Posted inଖେଳ

ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟ୍‌

ଆବୁଧାବି, ୭।୧୧-
ଖରାପ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚରେ ବିରାଟ କୋହଲିଙ୍କ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୩୧ ରନ କରିଥିଲା। ବିଜୟ ଲକ୍ଷ୍ୟକୁ ସନ୍‌ରାଇଜର୍ସ ୧୯.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ନବଦୀପ ସଇନୀଙ୍କ ଶେଷ ଓଭରରୁ ୯ ରନ ଆବଶ୍ୟକ ହେଉଥିବାବେଳେ ଜାସନ ହୋଲ୍ଡର ୩ୟ ଓ ୪ର୍ଥ ବଲ୍‌କୁ କ୍ରମାଗତ ଚୌକାମାରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ଚଳିତ ଆଇପିଏଲରେ ଏହାକୁ ମିଶାଇ କ୍ରମାଗତ ୫ମ ପରାଜୟ ବରଣ କରିଥିବା ଆରସିବି ଏଲିମିନେଟ୍‌ ହୋଇଛି। ବିଜେତା ସନ୍‌ରାଇଜର୍ସ ଆସନ୍ତା ୮ ତାରିଖରେ କ୍ୱାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଉକ୍ତ ମ୍ୟାଚର ବିଜୟୀ ଦଳ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୧୦ ତାରିଖରେ ଫାଇନାଲ ଖେଳାଯିବ।
ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ଖେଳିଥିବା ୧୫ ମ୍ୟାଚରୁ ଏଠାରେ ୧୧ଥରପାଇଁ ଟସ୍‌ ଜିତିଥିଲେ ଡେଭିଡ ଓ୍ବାର୍ନର। ପୂର୍ବରୁ କେବଳ ରୋହିତ ଶର୍ମା ୨୦୧୭ ଓ ମହେନ୍ଦ୍ର ସିଂ ଧୋନୀ ୨୦୧୮ରେ ୧୧ ଥର ଟସ୍‌ ଜିତି ପାରିଥିଲେ। କ୍ରିସ୍‌ ମୋରିସ ଆହତ ଯୋଗୁ ଖେଳୁ ନ ଥିବାରୁ ଆରସିବି ସନ୍ତୁଳନ ବିଗିଡ଼ି ଯାଇଥିଲା। ଫଳରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ଦେବଦତ୍ତ ପଡିକାଲଙ୍କ ସହ ଇନିଂସ ଓପନ କରିଥିଲେ ଅଧିନାୟକ ବିରାଟ କୋହଲି। ସନ୍ଦୀପ ଶର୍ମାଙ୍କ ପ୍ରଥମ ଓଭରରୁ ୫ ରନ ସଂଗ୍ରହ ହୋଇଥିବାବେଳେ ଦ୍ୱିତୀୟ ଓଭର ବୋଲିଂ କରିଥିବା ଜାସନ ହୋଲ୍ଡର ଦ୍ୱିତୀୟ ବଲ୍‌ରେ କୋହଲିଙ୍କୁ ଉଇକେଟ କିପର ଶ୍ରୀବତ୍ସ ଗୋସ୍ବାମୀଙ୍କ ହାତରେ କ୍ୟାଚ କରାଇ ଆରସିବିକୁ ଶକ୍ତ ଧକ୍କା ପହଞ୍ଚାଇଥିଲେ। ମାତ୍ର ୬ ରନ କରିଥିବା କୋହଲି ଅମ୍ପାୟରଙ୍କ ନିଷ୍ପତ୍ତିକ୍ରମେ ପ୍ୟାଭିଲିୟନ ଆଡ଼େ ମୁହାଁଇଥିଲେ। ଫଳରେ ପୂର୍ବ କିଛି ମ୍ୟାଚ ଭଳି ପାଓ୍ବାରପ୍ଲେରେ ଏଠାରେ ମଧ୍ୟ ଆରସିବିର ରନହାର ଧିମେଇ ଯାଇଥିଲା। କେବଳ ସେତିକି ନୁହେଁ ହୋଲ୍ଡର ନିଜ ଦ୍ୱିତୀୟ ଓଭରରେ ଫର୍ମରେଥିବା ପଡିକାଲ(୧ ରନ)ଙ୍କୁ ଆଉଟ କରି କୋହଲିଙ୍କ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ୧୫ ରନ ମଧ୍ୟରେ ଦୁଇ ଓପନରଙ୍କୁ ହରାଇଥିବା ଆରସିବି ୬ ଓଭର ପାଓ୍ବାରପ୍ଲେରେ ମାତ୍ର ୩୨ ରନ କରି ପାରିଥିଲା। ଫଳରେ ୧୦ମ ଓଭରରେ ୫୦ ରନ ପୂରଣ ହୋଇ ପାରିଥିଲା। ୧୧ତମ ଓଭରରେ ଦଳ ୨ଟି ଉଇକେଟ ହରାଇ ଅଧିକ ଶୋଚନୀୟ ପରିସ୍ଥିତିକୁ ଚାଲି ଆସିଥିଲା। ସେଟ୍‌ ହୋଇ ସାରିଥିବା ଫିଞ୍ଚ୍‌ ଶାହାବାଜ୍‌ ନଦିମଙ୍କ ବଲ୍‌କୁ ବଡ଼ ହିଟ୍‌ ଲଗାଇବାକୁ ଯାଇ ସ୍ବିପର କଭରରେ ଅବଦୁଲ ସମଦଙ୍କୁ କ୍ୟାଚ ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ମୋଇନ ଅଲୀ ଖାତା ଖୋଲିବା ପୂର୍ବରୁ ରନଆଉଟ ହୋଇ ଯାଇଥିଲେ। ଫିଞ୍ଚ୍‌ ୩୦ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୩୨ ରନ କରିଥିଲେ। ଶିବମ୍‌ ଦୁବେଙ୍କ ଖରାପ ଫର୍ମ ଜାରି ରହିଥିଲା। ଏଠାରେ ତାଙ୍କଠାରୁ ଦଳ ଏକ ବଡ଼ ସ୍କୋର ଚାହୁଁଥିବାବେଳେ ୧୩ ବଲ୍‌ରୁ ସେ ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ସ୍ବାଭାବିକଭାବେ ଏବି ଡି’ଭିଲର୍ସଙ୍କ ଉପରେ ଚାପ ବଢ଼ି ଯାଇଥିଲା। ସେ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ସ୍ବଭାବ ଅନୁସାରେ ଷ୍ଟ୍ରୋକ୍‌ ଖେଳିପାରି ନ ଥିଲେ। ୧୮ତମ ଓଭରରେ ଟି. ନଟରାଜନ ଉଭୟ ଓ୍ବାଶିଂଟନ ସୁନ୍ଦର ଓ ଡି’ଭିଲର୍ସଙ୍କୁ ଆଉଟ କରିବାରୁ ଆରସିବିର ସମ୍ମାନଜନକ ସ୍କୋର ଆଶା ଶେଷ ହୋଇ ଯାଇଥିଲା। ସୁନ୍ଦର ମାତ୍ର ୫ ରନ କରିଥିବାବେଳେ ଡି’ଭିଲର୍ସ ୪୩ ବଲ୍‌ରୁ ୫ ଚୌକା ସହ ୫୬ ରନ କରି କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଫଳରେ ଆରସିବି ଇନିଂସ ୧୩୧ ରନରେ ସୀମିତ ରହିଥିଲା। କୋହଲିଙ୍କ ସମେତ ୫ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ସନ୍‌ରାଇଜର୍ସ ପକ୍ଷରୁ ଜାସନ ହୋଲ୍ଡର ୩ଟି, ଟି.ନଟରାଜନ ୨ଟି ଓ ଶାହାବାଜ ନଦିମ ଗୋଟିଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ସନ୍‌ରାଇଜର୍ସ ପ୍ରଥମ ଓଭରରେ ଶ୍ରୀବତ୍ସ ଗୋସ୍ବାମୀ(୦)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓ୍ବାର୍ନର ଓ ମନୀଷ ପାଣ୍ଡେ ସତର୍କତାର ସହ ଦଳକୁ ଆଗେଇ ନେଇଥିଲେ। ତେବେ ଦ୍ୱିତୀୟ ଉଇକେଟରେ ୪୧ ରନର ଭାଗୀଦାରି ପରେ ଓ୍ବାର୍ନର ଆଉଟ ହୋଇଥିଲେ। ସେ ୧୭ ବଲ୍‌ରୁ ୧୭(୩ ଚୌକା) ରନ କରିଥିଲେ। ସନ୍‌ରାଇଜର୍ସର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ ମହମ୍ମଦ ସିରାଜ। ସେଟ୍‌ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଦ୍ରୁତ ହାରରେ ରନ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ ହେଁ ୨୧ ବଲ୍‌ରୁ ୨୪ (୩ ଚୌକା, ୧ ଛକା) ରନ କରିଥିବାବେଳେ ଆଡାମ ଜାମ୍ପାଙ୍କ ବଲ୍‌ରେ ଉଇକେଟ ପଛରେ ଡି’ଭିଲର୍ସଙ୍କୁ କ୍ୟାଚ ଦେଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ୍‌ ଗର୍ଗ ମାତ୍ର ୭ ରନରେ ଆଉଟ ହେବାରୁ କେନ୍‌ ଓ୍ବିଲିୟମସନ ଓ ଜାସନ ହୋଲ୍ଡରଙ୍କ ଦାୟିତ୍ୱ ବଢ଼ିଥିଲା। ମଧ୍ୟଭାଗରେ ଆରସିବି ବୋଲରମାନେ ଟାଇଟ୍‌ ବୋଲିଂ କରିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ସ୍ଥିତିକୁ ଆସିଥିଲା। ମାତ୍ର ଦୁଇ ଅଭିଜ୍ଞ ଖେଳାଳି ସତର୍କତାର ଖେଳି ସନ୍‌ରାଇଜର୍ସକୁ ବିଜୟୀ କରାଇଥିଲେ। ଓ୍ବିଲିୟମସନ ୪୪ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ମାରି ୫୦ ଏବଂ ହୋଲ୍ଡର ୨୦ ବଲ୍‌ରୁ ୨୪(୩ ଚୌକା) ରନକରି ଅପରାଜିତ ରହିଥିଲେ। ଅସମାପ୍ତ ୫ମ ଉଇକେଟରେ ଦୁହେଁ ୬୫ ରନ ଯୋଗକରି କୋହଲି ବାହିନୀଙ୍କୁ ନିରାଶ କରିଥିଲେ। ଆରସିବି ପକ୍ଷରୁ ମହମ୍ମଦ ସିରାଜ ୨ଟି ଏବଂ ଆଡାମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୩୧/୭ (ଡି’ଭିଲର୍ସ-୫୬, ଫିଞ୍ଚ୍‌-୩୨, ହୋଲ୍ଡର-୩/୨୫, ନଟରାଜନ-୨/୩୩, ନଦିମ-୧/୩୦)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ୧୩୨/୪ (ଓ୍ବିଲିୟମସନ-୫୦*, ହୋଲ୍ଡର-୨୪*, ମନୀଷ-୨୪, ସିରାଜ- ୨/୨୮, ଜାମ୍ପା-୧/୧୨, ଚହଲ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri