ବନାଗ୍ନିର କରୁଣ ଚିତ୍ର

ମାନବ ସମାଜ ଓ ଜୀବଜଗତ ମଧ୍ୟରେ ସମନ୍ବୟ ରହିଲେ ତାହା ପରିବେଶ ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ପ୍ରକୃତିକୁ ସୁରକ୍ଷିତ ରଖିଲେ ପ୍ରକୃତି ଆମକୁ ସୁରକ୍ଷା ଦେବ। କଥାରେ ଅଛି ଜଙ୍ଗଲରେ ମଙ୍ଗଳ ଥାଏ। କିନ୍ତୁ ଏବେ ଏହି ସଂଜ୍ଞାରେ ପରିବର୍ତ୍ତନ ଘଟିଛି। ଜଙ୍ଗଲରୁ ମଙ୍ଗଳ ମିଳିବା ବଦଳରେ ଆମେ ଜଙ୍ଗଲର କ୍ଷତି ଘଟାଇ ଚାଲିଛେ। ଯାହାର ପ୍ରଭାବରେ ଏବେ ସାରା ଜଙ୍ଗଲ ବନାଗ୍ନିରେ ପରିଣତ ହୋଇଛି। ଫଳରେ ବହୁ ବିରଳ ଜୀବଜନ୍ତୁ ଓ ବୃକ୍ଷ ନିଜର ଅସ୍ତିତ୍ୱ ହରାଉଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଗ୍ଲୋବାଲ ୱାର୍ମିଂର ପ୍ରଭାବରୁ ଜୈବବିବିଧତା ବି ଧ୍ୱଂସାଭିମୁଖୀ। ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖାଦେଇଛି ଅନେକ ସମସ୍ୟା। ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ। ପ୍ରତିଦିନ ଶହ ଶହ ବୃକ୍ଷ ପୋଡ଼ି ଛାରଖାର ହୋଇଯାଉଛି। ବନାଗ୍ନି ଭୟଙ୍କର ରୂପ ଧାରଣ କରିଛି, ଯାହାକୁ ରୋକିବା ଲାଗି ଏକ ଆହ୍ବାନ ସୃଷ୍ଟି ହୋଇଛି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ପଶୁପକ୍ଷୀ, କୀଟପତଙ୍ଗ ଲୋପ ପାଉଥିବାବେଳେ ଅନେକ ହିଂସ୍ରଜନ୍ତୁ ବନାଗ୍ନିରୁ ରକ୍ଷା ପାଇବା ପାଇଁ ସହରମୁହାଁ ହେଉଛନ୍ତି। ଫଳରେ ମଣିଷ ଓ ପଶୁଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏଥିପାଇଁ ମନୁଷ୍ୟକୃତ ବନାଗ୍ନି ହିଁ ଦାୟୀ।
ବନାଗ୍ନି କେବଳ ଓଡ଼ିଶାରେ ହେଉନାହିଁ ବରଂ ଦେଶ ତଥା ଦେଶ ବାହାରେ ମଧ୍ୟ ଭୟଙ୍କର ବନାଗ୍ନି ଘଟିଚାଲିଛି। ୨୦୧୯ ମସିହା ଶେଷଭାଗରେ ଅଷ୍ଟ୍ରେଲିଆର ୩.୩୮ ଲକ୍ଷ ବର୍ଗ କି.ମି. ଜଙ୍ଗଲରେ ଭୟଙ୍କର ବନାଗ୍ନି ଘଟିଥିଲା, ଯେଉଁଥିରେ ସମୁଦାୟ ଜଙ୍ଗଲର ୨୦ ପ୍ରତିଶତ ନଷ୍ଟ ହୋଇଥିଲା ଓ ୪୩ ଜଣଙ୍କ ମୃତ୍ୟୁ ଘଟିବା ସହ ତିନିଶହରୁ ଊର୍ଦ୍ଧ୍ୱ ଘର ପୋଡ଼ିଥିଲା। ଏଥିରେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ ଏବଂ କୋଟି କୋଟି ଜୀବଜନ୍ତୁ ଅସ୍ତିତ୍ୱ ହରାଇଥିଲେ। ସେହିପରି ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ନିଆଁ ଲାଗି ପ୍ରାୟ ୬୦ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଏହା ବନ ବିଭାଗ ପାଇଁ ଏକ ଚିନ୍ତାର କାରଣ ହୋଇଥିବା ବେଳେ ଏଥିରୁ ଅଧିକାଂଶ ବନାଗ୍ନି ମନୁଷ୍ୟକୃତ ବୋଲି ଜଣାପଡ଼ିଛି। ୨୦୨୧ରେ ସର୍ବାଧିକ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ୨୮,୬୫୩ ହେକ୍ଟର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିଲା। ୨୦୨୩ ପ୍ରାରମ୍ଭରେ ମଧ୍ୟ ବନାଗ୍ନି ଉଗ୍ରରୂପ ଧାରଣ କରିଥିଲା। ଏହି ବନାଗ୍ନି କବଳରୁ ଓଡ଼ିଶା ମୁକୁଳି ପାରି ନ ଥିଲା। ୨୨ଟି ଜିଲାର ୮୪ଟି ରେଞ୍ଜରରେ ୧୪୭ଟି ବଡ଼ଧରଣର ଜଙ୍ଗଲ ଜଳୁଥିଲା ବେଳେ ରାଜ୍ୟର ଅଧାରୁ ଅଧିକ ଜିଲାକୁ ବନାଗ୍ନି ଗ୍ରାସ କରିଥିଲା। ଗଞ୍ଜାମ ଜିଲାର ୯ଟି ରେଞ୍ଜରରେ ନିଆଁ ଅଣାୟତ୍ତ ହୋଇଥିଲା ବେଳେ ସମ୍ବଲପୁର, ରାୟଗଡ଼ାରେ ବି ସ୍ଥିତି ସମାନ ଥିଲା। ନୟାଗଡ଼, ଗଜପତି, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲାରେ ଅଧିକାଂଶ ଜଙ୍ଗଲ ଜଳୁଥିଲା। ସେହିପରି ଶିମିଳିପାଳ, ଚନ୍ଦକା-ଡମପଡ଼ା, ସୁନାବେଡ଼ା ଓ ଦଶପଲ୍ଲା ଆଦି ସବୁଠି ସମାନ ଚିତ୍ର। ଦିନକୁ ଦିନ ଗୋଟିଏ ଗୋଟିଏ ବନଖଣ୍ଡରେ ନିଆଁ ଲାଗୁଥିଲେ ମଧ୍ୟ ବନ ବିଭାଗର ସମସ୍ତ ଉଦ୍ୟମ ବିଫଳ ହୋଇଛି। ବନାଗ୍ନିକୁ ରୋକିବା ପାଇଁ କେବଳ ବର୍ଷାକୁ ହିଁ ଭରସା କରିଛନ୍ତି ବନ କର୍ମଚାରୀ। ଯଦିଓ ମାର୍ଚ୍ଚ ମାସର ମଧ୍ୟଭାଗରେ ଦୁଇ ଦିନ ବର୍ଷା ହେବା ଫଳରେ ବନାଗ୍ନିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ଓ ବନ କର୍ମଚାରୀମାନେ ଖୁସିରେ ନାଚି ଉଠିଥିଲେ, ହେଲେ ଏସବୁ ସତ୍ତ୍ୱେ ବନ ବିଭାଗର କର୍ମଚାରୀମାନଙ୍କୁ ଏବେଠୁ ଆହୁରି ସତର୍କ ରହିବା ଦରକାର।
ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ ପରି ରାଜ୍ୟ ବନାଗ୍ନିକୁ ଆୟତ୍ତ କରିବାରେ ସବୁଠାରୁ ଆଗରେ ଅଛନ୍ତି। କାରଣ ବନାଗ୍ନିକୁ ଆୟତ୍ତ କରିବା ପାଇଁ ଏହିସବୁ ରାଜ୍ୟ ଆଧୁନିକ ଜ୍ଞାନକୌଶଳକୁ ଆପଣାଇଥାନ୍ତି। ଓଡ଼ିଶା ମଧ୍ୟ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କଲେ ସହଜରେ ବନାଗ୍ନିକୁ ଆୟତ୍ତ କରିହେବ। ଏଥିପାଇଁ ବନ କର୍ମଚାରୀମାନେ ତାଲିମ ନେବା ଆବଶ୍ୟକ। ୨୦୨୧ରେ ଯେତେବେଳେ ରାଜ୍ୟରେ ବନାଗ୍ନି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା, ସେତେବେଳେ ରାଜ୍ୟ ସରକାର ତାହାକୁ ରୋକିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରିଥିଲେ। କିନ୍ତୁ ଟାସ୍କଫୋର୍ସ ଦେଇଥିବା ରିପୋର୍ଟ ଉପରେ କିଛି ପଦକ୍ଷେପ ନିଆଯାଇ ନାହିଁ। ଏଥିରେ ସଦସ୍ୟ ଥିବା କିଛି କେତେଜଣ ଅଣ ସରକାରୀ କର୍ମଚାରୀଙ୍କ ରିପୋର୍ଟର କପି ମଧ୍ୟ ମିଳିପାରି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁନ୍ଦରଗଡ଼ ବନଖଣ୍ଡ ସଦର ବନାଞ୍ଚଳରେ ନିଆଁ ଲାଗିଥିବା ଖବର ପାଇବା ପରେ ବନ ବିଭାଗର ଏକ ଟିମ୍‌ ସେଠାକୁ ନିଆଁ ଲିଭାଇବା ପାଇଁ ଯାଇଥିଲେ। ଜଙ୍ଗଲ ଭିତରେ ଗାଡ଼ି ରଖି ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ବେଳେ ଜଙ୍ଗଲ ନିଆଁର ତୀବ୍ରତା ଏତେ ପ୍ରଖର ଥିଲା ଯେ, ସେମାନଙ୍କ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବନ କର୍ମଚାରୀ ଫେରିଲା ବେଳକୁ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା। ହୁଏତ ଜଣେ ବନ କର୍ମଚାରୀ ଯଦି ଗାଡ଼ି ପାଖରେ ରହିଥାନ୍ତେ, ତେବେ ଗାଡ଼ିଟି ସୁରକ୍ଷିତ ରହିଥାନ୍ତା। ବନ କର୍ମଚାରୀଙ୍କ ଅଭିଜ୍ଞତାର ଅଭାବରୁ ଏପରି ଅଘଟଣ ଘଟିଥିଲା।
ଜଙ୍ଗଲରେ ନିଆଁ ଲାଗିବାର ବିଭିନ୍ନ କାରଣ ଅଛି। ସାଧାରଣତଃ ବିଡ଼ି ବା ସିଗାରେଟ ଟାଣିସାରି ଫିଙ୍ଗିଦେବା ପରେ ସିଗାରେଟ ନିଆଁ ହିଁ ବନାଗ୍ନିର କାରଣ ହୋଇଥାଏ। ଓଡ଼ିଶାର ପାହାଡ଼ ଜଙ୍ଗଲ ପାଦଦେଶରେ ଥିବା ମୂଲ୍ୟବାନ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ଶିଳ୍ପପତି, ପୁଞ୍ଜିପତି ଓ ମାଫିଆମାନେ ବନାଗ୍ନି ସୃଷ୍ଟି କରିଥାନ୍ତି। ଫଳରେ ଜଙ୍ଗଲକୁ ନିଜର ଜୀବନ ଜୀବିକାର ମାଧ୍ୟମ କରିଥିବା ଆଦିବାସୀମାନେ ତାହା ହରାଇ ବସିଛନ୍ତି। ସାଧାରଣତଃ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ରାଜ୍ୟର ଅଧିକାଂଶ ଜଙ୍ଗଲରେ ଛୋଟମୋଟ ନିଆଁ ଲାଗିଥାଏ ଓ ସେସବୁ ନିଆଁକୁ ବନ କର୍ମଚାରୀମାନେ ଆୟତ୍ତ କରିଥାନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ୩ଟି ସ୍ଥାନରେ ନିଆଁ ଲାଗିଥିଲା ଏବଂ ସଜାଗ ଥିବା ବନ କର୍ମଚାରୀମାନେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଭୟାରଣ୍ୟ, ଚନ୍ଦକା, ଡମପଡ଼ା, ହଳଦିଆ ଓ ଭୁବନେଶ୍ୱର ଆଦି ୪ ରେଞ୍ଜରରେ ବନ ବିଭାଗ, ଆଣ୍ଟିପୋଚିଂ, ଇକୋ ଟୁରିଜମ୍‌ର ସମୁଦାୟ ୩୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିସହ ୮ଟି ଫାୟାର ପ୍ରୋଟେକ୍ସନ ସ୍କ୍ବାଡ୍‌ ନିୟୋଜିତ କରାଯାଇଛି। ୮ଟି ସ୍କ୍ବାଡ୍‌ରେ ୬୦ ଜଣ ବନ କର୍ମଚାରୀଙ୍କ ସମେତ ଜଙ୍ଗଲରେ ଥିବା ଗ୍ରାମବାସୀଙ୍କୁ ନିୟୋଜିତ କରାଯାଇଛି। ତଥାପି ବନ କର୍ମଚାରୀମାନଙ୍କୁ ଆହୁରି ସଜାଗ ଓ ସଚେତନ ରହିବାକୁ ପଡ଼ିବ। କାରଣ ଫେବୃୟାରୀ ଆରମ୍ଭରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ୫ ମାସ ଜଙ୍ଗଲକୁ ନିଆଁର ଭୟ ଥାଏ।

– ସୁବାସ କୁମାର ତାରଣିଆଁ
କଣ୍ଟି, ବାହାରଣା, ବାଲିକୁଦା, ଜଗତ୍‌ସିଂହପୁର, ମୋ :୮୩୨୮୮୪୦୨୧୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri