Posted inଭଦ୍ରକ

ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୫।୬ (ଡି.ଏନ.ଏ.): ପବିତ୍ର ଶୀତଳଷଷ୍ଠୀରେ ଶନିବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରତିବର୍ଷ ଏହି ପୀଠରେ ଶିବବିବାହ ଅନୁଷ୍ଠିତ ହୋଇଆସୁଛି। ବାବା ଆଖଣ୍ଡଳମଣି ବର ଓ ମାତା ପାର୍ବତୀ ସାଜିଲେ କନ୍ୟା। ସମ୍ପୂର୍ଣ୍ଣ ଲୋକାଚାରରେ ବୈଦିକ ରୀତିରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ସ୍ବତନ୍ତ୍ର ପୂଜାନୀତି ଭୋର ୪ଟା ୩୦ରେ ମଙ୍ଗଳ ଆଳତି ପରେ ବାବାଙ୍କୁ ବାଡୁଅପାଣିରେ ସ୍ନାନ କରାଯାଇଥିଲା। ହଳଦୀ, ଚନ୍ଦନ, କସ୍ତୁରୀ, ଅଗୁର ଆଦି ସୁବାସିତ ଦ୍ରବ୍ୟ ଲେପନ କରି ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ବିଧି ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହୋଇଥିଲା। ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସେବାୟତଙ୍କ ଗୃହ ଉତ୍ସବମୁଖର: ଦେବଦମ୍ପତିଙ୍କ ବାହାଘର ଲାଗି ସେବାୟତଙ୍କ ଗୃହ ଉତ୍ସବମୁଖର ହୋଇଥିଲା। ପ୍ରତ୍ୟେକଙ୍କ ଘରେ ପଡ଼ିଥିଲା ବାହାଚିତା। ଆଉ ପ୍ରତି ଦ୍ୱାରରେ ଶୋଭା ପାଉଥିଲା ପୂର୍ଣ୍ଣ କଳସ। ଏହାବ୍ୟତୀତ ଘରେ ଘରେ ଆରିସା, କାକରା, ମାଲପୁଆ, ଘିଅପିଠା ଆଦି ପ୍ରସ୍ତୁତ ହୋଇଥିଲା।

ସୁସଜ୍ଜିତ ବିମାନରେ ବିଜେହେଲେ ବରଧରା: ପୂର୍ବାହ୍ନରେ କନ୍ୟାପିତାଙ୍କ ବାସଭବନରୁ ହନୁମାନଙ୍କୁ ବରଧରା ବେଶରେ ସଜ୍ଜିତ କରାଯାଇ ଢୋଲ, ମହୁରୀ, ଘଣ୍ଟ, ଦୁଲୁଦୁଲି ବାଦ୍ୟ ଓ ବୁଭାବୁଢୀ ନୃତ୍ୟ, ଘୋଡ଼ାନାଚ ତାଳେ ତାଳେ ବରପିତାଙ୍କ ଗୃହକୁ ପଠାଯାଇଥିଲା। ଏହି ଶୋଭାଯାତ୍ରାରେ କନ୍ୟାପିତାଙ୍କ ପୁଅ ବରଧରା ସାମଗ୍ରୀ ଧରି ନାପିତଙ୍କ ସହ ଯାତ୍ରା କରିଥିଲେ। ଯୁବ ସେବାୟତମାନଙ୍କ ନୃତ୍ୟ ବରଧରା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ବରପିତାଙ୍କ ଗୃହରେ ପହଞ୍ଚିଲା ପରେ ସେଠାରେ ବରଧରାଙ୍କ ସମେତ ଅନ୍ୟମାନଙ୍କୁ ଭବ୍ୟ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଆଖଣ୍ଡଳମଣିଙ୍କ ରାଜରାଜେଶ୍ୱର ଓ ପାର୍ବତୀଙ୍କ ରାଜରାଜେଶ୍ୱରୀ ବେଶ: ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ରାଜରାଜେଶ୍ୱର ଓ ମା’ ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦେଖିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।

ବିରାଟ ପଟୁଆରରେ ହେଲା ବରାନୁଗମନ: ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ବାବାଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସ୍‌ଷ୍ଟାଣ୍ଡରୁ କନ୍ୟାପିତାଙ୍କ ଗୃହକୁ ନିଆଯାଇଥିଲା। ବାଣ, ରୋଷଣୀରେ ଶୈବପୀଠ ଆରଡ଼ି ଝଲସି ଉଠିଥିଲା। ଶୋଭାଯାତ୍ରାରେ ପୁରୀର ସାହିମେଢ଼ ନୃତ୍ୟ, ବାଘନୃତ୍ୟ, ପାଇକ ଆଖଡ଼ା, ଗୋଟିପୁଅ, ଡାଇନୋସର ନୃତ୍ୟ, ମୟୂରଚୂଳ, ଯୋଡ଼ିଶଙ୍ଖ, ଘଣ୍ଟ, ଝୁମର, ଡ୍ରମ ଆଦି ବାଦ୍ୟ ପରିବେଷିତ ହୋଇଥିଲା। ଏଥିସହ ମହିଳା ଓ ପୁରୁଷ କୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀଙ୍କ କୀର୍ତ୍ତନ ପରିବେଷଣ ଦେଖିବାକୁ ମିଳିଥିଲା।

ଦେବ, ଦାନବ, ମାନବ ସାଜିଲେ ବରଯାତ୍ରୀ: ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ବେଦପତି ବ୍ରହ୍ମା, ପ୍ରଭୁ ନାରାୟଣ, ଦେବରାଜ ଇନ୍ଦ୍ର, ବରୁଣଦେବ, ଯମ, କୁବେର, ମହାଗ୍ରହ ଶନି, ସୂର୍ଯ୍ୟଦେବ, ଚନ୍ଦ୍ରଦେବ, ଦେବର୍ଷି ନାରଦ, ନନ୍ଦୀ, ଭୃଙ୍ଗୀ ପ୍ରମୁଖ ଦେବଗଣ, ଦାନବ, ମାନବ ବେଶରେ ସଜ୍ଜିତ ହୋଇ ବରଯାତ୍ରୀ ରୂପେ ଉଭା ହୋଇଥିଲେ।

ନିଶାର୍ଦ୍ଧରେ ସରିଲା ବିବାହ: ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପରେ ସମୁଦି ମିଳନ ହୋଇଥିଲା। ଯୌତୁକ ବାବଦରେ କନ୍ୟାପିତା ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ ୨୫ଟି ବୃଷଭ, ଅନ୍ୟାନ୍ୟ ସ୍ବର୍ଣ୍ଣ, ରୌପ୍ୟ ନିର୍ମିତ ଅଳଙ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?