ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ ଗାଁଠାରୁ ସହର ପର୍ଯ୍ୟନ୍ତ ମାଡ଼ିଯାଇ ଘରଦ୍ୱାର ଭାଙ୍ଗିବା ସହ ଲୋକଙ୍କ ଜୀବନଜୀବିକା ଉଜାଡ଼ି ଦେଇଛି। ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଅନେକ ଅଞ୍ଚଳରୁ ପାଣି ହଟିନଥିବାରୁ ଲୋକେ ଏବେ ବି ଜଳବନ୍ଦି ଜୀବନ କାଟୁଛନ୍ତି।ଘରେ ବନ୍ୟାଜଳ ପଶି ରନ୍ଧାବଢ଼ା ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ଅନେକ ପରିବାର ଖାଦ୍ୟ ସଙ୍କଟରେ ପଡ଼ିଛନ୍ତି। ଭୋକ ଉପାସରେ ଦିନ କାଟୁଥିବା ବିପନ୍ନଙ୍କ ନିକଟରେ ରନ୍ଧାଖାଦ୍ୟ, ପାନୀୟ ଜଳ କିମ୍ବା ଉଦ୍ଧାର ସହାୟତା ପହଞ୍ଚିନଥିବା ଅଭିଯୋଗ ହୋଇଥିଲା। ପ୍ରଶାସନର ଅବହେଳାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପରେ ଶେଷରେ ଚେତିଥିଲା ପ୍ରଶାସନ।
ଶୁକ୍ରବାର ରାତିରେ ପୋଲିସ ସୁରକ୍ଷାରେ ବିଭିନ୍ନ ବନ୍ୟାଞ୍ଚଳକୁ ରିଲିଫ ସାମଗ୍ରୀ ପଠାଯାଇଥିବା ବେଳେ ପୁରୁଷୋତ୍ତମପୁର ଏନ୍ଏସି ଅଞ୍ଚଳରେ ମଧ୍ୟ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ତେବେ ବିପନ୍ନଙ୍କ ଦୁର୍ଦ୍ଦଶା ଦୂର କରିବାରେ ପ୍ରଶାସନର ବିଳମ୍ବକୁ ନେଇ ଅସନ୍ତୋଷ ଥମିନାହିଁ।

