ସୀମାରେ ସାମାଜିକ ବାଡ଼

ଶୁଭନାରାୟଣ ଶତପଥୀ

 

ଓଡ଼ିଶାର ୧୪ଟି ଜିଲାର ସୀମା ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ସୀମାରେଖା ସହ ସଂଲଗ୍ନ। ପଡ଼ୋଶୀ ରାଜ୍ୟଗୁଡ଼ିକ ସହ କେଉଁଠି ଜଳକୁ ନେଇ ତ କେଉଁଠି ଭୂମିକୁ, ଆଉ କେଉଁଠି ଜଙ୍ଗଲକୁ ନେଇ ସମୟାନ୍ତରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯେମିତିକି ଶଙ୍ଖମେଢ଼ି, ଷଢ଼େଇକଳା, ଖରସୁଆଁ, ମହାନଦୀ, ମେଦିନାପୁର ସଂପର୍କିତ ବିଷୟ। ପ୍ରକାରାନ୍ତରେ ଏ ବିବାଦ କେଉଁଠି କେମିତି ରାଜନୀତି, ଅର୍ଥନୀତି, ସ୍ବାଭିମାନକୁ ନେଇ ପ୍ରଶ୍ନ ଉଠାଏ। ଏସବୁ ପରିସ୍ଥିତି ଭିତରେ ସମସ୍ୟା ଓ ସମାଧାନର ଧାରଣା ଦେଇ ଓଡ଼ିଶାର ପ୍ରଗତି ରଥ ଆଗେଇ ଚାଲିଛି। ସଂପ୍ରତି କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଘନେଇଛି। ଇତିହାସ କୁହେ, କୋଟିଆ ଓଡ଼ିିଶାର। କେବଳ ଭାଷାଭିତ୍ତିକ ରାଜ୍ୟ ଗଠନଠାରୁ ନୁହେଁ ବରଂ ଏହା ଜୟପୁର ଷ୍ଟେଟ୍‌ର ଅଭିନ୍ନ ଅଙ୍ଗ। ସେଠାକାର ଓଡ଼ିଆ ମାଧ୍ୟମ ବିଦ୍ୟାଳୟ, ଅଙ୍ଗନଓାଡି, ଅନ୍ୟାନ୍ୟ ଭିତ୍ତିିଭୂମି, ଭାଷାଗତ ଭାବନା, ଚାଲିଚଳଣି ସ୍ପଷ୍ଟ କରେ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ। ତେବେ ବିବାଦ ସୃଷ୍ଟି ହେବା ଓ ଆନ୍ଧ୍ର ହସ୍ତକ୍ଷେପର କାରଣ ସାମାଜିକ, ଅର୍ଥନୈତିକ, ଭୌଗୋଳିକ ବିସ୍ତାର ଚିନ୍ତାଧାରା ଝଲକ ହୋଇପାରେ। ସମସ୍ତେ ଜାଣନ୍ତି ଯେ, କୋଟିଆ ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳ ପ୍ରଚୁର ଖଣିଜ ସଂପଦରେ ଭରପୂର। ଏ ସ୍ଥାନ ପର୍ଯ୍ୟଟନ ପାଇଁ ବେଶ୍‌ ଅନୁକୂଳ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନଲୋଭା। ସ୍ଥାନୀୟ ଅଧିବାସୀ ବେଶ ସରଳ, ନିଷ୍କପଟ। ତା’ଛଡ଼ା ବିଭାଜିତ ଆନ୍ଧ୍ର ତା’ର ସୀମାନ୍ତ ସମ୍ପ୍ରସାରଣର ଅଭୀପ୍ସା ପ୍ରତିଫଳନ ସ୍ବରୂପ କୋଟିଆରେ ନିର୍ବାଚନ କରିବାର ଉଦ୍ଦେଶ୍ୟ ହୋଇ ଥାଇପାରେ। ତେବେ ପ୍ରଥମରୁ ଓଡ଼ିଶାର ମାଟି, ପାଣି, ପବନ ସହ ଜଡ଼ିତ ସେଠାକାର ଅଧିବାସୀ ଭାବଗତ ଓ ଭାଷାଗତ ଦୃଷ୍ଟିରୁ ଓଡ଼ିଶା ସହ ସଦା ଆବଦ୍ଧ। ଏସବୁ ସତ୍ତ୍ୱେ ଚାକିରି, ଆର୍ଥିକ ସହାୟତା ଭଳି ଲୋଭାସକ୍ତ ଯୋଜନା ମାଧ୍ୟମରେ କୋଟିଆବାସୀଙ୍କ ମନରେ ଆନ୍ଧ୍ର ପ୍ରତି ଆକର୍ଷଣ ଧୀରେ ଧୀରେ ସୃଷ୍ଟି କରିବା ଏକ ହୀନ ପ୍ରୟାସ। ଏକଥା ସମସ୍ତେ ଜାଣନ୍ତି ଯେ, ଆନ୍ଧ୍ରର କୃଷିଜାତ ସାମଗ୍ରୀ ପାଇଁ ଓଡ଼ିିଶା ହେଉଛି ଏକ ବଡ଼ ବଜାର। ଅର୍ଥନୈତିକ ଫାଇଦା ଦୃଷ୍ଟିରୁ ଓଡ଼ିଶା ଉପରେ ଆନ୍ଧ୍ର ନିର୍ଭରଶୀଳ। ତା’ଛଡ଼ା ଓଡ଼ିିଶାର ଅଧିବାସୀମାନେ ପରମ୍ପରାଗତ ଭାବେ ପଡ଼ୋଶୀଙ୍କୁ ସମ୍ମାନ ପ୍ରଦାନରେ ହେଳା କରନ୍ତି ନାହିଁ। ଏମିତିକା ପରିସ୍ଥିତିରେ ଆନ୍ଧ୍ରର ଏ ପଦକ୍ଷେପ ଓଡ଼ିଶାର ଜନସାଧାରଣଙ୍କ ଭାବନା ପ୍ରତି କୁଠାରାଘାତ ସଦୃଶ। ଏଠାରେ କୁହାଯାଇପାରେ, ପୋଲାଭରମ୍‌ଠାରୁ କୋଟିଆଯାଏଁ ଆନ୍ଧ୍ରର ଲୋଭକୁ ପଦାରେ ପକାଏ।
ତେବେ ଓଡ଼ିଶା ସହ ସୀମା ତଥା ଅନ୍ୟାନ୍ୟ ସମସ୍ୟା ପଡ଼ୋଶୀ ରାଜ୍ୟ ତରଫରୁ ଆସୁଥିବାରୁ ଏଥିପାଇଁ ଓଡ଼ିଶା ବେଳହୁଁ ଅଣ୍ଟା ଭିଡ଼ିବା ଆବଶ୍ୟକ। ତ୍ୱରାନ୍ବିତ ଆପୋସ ସମାଧାନ, ନ୍ୟାୟିକ ବ୍ୟବସ୍ଥା, ଚାପ ପ୍ରୟୋଗ ମାଧ୍ୟମରେ ନିଜ ସୀମା ଓ ଅଧିବାସୀଙ୍କୁ ସୁରକ୍ଷା ଓ ସୁବିଧା ପ୍ରଦାନ କରିବା ଉଚିତ। ଏଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ସହ ନିୟମିତ ବିକାଶମୂଳକ ତଦାରଖ ବ୍ୟବସ୍ଥାକୁ ଆହୁରି କଡ଼ାକଡି କରିବାର ଆବଶ୍ୟକତା ରହିଛି। ସୀମାନ୍ତବର୍ତ୍ତୀ ବିବାଦୀୟ ଅଞ୍ଚଳକୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ଏହାର ସମାଧାନ ଓ ତୃଣମୂଳସ୍ତରରୁ ଆବଶ୍ୟକତାକୁ ହୃଦୟଙ୍ଗମ କରି ଯୋଜନା ପ୍ରସ୍ତୁତ କଲେ, କେବଳ ସେଠାକାର ଅଧିବାସୀ ଉପକୃତ ହେବେ ତାହା ନୁହେଁ; ବରଂ ପଡ଼ୋଶୀଙ୍କ ହସ୍ତକ୍ଷେପକୁ ସ୍ଥାନୀୟ ଅଧିବାସୀ ସ୍ବତଃ ପ୍ରତିରୋଧ କରିବେ। ଏହାଦ୍ୱାରା ସୀମାନ୍ତର ସାମାଜିକ ବାଡ଼ ଅଧିକ ସୁଦୃଢ଼ ହେବ। ଏଥିପାଇଁ ଦୀର୍ଘମିଆଦୀ ଯୋଜନା ଓ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଯେମିତିକି ଆନ୍ଧ୍ରରୁ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀ ବଦଳରେ ଓଡ଼ିଶାରେ ଏସବୁର ଭରପୂର ଉପତ୍ାଦନ ପାଇଁ ଓଡ଼ିଶାବାସୀ ଅଣ୍ଟାଭିଡ଼ିବା ଦରକାର। ଓଡ଼ିଶାର ସୁଦୀର୍ଘ ପଟୁଜମିର ପୂର୍ଣ୍ଣ ବ୍ୟବହାର ଓ ଉପତ୍ାଦନ ଆମକୁ ପ୍ରତ୍ୟେକ କୃଷିଜାତ ସାମଗ୍ରୀର ବଳକା ରାଜ୍ୟରେ ପରିଣତ କରାଇପାରିବ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ମାଛଚାଷ, କୁକୁଡ଼ା ଚାଷ, କଦଳୀ ଚାଷ ଆଦିକୁ ପ୍ରାଧାନ୍ୟ ଦେଇ ଆନ୍ଧ୍ରଠାରୁ ଆମଦାନୀକୁ ଅଧିକ ସଂକୁଚିତ କରିବା ସହ ଚାଷୀ ଓ କୋଟିଆ ଅଧିବାସୀଙ୍କୁ ଅମତ୍ନିର୍ଭରଶୀଳ କରାଇପାରିଲେ ସେମାନେ ରୋଜଗାରକ୍ଷମ ହେବେ। ମାରାତ୍ମକ ପରିରକ୍ଷଣଶୀଳ ଦ୍ରବ୍ୟଯୁକ୍ତ କୃଷିଜାତ ସାମଗ୍ରୀକୁ ଆମଦାନୀ କରି ଅର୍ଥ ବିନିମୟରେ ରୋଗ କିଣିବା ଅପେକ୍ଷା ଓଡ଼ିିଶା ଭଳି ଚାଷଭୂମି ବହୁଳ ରାଜ୍ୟରେ ଜୈବିକ ଉପତ୍ାଦନକୁ ଗୁରୁତ୍ୱ ପ୍ରଦାନ କଲେ ଚାଷୀ, ଖାଉଟି ଓ ବଜାର ସମସ୍ତେ ଲାଭରେ ଓ ସୁସ୍ଥରେ ରହିବେ। ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ ଓ ଆନ୍ଧ୍ର ଉପରେ ଚାପ ପ୍ରୟୋଗ କରିବା ସହଜ ହେବ। ସେହିପରି ପ୍ରାକୃତିକ ସମ୍ବଳର ପରିଚାଳନା ଓ ଉପଯୋଗ ରୋଜଗାରର ଅନ୍ୟ ଏକ ମାଧ୍ୟମ। ଏହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଜୀବନ-ଜୀବିକାକୁ ନିଶ୍ଚିତ କରାଯାଇପାରିବ ଓ ପ୍ରକୃତି, ଖଣିଜ ସମ୍ପଦର ସୁରକ୍ଷା ରଖାଯାଇପାରିବ। ଦକ୍ଷତା ବିକାଶ, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଅନୁଦାନ, ସ୍ବାସ୍ଥ୍ୟସେବା, ଶିକ୍ଷା, ଗମନାଗମନ, ପାନୀୟ ଜଳ ଭଳି ଉନ୍ନତ ମୌଳିକ ସୁବିଧା ସୀମାନ୍ତ ଅଞ୍ଚଳରେ ଜୀବନଧାରଣର ମାନକୁ ଅତି ଉନ୍ନତ କରିବ। କୌଳିକ ଓ ବୃତ୍ତିଗତ ରୋଜଗାର, କୃଷି, ଅଣ-କୃଷିଜନିତ ରୋଜଗାର ନିଶ୍ଚିତ କରାଇପାରିଲେ ସ୍ଥାନୀୟ ଯୁବକମାନଙ୍କର ସ୍ଥାନାନ୍ତରଣ ହେବ ନାହିଁ। ସେହିପରି ସୀମାରେ ମହିଳା ଶସକ୍ତୀକରଣ ହେଉଛି ସୁରକ୍ଷାର ଅନ୍ୟ ଏକ ଅମୋଘ ଅସ୍ତ୍ର। ବ୍ୟାଙ୍କ, ଶିଳ୍ପକେନ୍ଦ୍ର, ଲଘୁ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଓ ସଂଯୋଗ ସେଠାକାର ଜନସାଧାରଣଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବ। ସମନ୍ବିତ ପଦ୍ଧତିରେ ଯୋଜନାର ସଂଯୋଗୀକରଣ କରି ପୂର୍ଣ୍ଣ ବିକଶିତ ସୀମାନ୍ତ ଅଞ୍ଚଳ ଗଠନ କଲେ ଏ ମିଛ ପ୍ରଲୋଭନର ମାୟାଜାଲ ବିଫଳ ହେବ।
ଇତିମଧ୍ୟରେ ଓଡ଼ିଶା ସରକାର କୋଟିଆ ବିକାଶ ପାଇଁ ସ୍ବତନ୍ତ୍ର ପଦକ୍ଷେପମାନ ଘୋଷଣା କଲେଣି। କେବଳ କୋଟିଆ କାହିଁକି, ରାଜ୍ୟର ସୀମାନ୍ତ ଅଞ୍ଚଳକୁ ସର୍ବଦା ତୁଙ୍ଗ ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାରମ୍ବାର ଗସ୍ତ ଓ ସେଠାକାର ଲୋକମାନଙ୍କ ସହ ଆଲୋଚନା ଓଡ଼ିଶାର ଅଧିକାରକୁ ଅଧିକ ଦୃଢ଼ୀଭୂତ ଓ ନିରନ୍ତର ଜାହିର କରି ରଖିବାରେ ସହାୟକ ହେବ। କୋଟିଆ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସହ ଜନସାଧାରଣ, ସମସ୍ତ ରାଜନୈତିକ ଦଳ ଓ ସ୍ଥାନୀୟ ବାସିନ୍ଦା ଆଗକୁ ଆସିଲେ ଆନ୍ଧ୍ର ସେଠାରୁ ଆପେ ଆପେ ଦୂରେଇଯିବ। ନିର୍ବାଚନକୁ ସ୍ଥାନୀୟ ଲୋକେ ବର୍ଜନ କରିବାର ବଜ୍ର ଶପଥ ନେବା ଜରୁରୀ। ଏଥିପାଇଁ ଦଳମତ ନିର୍ବିଶେଷରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବିଧାୟକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସୁପ୍ରିମକୋର୍ଟଙ୍କ ଷ୍ଟାଟସ୍‌ କ୍ୱୋ ନିର୍ଦ୍ଦେଶ ଆଜି ବି ବଳବତ୍ତର। ଉଭୟପକ୍ଷ ପରସ୍ପରକୁ ସମ୍ମାନ ଦେଲେ ସବୁ ସମସ୍ୟାର ସମାଧାନ ସହଜ ହୁଏ। ଇତିମଧ୍ୟରେ ଆନ୍ଧ୍ର ଏହାର ଉଲ୍ଲଂଘନ କରିବା ହେଉଛି ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶର ଅବମାନନା ବୋଲି ଦର୍ଶାଇ ଓଡ଼ିଶା ତା’ର ପକ୍ଷ ରଖିଲାଣି। ଅପରପକ୍ଷରେ କୋଟିଆସ୍ଥ ଗ୍ରାମଗୁଡ଼ିକୁ ଭିନ୍ନ ପଞ୍ଚାୟତରେ ବିଭକ୍ତ କରି ଓ ଏହାର କିଛି ଗ୍ରାମର ନଁା ପରିବର୍ତ୍ତନ କରି ଆନ୍ଧ୍ର ସରକାର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରୁଥିବା ଖବରରୁ ଜଣାଯାଏ। ଏସବୁ ତଥ୍ୟକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେଣି। ତା’ଛଡ଼ା ଓଡ଼ିଶା ରାଜ୍ୟ ୧୯୩୬ରେ ଓ ଆନ୍ଧ୍ର ୧୯୫୬ରେ ଗଠନ ହୋଇଛି। କୋଟିଆ ଗ୍ରାମସମୂହର ଅଧିବାସୀ ଓଡ଼ିଶାରେ ଭୋଟ ଦେଇଆସୁଛନ୍ତି। ସେଠାରେ ଓଡ଼ିଶା ସରକାର ରାସ୍ତାଘାଟ, ବିଦ୍ୟାଳୟ, ପୋଲ ନିର୍ମାଣ କରିଛନ୍ତି। ଏଣୁ ଏହି ନ୍ୟାୟିକ ପ୍ରକ୍ରିୟାରେ କୋଟିଆବାସୀ ସେମାନଙ୍କର ଉପଯୁକ୍ତ ଅଧିକାର ପାଇବା ସହ ଏହି ବିବାଦ ସମାଧାନର ବାଟ ବାହାରିବା ଆଶା କରାଯାଏ। ସମସ୍ତେ ଜାଣନ୍ତି ଯେ, କୋଟିଆ ଓ କୋଟିଆ ଭଳି ଇଲାକାସମୂହ ଓଡ଼ିଶାରେ ଥିଲା ଓ ରହିବ। କୋଟିଆ ସମ୍ପର୍କରେ ଓଡ଼ିଶାବାସୀ ଓ ରାଜନୈତିକ ଦଳଗୁଡ଼ିକ ଏକମତ ଓ ଏକ ବିଚାର ନେଇ ଏକାଠି ହେଲେଣି। ସଭିଁଙ୍କ ମୁହଁରୁ ରାଜ୍ୟର ସାମୂହିକ ସ୍ବାର୍ଥ ପାଇଁ ଏକ ସ୍ବର ଓ ପ୍ରତିବଦ୍ଧତାର ଭାଷା ବାହାରୁଛି। ଏହା ଗଣତାନ୍ତ୍ରିକ ଓ ସାମୂହିକ ବିକାଶ ପାଇଁ ଉତ୍ତମ ଓ ସହଯୋଗୀ ଉଦ୍ୟମ।
ଖବରରୁ ଜଣାଯାଏ ଯେ, କିଛି ଅଧିବାସୀ ଆନ୍ଧ୍ର ଓ ଓଡ଼ିଶା ଉଭୟ ରାଜ୍ୟରୁ ସରକାରୀ ସୁବିଧା ପାଉଛନ୍ତି। ଏମାନଙ୍କୁ ପ୍ରଲୋଭିତ କରାଯାଇ ନିକଟରେ ଆନ୍ଧ୍ରରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଭାଗନେବାକୁ ନିଆଯାଇଥିଲା। ତେବେ ଏ ସଂକ୍ରାନ୍ତରେ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳେ। ସେ ଯାହାହେଉନା କାହିଁକି, ଏଠାରେ ଅନୁପ୍ରବେଶ ଓ ଛଳନାତ୍ମକ ଭାବରେ ବହୁବିଧ ସୁବିଧା ହାତଉଥିବା କିଛି ଲୋକଙ୍କ ପାଇଁ ଉଭୟ ରାଜ୍ୟର ସ୍ବାର୍ଥ ବଳି ପଡ଼ିବାର ଆଶଙ୍କା ସୃଷ୍ଟି ହେଉଛି। ଏମିତିକା ପ୍ରାୟୋଜିତ ଭୋଟର ବ୍ୟବସ୍ଥା ଯେ ଆଗାମୀ ପ୍ରସ୍ତାବିତ ନିର୍ବାଚନର ଏକ ଅଂଶବିଶେଷ ହୋଇନଥିବ, ସେକଥା କିଏ କହିବ? ଏସବୁ ସତ୍ତ୍ୱେ କୋଟିଆ ଭଳି ଯେତେ ବିବାଦୀୟ ବିଷୟ ଅଛି, ତାହା ଓଡ଼ିଶାର ସ୍ବାଭିମାନ ସହ ଜଡ଼ିତ ଥିବାରୁ ସେ ଅଞ୍ଚଳକୁ ଆଜିଯାଏଁ ଆମଠାରୁ କେହି ଅଲଗା କରିପାରିନାହାନ୍ତି। ଏଣୁ ବିଶ୍ୱାସ, ଭରସା ବି ଗୋଟିଏ ଗୋଟିଏ ଅଦେଖା ଅସ୍ତ୍ର, ଯାହା ଉଚ୍ଚ ଭାବନାର ମୂଲ୍ୟବୋଧଭିତ୍ତିକ ପ୍ରତିରୋଧକୁ ପ୍ରୋତ୍ସାହିତ କରିବ। ଏହାକୁ କେବଳ ଜାଗ୍ରତ କରାଇବାର ଆବଶ୍ୟକାତା ରହିଛି। କେବଳ ସୁଚିନ୍ତିତ ଓ ପ୍ରାୟୋଜିତ ପଦକ୍ଷେପ ଦ୍ୱାରା ଏହିସବୁ ବିବାଦୀୟ ବିଷୟର ଚିର ସମାଧାନ କରାଯାଇପାରିବ ତାହା ନୁହେଁ, ବରଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଧିବାସୀଙ୍କ ଦକ୍ଷତା ବୃଦ୍ଧିରେ ଓ ସହଯୋଗରେ ସୀମାନ୍ତର ସାମାଜିକ ବାଡ଼କୁ ମଜଭୁତ କଲେ ଅଖଣ୍ଡ ଓଡ଼ିଶା ଅକ୍ଷୁଣ୍ଣ ଓ ଚିରସ୍ଥାୟୀ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri