ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ବଜେଟ ଉପରେ ପ୍ରଭାବ ପଡ଼ିଛି। ଏହାକୁ ନେଇ କେନ୍ଦ୍ର କୃଷି ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପ୍ରଶ୍ନ କରାଯାଇଥିଲା।
ମଧ୍ୟପ୍ରଦେଶର ରାୟସେନ ଗସ୍ତରେ ଥିବା ଶିବରାଜ ସିଂହ ଚୌହାନଙ୍କୁ ଚିନି ଦର ବୃଦ୍ଧି ସମ୍ପର୍କରେ ଖବରଦାତାମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ ନିଜର ସହଜ ଅନ୍ଦାଜରେ କହିଥିଲେ, ସବୁ ବ୍ୟବସ୍ଥା ହେଉଛି, ଚିନ୍ତା କରନ୍ତୁନି।
ଶିବରାଜ ସିଂହ ଏକଦିନିଆ ଗସ୍ତରେ ମଧ୍ୟପ୍ରଦେଶର ରାୟସେନ ଯାଇଥିଲେ। ସେଠାରେ ସେ ସାନ୍ଦୀପନି ସ୍କୁଲ ଭବନର ଉଦ୍ଘାଟନ କରିବା ସହ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ କରିଥିଲେ। ଏହା ସହ ଜିଲାର ବିକାଶ ଯୋଜନା ନେଇ ଅନୁଷ୍ଠିତ ଦିଗା ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ବୈଠକ ଶେଷ ହେବା ପରେ ସେ ବାହାରକୁ ଆସୁଥିବା ସମୟରେ ଖବରଦାତାମାନେ ରକ୍ଷାବନ୍ଧନ ପୂର୍ବରୁ ବଢ଼ୁଥିବା ଚିନି ଦର ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀଙ୍କ ଏହି ଆଶ୍ୱାସନା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଗତ କିଛି ସପ୍ତାହ ହେବ ଦେଶରେ ଚିନି ଦରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ, କିଛି ରାଜ୍ୟରେ ଚିନି ଦର କିଲୋପ୍ରତି ୭୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ରକ୍ଷାବନ୍ଧନ ଭଳି ପର୍ବ ପୂର୍ବରୁ ଚିନିର ବଢ଼ୁଥିବା ଦର ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଚିନି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ, ଏବେ ତାହା ଉପରେ ନଜର ରହିଛି।

