ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ସ୍ଥାନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ୩୯ ବର୍ଷୀୟ ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବେ କି ନାହିଁ, ଏହି ପ୍ରଶ୍ନ ପୁଣି ଚର୍ଚ୍ଚାକୁ ଆସିଛି। ପ୍ରକୃତରେ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ରୋହିତଙ୍କ ବ୍ୟାଟ ସମ୍ପୂର୍ଣ୍ଣ ନିରବ ରହିଥିଲା। ଏହି କାରଣରୁ ଭାରତୀୟ ଦଳରେ ତାଙ୍କ ସ୍ଥାନକୁ ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି।
ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ୪ଟି ଇନିଂସରେ ରୋହିତ ଶର୍ମାଙ୍କ ବ୍ୟାଟରୁ ମାତ୍ର ୩୦ ରନ ବାହାରିଥିଲା। ଏହି ସିରିଜରେ ସେ ଦୁଇ ଥର ଶୂନ ରନରେ ଆଉଟ ହୋଇଥିଲେ। ସିରିଜରେ ରୋହିତଙ୍କ ବ୍ୟାଟିଂ ହାର ମାତ୍ର ୭.୫୦ ରହିଥିଲା, ଯାହା ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ରେ ଓପନର୍ ଭାବେ ତାଙ୍କର ସବୁଠାରୁ ଖରାପ ପ୍ରଦର୍ଶନ।
ସିରିଜ୍ର ପ୍ରଥମ ମ୍ୟାଚରେ ରୋହିତ ବିନା ଖାତା ଖୋଲି ଆଉଟ ହୋଇଥିଲେ। ଦ୍ୱିତୀୟ ଦିନିକିଆରେ ସେ ୨୩ ରନ କରିଥିଲେ। ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହାପରେ ଚତୁର୍ଥ ଦିନିକିଆରେ ମଧ୍ୟ ରୋହିତ ଶୂନ ରନ୍ରେ ଆଉଟ ହୋଇଥିଲେ। ସିରିଜର ଶେଷ ମ୍ୟାଚରେ ତାଙ୍କ ବ୍ୟାଟରୁ ମାତ୍ର ୭ ରନ ଆସିଥିଲା।
ନ୍ୟୁଜିଲାଣ୍ଡ ଗସ୍ତରେ ରୋହିତ ଶର୍ମା ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ରହିଥିଲେ। ତେବେ ଏହି ସିରିଜର ଭାରତୀୟ ଦଳ ୩-୧ରେ ଜିତିଥିଲା। ପଞ୍ଚମ ଦିନିକିଆରେ ଟିମ ଇଣ୍ଡିଆ ୨୦୯ ରନର ସଫଳତାର ସହ ଡିଫେଣ୍ଡ କରିଥିଲା।
୨୦୨୭ ଦିନିକିଆ ବିଶ୍ୱକପ କଥା କହିବାକୁ ଗଲେ, ଏହି ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ। ବିଶ୍ୱକପ ସମୟରେ ରୋହିତଙ୍କ ବୟସ ୪୦ ବର୍ଷ ହୋଇଥିବ। ତେଣୁ ଆଗାମୀ ସିରଜ ଗୁଡ଼ିକରେ ରୋହିତ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।
୨୦୨୭ ବିଶ୍ୱକପ ପୂର୍ବରୁ ଭାରତକୁ ଏସିଆ କପ, ଶ୍ରୀଲଙ୍କା ବିପକ୍ଷ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳିବାକୁ ହେବ। ଏହି ସିରିଜଗୁଡ଼ିକରେ ରୋହିତଙ୍କୁ ବ୍ୟାଟରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ। ତେବେ ଯାଇ ୨୦୨୭ ବିଶ୍ୱକପରେ ଖେଳିବାର ସୁଯୋଗ ପାଇପାରିବେ ବୋଲି ଚର୍ଚ୍ଚା ହେଉଛି।

