ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ ଗୋଟିଏ ଦିନରେ ରୂପା ଦର କେଜି ପିଛା ୮,୩୦୦ ଟଙ୍କା ଖସିଯାଇଛି। ଏହାସହ ରୂପା ଦର ପ୍ରାୟ ୧୧ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଅନ୍ୟପଟେ ସୁନା ଦରରେ ମଧ୍ୟ ୧୦ ଗ୍ରାମ ପିଛା ୧,୩୦୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ବୁଲିଅନ୍ କ୍ରୟ-ବିକ୍ରୟରେ ଦେଖାଦେଇଥିବା ନିରୁତ୍ସାହ କାରଣରୁ ଭାରତୀୟ ବଜାରରେ ଏହି ପ୍ରଭାବ ପଡ଼ିଥିବା କୁହାଯାଉଛି।
ଅଲ୍ ଇଣ୍ଡିଆ ସର୍ରାଫା ଏସୋସିଏସନ୍ (All India Sarafa Association) ଅନୁଯାୟୀ, ଶୁକ୍ରବାର ଦିନ ୯୯.୯% ବିଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପିଛା ୧,୪୫,୨୦୦ ଟଙ୍କାକୁ ହ୍ରାସ ପାଇଛି। ଏହା ପୂର୍ବ ବ୍ୟବସାୟିକ ଦିବସ (୨୯ ଅକ୍ଟୋବର)ରେ ୧,୪୬,୫୦୦ ଟଙ୍କାରେ ବନ୍ଦ ହୋଇଥିଲା, ଯାହାଫଳରେ ଗୋଟିଏ ଦିନରେ ସୁନା ୧,୩୦୦ ଟଙ୍କା ଶସ୍ତା ହୋଇଛି।
ସେହିପରି ରୂପା ଦରରେ ଆହୁରି ବଡ଼ ଧରଣର୍ର ଗ୍ରାଫ୍ ତଳକୁ ଖସିଛି। ରୂପା ଦର କେଜି ପିଛା ୮,୩୦୦ ଟଙ୍କା କମି ୧,୯୦,୨୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୧,୯୮,୫୦୦ ଟଙ୍କା ଥିଲା। ରୂପାର ଏହି ଦର ୧୦ ଡିସେମ୍ବର ୨୦୨୫ ପରେ ସବୁଠାରୁ କମ୍ ସ୍ତରରେ ପହଞ୍ଚିଛି।
ବୈଦେଶିକ ବଜାରରେ ମଧ୍ୟ ସୁନା ଓ ରୂପା ଦର କମିଛି। ଆନ୍ତର୍ଜାତୀୟ ସ୍ପଟ୍ ମାର୍କେଟ୍ରେ ସୁନା ଦର ୧.୩୨% (୫୩.୧୫ ଡଲାର) ହ୍ରାସ ପାଇ ପ୍ରତି ଆଉନ୍ସ (ounce) ୩,୯୬୮.୨୪ ଡଲାରରେ ପହଞ୍ଚିଛି। ଏହି ହ୍ରାସ ପରେ ସୁନା ୪,୦୦୦ ଡଲାରର ପ୍ରମୁଖ ସ୍ତର ତଳକୁ ଖସିଆସିଛି। ସେହିପରି ରୂପା ଦର ପ୍ରାୟ ୪% କମି ପ୍ରତି ଆଉନ୍ସ ୫୦.୧୨ ଡଲାର ରହିଛି।
ମଧ୍ୟପ୍ରଦେଶର ଇନ୍ଦୋର ସର୍ରାଫା ବଜାରରେ ମଧ୍ୟ ସୁନା ଦର ୧୦ ଗ୍ରାମ ପିଛା ୮୦୦ ଟଙ୍କା କମି ୧,୪୩,୦୦୦ ଟଙ୍କା ରହିଥିବା ବେଳେ ରୂପା କେଜି ପିଛା ୭,୫୦୦ ଟଙ୍କା କମି ୧,୮୮,୦୦ ଟଙ୍କା ରହିଛି।

