ମୟୂରୀ ଗୋ ତୁମ…ମହ୍ଲାରେ ମେଘ ସାଜିଲି…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’। ଓଡ଼ିଆ ସିନେମା ଇତିହାସର ଏହି କାଳଜୟୀ ଗୀତକୁ ଗାଇଥିଲେ ମହମ୍ମଦ ରଫି। ତେବେ ପ୍ରଚ୍ଛଦପଟରେ ରହି ଯିଏ ଏହାର ସଙ୍ଗୀତକୁ ସଜାଇଥିଲେ ସେ ହେଉଛନ୍ତି ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର। ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଆ ସଙ୍ଗୀତ ଜଗତ ସହ ଜଡ଼ିତ ଥିବା ଶାନ୍ତନୁ ଶ୍ରୋତାଙ୍କୁ ଶତାଧିକ ଲୋକପ୍ରିୟ ଓ ଚିରସବୁଜ ଗୀତ ଭେଟି ଦେଇଥିଲେ। ‘ସୂର୍ଯ୍ୟମୁଖୀ’, ‘ଅରୁନ୍ଧତୀ’, ‘ଚିଲିକା ତୀରେ’, ‘ଡୋରା’ ଭଳି ସୁପରହିଟ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସଫଳତାର ଶୀର୍ଷରେ ପହଞ୍ଚତ୍ଥିଲେ। ବୃତ୍ତିଗତ ଜୀବନରେ ବେଶ୍‌ ସଫଳ ହୋଇଥିଲେ ବି ସଙ୍ଗୀତ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ପରପାରିର ଯାତ୍ରୀ ସାଜିଥିବା ଏହି ବରିଷ୍ଠ ସଙ୍ଗୀତଜ୍ଞଙ୍କୁ ଆଜି ସମଗ୍ର ରାଜ୍ୟ ଝୁରୁଛି।

୧୯୦୦ ଗୀତର ବିନ୍ଧାଣି
୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ସହ ହିନ୍ଦୀ, ବଙ୍ଗଳା, ଅହମୀୟା ଓ ତେଲୁଗୁ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ। ୧୯୦୦ରୁ ଅଧିକ ଗୀତରେ ସେ ସ୍ବର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ଟି ଯାତ୍ରା, ୬୦ଟି ଆକାଶବାଣୀ ନାଟକ ଓ ୧୦ଟି ନୃତ୍ୟନାଟିକାରେ ତାଙ୍କର ପ୍ରତିଭା ଦେଖାଇଥିଲେ। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୂନା ଚୂନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୁର ବଜାଏ କିଏ’ ଆଦି ଅନ୍ୟତମ। ଶତାଧିକ ଆଧୁନିକ ଓଡ଼ିଆ ଗୀତର ସେ ସ୍ବର ସଂଯୋଜନା କରିଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ବଙ୍ଗଳା କଳାତ୍ମକ ଫିଲ୍ମ ‘ମହାପୃଥିବୀ’ ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। କଳାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ସୋଧ’ରେ ମଧ୍ୟ ସେ ସ୍ବର ସଂଯୋଜନା କରିଥିଲେ ଏବଂ ୧୯୭୯ରେ ଏହି ଚଳଚ୍ଚିତ୍ର ‘ସ୍ବର୍ଣ୍ଣ କମଳ ପୁରସ୍କାର’ ପାଇଥିଲା। ଓଡ଼ିଶାରୁ ପ୍ରଯୋଜିତ ଏହା ପ୍ରଥମ ରଙ୍ଗିନ ହିନ୍ଦୀ ଚଳଚ୍ଚିତ୍ର ଥିଲା। ଶାନ୍ତନୁଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ଥିଲା ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ହିଁ ସାଥୀ ମୋର’।
ଓଡ଼ିଆ ସଙ୍ଗୀତ ଜଗତର ଟ୍ରେଣ୍ଡ୍‌ ସେଟର୍‌

ଶାନ୍ତନୁ ମହାପାତ୍ର ଓଡ଼ିଆ ସିନେମା ସଙ୍ଗୀତ ଜଗତର ଜଣେ ଟ୍ରେଣ୍ଡ୍‌ ସେଟର୍‌ ଥିଲେ। ସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହୁଥିବା ଶାନ୍ତନୁ ଯେତେବେଳେ ସମୟ ପାଉଥିଲେ ନିଜର ହାର୍‌ମୋନିୟମ୍‌ ଧରି ସ୍ବର ସଂଯୋଜନା କରୁଥିଲେ। ବଲିଉଡ୍‌ର କିମ୍ବଦନ୍ତୀ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସ୍‌କର, ଉଷା ମଙ୍ଗେସ୍‌କର, ମାନ୍ନା ଦେ, ସୁରେଶ ୱାଡ଼େକର, ଅନୁରାଧା ପୋଡ଼ୱାଲ, ଉଷା ଉଥୁପ, କବିତା କ୍ରିଷ୍ଣାମୂର୍ତ୍ତିଙ୍କ ପର୍ଯ୍ୟନ୍ତ ଅନେକ କଣ୍ଠଶିଳ୍ପୀଙ୍କୁ ଆଣି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରାଇବାରେ ସେ ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ସେହିଭଳି ବିଭିନ୍ନ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ଶାନ୍ତନୁ ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ‘ଶୀତ ରାତି’, ‘ଜୀବନ ସଂଗ୍ରାମ’ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା।
ସ୍ବତନ୍ତ୍ର ସଙ୍ଗୀତ ନୀତି ପାଇଁ
ସ୍ବର ଉଠାଇଥିଲେ
ଓଡ଼ିଆ ସଙ୍ଗୀତର ବର୍ତ୍ତମାନ ଧାରାକୁ ନେଇ ଖୁସି ନ ଥିଲେ ଶାନ୍ତନୁ। ଆଧୁନିକ ଗୀତରେ ମୌଳିକତା ପରିବର୍ତ୍ତନକୁ ସେ ଘୋର ବିରୋଧ କରୁଥିଲେ। ଓଡ଼ିଆ ଗୀତରେ ବ୍ୟାକରଣ ଶୁଦ୍ଧି ସହ ଭଦ୍ରତା ରଖିବାକୁ ସେ ବାରମ୍ବାର କହୁଥିଲେ। ଲୋକଙ୍କ ହୃଦୟସ୍ପର୍ଶୀ ଗୀତ ତିଆରି କରିବାକୁ ସେ ସଙ୍ଗୀତଜ୍ଞମାନଙ୍କୁ ପରାମର୍ଶ ଦେଉଥିଲେ। ସେହିଭଳି ମୌଳିକତା ନ ରହିବା ପଛରେ ସେ ସରକାରଙ୍କୁ ଦାୟୀ କରିଥିଲେ। ଆମର ସବୁ କାର୍ଯ୍ୟ ପାଇଁ ନୀତି ଅଛି। ମାତ୍ର ଯେଉଁ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ, ତାହାର ସୁରକ୍ଷା ଓ ଠିକ୍‌ ପରିଚାଳନା ପାଇଁ କୌଣସି ନୀତି ନାହିଁ। ଯେତେଦିନ ଯାଏ ନୀତି ନ ରହିବ, ସେତେଦିନ ଯାଏ ନକଲ ଧାରା ଚାଲିବ। ମହାରାଷ୍ଟ୍ର ଓ ଗୁଜୁରାଟରେ ସ୍ବତନ୍ତ୍ର ସଙ୍ଗୀତ ନୀତି ରହିଛି। ଓଡ଼ିଶାରେ କାହିଁକି ହେବନି ବୋଲି ସେ ପ୍ରଶ୍ନ କରିଥିଲେ। ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଥିବାବେଳେ ସେ ‘ସଂସ୍କୃତି ନୀତି’ ପାଇଁ ପ୍ରସ୍ତାବ ଦେଇଥିଲେ।
ସଙ୍ଗୀତ ଥିଲା ତାଙ୍କ ସହଜାତ ଗୁଣ
ସଙ୍ଗୀତ ତାଙ୍କର ସହଜାତ ଗୁଣ ଥିଲା। ଶାନ୍ତନୁଙ୍କ ବାପା ସୁନ୍ଦର ଗୀତ ଗାଉଥିଲେ ଓ ମା’ ମଧ୍ୟ ସଙ୍ଗୀତ ସାଧନା କରୁଥିଲେ। ଏହାର ପ୍ରଭାବ ପିଲାବେଳୁ ତାଙ୍କ ଉପରେ ପଡ଼ିଥିଲା। ମାତ୍ର ୫ ବର୍ଷ ବୟସରୁ ସେ ସଙ୍ଗୀତଜ୍ଞ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଓ ୯ ବର୍ଷ ବୟସରେ ସର୍ବସାଧାରଣରେ ଗୀତ ଗାଇଥିଲେ। ପିଲାବେଳେ ସବୁଠାରୁ କମ୍‌ ବୟସର ପ୍ରତିଯୋଗୀ ଭାବେ ସେ ଖେୟାଲଠାରୁ ଆରମ୍ଭକରି ଧ୍ରୁପଦ, ଓଡ଼ିଶୀ ଓ ଭଜନରେ ସବୁବେଳେ ପୁରସ୍କାର ପାଉଥିଲେ। କଟକରେ ଆୟୋଜିତ ପ୍ରତିଯୋଗିତାରେ ସେ ୭୫ ପ୍ରତିଶତ ପୁରସ୍କାର ବୋହି ନେଉଥିଲେ। ମା’ ସରସ୍ବତୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା ସେ କହୁଥିଲେ। ଓଡ଼ିଆ ସଙ୍ଗୀତକୁ ଆଗକୁ ନେବାକୁ ଶାନ୍ତନୁ ପ୍ରତି ଜିଲାରେ ସଙ୍ଗୀତ ସ୍କୁଲ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।
ବନ୍ଧୁକ ହାତରେ ଧରିଥିଲେ ହାର୍‌ମୋନିୟମ୍‌
ଶାନ୍ତନୁ ମହାପାତ୍ର ଜଣେ ଏଭଳି ସଙ୍ଗୀତକାର ଥିଲେ, ଯିଏ ନିଜ ହାତରେ ବନ୍ଧୁକ ଧରିଥିଲେ ଆଉ ହାର୍‌ମୋନିୟମ ବି ଧରିଥିଲେ। ଏନେଇ ସେ ଏକ ସାକ୍ଷାତ୍‌କାରରେ କହିଥିଲେ। ତାଙ୍କ ସଙ୍ଗୀତଜ୍ଞ ଜୀବନ ଉପରେ ଚାକିରି ଜୀବନର ଏକ ସକାରାତ୍ମକ ପ୍ରଭାବ ରହିଥିଲା। ଜଣେ ଶ୍ରେଷ୍ଠ ଭୂତତ୍ତ୍ୱବିତ୍‌ଭାବେ ସେ ଓଡ଼ିଶାର ବଣ ଜଙ୍ଗଲ ଘେରା ଅଞ୍ଚଳରେ ଜୀବନର ଅଧିକାଂଶ ସମୟ କଟାଇଥିଲେ। ବଳକା ସମୟରେ ସେ ସଙ୍ଗୀତ ଅଭ୍ୟାସ କରୁଥିଲେ। ସେ ଥରେ କହିଥିଲେ, ‘ଯଦି ଜଙ୍ଗଲ ପାହାଡ଼ ଭିତରେ ଯୌବନ କଟାଇ ନଥା’ନ୍ତି, ତେବେ ଏପରି ସଙ୍ଗୀତ ସୃଷ୍ଟି କରିବାରେ ସମର୍ଥ ହୋଇପାରି ନ ଥାନ୍ତି।’
ଗଡ଼ଜାତର ପ୍ରଭାବ
ଶାନ୍ତନୁ ନିଜ ଉତ୍ତମ ଚରିତ୍ର ଓ ସଙ୍ଗୀତ ପ୍ରତିଭାର ଶ୍ରେୟ ଦେଇଥିଲେ ଗଡ଼ଜାତ ସଂସ୍କୃତିକୁ। ଗଡ଼ଜାତର ମାଟିଭାବେ ପରିଚିତ ମୟୂରଭଞ୍ଜର ମାଟି ତାଙ୍କୁ ସାଧୁତା ଶିଖାଇଥିଲା। ମୟୂରଭଞ୍ଜ ତାଙ୍କୁ ଚରିତ୍ରବାନ ହେବାକୁ ଶିଖାଇଥିଲା। ସେତେବେଳର ଶିକ୍ଷକମାନେ ଦେଶପ୍ରେମ ଶିଖାଉଥିଲେ। ସଚ୍ଚି ଦାସଙ୍କ ବିପ୍ଳବୀ ସଙ୍ଗୀତ ଅନେକ କିଛି ଶିକ୍ଷା ଦେଇଥିଲା। ଗୀତ ସଙ୍ଗୀତ ପ୍ରତି ଆକର୍ଷଣ ଜନ୍ମମାଟି ଯୋଗୁ ହୋଇଥିବା ସେ କହିଥିଲେ। ନାଟକ କଥା କହିଲେ ମୟୂରଭଞ୍ଜ ଆଗକୁ ଆସୁଥିଲା ଓ ସାମୁଏଲ୍‌ ବାବିଙ୍କୁ ସେ ପିଲାବେଳେ ଅନୁସରଣ କରୁଥିବା କହିଥିଲେ।

ସ୍ମୃତିରେ…

ଶାନ୍ତନୁ ମହାପାତ୍ର ସଙ୍ଗୀତ ଦୁନିଆର ଏକ ମାଇଲଖୁଣ୍ଟ ଥିଲେ। ତାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
– ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟପାଳ, ଆନ୍ଧ୍ରପ୍ରଦେଶ
ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ଓ ସୁଗମ ସଙ୍ଗୀତ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
– ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ
ଶାନ୍ତନୁ ମହାପାତ୍ର ମୋ ବନ୍ଧୁଙ୍କ ବଡ଼ଭାଇ ଥିଲେ। ତାଙ୍କ ସମୟରେ ସଙ୍ଗୀତ ଜଗତରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। ସିନେମା ତାଙ୍କର ସବୁଠାରୁ ବଡ଼ ନିଶା ଥିଲା। ଯୁବ ଚିନ୍ତାଧାରାର ବ୍ୟକ୍ତି ଥିଲେ। ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର ଶୈଳୀ ତାଙ୍କୁ ବେଶ୍‌ ଭଲଭାବେ ଜଣାଥିଲା। ବାରିପଦାରେ ଜନ୍ମ ହୋଇଥିଲେ ବି କଳାଜୀବନ କଟକରେ କାଟିଥିଲେ। ଓଡ଼ିଶା ଜଣେ ମହାନାୟକଙ୍କୁ ହରାଇବା ସହ ତାଙ୍କ ବିୟୋଗ ଓଡ଼ିଆ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି।
– ପ୍ରଣବ ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ
ଶାନ୍ତନୁଙ୍କ ବିୟୋଗରେ ମୁଁ ମର୍ମାହତ। ସେ କେବଳ ବୟସରେ ବଡ଼ ନ ଥିଲେ, ଗୁଣରେ ବି ବଡ଼ ଥିଲେ। ଇଞ୍ଜିନିୟରିଂ ପାଠ ପଢି ବି ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ସେ ଜଣେ ସ୍ପଷ୍ଟବାଦୀ ସର୍ବଗୁଣସମ୍ପନ୍ନ ମଣିଷ ଥିଲେ। ପରିବାର ପ୍ରତି ତାଙ୍କର ଯେଉଁ ଅବଦାନ ରହିଥିଲା ବର୍ତ୍ତମାନ ସମୟରେ ସେଭଳି ଦେଖିବା ବିରଳ। ତାଙ୍କ ସହ ମୁଁ କାମ କରିବାର ଅନେକଥର ଅବସର ପାଇଛି।
– ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଶିଷ୍ଟ ସଙ୍ଗୀତଜ୍ଞ
ଶାନ୍ତନୁ ମହାପାତ୍ର ଜଣେ ଅଦ୍ୱିତୀୟ ସଙ୍ଗୀତଜ୍ଞ ଥିଲେ। ଆଧୁନିକ ଓଡ଼ିଆ ସଙ୍ଗୀତର ସେ ଜଣେ ଆଗଧାଡ଼ିର ପୁରୋଧା ଥିଲେ। ଚିରାଚରିତଠାରୁ କିଛି ଭିନ୍ନ କରିବା ସବୁବେଳେ ତାଙ୍କର ନିଶା ଥିଲା। ବଡ଼ ବଡ଼ ବଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ଓଡ଼ିଶା ଆଣି ଗୀତ ରେକର୍ଡିଂ କରିବାରେ ସେ ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ।
– ଦିଲୀପ ହାଲି, ସମ୍ପାଦକ, ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏଶନ
ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଆକାଶରୁ ଏକ ଉଜ୍ଜ୍ୱଳତମ ତାରକାର ଅନ୍ତର୍ଦ୍ଧାନ ଘଟିଛି। ସେ ଥିଲେ ପ୍ରଥମ ଓଡ଼ିଆ ଗାଥା ଗୀତର ସଙ୍ଗୀତକାର। ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତକୁ ତାଙ୍କର ଅବଦାନ ଅବିସ୍ମରଣୀୟ। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
– ସୀତାରାମ ଅଗ୍ରଓ୍ବାଲ, ଅଧ୍ୟକ୍ଷ, ସିଦ୍ଧାର୍ଥ ଟିଭି ନେଟ୍‌ଓ୍ବର୍କ
ଶାନ୍ତନୁ ମହାପାତ୍ର ଏକାଧାରରେ ଥିଲେ ଜଣେ ବିଶିଷ୍ଟ ଭୂତତ୍ତ୍ବବିତ୍‌ ଓ ସଙ୍ଗୀତ ନିର୍ଦ୍ଦେଶକ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟକ ଭାବେ ମହମ୍ମଦ ରଫି, ଲତା ମଙ୍ଗେସ୍‌କର, ଉଷା ମଙ୍ଗେସ୍‌କର ଓ ମାନ୍ନା ଦେଙ୍କ ଭଳି ଖ୍ୟାତନାମା ବଲିଉଡ ଗାୟିକା ଗାୟକଙ୍କୁ ନେଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ମିଶ୍ର ପ୍ରକାଶ କରିଛନ୍ତି।
– ଦିଲୀପ କୁମାର ମିଶ୍ର, ଚେୟାରମ୍ୟାନ୍‌, ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗଜରାଜଙ୍କ ତାଣ୍ଡବ! ଜଣଙ୍କ ଜୀବନ ନେବା ପରେ ବି ଥମୁନି ଗୋଠଛଡ଼ା ଦନ୍ତାର ଉପଦ୍ରବ, ଚିନ୍ତାରେ ଗ୍ରାମବାସୀ

ବଞ୍ଚୋ,୧୭।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଗଜରାଜଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ । ପୁଣିଥରେ ଜନବସତି ମୁହାଁ ହୋଇଛି ଗୋଠଛଡ଼ା ଦନ୍ତା…

ଗମ୍ଭୀର ସ୍ନାୟୁ ରୋଗ ସହିତ ସଂଘର୍ଷ କରୁଛନ୍ତି ସୋନୁ ନିଗମ, ଯନ୍ତ୍ରଣାଦାୟକ ଭିଡ଼ିଓ ସେୟାର କରି….

ଗାୟକ ସୋନୁ ନିଗମ ଦୀର୍ଘ ଦିନ ଧରି ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଲୋକଙ୍କ ପ୍ରିୟ ହୋଇଆସିଛନ୍ତି, କିନ୍ତୁ ସେ ବର୍ତ୍ତମାନ ଏକ କଷ୍ଟକର ପର୍ଯ୍ୟାୟ ଦେଇ…

ବାରିପଦାରେ ଲଭ୍‌ ଜିହାଦ୍‌କୁ ନେଇ ଉତ୍ତେଜନା: କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦା,୧୭।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ‘ଲଭ୍‌ ଜିହାଦ୍‌’ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

ଚାଷୀଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ: ଆଜିଠାରୁ ସବୁ ମଣ୍ଡିରୁ ଉଠିବ ଧାନ

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଚାଷୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି। ଜିଲାରେ…

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର: ରାତିରେ ଉଠିଥିବା ବେଳେ…

କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri