Posted inଫୁରସତ

ଶାଢ଼ି @ ପୁରୁଷ

ଫ୍ୟାଶନର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ କି କୌଣସି ସୀମା ଭିତରେ ମଧ୍ୟ ଏହା ସୀମିତ ନୁହେଁ। ପ୍ରତ୍ୟେକେ ନିଜସ୍ବ ରୁଚି ଅନୁଯାୟୀ ତିଆରି କରନ୍ତି ନିଜର ଫ୍ୟାଶନ ଫଣ୍ଡା। ଯେଉଁ କ୍ରମରେ କେତେଜଣ ପୁରୁଷ ଶାଢ଼ିକୁ ଆପଣେଇ ଫ୍ୟାଶନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି ଏବଂ ମତ ଦେଇଛନ୍ତି, ପୋଷାକ ପିନ୍ଧିବାରେ ସମସ୍ତଙ୍କର ନିଜସ୍ବ ପସନ୍ଦ ଓ ନିଜସ୍ବ ରୁଚି ରହିଛି। ତେଣୁ ଶାଢ଼ି ଯେ କେବଳ ନାରୀମାନଙ୍କ ପରିଧାନ ସେ କଥା ନୁହେଁ; ପୁରୁଷ ଯେମିତି ଧୋତି ପିନ୍ଧୁଛନ୍ତି ସେମିତି ନିଜ ପସନ୍ଦରେ ଶାଢ଼ି ବି ପିନ୍ଧିପାରିବେ। ସେଥିପାଇଁ ଏମାନେ ଶାଢ଼ି ପିନ୍ଧିଛନ୍ତି ଆଉ ଶାଢ଼ି ପିନ୍ଧିବାରେ ବି ବେଶ୍‌ ସହଜ ଅନୁଭବ କରିବା ସହ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି।

ଶାଢ଼ି ପୁରୁଷ ହିମାଂଶୁ : ସାଧାରଣତଃ ଶାଢ଼ିକୁ ମହିଳାମାନେ ପରିଧାନ କରୁଥିବା ଆମେ ଆଜିଯାଏ ଦେଖିଆସିଛେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀର ଲୋକପ୍ରିୟ ଡିଜାଇନର୍‌ ହିମାଂଶୁ ବର୍ମା ଆଜକୁ ବହୁ ବର୍ଷ ହେବ ଶାଢ଼ିକୁ ନିଜର ଦୈନନ୍ଦିନ ବସ୍ତ୍ର ଭାବେ ବ୍ୟବହାର କରିଆସୁଛନ୍ତି। ଅନ୍ୟ କୌଣସି ପରିଧାନ ଯେମିତି କି ଧୋତି, କୁର୍ତ୍ତା, ପାଇଜାମା, ଜିନ୍ସ, ଟି-ଶାର୍ଟରେ ତାଙ୍କୁ ଖୁବ୍‌ କମ୍‌, ହେଲେ ଶାଢ଼ିରେ ବେଶି ଦେଖିବାକୁ ମିଳିଥାଏ। ଶାଢ଼ି ପିନ୍ଧିବା ଯେହେତୁ ତାଙ୍କର ଅତି ପ୍ରିୟ, ତେଣୁ ଶାଢ଼ି ପୁରୁଷ ଭାବେ ସେ ବେଶ୍‌ ପରିଚିତ। ହିମାଂଶୁଙ୍କର ଶାଢ଼ି ପିନ୍ଧିବାର ସଉକ ସେବେ ଆରମ୍ଭ ହେଲା, ଯେବେ ସିଏ ପ୍ରଥମ କରି କୌଣସି ଅକେଜନ୍‌ ପାଇଁ ତାଙ୍କ ମା’ଙ୍କର ଶାଢ଼ି ପିନ୍ଧିଥିଲେ। ସେଦିନ ତାଙ୍କୁ ଶାଢ଼ି ପିନ୍ଧିବାଟା ଏତେ ପସନ୍ଦ ଆସିଥିଲା ଯେ, ତା’ପରଠୁ ସିଏ ଶାଢ଼ି ମାୟାରେ ପଡ଼ିଗଲେ। ଜଣେ ପୁଅ ହୋଇ ଶାଢ଼ି ପିନ୍ଧିବାରେ ତାଙ୍କୁ ସେମିତି କିଛି ଖରାପ ବି ଲାଗି ନ ଥିଲା। ବରଂ ସିଏ ବେଶି କମ୍ଫର୍ଟେବଲ୍‌ ଲାଗିଲେ ଏହାକୁ ପିନ୍ଧି। ଏ ନେଇ ହିମାଂଶୁଙ୍କର ମତ ହେଲା: ‘ଭାରତୀୟ ସଂସ୍କୃତିରେ ଶାଢ଼ିର ମାନ ବହୁ ଉଚ୍ଚରେ ରହିଛି। ଏହାକୁ ସାଧାରଣତଃ ମହିଳାମାନଙ୍କର ଏକ ବିଶେଷ ପରିଧାନ ବୋଲି କୁହାଯାଇଥାଏ। କିନ୍ତୁ ଶାଢ଼ିକୁ ଆଜି ଆମେ ଯେମିତି ଦେଖିୁଛେ ବା ପିନ୍ଧୁଛେ ତା’ର ଇତିହାସ ମାତ୍ର ୧୫୦ ବର୍ଷ ପୁରୁଣା ହେବ। ତା’ ପୂର୍ବରୁ ଶାଢ଼ିକୁ କିଛି ଭିନ୍ନ ଶୈଳୀରେ ପିନ୍ଧାଯାଉଥିଲା। ଏପରି କି କିଛି ସ୍ଥାନରେ ଏହାକୁ ଧୋତି ସହ ବି ତୁଳନା କରାଯାଉଥିଲା; ଯାହାକୁ ପୁରୁଷମାନେ ବି ପିନ୍ଧିପାରୁଥିଲେ। ତେଣୁ ମୁଁ ଶାଢ଼ିକୁ କେବେ ବି ଏକ ଷ୍ଟେଟ୍‌ମେଣ୍ଟ ଆଉଟ୍‌ଫିଟ୍‌ ଭାବେ ପିନ୍ଧିନାହିଁ। ଯେହେତୁ ଆମ ସଂସ୍କୃତି ଓ ପରମ୍ପରା ସହ ଶାଢ଼ିର ସମ୍ପର୍କ ରହିଛି ତେଣୁ ଏହାକୁ ପିନ୍ଧି ମୁଁ ଲୋକଙ୍କ ମନରୁ ଏହି ଭ୍ରମ ଦୂର କରିବାକୁ ଚାହୁଁଛି ଯେ, ଶାଢ଼ିକୁ କେବଳ ମହିଳାମାନେ କାହିଁକି, ପୁରୁଷ ବି ପିନ୍ଧିପାରିବେ ଏବଂ ନିଜକୁ ଭାରତୀୟ ସଂସ୍କୃତିର ଅଂଶ କରିପାରିବେ। କିନ୍ତୁ ଏଥିପାଇଁ ମୁଁ କାହାକୁ ବାଧ୍ୟ କରି ନାହିଁ କି କରିବି ନାହିଁ। କାରଣ ଶାଢ଼ି ପିନ୍ଧିବା ହେଉଛି ମୋର ନିଜସ୍ବ ପସନ୍ଦ। ଅବଶ୍ୟ ଏଥିପାଇଁ ମୋତେ ଲୋକମାନଙ୍କଠାରୁ ଅନେକ କଥା ଶୁଣିବାକୁ ମିଳିଥିଲା। କିନ୍ତୁ ମୁଁ ସେ କଥାକୁ ଏତେ ନଜର ଦେଇ ନ ଥିଲି। କାରଣ ମୋର ଲକ୍ଷ୍ୟ ଥିଲା ଶାଢ଼ିର ମର୍ଯ୍ୟାଦାକୁ ବୃଦ୍ଧି କରିବା ସହ ଭାରତର ବିଭିନ୍ନ ପାରମ୍ପରିକ ଶାଢ଼ିକୁ ନେଇ ଦେଶବିଦେଶରେ ପ୍ରଚାରପ୍ରସାର କରାଇବା। ତା’ସହିତ ଭାରତୀୟମାନେ ଅନ୍ୟ କୌଣସି ବସ୍ତ୍ର ତୁଳନାରେ କେମିତି ଶାଢ଼ି ପିନ୍ଧିବାକୁ ବେଶି ଭଲ ପାଇବେ। ତେଣୁ ପ୍ରଥମେ ମୁଁ ମୋଠାରୁ ହିଁ ଏହି କାର୍ଯ୍ୟକ୍ରମ ଆରମ୍ଭ କଲି। କାରଣ ଯଦି ଜଣେ ପୁରୁଷ ହୋଇ ନିଜେ ଶାଢ଼ି ପିନ୍ଧି ଏହି କାମ ମୁଁ କରିବି ତା’ହେଲେ ଏହାର ପ୍ରଭାବ ଟିକେ ଅଧିକ ପଡ଼ିବ, ତାହା ଭାବି ମୁଁ ଶାଢ଼ି ପିନ୍ଧିବା ଜାରି ରଖିଲି। ଏ କ୍ଷେତ୍ରରେ ଘର ଲୋକେ ମୋତେ ଖୁବ୍‌ ସାହାଯ୍ୟ କଲେ; ଯେଉଁଥିପାଇଁ ମୋର ଆତ୍ମବିଶ୍ୱାସ ବଢ଼ିଯାଇଥିଲା। କ୍ରମେ ମୁଁ ନିଜର ଆର୍ଟ କ୍ୟୁରେଟର୍‌ ଅର୍ଗାନାଇଜେଶନ ସହିତ ବିଭିନ୍ନ ସ୍ଥାନରେ ଶାଢ଼ି ଫେଷ୍ଟିଭାଲ୍‌ କରିବା ଆରମ୍ଭ କରିଦେଲି; ଯାହାର ଫଳ ସ୍ବରୂପ ଆଜି ମୁଁ ନିଜ ପାଇଁ ଏକ ଭିନ୍ନ ପରିଚିତି ସୃଷ୍ଟି କରିପାରିବା ସହ ଶାଢ଼ି ପ୍ରତି ଲୋକଙ୍କ ମନରେ ଭଲ ପାଇବା କିଛିଟା ବୃଦ୍ଧି କରିବାରେ ସଫଳ ହୋଇପାରିଛି। ସେଥିପାଇଁ ମୋତେ ଖୁସି ଲାଗୁଛି। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ମୁଁ ପ୍ରଥମେ ପ୍ରଥମେ ଖୁବ୍‌ ରଙ୍ଗବେରଙ୍ଗ ତଥା ସିଲ୍କ ଶାଢ଼ି ପିନ୍ଧୁଥିଲି; ଯାହାକୁ ମୁଁ ଖୁସିରେ ଛମିଆ ଶାଢ଼ି କହୁଥିଲି। କିନ୍ତୁ ଧୀରେ ଧୀରେ ଯେବେ ମୋର ବୟସ ବଢ଼ିବାକୁ ଲାଗିଲା ଏବଂ ଚୁଟି ପାଚିବାକୁ ଲାଗିଲା, ଆଉ ଛମିଆ ଶାଢ଼ି ନ ପିନ୍ଧି ହାଲ୍‌କା ହ୍ୟାଣ୍ଡଲୁମ୍‌ ଶାଢ଼ି ପିନ୍ଧିବାକୁ ଲାଗିଲି। ଏହା ବି ମୋତେ ଟିକେ ଭିନ୍ନ ଲୁକ୍‌ ଦେଲା। ତା’ପରେ ଶାଢ଼ିକୁ ନେଇ ଆହୁରି ଅଧିକ ଏକ୍ସପେରିମେଣ୍ଟ କଲି ଯେ, କେଉଁ ଷ୍ଟାଇଲ୍‌ରେ ଶାଢ଼ି ପିନ୍ଧିଲେ ଲୁକ୍‌ ଆହୁରି ସୁନ୍ଦର ଦେଖାଯିବ। ସେଥିପାଇଁ ମୁଁ ନିଜେ ଶାଢ଼ିକୁ ଭିନ୍ନ ଶୈଳୀରେ ପିନ୍ଧିକି ଅନେକ ଫଟୋଶୁଟ୍‌ ମଧ୍ୟ କରାଇଲି। ଏହି ତରିକା ବି ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇଲା ଆଉ ମୋ କାମକୁ ମଧ୍ୟ ପ୍ରଶଂସା ମିଳିଚାଲିଲା। ତେଣୁ ମୁଁ ଏତିକି କହିବାକୁ ଚାହେଁ ଯେ, ଯେ କୌଣସି କାମ ହେଉ ନା କାହିଁକି ଯଦି ନିଷ୍ଠା ଓ ଧୈର୍ଯ୍ୟର ସହ କରାଯାଏ, ତା’ହେଲେ ସଫଳତା ଦିନେ ନା ଦିନେ ତୁମ ପାଦ ଚୁମିଥାଏ। ତା’ସହିତ ଆଉ ଗୋଟେ କଥା ବି ମୁଁ କହିବି, ଶାଢ଼ି ପିନ୍ଧିବାଟା କଷ୍ଟ ବୋଲି ଅନେକେ ଭାବିଥାନ୍ତି, କିନ୍ତୁ ତାହା ଆଦୌ ନୁହେଁ। ଅନ୍ତତଃ ମୋ ପକ୍ଷେ ଏହା କଷ୍ଟକାର୍ଯ୍ୟ ବୋଲି ମୁଁ କେବେ ବି ଅନୁଭବ କରିନାହିଁ। ତେଣୁ ମୁଁ ଗୋଟିଏ କଥା ସବୁବେଳେ କହିଥାଏ: ଶାଢ଼ିର ଜୟ ହେଉ, ଶାଢ଼ି ଉତ୍ସବ ଏହିପରି ଚାଲିଥାଉ।’

ଶାଢ଼ି ଆଉ ବିନ୍ଦିରେ ଚମକିଲେ ପୁଷ୍ପକ: ଦେହରେ କଳା ରଙ୍ଗର ଶାଢ଼ି, ତା’ ଉପରେ ଚେକ୍‌ ପ୍ରିଣ୍ଟବାଲା ବ୍ଳେଜର୍‌, ମଥାରେ ନାଲି ରଙ୍ଗର ଏକ ବଡ଼ ବିନ୍ଦି, ଆଖିରେ କ୍ଲାସି ସନ୍‌ଗ୍ଲାସ୍‌, ତା’ସାଙ୍ଗକୁ ଗୋଟେ ହାତରେ ଛତା ଏବଂ ଅନ୍ୟ ହାତରେ ଷ୍ଟାଇଲିଶ୍‌ ବ୍ୟାଗ୍‌। ଏଭଳି ପରିପାଟୀରେ ଇଟାଲିର ମିଲାନ୍‌ ସହରର ରାସ୍ତାରେ ମଡେଲ୍‌ଙ୍କ ଭଳି ଫଟୋଶୁଟ୍‌ କରାଇବା ସହ ସୋସିଆଲ୍‌ ମିଡିଆରେ ଶେୟାର୍‌ କରି ଏଇ କିଛିଦିନ ତଳେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ କଲିକତାର ପୁଷ୍ପକ ସେନ୍‌। ଜଣେ ପୁରୁଷ ହୋଇ ବି ମହିଳାଙ୍କ ଭଳି ବେଶଭୂଷାରେ ସଜେଇ ହୋଇ ଫଟୋ ଉଠାଇବାରେ ତାଙ୍କୁ କୌଣସି ଅସୁବିଧା ହୁଏ ନାହିଁ କି ଲାଜ ବି ଲାଗେ ନାହିଁ। କାରଣ ଏହା ହେଉଛି ତାଙ୍କର ଏକ ସଉକ। ଏହା ପୂର୍ବରୁ ବି ସେ ଅନେକ ଥର ଏମିତି ଶାଢ଼ି ପିନ୍ଧି ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିସାରିଛନ୍ତି। କେବେ ସବୁଜ ରଙ୍ଗର ଶାଢ଼ି ସାଙ୍ଗକୁ କଳା ରଙ୍ଗର ଫୁଲ୍‌ ସ୍ଲିଭ୍‌ ବ୍ଳାଉଜ୍‌, ଆଉ ତା’ ସାଙ୍ଗକୁ ସନ୍‌ଗ୍ଲାସ୍‌ ତ ଆଉ କେବେ ପାରମ୍ପରିକ ଶାଢ଼ି ସାଙ୍ଗକୁ ଓଠରେ ନାଲି ଲିପ୍‌ଷ୍ଟିକ୍‌ ଲଗାଇ। ତେବେ ପୁଷ୍ପକ ଯେହେତୁ ଇଟାଲିରେ ବର୍ତ୍ତମାନ ଫ୍ୟାଶନ ମାର୍କେଟିଂ ଏବଂ କମ୍ୟୁକେଶନ ଉପରେ କୋର୍ସ କରୁଛନ୍ତି, ତେଣୁ ତାଙ୍କ ଭିତରେ ଏଭଳି ନିଆରା ଅନ୍ଦାଜ୍‌ ଆସିବା ସ୍ବାଭାବିକ କଥା ବୋଲି ଅନେକେ କହୁଛନ୍ତି। ସେହିପରି ଆଉ କେହି କେହି କହୁଛନ୍ତି, ଇଟାଲି ଭଳି ପାଶ୍ଚାତ୍ୟ ସହରରେ ଜଣେ ପୁରୁଷ ହୋଇ ବି ଶାଢ଼ି ପିନ୍ଧି ବୁଲିବା ଛୋଟ କଥା ନୁହେଁ। ହୁଏତ ତାଙ୍କର ଏଭଳି କରିବା ପଛରେ ଆମ ଭାରତୀୟ ସଂସ୍କୃତିକୁ ବିଦେଶରେ ପ୍ରଚାରପ୍ରସାର କରାଇବା ଏକ ଲକ୍ଷ୍ୟ ହୋଇପାରେ। ତେବେ ସେ ଯାହା ବି ହେଉ, ସୋସିଆଲ୍‌ ମିଡିଆରେ ପୁଷ୍ପକଙ୍କର ଶାଢ଼ି ଲୁକ୍‌କୁ ଦେଖି ୟୁଜର୍ସମାନେ ଯେମିତି ପସନ୍ଦ କରିଥିଲେ ସେମିତି ଭଲ ଭଲ କମେଣ୍ଟ ବି ଦେଇଥିଲେ। କିଏ ଲେଖିଥିଲେ ‘ବିନ୍ଦି ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି’ ତ ଆଉ କିଏ ଲେଖିଥିଲେ ‘ଆପଣଙ୍କର ଶାଢ଼ି ଲୁକ୍‌ ମୋତେ ମନ୍ତ୍ରମୁଗ୍ଧ କରିଦେଇଛି’ ଇତ୍ୟାଦି।

ଶାଢ଼ି ଆଉ ଜୁଏଲେରିପ୍ରିୟ ଅଭିଷେକ: କୁହାଯାଏ ଶାଢ଼ି ଆଉ ଜୁଏଲେରି ପ୍ରତି ମହିଳାମାନଙ୍କର ବେଶ୍‌ ଦୁର୍ବଳତା ରହିଥାଏ। କିନ୍ତୁ ଏସବୁରୁ କିଛି ବ୍ୟତିକ୍ରମ କରି ଦେଖାଇଛନ୍ତି ବାଙ୍ଗାଲୋର୍‌ର ଅଭିଷେକ ଏସ୍‌ ମୁର୍ଥୀ। ସିଏ ହେଉଛନ୍ତି ଜଣେ ଲୋକପ୍ରିୟ ଟେକ୍ସଟାଇଲ୍‌ କନ୍‌ସଲ୍‌ଟାଣ୍ଟ। ଖାସ୍‌କରି ଟ୍ରାଡିଶ୍‌ନାଲ୍‌, ଆଣ୍ଟିକ୍‌, ଟ୍ରାଇବାଲ୍‌ ଜୁଏଲେରି ଏବଂ ହ୍ୟାଣ୍ଡଲୁମ୍‌ ପୋଷାକ ପ୍ରତି ତାଙ୍କର ରହିଛି ଖୁବ୍‌ ଦୁର୍ବଳତା। ସେଥିପାଇଁ ସିଏ ଭାରତର ବିଭିନ୍ନ ସ୍ଥାନ ଏପରି କି ବହୁ ନିପଟ ମଫସଲ ଅଞ୍ଚଳକୁ ବୁଲିଯାଇ ସେଠାକାର ପାରମ୍ପରିକ ଜୁଏଲେରି ଏବଂ ଟିକେ ଭିନ୍ନ ଦେଖାଯାଉଥିବା ପୋଷାକ ଆଦିକୁ କଲେକ୍ସନ୍‌ କରିଥାନ୍ତି। ଏବଂ ପରେ ତାହାକୁ୍‌ ଷ୍ଟାଇଲିଶ୍‌ ଭାବେ ପିନ୍ଧି ସୋସିଆଲ୍‌ ମିଡିଆରେ ଫଟୋ ଶେୟାର୍‌ କରିଥାନ୍ତି। ତାଙ୍କ ଷ୍ଟାଇଲ୍‌କୁ ବି ଲୋକେ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ତ ତାଙ୍କର ଅନେକ ଫଲୋୟର୍‌ ମଧ୍ୟ ଅଛନ୍ତି। କେବଳ ଜୁଏଲେରି ନୁହେଁ, ତାଙ୍କ ପାଖରେ ରହିଛି ଅନେକ ହ୍ୟାଣ୍ଡଲୁମ୍‌ ଶାଢ଼ିର ବି କଲେକ୍ସନ। ଶାଢ଼ିକୁ ଟିକେ ଭିନ୍ନ ଶୈଳୀରେ ପିନ୍ଧି ଟ୍ରେଣ୍ଡି ଦେଖାଯିବାକୁ ବି ସିଏ ଭଲ ପାଇଥାନ୍ତି। ଶାଢ଼ିକୁ ନେଇ ମଧ୍ୟ ତାଙ୍କର ଅନେକ ଫଟୋ ଶୁଟ୍‌ ହୋଇଛି ଏବଂ ତାହା ସୋସିଆଲ୍‌ ମିଡିଆରେ ମଧ୍ୟ ଖୁବ୍‌ ଭାଇରାଲ୍‌ ହୋଇଛି। ତେବେ ସେ ଯାହା ବି ହେଉ ଭାରତର ପାରମ୍ପରିକ ଜୁଏଲେରି ଏବଂ ପାରମ୍ପରିକ ଶାଢ଼ିକୁ ପିନ୍ଧି ଅଭିଷେକ କେବଳ ଯେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି ତାହା ନୁହେଁ, ତାଙ୍କ ଦ୍ୱାରା ବି ଦେଶବିଦେଶରେ ଅନେକ ଲୋକ ଭାରତୀୟ ସଂସ୍କୃତି ଓ ପରିପାଟୀ ସମ୍ପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇପାରିଛନ୍ତି।

ଶାଢ଼ି ପିନ୍ଧିବା ବି ବିକ୍ରମାଦିତ୍ୟଙ୍କ ପସନ୍ଦ: ଲୋକପ୍ରିୟ ସାମାଜିକ କର୍ମୀ ତଥା ପ୍ରସିଦ୍ଧ ଲେଖକ ବିକ୍ରମାଦିତ୍ୟ ସହାୟଙ୍କର ବି ଶାଢ଼ି ପିନ୍ଧିବା ଖୁବ୍‌ ପସନ୍ଦ। ସେଥିପାଇଁ ତାଙ୍କ ପାଖରେ ରହିଛି ଶାଢ଼ିର ଅନେକ କଲେକ୍ସନ। ଏଇ କିଛିଦିନ ତଳେ ସିଏ ମମିସ୍‌ ଶାଢ଼ି ପ୍ରୋଜେକ୍ଟ ନାମରେ ଏକ ପ୍ରୋଗ୍ରାମ୍‌ ଆରମ୍ଭ କରିଛନ୍ତି। ଏହି ପ୍ରୋଗ୍ରାମ୍‌ ଜରିଆରେ ସିଏ ମହିଳାମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁମାନେ ନିଜ ଓ୍ବାର୍ଡରୋବରେ ଅଯଥା ଶାଢ଼ିକୁ ଗଦେଇ ରଖିଛନ୍ତି; ଏହାଦ୍ୱାରା ସେମାନଙ୍କର କ’ଣ ଫାଇଦା ହେଉଛି। ଯଦି ସେମାନେ ତାହାକୁ ପିନ୍ଧୁ ନାହାନ୍ତି, ତା’ହେଲେ ସେହି ଶାଢ଼ିକୁ କୌଣସି ଗରିବ ମହିଳାଙ୍କୁ ଦାନ କରି ଦିଅନ୍ତୁ; ଏହାଦ୍ୱାରା ଗରିବ ଲୋକଟି ଖୁସି ହେବ ତା’ସହିତ ନିଜକୁ ବି ଆତ୍ମସନ୍ତୋଷ ମିଳିବ। ଏହି କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବାକୁ ମମିସ୍‌ ଶାଢ଼ି ପ୍ରୋଜେକ୍ଟ ସବୁବେଳେ ସେମାନଙ୍କ ସାଥିରେ ରହିଛି। କାରଣ ଏହି ପ୍ରୋଜେକ୍ଟ ବି ଗରିବ ମହିଳା ତଥା ଗରିବ ତୃତୀୟ ଲିଙ୍ଗୀକୁ ଶାଢ଼ି ଦାନ କରିବା ଉପରେ କାମ କରିଥାଏ। ମହିଳାମାନେ ଚାହିଁଲେ ଏହି ପ୍ରୋଜେକ୍ଟ ମାଧ୍ୟମରେ ବି ସେମାନଙ୍କର ଶାଢ଼ିକୁ ଦାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri