ନୂଆଦିଲ୍ଲୀ,୩।୮: ନର୍ସରୀରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଅଗଷ୍ଟ ୪ରୁ ଅଗଷ୍ଟ ୧୨ (ମୋଟ ୯ ଦିନ) ପର୍ଯ୍ୟନ୍ତ ବନ୍ଦ ରହିବ। ମାତ୍ର ଅନଲାଇନ୍ କ୍ଲାସ୍ ଚାଲୁ ରହିବ, ଯାହାଦ୍ୱାରା ପିଲାଙ୍କ ପଢ଼ାପଢ଼ି ପ୍ରଭାବିତ ହେବ ନାହିଁ। ଜିଲ୍ଲାପାଳ ସମସ୍ତ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କାଉଡ଼ି ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍କୁଲ ବନ୍ଦ ରଖିବାକୁ ଏହି ନିଷ୍ପତ୍ତି ନେଇଛି। କାଉଡ଼ିଆଙ୍କ ସୁରକ୍ଷା ପାଇଁ ସହରର ଅନେକ ରାସ୍ତାରେ ଟ୍ରାଫିକ୍ ଡାଇଭର୍ସନ୍ (Traffic diversion) ଲାଗୁ କରାଯାଇଛି।
ଗାଜିଆବାଦର ବେସିକ୍ ଶିକ୍ଷା ପରିଷଦ, ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍ଇ (CBSE), ଆଇସିଏସ୍ଇ (ICSE) ଏବଂ ଅନ୍ୟାନ୍ୟ ସଂଯୋଜିତ ବୋର୍ଡ ଦ୍ୱାରା ପରିଚାଳିତ ସ୍କୁଲ ସହ ମଦ୍ରାସା ବୋର୍ଡ ଅଧୀନରେ ଥିବା ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିବ। ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ, ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ।
ଶ୍ରାବଣ ମାସରେ କାଉଡ଼ି ଯାତ୍ରା ସମୟରେ ସ୍କୁଲ ବନ୍ଦ ରହିଲେ ଅଧିକ ସଂଖ୍ୟକ ବ୍ୟକ୍ତିଗତ ଗାଡ଼ି ଏବଂ ସ୍କୁଲ ବସ୍ ରାସ୍ତାକୁ ଓହ୍ଲାଇବେ ନାହିଁ। ଏହାଦ୍ୱାରା ଗାଜିଆବାଦର କାଉଡ଼ି ମାର୍ଗଗୁଡ଼ିକରେ ଟ୍ରାଫିକ୍ ନିୟନ୍ତ୍ରଣ ସହଜ ହେବ ଏବଂ ଶ୍ରଦ୍ଧାଳୁମାନେ ବିନା ବାଧାରେ ଯାତାୟାତ କରିପାରିବେ।

