ବୃକ୍ଷର ତଳେ ନରହରି

ହାଭାରତୀୟ ଦର୍ଶନରେ ଅବତାରବାଦର ଅନ୍ୟତମ ଚରିତ୍ର ଭଗବାନ ଶ୍ରୀକୃଷ୍ଣ। ତାଙ୍କ ଲୌକିକ ଓ ଅଲୌକିକ ଲୀଳାର ପ୍ରଥମ ଉଦ୍‌ଗାତା ମହର୍ଷି ବ୍ୟାସଦେବ। ଶ୍ରୀମଦ୍ଭାଗବତ ତାଙ୍କ ତପୋଲବ୍ଧ ଅନୁଭବର ଏକ ବାଙ୍ମୟ ପରିପ୍ରକାଶ। ବିଶ୍ବପ୍ରେମ, ବିଶ୍ବଧର୍ମ ଓ ବିଶ୍ବ ମାନବିକତାର ମହୋଦଧି ଶ୍ରୀମଦ୍ଭାଗବତ। ଆତ୍ମ ଉପଲବ୍ଧି ଓ ଆତ୍ମ ସାକ୍ଷାତକାରର ଗ୍ରନ୍ଥ। ଜ୍ଞାନର ଗଙ୍ଗା ଓ ଅମୃତର ଭଣ୍ଡାର। ମାତ୍ର ବ୍ୟାସକୃତ ଏହି ମହାପୁରାଣର ଦାର୍ଶନିକ ତତ୍ତ୍ବକୁ ମନ୍ଥନ କରିବା ସାଧାରଣ ଜନତାଙ୍କ ପକ୍ଷରେ ଏକ ଦୁରୂହ ବ୍ୟାପାର। ଏହି କାରଣରୁ ସଂସ୍କୃତ ଭାଗବତ ଚର୍ଚ୍ଚାର ଦୁଆରବନ୍ଧ ମାଡିପାରୁ ନ ଥିଲେ ଲକ୍ଷ ଲକ୍ଷ ଅପାଠୁଆ ଓଡ଼ିଆ। ସେମାନଙ୍କ ଅସହାୟତାକୁ ଅନୁଭବ କରି ମୂଳ ଭାଗବତର ସରଳ ଭାବାନୁବାଦ ପାଇଁ ଆଗେଇ ଆସିଲେ ଭକ୍ତକବି ଜଗନ୍ନାଥ ଦାସ। କବିଙ୍କ ନିଷ୍ଠାପର ଉଦ୍ୟମ ତଥା ଭକ୍ତି, ଶକ୍ତି, ପ୍ରଜ୍ଞା ଓ ସର୍ଜନଶୀଳ ପ୍ରତିଭା ବଳରେ ଏକ ଆନୁବାଦିକ ବିସ୍ମୟ ଉଭା ହେଲା ଅଦ୍ବିତୀୟ ତତ୍ତ୍ବମୟ ଗ୍ରନ୍ଥ ଓଡ଼ିଆ ଭାଗବତ। ଅନ୍ଧାର ଭବବନ୍ଧ ଅପସାରଣ ନ୍ୟାୟରେ ତାହା ଖୋଲିଦେଲା ଲକ୍ଷ ଲକ୍ଷ ନିରକ୍ଷର ଜନତାଙ୍କ ଆଖି। ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ଉଲ୍ଲାସ ମଧ୍ୟରେ ବିଶାଳ ଉଡ୍ର ଖଣ୍ଡରେ ଦକ୍ଷିଣରୁ ଉତ୍ତର ଯାଏ ପ୍ରବାହିତ ହେଲା ଭାଗବତର ଭାବନା। ଓଡ଼ିଶାର ଘରେ ଘରେ ପ୍ରତିଷ୍ଠା ହେଲା ଭାଗବତ ଗାଦି। ଗାଁ ଗାଁରେ ଗଢି ଉଠିଲା ଭାଗବତଟୁଙ୍ଗି, ଯେଉଁଠି ସଞ୍ଜ ନଇଁଲେ ଭାଗବତ ଗୋସେଇଁଙ୍କ କଣ୍ଠରୁ ଭାସିଆସେ- ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’-ଆଦି ପଦ ପଂକ୍ତିର ସୁଲଳିତ ଆବୃତ୍ତି। ଭାଗବତର ନବାକ୍ଷରୀ ବୃତ୍ତ ବା ଗୁଜ୍ଜରୀ ରାଗର ଅନୁରଣନ ଶ୍ରୋତାକୁ ଏତେ ସମ୍ମୋହିତ କଲା ଯେ ନିରକ୍ଷର ଜନତା ବି ଶୁଣି ଶୁଣି ମନେରଖିଲା ଭାଗବତର ଅମୃତ ବାଣୀ। ଭାଗବତଟୁଙ୍ଗି ନିର୍ବାହ କଲା ଗାଁ ପାଠାଗାର, ରାତ୍ରି ଶିକ୍ଷାଦାନ କେନ୍ଦ୍ର, ଆଧ୍ୟାତ୍ମିକ ଆଲୋଚନା ସ୍ଥଳ ତଥା ଲୋକ ନ୍ୟାୟାଳୟର ଭୂମିକା। ଦଣ୍ଡ, କ୍ଷମା ଓ ଜରିମାନା ଆଦି ସବୁକିଛି ନିର୍ଣ୍ଣୟ ହେଲା ଭାଗବତ ଗୋସେଇଁଙ୍କ ନାଁରେ। ସେଠାରେ ତୁଳସୀପତ୍ର ଛୁଇଁ ମିଛ କହିବାକୁ ସାହସ କରିବ ବା କିଏ ? ତେଣୁ ଭାଗବତଟୁଙ୍ଗି ପାଲଟିଗଲା ଲୋକଙ୍କ ଆସ୍ଥା ଓ ବିଶ୍ବାସର ସ୍ଥଳ। ସାମାଜିକ ସଂହତି ତଥା ଶାନ୍ତି ଓ ସମର୍ପଣର ପବିତ୍ର ପୀଠ।
ଭାରତୀୟ ସଂସ୍କୃତିରେ ଯାହା ମୂଳ ବା ମୂଲ୍ୟବାନ ତାହା ହିଁ ଭାଗବତର ସାର ସଂଗ୍ରହ। ତା’ର ପ୍ରତ୍ୟେକଟି ପଦ ଓ ପାଦରେ ନିହିତ ମୁନିଋଷିମାନଙ୍କ ସୂକ୍ଷ୍ମତମ ଚିନ୍ତାର ନିର୍ଯାସ, ଯାହା ଶୁଦ୍ଧ ଜୀବନବୋଧର ଏକ ଏକ ମନ୍ତ୍ର। ମୁକ୍ତିର ମହୌଷଧି। ଏହି ବିଶ୍ବାସ ନେଇ ମଣିଷର ଶେଷଶଯ୍ୟା ପାଖରେ ପଢାଯାଏ ଭାଗବତ। ପୁଅ ଅକ୍ଷର ନ ଶିଖିଲେ ମା’ ବାପାଙ୍କ ମୃତ୍ୟୁଶଯ୍ୟା ପାଖରେ ଭାଗବତ ପଢିବ କେମିତି? ଶାଶୁ ଶ୍ବଶୁରଙ୍କୁ ଭାଗବତ ଅଧ୍ୟାୟେ ପଢି କେମିତି ଶୁଣେଇବ ବୋହୂ? ଖାସ ଏଇ କାରଣରୁ ପିଲାଙ୍କୁ ପାଠ ପଢାଇବାକୁ ବ୍ୟାକୁଳ ହେଲେ ସବୁ ମା’ ବାପା।
ଗାଁ ଗାଁରେ ଖୋଲିଲା ଚାଟଶାଳୀ। ଆରମ୍ଭ ହେଲା ମାଟିବଂଶ ଅବଧାନ ପରମ୍ପରା। ନାରୀ ଶିକ୍ଷାର ପ୍ରସାର ସାଙ୍ଗକୁ ବଢିଲା ସାକ୍ଷରତା ହାର। ତଥ୍ୟ କହେ ଏକଦା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଟପି ଯାଇଥିଲା ଓଡ଼ିଶାର ସାକ୍ଷରତା ହାର। ପ୍ରାୟତଃ ପଚାଶ ଷାଠିଏ ବର୍ଷ ତଳେ ପ୍ରତିଦିନ ଭାଗବତ ପଢିବା ଓ ଶୁଣିବା ଥିଲା ଅନେକ ଲୋକଙ୍କ ଅଭ୍ୟାସ। ତେଣୁ ଆଧ୍ୟାତ୍ମିକ ଜ୍ଞାନର ବିକାଶ ସହିତ ଲୋକଙ୍କ ଭିତରେ ପ୍ରକାଶ ପାଇଥିଲା ସତ୍ୟ, ଧର୍ମ, ନ୍ୟାୟ ଓ ପରୋପକାର ପ୍ରତି ନିଷ୍ଠା। ସେବା, ତ୍ୟାଗ, ନୈତିକ ଭାବନାରେ ମହକି ଉଠିଥିଲା ଗ୍ରାମ୍ୟ ପରିବେଶ।
ଭାଗବତରେ ଜୀବନ ନିର୍ଯାସର ଗହନ ତତ୍ତ୍ବ ଯେତେ ଥାଉନା କାହିଁକି ମୂଳ କଥାଟି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଅବତାର ଗ୍ରହଣ। ପୌରାଣିକ କଥାବସ୍ତୁ ଅନୁସାରେ ପ୍ରବଳ ପ୍ରତାପୀ ମହାରାଜା କଂସ ଥିଲା ମାନବିକତାର ଶତ୍ରୁ। ତା’ର ଅତ୍ୟାଚାରରେ ଥରହର ହେଉଥିଲା ମଥୁରା କଟକ। ରାଜକର୍ମଚାରୀଙ୍କ ଶୋଷଣ କଷଣରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକୁଥିଲେ ପ୍ରଜାକୁଳ। ମୁନିଋଷିମାନଙ୍କ ଯଜ୍ଞ ଧ୍ବଂସ କରିବା ସହିତ ପଶୁପକ୍ଷୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରୁଥିଲେ କଂସର ଅନୁଚରମାନେ। ଏଭଳି ଏକ ଅନ୍ଧାରୀ ଶାସନର ଅବସାନ ନିମନ୍ତେ ଆବଶ୍ୟକ ଥିଲା ନୂତନ ରାଜଶକ୍ତିର ଅଭ୍ୟୁଦୟ। ସମୟର ଏ ଆହ୍ବାନକୁ ସ୍ବୀକାର କଲେ ଭଗବାନ ଶ୍ରୀକୃଷ୍ଣ। ଅନ୍ଧକାରର ବୁକୁଚିରି ପ୍ରତୀୟମାନ ହେଲା ବିପ୍ଳବର ବହ୍ନିମାନ ରୂପ। କଂସର କାରାଗାର ଭିତରେ ମା’ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଗ୍ରହଣ କଲେ ଭଗବାନ ଶ୍ରୀକୃଷ୍ଣ। ”ଆକାଶେ ଉଦେ ନିଶାକର। ଦେବକୀ ଉଦରୁ ବାହାର॥“
କୃଷ୍ଣଙ୍କ ଜନ୍ମ ଯେତିକି ରହସ୍ୟମୟ, ତାଙ୍କର କାର୍ଯ୍ୟକଳାପ ତତୋଧିକ ସଂଘର୍ଷପୂର୍ଣ୍ଣ। ସେ ଯେତିକି ଦେବତା ନ ଥିଲେ, ତତୋଧିକ ଥିଲେ ମାନବୀୟ ଚେତନାର ବାର୍ତ୍ତାବହ। ମଣିଷ ପ୍ରତି ତାଙ୍କର ଯେତିକି ଭଲ ପାଇବା ଥିଲା ତତୋଧିକ ଭଲ ପାଇବା ଥିଲା ପ୍ରକୃତି ଓ ପରିବେଶ ପ୍ରତି। ତାଙ୍କ ଦୃଷ୍ଟିରେ ପ୍ରକୃତି ଉପରେ ମାନବୀୟ ଅତ୍ୟାଚାର ଏକ ପାଶବିକ ଆଚରଣ। ତେଣୁ ପ୍ରଦୂଷଣକାରୀ ତତ୍ତ୍ବ ବିରୋଧରେ ତାଙ୍କର ପଦକ୍ଷେପ ଥିଲା କଠୋର ଓ ଦୃଷ୍ଟାନ୍ତମୂଳକ, ଯାହା ପରିବେଶ ସୁରକ୍ଷା ଦିଗରେ ସର୍ବାଧିକ ଅନୁକରଣୀୟ। ସେ କେବଳ କର୍ମଯୋଗର ପ୍ରବକ୍ତା ନ ଥିଲେ, ବରଂ ଥିଲେ ପ୍ରକୃତି ଉପାସନାର ପ୍ରତୀକ ଓ ତା’ର ସୁରକ୍ଷାର ପ୍ରବର୍ତ୍ତକ। ପାହାଡ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି। ଚିର ମୌନମୁଦ୍ରାରେ ଦଣ୍ଡାୟମାନ ପାହାଡଗୁଡିକ କେବଳ କିଛି ପଥର ମାଟି ଗୋଡି ଓ ବୃକ୍ଷରାଜିର ସମାହାର ନୁହେଁ କି ନୈସର୍ଗିକ ଶୋଭାରାଜିର ଗନ୍ତାଘର ନୁହେଁ, ତା’ ଦେହରେ ରହିଛି ମାନବୀୟ ଜୀବନସତ୍ତା। ପାହାଡ ଆମ ଜୀବନ ଜୀବିକାର ଆଧାର। ପାହାଡରୁ ସୃଷ୍ଟିହୁଏ ଝରଣା। ଝରଣାରୁ ନଦୀ। ସେହି ନଦୀ କୂଳରେ ଗଢିଉଠେ ଜନବସତି। କେବଳ ପାନୀୟ ଜଳ ଯୋଗାଣ କି କୃଷିର ବିକାଶ ପାଇଁ ନୁହେଁ, ପାହାଡ ଦେହରୁ ଝରୁଥିବା ଝରଣା ଉପରେ ନିର୍ଭର କରି ବଞ୍ଚୁଛନ୍ତି ଅନେକ ପ୍ରଜାତିର ପ୍ରାଣୀ। ଏହି ଦୃଷ୍ଟିରୁ ଗୋପବାସୀଙ୍କ ପାଇଁ ଇନ୍ଦ୍ର ପୂଜାଠାରୁ ଅଧିକ ମହତ୍ତ୍ୱ ରଖେ ଗୋବର୍ଦ୍ଧନ ଉପାସନା। ତେଣୁ ଇନ୍ଦ୍ର ପୂଜା ବଦଳରେ ଗିରି ଗୋବର୍ଦ୍ଧନ ପୂଜିବାକୁ ପରାମର୍ଶ ଦେଇ ସେ କହିଛନ୍ତି-”ପୂଜିବା ଗୋବର୍ଦ୍ଧନ ଶିରେ,ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ। ଦ୍ବିଗୁଣ କରି ବଳି ଭୋଜା, ସୁଖେ କରିବା ଗିରିପୂଜା।“
ମଣିଷ ସମେତ ସମଗ୍ର ଜୀବଜଗତ ପାଇଁ ନଦୀ ହେଉଛି ପ୍ରକୃତିର ବଡ ଉପହାର। ପ୍ରତ୍ୟକ୍ଷ ହେଉ କି ପରୋକ୍ଷ ହେଉ ନଦୀ ଉପରେ ସମସ୍ତେ ନିର୍ଭରଶୀଳ। ଅଥଚ ମଣିଷର ଅତ୍ୟାଚାରରେ ଦେଶର ନଦୀ ଏବେ ପ୍ରଦୂଷିତ। ଏହି ପରିପ୍ରେକ୍ଷୀରେ ଏକ ଅନୁକରଣୀୟ ବାର୍ତ୍ତା ବହନ କରେ ଯମୁନା ନଦୀ ସହିତ ଶ୍ରୀକୃଷ୍ଣଙ୍କର ଆତ୍ମୀୟତା ତଥା କାଳୀୟନାଗର ଅତ୍ୟାଚାରରୁ କାଳିନ୍ଦୀ ହ୍ରଦକୁ ପ୍ରଦୂଷଣ ମୁକ୍ତ କରିବାର ପ୍ରତିବଦ୍ଧତା।
ପରିବେଶ କହିଲେ ଆଗେ ଆଖି ଆଗକୁ ଆସେ ବୃକ୍ଷ। ମଣିଷର ସ୍ଥିତି,ଉନ୍ନତି ଓ ଆଧ୍ୟାତ୍ମିକତା ସହ ବୃକ୍ଷ ଓତପ୍ରୋତ ଭାବେ ଜଡିତ। ପ୍ରାଣ ସଂଚାର ପାଇଁ ବାୟୁଠାରୁ ଖାଦ୍ୟବସ୍ତ୍ର ଆଦି ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷର ଅବଦାନ ଅତୁଳନୀୟ। ତ୍ୟାଗ ହେଉଛି ବୃକ୍ଷର ଧର୍ମ। ପ୍ରସଙ୍ଗ କ୍ରମେ ବୃକ୍ଷକୁ ଗୁରୁ ଭାବରେ ଗ୍ରହଣ କରିଥିବା ଅବଧୂତ କହିଛନ୍ତି-”ଧନ୍ୟ ଜୀବନ ଏ ଜଗତେ,ଯେ ପ୍ରାଣ ଧରେ ପ୍ରାଣୀ ହିତେ। ଧନ୍ୟ ଜୀବନ ଧନ୍ୟ ତାର, ଦୁର୍ଲ୍ଲଭ କର୍ମ ଏ ବେଭାର। ଏହା ମୁଁ ବୃକ୍ଷଙ୍କର ସ୍ଥାନେ, ଶିଖିଲି ପର୍ବତ ଗହନେ।“ ଅର୍ଥାତ୍‌ ବୃକ୍ଷ ସଦୃଶ ଯିଏ ପରୋପକାର ପାଇଁ ଜୀବନ ବଞ୍ଚେ, ସାର୍ଥକ ହୋଇଯାଏ ତା’ର ମାନବ ଜୀବନ। ଗୋ-ସମ୍ପଦର ସମୃଦ୍ଧି ହିଁ ପରିବେଶ ସୁରକ୍ଷାର ଏକ ପ୍ରମୁଖ ଅଙ୍ଗ। ତେଣୁ ଗୋ-ସମ୍ପଦର ଯତ୍ନ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଶ୍ରୀକୃଷ୍ଣ। ”ଗୋରୁ ଗୋପାଳ ଘେନି ସଙ୍ଗେ, ମିଳିଲେ ଯମୁନାର ଲାଗେ। ଶୀତଳ ଜଳ ପାନ କରି, ବୃକ୍ଷର ତଳେ ନରହରି।“ ଅତଏବ ପରିବେଶ ସୁରକ୍ଷା ଦିଗରେ ଭାଗବତ ବାଣୀର ପ୍ରାସଙ୍ଗିକତା ସର୍ବକାଳୀନ।

ଡ.ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri