ଭୁବନେଶ୍ୱର, ୧୬।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଅନୁଯାୟୀ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି।
ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବର୍ଷା ଓ ବନ୍ୟା ଅପେକ୍ଷା ଭୂସ୍ଖଳନ ଜନିତ ସମସ୍ୟାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଯେଉଁ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି, ସେଠାରୁ ଲୋକଙ୍କୁ ଆଗୁଆ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପ୍ରସ୍ତୁତି ରଖିବାକୁ କୁହାଯାଇଛି।
ଜରୁରି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋଷ୍ଟଗାର୍ଡ ଓ ନୌସେନାର ହେଲିକପ୍ଟରକୁ ମଧ୍ୟ ସଜାଗ ରଖାଯିବ। ଏଥିସହ ଆସନ୍ତାକାଲିଠାରୁ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପଠାଯିବ। ଏହାଦ୍ୱାରା ଆବଶ୍ୟକ ସମୟରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇପାରିବ।
ସେହିପରି କେତେକ ଜିଲ୍ଲାରେ ଡ୍ୟାମ୍ ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ଅଧିକ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଜଳ ପରିଚାଳନା ଉପରେ ମଧ୍ୟ ନଜର ରଖାଯାଇଛି।
ଏହି ସମୟରେ ସମସ୍ତ ଅଧିକାରୀ ନିଜ ନିଜ କାର୍ଯ୍ୟସ୍ଥଳରେ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜରୁରି ପରିସ୍ଥିତିରେ ଅଧିକାରୀମାନେ ଯେପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ସେଥିପାଇଁ ସେମାନଙ୍କୁ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହିବାକୁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନଜୀବନର ସୁରକ୍ଷା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

