Posted inଫୁରସତ

ଅନୁଭବ ବିନା ଗୀତ ଲେଖି ହୁଏନା

ପିଲାଟିଦିନରୁ ତାଙ୍କର ସଙ୍ଗୀତ ପ୍ରତି ଥିଲା ଦୁର୍ବଳତା। ସ୍କୁଲ ବୟସରୁ ରେଡିଓ ଶୁଣିବା, ସିନେମା ଦେଖିବାର ନିଶା ତାଙ୍କ ମନକୁ ସର୍ବଦା ଅଥୟ କରୁଥିଲା। ଏଥିଯୋଗୁ ଯାହା ଲେଖୁଥିଲେ ତାହାକୁ ଗୀତପରି ଗାଉଥିଲେ। ଏମିତିରେ ସେ ନବମ ଶ୍ରେଣୀରୁ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ହୋଇପାରିଥିଲେ। ପ୍ରାୟ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାହିତ୍ୟ, ସଙ୍ଗୀତ, ବେତାର ନାଟକ ଓ ଚଳଚ୍ଚିତ୍ର ଆଦି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ମଥାରେ ସିନ୍ଦୂର ଆଖିରେ କଜ୍ଜଳ ସୁନା ଗୋରୀ…, ହେ ମିତା ହେ ଲିତା, ଝୁମି ଝୁମି ନିଶାରେ ଚାଲେ ସିଏ, ଉମା ପାଇଁ ଶଙ୍କର, ଗୌରୀ ପାଇଁ ହର…ଏମିତି ଏକାଧିକ ଚଳଚ୍ଚିତ୍ର ସଙ୍ଗୀତର ସେ ଲେଖକ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ ।

ସେ ହେଲେ ଲକ୍ଷ୍ମୀନାରାୟଣ ମହାନ୍ତି, ଜନ୍ମ ୧୯୫୦ ମସିହା ଜୁନ୍‌ ୨ ତାରିଖରେ। ପିତା ଖ୍ୟାତନାମା ଆଇନଜୀବୀ ବିଶ୍ୱମ୍ଭର ମହାନ୍ତି ଏବଂ ମାତା କମଳା ଦେବୀ। ଘର ଖୋର୍ଦ୍ଧା ଜିଲା ବାଳକାଟୀର ମକଦ୍ଦମ ସାହିରେ। ସେ କୁହନ୍ତି, ସ୍କୁଲ ବୟସରୁ ସଙ୍ଗୀତ ପ୍ରତି ମୋର ଅତ୍ୟନ୍ତ ଆଗ୍ରହ ଥିଲା। ଗୀତ ଶୁଣିବା, ଗାଇବା ଏବଂ ଲେଖିବାର ଆଗ୍ରହ ମୋତେ ଜଣେ ଗୀତିକାର ଭାବେ ପରିଚିତି କରାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିଲାବେଳେ ମୋର ପ୍ରଥମ ଛନ୍ଦ କବିତା ‘ସପନ ପରୀ’ ସ୍କୁଲ ମାଗାଜିନରେ ପ୍ରକାଶ ପାଇଥିଲା ଓ ଶିକ୍ଷକମାନେ ଖୁବ୍‌ ପ୍ରଶଂସା କରିଥିଲେ। ସେବେଠାରୁ ସମସ୍ତଙ୍କର ପ୍ରେରଣା ମିଳିଆସିଛି। ନବମ ଶ୍ରେଣୀରେ ପଢିବାବେଳେ ଆକାଶବାଣୀର ପ୍ରଶ୍ନ ଉତ୍ତର ବିଭାଗକୁ ଚିଠିଲେଖି ପରାମର୍ଶ ପାଇଥିଲି। ତାପରେ ଆକାଶବାଣୀରୁ ଗୀତ ଶୁଣିଶୁଣି କିଛି ନୂଆନୂଆ ଗୀତ ଲେଖିବା ଅଭ୍ୟାସ ହୋଇଯାଇଥିଲା। ପ୍ରଥମେ ପ୍ରାୟ ପଚାଶଟି ଗୀତ ଲେଖି ଆକାଶବାଣୀ କଟକ କେନ୍ଦ୍ରକୁ ପଠାଇଥିଲି। କିଛିଦିନ ପରେ ସେଠାରୁ ଚିଠି ଆସିଥିଲା। ତା’ପରେ ୧୯୬୫ ମସିହାରେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ପରିଚିତ ହେଲି। ସମୟକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱ ବିଭାଗରେ ସ୍ନାତକୋତ୍ତର ଏବଂ ମଧୁସୂଦନ ଆଇନ କଲେଜରୁ ଆଇନରେ ଡିଗ୍ରୀ ହାସଲ କଲି। ୧୯୭୮ମସିହାରୁ ଭୁବନେଶ୍ୱର କୋର୍ଟରେ ଓକିଲାତି ଆରମ୍ଭ କରିଥିଲି। ମୋ ଦ୍ୱାରା ରଚିତ କେତୋଟି ଗୀତରେ ପ୍ରଣବ ପଟ୍ଟନାୟକ, ମହମ୍ମଦ ସିକନ୍ଦର ଆଲାମ, ଆରତି ମିଶ୍ର, ଅତୀଶ୍‌ କୁମାର ମଜୁମଦାର, ବିଶ୍ୱନାଥ ରାଓ, ତୃପ୍ତି ଦାସ, ସୁବାସ ଦାଶ, ତପୁ ମିଶ୍ର, କୁମାର ବାପି, କରୁଣାକର, ଶଶାଙ୍କ ଶେଖର, ଇରା ମହାନ୍ତି, କ୍ଷିତୀପ୍ରକାଶ ମହାପାତ୍ର ଏବଂ ଅନନ୍ୟା ଶ୍ରୀତମ୍‌ ନନ୍ଦ ପ୍ରମୁଖ କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି। ‘ମାଣିକ ଚଳଚ୍ଚିତ୍ର’ର ଗୀତ ‘ମଥାରେ ସିନ୍ଦୂର ଆଖିରେ କଜ୍ଜଳ ସୁନା ଗୋରୀ..’
ଗୀତକୁ କଣ୍ଠଶିଳ୍ପୀ ବାଣୀ ଜୟରାମ କଣ୍ଠଦାନ କରିଥିଲେ। ସେହିପରି ପ୍ରଣବ ପଟ୍ଟନାୟକ ଗାଇଥିବା ଏଚ୍‌.ଏମ୍‌.ଭି. ରେକର୍ଡ ଗୀତ-

‘ହେ ମିତା, ହେ ଲିତା, ଝୁମି ଝୁମି ନିଶାରେ ଚାଲେ ସିଏ..’
ପୁଣି ମହାସତୀ ସାବିତ୍ରୀ ଚଳଚ୍ଚିତ୍ରରେ ଅନୁରାଧା ପୋଡୁଓ୍ବାଲ ଗାଇଥିବା ଗୀତ ‘ଉମା ପାଇଁ ଶଙ୍କର.., ଗୌରୀ ପାଇଁ ହର’ ଗୀତ ସେତେବେଳେ ଖୁବ୍‌ ଆଦୃତ ହୋଇଥିଲା। ମୋର ମନେପଡ଼ୁଛି ଥରେ ଶାନ୍ତନୁ ମହାପାତ୍ର ମୋତେ କହିଥିଲେ ଏମିତି ଗୋଟିଏ ଗୀତ ଲେଖ ଯେମିତିକି ସେଥିରେ ଅନେକ ଝିଅଙ୍କ ନାଁ ଥିବ। ପୁଣି ଶେଷରେ ସମସ୍ତେ ଧୋକା ଦେଇ ଚାଲି ଯାଇଥିବେ। ଏଭଳି ଗୀତ ଲେଖିବାକୁ ମୋତେ ବହୁତ କଷ୍ଟ ହୋଇଥିଲା। ପ୍ରଥମେ ମୁଁ ଶହେ ଜଣ ଝିଅଙ୍କ ନାଆଁ ଲେଖିଥିଲି। ଲେଖିବା ପରେ ଦେଖିଲି ଅଧିକାଂଶ ନାଆଁ ଆମ ପରିବାର ଝିଅମାନଙ୍କର ଥିଲା। ତା’ପରେ ଗୀତଟି ଲେଖିଲି। ଗୀତଟି ଲେଖିବାବେଳେ ବେଶ୍‌ ମଜା ଲାଗିଥିଲା। ଶାନ୍ତନୁ ମହାପାତ୍ର ଓ ପ୍ରଣବ ପଟ୍ଟନାୟକଙ୍କୁ ଗୀତଟି ଖୁବ୍‌ ପସନ୍ଦ ଆସିଥିଲା । ସେହି ବର୍ଷ ମୁକ୍ତିଲାଭ କରିଥିବା ଗ୍ରାମୋଫୋନ୍‌ ରେକର୍ଡ ଭିତରୁ ମୋର ଏହି ଗୀତଟି ହେ ମିତା, ହେ ଲିତା” ପ୍ରଥମ ଗ୍ରାମୋଫୋନ୍‌ ରେକର୍ଡ ଗୀତ ଖୁବ ଲୋକପ୍ରିୟ ହୋଇଥିଲା। ତେବେ କେବଳ ଗୀତିକବିତା ନୁହେଁ, ମୋର ଅନେକ ନାଟକ ମଧ୍ୟ ଆକାଶବାଣୀରୁ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଥିଲା। ଦୁଇଟି ଆଧୁନିକ ଗୀତିକବିତା ସଙ୍କଳନ ଯଥା ”ମୁଁ ନୁହଁ ସେଇ ଜହ୍ନ ଓ ଅଫେରା ଫଗୁଣ“ ଏବଂ ଭକ୍ତିଗୀତ ସଙ୍କଳନ ‘କୃପାଜଳ ଦିଅ ବରଷି’ ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଛି। ଗୀତ ଲେଖିବା ସଙ୍ଗେସଙ୍ଗେ ଗୀତଗୁଡ଼ିକରେ ଆବଶ୍ୟକ ସ୍ବରସଂଯୋଜନା କରିବାରେ ମୋର ଅଭିଜ୍ଞତା ରହିଛି। ମୋ ଦ୍ୱାରା ରଚିତ ଏବଂ ସ୍ବର ସଂଯୋଜନାରେ ମୁକ୍ତିଲାଭ କରିଥିବା କେତେକ ଗ୍ରାମଫୋନ୍‌ ରେକର୍ଡ କ୍ୟାସେଟ୍‌ ଏବଂ ସିଡୀ ଶ୍ରୋତାମହଲରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ଏହି ସାରସ୍ବତ ସାଧନାରେ ସଫଳତା ଯୋଗୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛି। ତେବେ ମୋର ପରିବାର କହିଲେ ପୁଅ, ଝିଅ ଓ ପତ୍ନୀ। ହେଲେ ୨୦୧୫ରେ ମୋ ସହଧର୍ମିଣୀଙ୍କ ବିୟୋଗ ଘଟିଛି। ଶେଷରେ ଏତିକି କହିବି ଅନୁଭବ ବିନା ଗୀତ ଲେଖାଯାଇ ପାରେନା, ହୃଦୟର ଅନୁଭୂତିରୁ ଗୀତ ଲେଖିବାକୁ ଆପେଆପେ ଭାବନା ଜାଗ୍ରତ ହୋଇଥାଏ। ଗୀତକୁ ସ୍ବର, ଲୟ, ତାଳ ଓ ଛାନ୍ଦରେ କଣ୍ଠଦାନ କରାଯାଇଥାଏ। ଯାହା କଳାପ୍ରେମୀଙ୍କ ହୃଦୟକୁ ଛୁଇଁଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri