ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ କରିଥାନ୍ତି। ମାତ୍ର ମୋବାଇଲ୍ ଗେମ୍କୁ ନିଜର ଆବେଗ ଓ ଜିଦ୍ରେ ପରିଣତ କରି ବିହାରର ଜଣେ ଯୁବକ ଏପରି କାର୍ଯ୍ୟ କରି ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ବିହାରର ସିୱାନ୍ ଜିଲାର ଶୁଭମ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ପ୍ରସିଦ୍ଧ ମୋବାଇଲ୍ ଗେମ୍ ‘କ୍ୟାଣ୍ଡି କ୍ରଶ୍’ (Candy Crush) ଖେଳି ଏକ ଅସାଧାରଣ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି।
ଏକ ସରକାରୀ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିବା ଶୁଭମଙ୍କୁ କ୍ୟାଣ୍ଡି କ୍ରଶ୍ ଖେଳିବାର ଏପରି ନିଶା ଘାରିଥିଲା ଯେ, ସେ ସକାଳ, ସନ୍ଧ୍ୟା, ଦିନ ଓ ରାତି—ସବୁସମୟରେ କେବଳ ଏହି ଗେମ୍ରେ ହିଁ ବ୍ୟସ୍ତ ରହୁଥିଲେ। ଆଖି ଲାଲ୍ ପଡ଼ିଯାଇଥିଲେ ମଧ୍ୟ ସେ ଖେଳିବା ବନ୍ଦ କରି ନ ଥିଲେ। ଲଗାତାର ସ୍କ୍ରିନ୍ରେ ସ୍ୱାଇପ୍ କରି କ୍ୟାଣ୍ଡି ମିଶାଉ ମିଶାଉ ସେ ଗୋଟିଏ ପରେ ଗୋଟିଏ ଲେଭଲ୍ ଅତିକ୍ରମ କରି ଚାଲିଲେ।
ଶେଷରେ ଏପରି ଏକ ସମୟ ଆସିଲା, ଯେତେବେଳେ ଗେମ୍ ତିଆରି କରିଥିବା କମ୍ପାନୀ (Candy Crush Team) ପାଖରେ ଶୁଭମଙ୍କ ଆଗକୁ ଯିବା ପାଇଁ ଆଉ କୌଣସି ନୂଆ ଲେଭଲ୍ ହିଁ ନ ଥିଲା। ଅର୍ଥାତ୍, ଶୁଭମ କ୍ୟାଣ୍ଡି କ୍ରଶ୍ର ଶେଷ ସ୍ଟେଜ୍ରେ ପହଞ୍ଚି ଗେମ୍କୁ ସମ୍ପୂର୍ଣ୍ଣ ଶେଷ (‘The End’) କରିଦେଇଥିଲେ।
ଶୁଭମଙ୍କର ଏହି ଅସାଧାରଣ ସଫଳତାକୁ ‘ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ’ (International Book of Records) ପକ୍ଷରୁ ସ୍ୱୀକୃତି ମିଳିଛି। ସଂସ୍ଥାର ୱେବସାଇଟ୍ ଅନୁସାରେ, “କ୍ୟାଣ୍ଡି କ୍ରଶ୍ ସାଗା (ଟିନ୍ଏଜର୍)” କ୍ୟାଟେଗୋରୀରେ ସବୁଠାରୁ ଉଚ୍ଚ ଲେଭଲ୍ ହାସଲ କରିଥିବା ବ୍ୟକ୍ତି ଭାବେ ଶୁଭମଙ୍କ ନାମ ନଥିଭୁକ୍ତ କରାଯାଇଛି। ୫ ଜୁଲାଇ ୨୦୨୬ରେ ଏହି ରେକର୍ଡ ତାଙ୍କ ନାମରେ ହୋଇଛି।
ଏହି ବିଶ୍ୱ ରେକର୍ଡ ହାସଲ କରିବା ପରେ ଶୁଭମ କହିଛନ୍ତି, “ମୁଁ ଏହି ସମ୍ମାନ ପାଇବା ପରେ ଅତ୍ୟନ୍ତ ଖୁସି ଓ କୃତଜ୍ଞ। ଏହି ମାନ୍ୟତା ମୋତେ ଭବିଷ୍ୟତରେ ଆହୁରି କଠିନ ପରିଶ୍ରମ କରିବାକୁ ଏବଂ ଏହାଠାରୁ ବଡ଼ ସଫଳତା ହାସଲ କରିବାକୁ ପ୍ରେରଣା ଦେବ।”

