Posted inଫୁରସତ

ସୌନ୍ଦର୍ଯ୍ୟର ଗନ୍ତାଘର ସାପୁତାରା ଶୈଳନିବାସ

ସାପୁତାରା ହିଲ୍‌ ଷ୍ଟେଶନଟି ଗୁଜରାଟର ଏକମାତ୍ର ଶୈଳନିବାସ। ଏହା ଗୁଜରାଟ ଓ ମହାରାଷ୍ଟ୍ର ସୀମା ମଧ୍ୟସ୍ଥ ପଶ୍ଚିମଘାଟ ପର୍ବତମାଳାର ସୈୟାଦ୍ରୀ ପାହାଡ଼ ଶୃଙ୍ଖଳା ଅନ୍ତର୍ଭୁକ୍ତ ଅତ୍ୟନ୍ତ ସୁନ୍ଦର ସ୍ଥାନଟିଏ। ଗୁଜରାଟର ପର୍ଯ୍ୟଟନ ମାନଚିତ୍ରରେ ଏହା ଶ୍ରେଷ୍ଠ ସ୍ଥାନରେ ରହିଛି। ରାମାୟଣର ପୌରାଣିକ ତଥ୍ୟ ଅନୁସାରେ ଘନଜଙ୍ଗଲ ଭରା ଏହି ପାହାଡ଼ରେ ତ୍ରେତୟାଯୁଗରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କର ବନବାସ କାଳରେ ବାସ କରୁଥିଲେ। ଏଇଠି ଜଙ୍ଗଲରେ ବାସ କରୁଥିବା ଶବରୀ ଶ୍ରବଣା ତାଙ୍କୁ ସ୍ନେହରେ ଅଇଁଠା କୋଳି ଖୁଆଇଥିଲା। ଭକ୍ତ ଆଉ ଭଗବାନଙ୍କର ସେହି ଅପୂର୍ବ ସ୍ମୃତିର ସାକ୍ଷୀ ବହନକରି ଏଠାରେ ଗଢ଼ାହୋଇଛି ଶବରୀମାତା ମନ୍ଦିର। ବଡ଼ ବଡ଼ ପର୍ବତ କଟାହୋଇ ତିଆରି ହୋଇଛି ସର୍ପିଳ ରାସ୍ତା। ରାସ୍ତାର ଦୁଇକଡ଼େ ଲମ୍ବା ଲମ୍ବା ଗଛ, ମଝିରେ ମଝିରେ ପାହାଡ଼ର ସୁନ୍ଦର ଶୋଭା ଦେଖି ଦେଖି ମୁଗ୍ଧ ହେଉଥାନ୍ତି ପର୍ଯ୍ୟଟକ। ପାହାଡ଼ର ପାଦଦେଶରୁ ଶୀର୍ଷ ପର୍ଯ୍ୟନ୍ତ ଯିବା ପାଇଁ ରୋପ୍‌ୱେ ଅଛି ସେଠାରେ। ଗୁଜରାଟ ସରକାରଙ୍କ ପର୍ଯ୍ୟଟନ ବିଭାଗର ସୌଜନ୍ୟରୁ ପାହାଡ଼ର ଶୀର୍ଷଦେଶରେ ପାହାଡ଼ ଚୂଡାକୁ ସମତୁଲ କରି ତିଆରି ହୋଇଛି ବିସ୍ତୀର୍ଣ୍ଣ ପ୍ରାନ୍ତରଟିଏ। ସେଠାରେ ପିଲାମାନଙ୍କ ଖେଳିବା ସହ ବଡ଼ମାନଙ୍କ ଖାଇବା ପିଇବା ଓ ମନୋରଞ୍ଜନର ବନ୍ଦୋବସ୍ତ ରହିଛି। ସେହି ପାହାଡ଼ ଉପରେ ଅନତିଦୂରରେ ରହିଛି ସାପୁତାରା ଲେକ୍‌। ଲେକ୍‌ର ଶୋଭା ଅତୀବ ସୁନ୍ଦର, ସେଠାରେ ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା ଓ ପାରା ଗ୍ଲାଇଡିଂ ସେଣ୍ଟର ଅଛି। ସେଠାରେ ରହି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଶୋଭା ସନ୍ଦର୍ଶନ କରିବା ପାଇଁ ପାହାଡ଼ ଉପରେ ସନ୍‌ ରାଇଜ୍‌ ଏବଂ ସନ୍‌ ସେଟ୍‌ ପଏଣ୍ଟ ମଧ୍ୟ ରହିଛି, ଆଉ ପାହାଡ଼ର ଉତ୍ତର ଦିଗରେ ରହିଛି ସୁନ୍ଦର କାରୁକାର୍ଯ୍ୟଭରା ଜୈନ ମନ୍ଦିରଟିଏ। ସେଠାରେ ମଧ୍ୟ ରହିଛି ଗୋଟିଏ ଷ୍ଟେପ୍‌ ଗାର୍ଡେନ୍‌। ବଗିଚାଟିକୁ ପ୍ରାକୃତିକ ରୂପ ଦେବାପାଇଁ ଖୁବ୍‌ ଚେଷ୍ଟା କରିଛନ୍ତି କାରିଗରମାନେ।
ସାପୁତାରା ଶୈଳନିବାସ ଯିବା ବାଟରେ ପଡ଼େ ୱାଘାଇ ଗାର୍ଡେନ୍‌। ଏହା ଗୁଜରାଟର ଜାତୀୟ ଉଦ୍ଭିଦ ଉଦ୍ୟାନ। ଗୋଲାକାର ସେଇ ଉଦ୍ୟାନଟି ସମ୍ପୂର୍ଣ୍ଣ ବୁଲି ଦେଖିବା ଲାଗି ଦର୍ଶକମ୍‌କୁ ହାରାହାରି ୨ଘଣ୍ଟା ଲାଗିଯିବ।

ଗୁଜରାଟ ଓ ମହାରାଷ୍ଟ୍ର ସୀମାରେ ଅବସ୍ଥିତ ସପ୍ତଶୃଙ୍ଗୀ ମାତାଙ୍କ ମନ୍ଦିର। ସାପୁତାରା ଦେଖିବାକୁ ଯାଉଥିବା ପର୍ଯ୍ୟଟକମାନେ ନିଶ୍ଚିତ ଭାବରେ ଯାଆନ୍ତି ସପ୍ତଶୃଙ୍ଗୀ ଗଡ଼ର ସେହି ଶକ୍ତିପୀଠଟି ଦେଖିବାକୁ । ଜାତୀୟ ରାଜପଥରେ ରାସ୍ତାକଡରେ ରହିଛି ଏକର ଏକର ବ୍ୟାପୀ ଆଖୁ ଏବଂ ଅଙ୍ଗୁରର କ୍ଷେତ। ଏହାପରେ ମହାରାଷ୍ଟ୍ରରେ ପ୍ରବେଶ ପାଇଁ ଆରମ୍ଭ ହୁଏ ପାହାଡ଼ୀ ରାସ୍ତା । ଏମିତି ଯାଇ ଯାଇ ପହଞ୍ଚିବାକୁ ପଡ଼େ ସପ୍ତଶୃଙ୍ଗୀ ଗଡ଼ରେ। ସାତୋଟି ପର୍ବତର ଘେରା ମଧ୍ୟରେ ଗୋଟିଏ ସୁଉଚ୍ଚ ପର୍ବତର ଶୀର୍ଷଦେଶରେ ମାଆ ସପ୍ତଶୃଙ୍ଗୀଙ୍କର ଆବାସସ୍ଥଳୀ। ପାହାଡ଼ୀ ଆଦିବାସୀ ମହିଳାମାନେ ସେଠାର ଜଙ୍ଗଲରୁ ଗୋଟାଇଥିବା ଲୋଭନୀୟ ଆଲ୍‌ଫାନ୍ସୋ ଆମ୍ବସବୁ ଟୋକେଇରେ ଧରି ବିକ୍ରିକରିବା ପାଇଁ ବସିଥାନ୍ତି । ଗୋଲ୍‌ ଗୋଲ୍‌ ବୁଲି ବୁଲି ଗାଡ଼ି ପାହାଡ଼ର ଶୀର୍ଷରେ ପହଞ୍ଚିଥାଏ । ସେଠାରେ ରହିଛି ପ୍ରସ୍ତର ନିର୍ମିତ ଗୋଟିଏ ବଡ଼ ସୁନ୍ଦର ଶିବମୂର୍ତ୍ତି ଏବଂ କାର୍‌ ପାର୍କିଂ।
ସେଇଠୁ ରୋପ୍‌ ୱେରେ ଚାଲୁଥିବା ଟ୍ରେନ୍‌ରେ ବସି ଯିବାକୁ ହୁଏ ମନ୍ଦିର ପାଖକୁ । ସେଠାରେ ଗୋଟିଏ ପଟରେ ରହିଛି ଏକ ସୁବ୍ୟବସ୍ଥିତ ଭୋଜନାଳୟ, କେତେକ ମନୋହରୀ ଦୋକାନ ବଜାର, ଆର ପଟେ ରହିଛି ମାଆଙ୍କର ଦର୍ଶନ କରିବା ପାଇଁ ଯିବାର ରାସ୍ତା ଓ ଅଳ୍ପ କିଛି ପାହାଚ। ସେଥିରେ ଯାଇ ଦର୍ଶକମାନଙ୍କ ଲମ୍ବା ଧାଡ଼ିରେ ଠିଆ ହୋଇ ଧାଡ଼ିରେ ଧାଡ଼ିରେ ଯାଇ ପହଞ୍ଚିବ ପାହାଡ଼ ଖୋଲରେ ଯେଉଁଠି ରହିଛି ମାଆଙ୍କର ଆସ୍ଥାନ। ଦେବୀଙ୍କ ବିଷୟରେ ଦେବୀ ଭାଗବତ ଏବଂ ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ମା’ ସତୀଙ୍କ ଶରୀରରୁ ଗଠିତ ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ପୀଠଟି ଅନ୍ୟତମ। ଏହା ଏକ ପ୍ରସିଦ୍ଧ ଶକ୍ତି ପୀଠ, ଯେଉଁଠି ଦେବୀଙ୍କର ମୂର୍ତ୍ତିଟି ସ୍ବୟମ୍ଭୁ ଅର୍ଥାତ୍‌ ନିଜ ଦ୍ବାରା ନିଜେ ନିର୍ମିତ । କିନ୍ତୁ ଭକ୍ତମାନଙ୍କ ପ୍ରଦତ୍ତ କୌଣସି ଭୋଗ ଲାଗି ହୁଏ ନାହିଁ ଦେବୀଙ୍କଠାରେ। କେବଳ ସିନ୍ଦୂର ଦେବୀଙ୍କର ପାଦରେ ଲାଗି ହୁଏ, ବାକି ଜିନିଷ ସେଠାରେ ଥିବା ରୌପ୍ୟ ନିର୍ମିତ ଦେବୀଙ୍କର ପାଦଚିହ୍ନ ଆସ୍ଥାନରେ ଛୁଆଁଇ ଫେରାଇ ଅଣାଯାଏ। ତଳକୁ ଆସିବା ରାସ୍ତାରେ ରହିଛି ନାଗେଶ୍ୱର ଶିବମନ୍ଦିର । ଭକ୍ତମାନେ ମାନସିକ ରଖି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏଠାକୁ ଯିବା ପାଇଁ ନିକଟତମ ଏୟାରପୋର୍ଟଟି ହେଉଛି ମୁମ୍ବାଇର ଛତ୍ରପତି ଶିବାଜୀ ବିମାନବନ୍ଦର। ଏହା ସାପୁତାରାଠାରୁ ପ୍ରାୟ ୩୬୦ କି.ମି. ଦୂର। ଟ୍ରେନ୍‌ରେ ଗଲେ ସାପୁତାରାରୁ ୬୦ କି.ମି. ଦୂରତାରେ ଥିବା ୱାଘାଇ ରେଳଷ୍ଟେଶନରେ ଓହ୍ଲାଇ ସେଠାରୁ ଟ୍ୟାକ୍ସି କିମ୍ବା ବସ୍‌ ଧରି ଯାଇ ହୁଏ ସାପୁତାରା ଶୈଳନିବାସ । ସମସ୍ତ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରୁ ଟୁରିଷ୍ଟ ବସ୍‌ ପ୍ରତିଦିନ ପହଞ୍ଚିଥାଏ ସାପୁତାରା ଶୈଳନିବାସରେ। ଦେଶ ବିଦେଶରୁ ଅନେକ ଟୁରିଷ୍ଟ ସେଠାରେ କିଛିଦିନ ରହି ପ୍ରକୃତିର ନୈସର୍ଗିକ ଶୋଭାସମ୍ଭାର ଉପଭୋଗ କରିବା ସହ ଦେବଦେବୀଙ୍କର ଦର୍ଶନକରି ଐଶୀ କୃପା ଲାଭ କରିଥାନ୍ତି।

-ସୁଷମା ପରିଜା, ଶାରଳା ଭବନ,
ପୋତାପୋଖରୀ, ନୂଆବଜାର, କଟକ


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri