ନନ୍ଦପୁର,୧୬ା୧୧(ତୁଷାର କାନ୍ତ ମହାନ୍ତି): ସରକାର ବନୀକରଣକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଚାରାରୋପଣ କରିବାକୁ ଗୁରୁତ୍ୱ ଦେଉଛନ୍ତି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ପ୍ରଶାସନ ଚାରାରୋପଣ କରିବାକୁ ବନ ବିଭାଗ ନର୍ସରୀରୁ ଚାରା ଆଣି କୌଣସି ସ୍ଥାନରେ ରୋପଣ କରିବା କିମ୍ବା ଯତ୍ନର ସହ ରଖିବା ବଦଳରେ ଶତାଧିକ ମୂଲ୍ୟବାନ ସିଆଡି ଚାରା ଚାରାଗୁଡ଼ିକୁ କାର୍ଯ୍ୟାଳୟ ପରିସରରେ ନଷ୍ଟ କରୁଥିବା କରୁଥିବା ଦେଖିବାକୁ ମିଳିଛି।
ଅବିଭକ୍ତ କୋରାପୁଟ ଜିଲାର ଅଧିବାସୀ ସିଆଡି ପତ୍ରରେ ଖଲି ଓ ଦନା ପ୍ରସ୍ତୁତ କରି ବ୍ୟବହାର ସହ ବିକ୍ରି କରି ରୋଜଗାର ପାଆନ୍ତି। ଫଳକୁ ଖାଦ୍ୟ ଓ ଏହାର ଫୁଲରୁ ପ୍ରଚୁର ମହୁ ମିଳିଥାଏ। ଆଦିବାସୀଙ୍କ ଜୀବନ ଧାରାର ଏକ ପ୍ରମୁଖ ଅଂଶ ଭାବେ ବିବେଚିତ ସିଆଡି ଗଛ ଏବେ ଜଙ୍ଗଲରୁ ଧୀରେ ଧୀରେ ଲୋପ ପାଉଛି।
ଏହାର ପୁନଃରୁଦ୍ଧାର ପାଇଁ ବନ ବିଭାଗ ଚେଷ୍ଟା କରୁଛି। ଚାରା ସୃଷ୍ଟି କରି ବିଭାଗ ସମେତ ସହଯୋଗୀ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସାଧାରଣ ଜନତାଙ୍କୁ ରୋପଣ କରିବାକୁ ଯୋଗାଇ ଦେଉଛି। କିନ୍ତୁ ନନ୍ଦପୁର ବ୍ଲକ ପ୍ରଶାସନ ଉକ୍ତ ସିଆଡି ଗଛର ଶତାଧିକ ଚାରାକୁ ରୋପଣ କରିବାକୁ ଆଣି ନଷ୍ଟ କରୁଥିବା ଦେଖିବାକୁ ମିଳିଛି।
ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ସିଆଡି ଗଛର ଚାରା ଶୁଖିଲା ପଡ଼ିଛି। ଏହାକୁ ନେଇ ବ୍ଲକକୁ ଆସୁଥିବା ସାଧାରଣଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୀତ ଦିନରେ ଚାରାରୋପଣ କଲେ ଏହା ବଞ୍ଚିବ ନାହିଁ, ତେଣୁ ସିଆଡ଼ି ଚାରାଗୁଡିକୁ ତୁରନ୍ତ ବନ ବିଭାଗକୁ ଫେରାଇ ଦେବାକୁ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାପ୍ରସାଦ ଦୋରାଙ୍କୁ ପଚାରିବାରୁ ଚାରାଗୁଡ଼ିକର ରକ୍ଷଣବେକ୍ଷଣ କରାଯାଇ ରୋପଣ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

