ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଗୁଆହାଟୀଠାରେ ଅନୁଷ୍ଠିତ ବିସିସିଆଇ (BCCI) ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ଧାନାଙ୍କୁ ବର୍ତ୍ତମାନ ଦିନିକିଆ (ODI) ଓ ଟି-୨୦ (T20I) ଫର୍ମାଟ୍ ପାଇଁ ଅଧିନାୟକ ଘୋଷଣା କରାଯାଇଛି।
ସ୍ମୃତି ମନ୍ଧାନା ଦୀର୍ଘ ଦିନ ଧରି ମହିଳା ଟିମ୍ର ଉପ-ଅଧିନାୟକ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୧୩ରୁ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରହିଥିବା ମନ୍ଧାନା ପୂର୍ବରୁ ୧୮ଟି ଟି-୨୦ ଆନ୍ତର୍ଜାତୀୟ ଏବଂ ୪ଟି ଦିନିକିଆ ମ୍ୟାଚ୍ରେ ଭାରତର ନେତୃତ୍ୱ ନେଇସାରିଛନ୍ତି। ଏହାସହ ମହିଳା ପ୍ରିମିୟର ଲିଗ୍ (WPL) ରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) କୁ ୨୦୨୪ ଏବଂ ୨୦୨୬ ମସିହାରେ ଚାମ୍ପିଅନ୍ କଇ ନିଜ ନେତୃତ୍ୱ ଦକ୍ଷତା ପ୍ରମାଣିତ କରିଛନ୍ତି।
ବିସିସିଆଇ ସଭାପତି ମିଥୁନ ମିନ୍ହାସ ଏବଂ ସମ୍ପାଦକ ଦେବଜୀତ ସାଇକିଆ, ସ୍ମୃତିଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ମିଥୁନ ମିନ୍ହାସ କହିଛନ୍ତି, “ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା ଟିମ୍ର ଅଧିନାୟକ ଭାର ମିଳିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି। ସେ ବହୁ ବର୍ଷ ଧରି ଭାରତୀୟ କ୍ରିକେଟ୍ର ମୁଖ୍ୟ ଆଧାର ରହିଛନ୍ତି ଏବଂ ଆଗରେ ରହି ଦଳକୁ ନେତୃତ୍ୱ ଦେବାର ଗୁଣ ତାଙ୍କ ପାଖରେ ରହିଛି।”
ସେହିପରି ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ କହିଛନ୍ତି, “ସ୍ମୃତି ଦଳର ଅନ୍ୟତମ ଅଭିଜ୍ଞ ଖେଳାଳି। ସେ ଦେଶର ପ୍ରତିନିଧିତ୍ୱ କରିବାର ଗୁରୁତ୍ୱ ବୁଝନ୍ତି ଏବଂ ଜଣେ ଅଧିନାୟକ ଭାବେ ସେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ ବୋଲି ମୋର ଦୃଢ଼ ବିଶ୍ୱାସ।”
ଅଧିନାୟକ ହେବା ପରେ ସ୍ମୃତି ମନ୍ଧାନା କହିଛନ୍ତି ଯେ, ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନର ବିଷୟ। ନିଜ ଦେଶର ନେତୃତ୍ୱ ନେବା ସବୁବେଳେ ସ୍ୱପ୍ନ ସଦୃଶ। ଏହି ସୁଯୋଗ ପାଇଁ ସେ ବିସିସିଆଇ, ଚୟନକର୍ତ୍ତା ଏବଂ ଦଳର ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

