ନୂଆଦିଲ୍ଲୀ,୧୬।୧୧: ଅଗ୍ନିବୀରଙ୍କ ନିଯୁକ୍ତି ଓ ସେବା ଅବଧିକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି । ଅଗ୍ନିବୀରଙ୍କ ସେବା ଅବଧିରେ ସମ୍ପ୍ରସାରଣ ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସମ୍ପର୍କରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗ୍ନିପଥ ଯୋଜନାରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ଯୋଜନାର ଏକ ଅଂଶ ବୋଲି ସେ କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ୍ ସୁବ୍ରମଣି ଅଗ୍ନିପଥ ଯୋଜନାରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ମତ ରଖିଥିଲେ । ତାଙ୍କ କହିବା ଅନୁଯାୟୀ, ଅଗ୍ନିବୀରଙ୍କ ୪ ବର୍ଷର ସେବା ଅବଧି ପୂରଣ ହେବା ପରେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ । ଏହାପରେ ଚୟନ ହେଉଥିବା ଅଗ୍ନିବୀରଙ୍କୁ ଅତିରିକ୍ତ ୨ ବର୍ଷ ସେବା କରିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ଅଗ୍ନିପଥ ଯୋଜନାରେ ହୋଇଥିବା ପରିବର୍ତ୍ତନକୁ ନେଇ CDS କହିଛନ୍ତି, ଏହା ଯୋଜନାର ପ୍ରତ୍ୟାହାର ନୁହେଁ। ଚାରି ବର୍ଷ ପୂର୍ବେ ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ହିଁ ସମୟ ସମୟରେ ଏହାର ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। ଏହା କୌଣସି ଅପରିବର୍ତ୍ତନୀୟ ନିଷ୍ପତ୍ତି ନଥିଲା। ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତ୍ତନର ସୁଯୋଗ ରହିଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ଯୋଜନାକୁ ନେଇ ଚାଲିଥିବା ରାଜନୈତିକ ଓ ସାର୍ବଜନୀନ ବିତର୍କ ଉପରେ ମତ ରଖି ସେ କହିଛନ୍ତି, ଯେଉଁମାନେ ଆଜି ଏହାକୁ ନେଇ ଭ୍ରମ ସୃଷ୍ଟି କରୁଛନ୍ତି, ସେମାନେ ପୂର୍ବରୁ ଏହି ଯୋଜନାକୁ ବିରୋଧ କରୁଥିଲେ। ଏବେ ଏଥିରେ ହୋଇଥିବା ପରିବର୍ତ୍ତନକୁ ମଧ୍ୟ ବିରୋଧ କରୁଛନ୍ତି। ସମସ୍ତ ନିଷ୍ପତ୍ତି ଭଲ ଭାବେ ବିଚାରବିମର୍ଶ କରି ନିଆଯାଇଛି ବୋଲି ସେ କହିଛନ୍ତି । ଜେନେରାଲ୍ ସୁବ୍ରମଣି ନିଜ ଅଭିଭାଷଣରେ କହିଛନ୍ତି, ୪ ବର୍ଷର ସେବା ପୂରଣ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ସ୍ଥାୟୀ ନିଯୁକ୍ତି ପାଇଁ ଚୟନ କରାଯିବ । ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀର ଆଉ ୨ ବର୍ଷ ପାଇଁ ‘ଟୁର୍ ଅଫ୍ ଡ୍ୟୁଟି’ କରିବେ ବୋଲି ସେ କହିଛନ୍ତି। ଏହି ୨ ବର୍ଷର ସେବା ପରେ ସେମାନଙ୍କୁ ନିୟମିତ କରାଯିବ ବୋଲି ଜେନେରାଲ୍ ସୁବ୍ରମଣି ନିଜ ବକ୍ତବ୍ୟରେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଏହାସହ ଅଗ୍ନିବୀରମାନେ ୪ ବର୍ଷ କିମ୍ବା ୬ ବର୍ଷର ସେବା ଅବଧି ପୂରଣ ପରେ ଅବସର ନେବାକୁ ଚାହିଁଲେ ମଧ୍ୟ ନେଇପାରିବେ ବୋଲି CDS ସ୍ପଷ୍ଟ କରିଛନ୍ତି ।

