷେତ୍ରରେ ସାପକାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ମୁଖରେ ପଡୁଥିବା ସ୍ପଷ୍ଟ ହେଉଛି। କେଉଁଟା ବିଷାକ୍ତ ସାପ ଓ କେଉଁଟା ନୁହେଁ, ସେନେଇ ଲୋକଙ୍କ ଭିତରେ ସଚେତନତା ବଢ଼ାଇବାକୁ ପଡ଼ିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଲୋକଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ସାପ କାମୁଡ଼ା ଲୋକ ଚଲାବୁଲା କରିବା ଅନୁଚିତ। ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବା କଥା। ରାଜ୍ୟରେ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି। ସାପ କାମୁଡ଼ିବା ପରେ ସେମାନେ ହସ୍ପିଟାଲକୁ ନେବା ପରିବର୍ତ୍ତେ କେଳା, ଗୁଣିଆଙ୍କ ପାଖକୁ ନେଇଥାନ୍ତି। ଫଳରେ ଏହି ଚିକିତ୍ସାବେଳେ ରକ୍ତରେ ବିଷ ସଞ୍ଚାର ଅଧିକ ହୋଇଯାଏ ଏବଂ ରୋଗୀ ଜଣକ ମୃତ୍ୟୁମୁଖରେ ପଡ଼ନ୍ତି। ଡାକ୍ତରମାନେ ମଧ୍ୟ ସାପକାମୁଡ଼ା ରୋଗୀଙ୍କୁ ଆଣ୍ଟି ଭେନମ୍‌ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri